ବିଦ୍ୟୁତ୍‌ ଚାଳିତ ଯାନ ପାଇଁ ଆସିବ ସ୍ବତନ୍ତ୍ର ନୀତି

ଚାର୍ଜିଂ ଷ୍ଟେସନ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ମିଳିବ ସହାୟତା, ଗାଡ଼ି କିଣିବା ପାଇଁ ସୁଧ ବିହୀନ ଋଣ ବ୍ୟବସ୍ଥା

ଭୁବନେଶ୍ୱର : ବିଦ୍ୟୁତଚାଳିତ ଯାନର ପ୍ରଚଳନକୁ ପ୍ରୋତ୍ସାହିତ କରିବା ପାଇଁ ଖୁବ୍ ଶୀଘ୍ର ଓଡ଼ିଶା ବିଦ୍ୟୁତ ଯାନ ନୀତି ପ୍ରଚଳନ ହେବ। ଅନେକ ରାଜ୍ୟ ନିଜର ବିଦ୍ୟୁତ ଯାନ ନୀତି ପ୍ରସ୍ତୁତ କରିଥିବା ବେଳେ ଓଡ଼ିଶା ସରକାର ଏଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଓଡ଼ିଶା ଇଲେକ୍ଟ୍ରି୍କ୍ ଭେହିକିଲ୍ ପଲିସି ପ୍ରସ୍ତୁତ କରିବା ପାଇଁ ୫ଟି ବିଭାଗକୁ ନେଇ କାମ ଆରମ୍ଭ ହୋଇଛି।
ଏବେ ସବୁଆଡ଼େ ବିଦ୍ୟୁତ ଚାଳିତ ଯାନକୁ ନେଇ ଚର୍ଚ୍ଚା। ଡିଜେଲ୍‌ ଓ ପେଟ୍ରୋଲ ଗାଡ଼ି ବଦଳରେ ଇଲେକ୍ଟ୍ରିକ ଯାନର ଚାହିଦା ବଢ଼ୁଛି। ତେବେ ଉତ୍ପାଦନ କମ୍ ଥିବାରୁ ଏପରି ଯାନର ମୂଲ୍ୟ ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଯାନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଭିନ୍ନ ରାଜ୍ୟ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଫାଷ୍ଟର ଆଡପସନ୍ ଆଣ୍ଡ ମାନୁଫାକ୍ଚରିଂ ଅଫ୍‌ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଭେହିକିଲ୍ (ଫେମ୍-୨) ଯୋଜନାରେ ୨୦୨୨ ସୁଦ୍ଧା ବିଦ୍ୟୁତ ଚାଳିତ ଗାଡ଼ିର ପ୍ରଚଳନ ଓ ବ୍ୟବସାୟ ବୃଦ୍ଧି ପାଇଁ ଲକ୍ଷ୍ୟ ରହିଛି। ଏହି ମର୍ମରେ ରାଜ୍ୟ ସରକାର ବିଦ୍ୟୁତ ଯାନ ନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏନେଇ ପରିବହନ ବିଭାଗ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର ଦାୟିତ୍ବ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ପରିବହନ ବିଭାଗ, ଅର୍ଥ ବିଭାଗ, ଶିଳ୍ପ ବିଭାଗ, ନଗର ଉନ୍ନୟନ, ଶକ୍ତି ବିଭାଗ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମିଳିତ ଭାବେ ଏଦିଗରେ କାମ କରିବେ। କେନ୍ଦ୍ର ସରକାର ଦେଉଥିବା ପାଣ୍ଠି ଆଧାରରେ ବିଭିନ୍ନ ସହରରେ ବିଦ୍ୟୁତ ଚାଳିତ ବସ୍, ଚାରି ଚକିଆ ଓ ତିନି ଚକିଆ ଯାନ ତଥା ଚାର୍ଜିଂ ଷ୍ଟେସନ୍ ପାଇଁ କେତେ ପରିମାଣର ସବ୍‌ସିଡି ଦିଆଯିବ, କେଉଁ ଟିକସ କେତେ ପରିମାଣର ଛାଡ଼ କରାଯିବ ତାହା ଅର୍ଥ ବିଭାଗ ସ୍ଥିର କରିବ। ସେହିପରି ବିଦ୍ୟୁତ ଚାଳିତ ଯାନ ପାଇଁ ଜନସାଧାରଣଙ୍କୁ ସରକାର କେତେ ସବ୍‌ସିଡି ପ୍ରଦାନ କରିବେ ତାହା ମଧ୍ୟ ସ୍ଥିର କରିବ ବିଭାଗ। ଯଦି କିଛି କମ୍ପାନୀ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ହେବେ, ତା ହେଲେ ସରକାର ଏଥିପାଇଁ ଏକ ଶିଳ୍ପ ପାର୍କ ପ୍ରତିଷ୍ଠା କରିବେ। ସରକାରୀ କର୍ମଚାରୀ ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ସେମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ ସହିତ ଟିକସ ଛାଡ଼ର ବ୍ୟବସ୍ଥା ରହିବ। ସେହିପରି ଚାର୍ଜିଂ ଷ୍ଟେସନ୍, କାରଖାନା ପ୍ରତିଷ୍ଠା ଓ ଯନ୍ତ୍ରାଂଶ ଉପରେ ସବ୍‌ସିଡି ପ୍ରଦାନ, ଭ୍ରାମ୍ୟମାର ଚାର୍ଜିଂ ଷ୍ଟେସନ୍ ତଥା ଇ-ରିକ୍ସା ପ୍ରଚଳନ ନେଇ ଶିଳ୍ପ ବିଭାଗ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ନଗର ଉନ୍ନୟନ ବିଭାଗ ବିଲ୍ଡିଂ କୋଡ୍‌ ନିୟମରେ ସଂଶୋଧନ କରିବ। ସରକାରୀ ପ୍ରତିଷ୍ଠାନ ତଥା ଆପାର୍ଟମେଣ୍ଟରେ ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠାକୁ ଅଗ୍ରାଧିକାର ଦିଆଯିବ। ଅପରପକ୍ଷେ ସେସୁ ଅବା ଡିସକମ୍ ଭଳି ସଂସ୍ଥା ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବା ସହ ଏଥିପାଇଁ ବିଦ୍ୟୁତ ଦର ଧାର୍ଯ୍ୟ କରିବେ। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ୨୫୦ଟି ଚାର୍ଜ ପଏଣ୍ଟ ପାଇଁ ପଦକ୍ଷେପ ନିଆଯିବ। ଚାର୍ଜ ପଏଣ୍ଟ ପ୍ରତିଷ୍ଠା ପାଇଁ ପ୍ର ଥମ ୧୦ ହଜାର ଆବାସିକ ଓ ଅଣ ଆବାସିକ କୋଠାକୁ ସହାୟତା ପ୍ରଦାନ କରିବେ ସରକାର। ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଚାର୍ଜ ପଏଣ୍ଟ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ମୋବାଇଲ୍‌ ଆପ୍ ପ୍ରସ୍ତୁତ କରିବ। ଏହି ବିଭାଗ ଜନସଚେତନତା ସୃଷ୍ଟି ଓ ଷ୍ଟାର୍ଟଅପ୍ ପାଇଁ ମଧ୍ୟ ସହାୟତା ଦେବ।

Comments are closed.