୧୭ ଗାଁବାସୀଙ୍କ ଦୁଃଖ ମହେନ୍ଦ୍ରତନୟା : ବିଜୁଳି ଖୁଣ୍ଟରେ ନଦୀ ପାର୍‌

ପାତ୍ରପୁର : ଆନ୍ଧ୍ରପ୍ରଦେଶ ସୀମାନ୍ତ ପାତ୍ରପୁର ବ୍ଲକର ଦୁଇ ଆଦିବାସୀ ପଞ୍ଚାୟତର ୧୭ରୁ ଅଧିକ ଗ୍ରାମବାସୀଙ୍କ ପାଇଁ ମହେନ୍ଦ୍ରତନୟା ନଦୀ ଦୁଃଖର କାରଣ ପାଲଟଛି। ଏହି ନଦୀ​ରେ‌ ପୋଲ ନିର୍ମାଣ ହେଉନଥିବାରୁ ନଦୀର ଦୁଇମୁଣ୍ଡକୁ ସ୍ପର୍ଶ କରୁଥିବା ଏକ ବିଦ୍ୟୁତ ଖୁଣ୍ଟ ଜରିଆରେ ଲୋକେ ନଦୀ ଅତିକ୍ରମ କରୁଛନ୍ତି। ବର୍ଷବର୍ଷ ଧରି ନଦୀରେ ବନ୍ୟାଜଳ ଆସିଲେ ଲୋକେ ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ଚଳାଚଳ କରୁଛନ୍ତି। ଦୁଇଦିନର ଲଗାଣ ବର୍ଷାରେ ନଦୀରେ ବନ୍ୟା ଜଳ ଆସିଯାଇଥିବାରୁ ଲୋକେ ବିଦ୍ୟୁତ ଖୁଣ୍ଟ ଭରସାରେ ନଦୀ ଅତିକ୍ରମ କରୁଛନ୍ତି। ଆଗକୁ ପୁଣି ଲଘୁଚାପଜନିତ ବର୍ଷା ସୂଚନା ମିଳିଛି। ନଦୀରେ ଜଳସ୍ତରବୃଦ୍ଧି ଘଟିଲେ ଏହି ସବୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ଆଶଙ୍କା ଦେଖା ଦେଇଛି। ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଳକର ତୁମ୍ବା ଏବଂ ବୁରାତାଲ ପଞ୍ଚାୟତ ଅନ୍ତର୍ଗତ ଡାବୁଥଳି, ଗୁଡିପଦର(ଲିଆବାଲି), ଲାଇଡା(ଜୟପୁର), ଅର୍ଜୁବା, ରମ୍ପା, ତାଳବାଡ, ସୋରଡା, ବଡଅଞ୍ଜାଗୁଲି, ସାନଅଞ୍ଜାଗୁଲି, ବାତରା ସାହି, ସଚର, ସାନଗାଁ, ବିଲୁଗାଁ, କାନ୍ତି ଗାଁ, କୁସମଳା, କପାଡ଼ିଆ ଆଦି ଗ୍ରାମ ରହିଛି।
ଏହିସବୁ ଗ୍ରାମ ପାତ୍ରପୁର ସଦରମହକୁମାଠାରୁ ୪୦ରୁ୬୦ କିଲୋମିଟର ଦୂରତାରେ ରହିଛି। ଏହିସବୁ ଗ୍ରାମକୁ ଯିବାକୁ ହେଲେ ତୁମ୍ବା ନିକଟ ଗୌଡୁଣି ଦେଇ ପ୍ରବାହିତ ମହେନ୍ଦ୍ରତନୟା ଏବଂ ଆନ୍ଧ୍ରର କଳିଙ୍ଗଦଳା ଆନିକଟ ତଳେ ପ୍ରବାହିତ ଦ୍ବିତୀୟ ମହେନ୍ଦ୍ର ତନୟା ନଦୀ ପାର ହୋଇ ଯିବାକୁ ପଡୁଛି। ଗୌଡୁଣି ନିକଟ ଦେଇ ପ୍ରବାହିତ ମହେନ୍ଦ୍ରତନୟା ନଦୀରେ ଅଧିକ ପାଣି ଆସିଲେ ଉପରୋକ୍ତ ଗ୍ରାମବାସୀ ପାତ୍ରପୁର ଯିବାକୁ ଚାହିଁଲେ ବିକଳ୍ପ ବ୍ୟବସ୍ଥା ସ୍ବରୂପ କଳିଙ୍ଗଦଳା ଆନିକଟ ତଳ ପାର୍ଶ୍ବରେ ପ୍ରବାହିତ ମହେନ୍ଦ୍ରତନୟା ନଦୀ ଅତିକ୍ରମ ଆନ୍ଧ୍ର ଜାତୀୟ ରାଜପଥ ଦେଇ ଅଧିକ ୧୫ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି। ଗତ ମାସରେ ହୋଇଥିବା ଅବିଶ୍ରାନ୍ତ ବର୍ଷାରେ ଏହି ନଦୀରେ ବନ୍ୟାଜଳ ଆସି ଜଳଭଣ୍ଡାର ପୂର୍ଣ୍ଣ ହୋଇପଡିଥିଲା। ଯଦ୍ବାରା ଦୁଇଦିନ ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଥିଲା। ଏବେ ପୁଣି ଲଗାଣ ବର୍ଷାରେ କଳିଙ୍ଗଦଳା ଆନିକଟରେ ଜଳ ଭର୍ତ୍ତି ହୋଇ ଉଦବୃତ୍ତ ଜଳ ନିର୍ଗମନ ପଥ ଅତିକ୍ରମ କରି ମହେନ୍ଦୟତନୟା ନଦୀରେ ପ୍ରବାହିତ ହୋଇଛି। ଏହି କାରଣରୁ ୧୭ ଖଣ୍ଡ ଗଁାବାସୀଙ୍କ ଚଳାଚଳରେ ବାଧା ପହଞ୍ଚିିଛି। ଲୋକେ କଳିଙ୍ଗଦଳା ଜଳଭଣ୍ଡାର ତଳ ଅଂଶ ମହେନ୍ଦ୍ରତନୟା ନଦୀରେ ବିଦ୍ୟୁତ ଖୁଣ୍ଟ ପକାଇ ତାହାରି ସାହାଯ୍ୟରେ ନଦୀ ପାର ହେଉଛନ୍ତି। ଏହି ଦୁଇ ପଞ୍ଚାୟତବାସୀଙ୍କୁ ବର୍ଷାଦିନ ଆସିବା ମାତ୍ରେ ଚିନ୍ତା ଘାରୁଛି ।
ତୁମ୍ବା ଓ ବୁରାତାଲ ପଞ୍ଚାୟତକୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଯିବାକୁ ହେଲେ ଲୋକଙ୍କୁ ୨୦ରୁ ୩୫ କିଲୋମିଟର ମଧ୍ୟରେ ଦୁଇଟି ନଦୀ ପାର ହେବାକୁ ପଡୁଛି। ଉପରୋକ୍ତ ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜାର ସଉଦା ପାଇଁ ଆନ୍ଧ୍ର କୁରୁଡାଲ ଦେଇ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ପୂର୍ବରୁ ଏହି ସବୁ ଗ୍ରାମର ଲୋକମାନେ ଦୁର୍ଗମ ଜଙ୍ଗଲ ମଧ୍ୟରେ ରହୁଥିଲେ। ପାହାଡ ତଳ ଅଂଶରେ ବସତି ସ୍ଥାପନ କରିବାକୁ ପ୍ରଶାସନ ପଦକ୍ଷେପ ନେବା ପରଠାରୁ ୮ ଗ୍ରାମର ଜନସାଧାରଣ ନଦୀ ପାର୍ଶ୍ୱରେ ପୂର୍ବ ଗ୍ରାମ ନାମରେ ବସତି ସ୍ଥାପନ କରିଛନ୍ତି। ଗୁଡିପଦର ଗ୍ରାମରେ ପିଲାଙ୍କ ପାଠ ପଢା ପାଇଁ ନିର୍ମାଣ ହୋଇଥିବା ସ୍କୁଲ ଘର ତିତଲି ପରଠାରୁ ଭାଙ୍ଗିରୁଜି ରହିଛି। ଏପରିକି ଆମ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲି ନଥିବା ବେଳେ ଆନ୍ଧ୍ରରେ ଖୋଲିବା ଯୋଗୁଁ ତିରିଶିରୁ ଅଧିକ ପିଲା ନଦୀ ପାର ହୋଇ ଆନ୍ଧ୍ର ପୁରୁଣାଗଡ଼ ବିଦ୍ୟାଳୟକୁ ନିୟମିତ ଯାଉଛନ୍ତି। ଏହି ଗ୍ରାମ ମଧ୍ୟରୁ ଗୁଡିଖଳା ଗ୍ରାମଟି ଦୁଇ ରାଜ୍ୟର ତିନି ପଞ୍ଚାୟତ ସମିତି ଅଧୀନରେ ରହିଛି। ଲୋକମାନେ ତିନି ସ୍ଥାନରୁ ସୁବିଧା ପାଉଛନ୍ତି। କେତେକ ଗ୍ରାମକୁ ଗଜପତି ଜିଲାରୁ ବିଦ୍ୟୁତ ସଂଯୋଗ ରହିଛି। ଓଡ଼ିଶାରୁ ଏହି ସବୁ ଗ୍ରାମକୁ ପକ୍କା ରାସ୍ତାଟିଏ ନାହିଁ। ଲୋକଙ୍କୁ ରାସ୍ତା ଯନ୍ତ୍ରଣା ଲାଗି ରହିଛି।

Comments are closed.