ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ, ଯାତାୟତରେ ଅସୁବିଧା

ବେଗୁନିଆ : ଖୋର୍ଦ୍ଧା- ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥ ଠାରୁ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ଗୋଡା ପରିଚ୍ଛଳ ରାସ୍ତାର ଗୋଡା ଠାରେ ଦେଖିବାକୁ ମିଳିଛି ଅଜବ ପ୍ରକାର ଦୃଶ୍ୟ । ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡା ଗ୍ରାମରେ ବିରାଜମାନ କରିଛନ୍ତି ପ୍ରଭୁ ଲୋକନାଥ । ସେ ଗୋଡା ଲୋକନାଥ ଭାବେ ପରିଚିତ ହେଲେ ମଧ୍ୟ ତାଙ୍କର ମହିମା ଯିଏ ଥରେ ଜାଣିଛି ଜୀବନ ସାରା ତା’ର ପରିବାର ସହିତ ବନ୍ଧୁବାନ୍ଧବ ତାଙ୍କର ସାନିଧ୍ୟ ଲାଭ କରିବା ପାଇଁ ଏଠାକୁ ଧାଇଁଥାନ୍ତି । ଏହି ରାସ୍ତାଟି ମନ୍ଦିର ଆଗ ଦେଇ ଯାଇଥିବାବେଳେ ସେଥିପାଇଁ ରାସ୍ତାର ଗୁରୁତ୍ୱ ଯଥେଷ୍ଟ ରହିଛି । କାରଣ ନିୟମିତ ବିଭିନ୍ନ ସ୍ଥାନରୁ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ଏହି ରାସ୍ତା ବେଗୁନିଆ ବ୍ଲକକୁ ସଂଯୋଗ କରିବା ସହିତ ଖୋର୍ଦ୍ଧା ବଲାଙ୍ଗୀର୫୭ନଂ ଜାତୀୟ ରାଜପଥକୁ ମଧ୍ୟ ସଂଯୋଗ କରୁଛି । ଖୋର୍ଦ୍ଧା ଦେଇ ବୁଲି ଆସିବା ଅପେକ୍ଷା ସମ୍ପୃକ୍ତ ରାସ୍ତାରେ ଦୂରତା କମ୍ ରହୁଛି । କିନ୍ତୁ ଏଭଳି ଗୋଟିଏ ମୁଖ୍ୟ ରାସ୍ତାଉପରେ ଥିବା ଠାକୁରଙ୍କ ମନ୍ଦିର ନିକଟ ରାସ୍ତା ମଝିରେ ୮/୧୦ଟି ବିଦ୍ୟୁତ ଖୁଣ୍ଟ ରହିଥିବାର ଦେଖିବାକୁ ମିଳୁଛି । ସଦ୍ୟ ରାସ୍ତା କାମ ନିର୍ମାଣ କରାଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତାମଝିରୁ ଅପସାରଣ କରା ନ ଯାଇ ରାସ୍ତା କାମ କିପରି କରାଗଲା ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି । ଏପରିକି ବିଦ୍ୟୁତ ବିଭାଗ ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପଛରେ କଣ ଉଦେଶ୍ୟ ରହିଛି ତାହା ବୁଝା ପଡୁନାହିଁ । ଏହାଦ୍ୱାରା ଲୋକମାନେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଗାଡି ମଟର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତା ଉପରୁ ଖୁଣ୍ଟ ଗୁଡିକ ଅପସାରଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Comments are closed.