ଦ୍ରୌପଦୀଙ୍କ ଗାଁରେ ଜଳିଲା ବିଜୁଳିବତି

ରାଇରଙ୍ଗପୁର : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମିତ ଗ୍ରାମ କୁସୁମୀ ବ୍ଲକ ଉପରବେଡା ଗ୍ରାମ ସଂଲଗ୍ନ ଦେଢ କିମି ଦୂର ଡୁଙ୍ଗୁରୀ ନିକଟରେ ଏକ ବସ୍ତି ରହିଛି । ଏହାକୁ ଡୁଙ୍ଗୁରିସାହି କୁହାଯାଉଛି। ଡୁଙ୍ଗୁରିସାହିରେ ଦୀର୍ଘ ଦିନ ହେବ ବିଦ୍ୟୁତ ଆଲୁଅ ନ ଥିଲା। ସାହିର ଲୋକେ ଏନେଇ ଅନେକ ବାର ଦାବି ଜଣାଇବା ସହିତ ନିକଟରେ ଜିଲାପାଳଙ୍କ ଜନଶୁଣାଣିରେ ମଧ୍ୟ ଦାବି ଉପସ୍ଥାପନ କରିଥିଲେ। ଉପରବେଡା ପଞ୍ଚାୟତର ସମିତି ସଭ୍ୟା ଧନମଣି ବାସ୍କେଙ୍କ କହିବା ଅନୁସାରେ ଡୁଙ୍ଗୁରିସାହିରେ ୧୫ଟି ପରିବାର ବସବାସ କରୁଛନ୍ତି । ସମସ୍ତେ ବିପିଏଲ ଶ୍ରେଣୀର। ତେବେ ଦ୍ରୌପଦୀଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଉପରବେଡା ଗ୍ରାମରେ ଗଣମାଧ୍ୟମ ପ୍ରତିନିଧଙ୍କ ଭିଡ଼ ଲାଗିରହିଛି । ତେବେ ଡୁଙ୍ଗୁରିସାହିରେ ବିଦ୍ୟୁତ୍‌ ନ ଥିବା ଖବର ପ୍ରସାରଣ ହୋଇଥିଲା। ଖବର ପ୍ରକାଶ ପାଇବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଡୁଙ୍ଗୁରିସାହିକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି । ଟାଟା ପାୱାର ନର୍ଥ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ତରଫରୁ ୨୦ଟି ଖୁଣ୍ଟ ପୋତାଯାଇ ମୋଟ ୧୮ଟି ପରିବାରକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଫଳରେ ଡୁଙ୍ଗୁରିସାହି ଲୋକଙ୍କ ମୁହଁରେ ହସ ଫୁଟିଛି।

Comments are closed.