ବିଜୁଳି ଦର ବୃଦ୍ଧିକୁ ନେଇ ଟଣାଭିଡ଼ା

ୟୁନିଟ୍‌ ପିଛା ୭ ପଇସା ବଢ଼ୁ: ଓଏଚ୍‌ପିସି ଉପଭୋକ୍ତା ମହାସଂଘର କଡ଼ା ବିରୋଧ ଓଇଆର୍‌ସିରେ ଉଭୟ ପକ୍ଷର ଶୁଣାଣି ଆରମ୍ଭ

ଭୁବନେଶ୍ବର : ଦୁଇ ବର୍ଷ ହେବ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ ଶୁଳ୍କର ବୋଝ ପଡ଼ି ନ ଥିଲା। ଆସନ୍ତା ଆର୍ଥିକ ବର୍ଷ ୨୦୨୦-୨୧ରେ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଶୁଳ୍କର ବୋଝ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ଆସନ୍ତା ୨୦୨୦-୨୧ ବର୍ଷ ପାଇଁ ବିଦ୍ୟୁତ୍‌ ଶୁଳ୍କ ନିର୍ଦ୍ଧାରଣ କରିବା ଲାଗି ସୋମବାରଠାରୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ରେ ଶୁଣାଣି ଆରମ୍ଭ ହୋଇଛି। ଓଇଆର୍‌ସିର ଅଧ୍ୟକ୍ଷ ଉପେନ୍ଦ୍ର ନାଥ ବେହେରା ଏବଂ ସୌରୀକାନ୍ତ ପାଢ଼ୀଙ୍କ ଉପସ୍ଥିତିରେ ଶୁଣାଣି ହୋଇଥିଲା। ପ୍ରଥମ ଦିନରେ ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ପକ୍ଷରୁ ୟୁନିଟ୍‌ ପିଲା ୭ ପଇସା ବୃଦ୍ଧି ନେଇ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ଆର୍ଥିକ ବର୍ଷରେ ୫୬୦୨.୬୦ ନିୟୁତ ୟୁନିଟ୍‌ ବିକ୍ରି କରିବାକୁ ଓଏଚ୍‌ପିସି ଲକ୍ଷ୍ୟ ରଖିଥିବା ଆୟୋଗଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଜଳବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ ଓ ନବୀକରଣ ପାଇଁ ବାର୍ଷିକ ରାଜସ୍ବ ଆବଶ୍ୟକତା ୫୩୬.୭୩୮ କୋଟି ଟଙ୍କା ରହିଥିବା ଦର୍ଶାଯାଇଛି। ଓଏଚ୍‌ପିସି ଉତ୍ପାଦନ କରୁଥିବା ବିଦ୍ୟୁତ୍‌ ୟୁନିଟ୍‌ ପିଛା ୭ ପଇସା ବୃଦ୍ଧି କରି ୯୫.୮୦ ପଇସାରେ ବିକ୍ରି କରିବାକୁ ଓଇଆର୍‌ସିଙ୍କୁ ପ୍ରସ୍ତାବ ଦିଆଯାଇଛି। ଗତ ଆର୍ଥିକ ବର୍ଷରେ ଓଏଚ୍‌ପିସି ପକ୍ଷରୁ ୯୯.୭୫ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଓଏଚ୍‌ପିସିର କାର୍ଯ୍ୟକ୍ଷମ ଥିବା ବୁର୍ଲା, ଚିପିଲିମା ଓ ବାଲିମେଳା ୟୁନିଟ୍‌ର ନବୀକରଣ କରିବାକୁ ରାଜସ୍ବ ଆବଶ୍ୟକତା ଥିବା ନେଇ ଓଇଆର୍‌ସିଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି ବୋଲି ଓଏଚ୍‌ପିସିର ନିର୍ଦେଶକ(ଅର୍ଥ) ପ୍ରଭାକର ମହାନ୍ତି କହିଛନ୍ତି। ତେଣୁ ବିଦ୍ୟୁତ୍‌ ୟୁନିଟ୍‌ ପିଛା ସ୍ବଳ୍ପ ପଇସା ବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆଯାଇଛି।

ତେବେ ଓଏଚ୍‌ପିସିର ଏହି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ ତୀବ୍ର ବିରୋଧ କରିଛି। ସଂଘର ସଭାପତି ରମେଶ ଶତପଥୀ କହିଛନ୍ତି, ଓଏଚ୍‌ପିସି ପକ୍ଷରୁ ବର୍ଷକୁ ବର୍ଷ ଜଳ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଉଛି। ଚଳିତ ଆର୍ଥିକ ବର୍ଷରେ ଓଏଚ୍‌ପିସି ପକ୍ଷରୁ ରାଜ୍ୟ ସରକାରଙ୍କୁ ୩୧ କୋଟି ଟଙ୍କା ଲାଭାଂଶ ପ୍ରଦାନ କରାଯାଇଛି। କମ୍ପାନୀର ୬୬୦ କୋଟି ଟଙ୍କା ପୁଞ୍ଜି ଗଚ୍ଛିତ ରହିଛି। ଲାଭ କରୁଥିବା ସଂସ୍ଥା ପକ୍ଷରୁ ୟୁନିଟ୍‌ ପିଛା ପଇସା ହ୍ରାସ କରାଯିବା ବଦଳରେ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଉଥିବାରୁ ସେ ଏହାକୁ ବିରୋଧ କରିଥିଲେ। ଓଏଚ୍‌ପିସିରେ ଦୀର୍ଘ ୨୦ ବର୍ଷ ହେବ ସ୍ଥାୟୀ ମୁଖ୍ୟ ପରିଚାଳନା ନିର୍ଦେଶକ ନାହାନ୍ତି। ପରିଚାଳନାଗତ ତ୍ରୁଟି ଯୋଗଁୁ ଅନେକ ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ ଅଚଳ ହୋଇପଡିଲାଣି।
ସେହିପରି ପୂର୍ବତନ ବିଦ୍ୟୁତ୍‌ ମୁଖ୍ୟଯନ୍ତ୍ରୀ ଆର୍ ପି ମହାପାତ୍ର ଅନ୍ୟତମ ପ୍ରତିପକ୍ଷ ଭାବେ କହିଥିଲେ, ସର୍ବାଧିକ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ହୀରାକୁଦ୍‌ ଭଣ୍ଡାର ଜଳପତ୍ତନ ୫୯୦ ଫୁଟ୍‌ ରହିବା ପର୍ଯ୍ୟନ୍ତ ଜଳ ବିଦ୍ୟୁତ୍‌ ଉତ୍ପାଦନକୁ ବନ୍ଦ କରି ଦିଆଯାଉଛି। ଏକାଧିକ ଶିଳ୍ପକୁ ଜଳ ଯୋଗାଇ ଦିଆଯାଉଛି। ଓଏଚ୍‌ପିସିର କେତେକ ଶିଳ୍ପ ଉପରେ ୪୫୦ କୋଟି ଟଙ୍କାରୁ ଅଧିକ ବକେୟା ପଡିଛି। ଏସବୁକୁ ଆଦାୟ କରାଗଲେ ଓଏଚ୍‌ପିସିର ରାଜସ୍ବ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଶିଳ୍ପ ସଂସ୍ଥାଗୁଡ଼ିକ ନେଉଥିବା ଜଳ ବାବଦରେ ସେମାନେ ଯେଉଁ ରାଜସ୍ବ ଦେବେ ତାହା ଓଏଚ୍‌ପିସି ଜନସାଧାରଣଙ୍କୁ ପ୍ରଦାନ କରିବା କଥା। ଦୀର୍ଘ ବର୍ଷ ହେବ ଓଏଚ୍‌ପିସିରେ କୌଣସି ଅଭିଜ୍ଞ ଯନ୍ତ୍ରୀ ନାହାନ୍ତି। ଯାହା ଫଳରେ ଜଳ ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ଗୁଡ଼ିକର ଠିକ୍‌ ଭାବରେ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଫଳରେ ଉତ୍ପାଦନ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଗତ ଦୁଇ ବର୍ଷ ହେବ ବିଦ୍ୟୁତ୍‌ ୟୁନିଟ୍‌ ପିଛା ଦର ବୃଦ୍ଧି ହୋଇ ନାହିଁ। ଚଳିତ ବର୍ଷ ୟୁନିଟ୍‌ ପିଛା ଦର ବୃଦ୍ଧି ପାଇବା ଆଶଂକା ରହିଛି ବୋଲି ଶ୍ରୀ ମହାପାତ୍ର ମତ ରଖିଛନ୍ତି।
.

Comments are closed.