ନିର୍ବାଚନ ତାତି

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆୟୋଗ ପଦକ୍ଷେପ ନେବା ଆବଶ୍ୟକ

ଶୁକ୍ରବାର ନିର୍ବାଚନ ଆୟୋଗ ଚାରିଟି ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହା ଅନୁସାରେ ୨୭ ମାର୍ଚ୍ଚରୁ ଭୋଟଗ୍ରହଣ ଆରମ୍ଭ ହେବ ଓ ୨ ମେ’ରେ ଭୋଟଗଣନା କରାଯିବ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସାମ, ବିଜେପି କେନ୍ଦ୍ର ନେତୃବୃନ୍ଦଙ୍କ ପଶ୍ଚିମବଙ୍ଗ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ କେରଳରେ ଶୋଭାଯାତ୍ରା ରାଜନୈତିକ ପାଣିପାଗକୁ ସରଗରମ କରିଛି। ପୂର୍ବରୁ ଦକ୍ଷିଣ କିମ୍ବା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ନିର୍ବାଚନକୁ ଜାତୀୟ ଗଣମାଧ୍ୟମ ସେତେଟା ଗୁରୁତ୍ୱ ଦେଉନଥିଲେ। ଏବେ ପରିସ୍ଥିତି ବଦଳିଯାଇଛି। ଦେଶର ପ୍ରତ୍ୟେକ ନିର୍ବାଚନ ଗୁରୁତ୍ୱ ବହନ କରୁଛି। ନିକଟରେ ଶେଷ ହୋଇଥିବା ହାଇଦରାବାଦ ନଗରପାଳିକା, ପଞ୍ଜାବ ଓ ଗୁଜରାଟର ପୌର ପରିଷଦ ନିର୍ବାଚନ ଜାତୀୟ ଗଣମାଧ୍ୟମଗୁଡ଼ିକର ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। କେବଳ ପୌର ପରିଷଦ ନୁହେଁ; ଉତ୍ତର ପ୍ରଦେଶ​ରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ନିର୍ବାଚନ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସ୍ଥାନୀୟ ନଗରପାଳିକାଠାରୁ ଆରମ୍ଭ କରି ଲୋକସଭା ପର୍ଯ୍ୟନ୍ତ ସମସ୍ତ ନିର୍ବାଚନକୁ ଗୁୁରୁତ୍ବ ଦିଆଯାଉଛି। ଗଣତନ୍ତ୍ର ପାଇଁ ଏହା ଶୁଭ ସଙ୍କେତ କୁହାଯାଇପାରେ। ତେବେ କ୍ଷମତାସୀନ ରାଜନୈତକ ଦଳଗୁଡ଼ିକ ନିର୍ବାଚନକୁ ନିୟନ୍ତ୍ରଣ ପାଇଁ ଯେପରି ଉଦ୍ୟମ ଚଳାଇଛନ୍ତି, ତାହା ଜନସାଧାରଣଙ୍କୁ ବିବ୍ରତ କରିଛି। ବିଭିନ୍ନ ରାଜନୈତିକ ଦଳ ପାଇଁ ନିର୍ବାଚନ ଏକ ପ୍ରକାର ରଣାଙ୍ଗନ ପାଲଟିଛି। ନୀତିଆଦର୍ଶ, ବାକ୍‍ ସଂଯମ ପରି ଶବ୍ଦ ପୋଥି ବାଇଗଣ ହୋଇଗଲାଣି।
ଏକ ପାର୍ଶ୍ବରେ କେନ୍ଦ୍ରରେ ଶାସନ କରୁଥିବା ବିଜେପି ନେତୃତ୍ବାଧୀନ ଏନଡିଏ ଥିବାବେଳେ ଅନ୍ୟ ପଟେ ରହିଛନ୍ତି କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ ା ୪ଟି ରାଜ୍ୟ ମଧ୍ୟରୁ ଆସାମରେ ବିଜେପି, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ତାମିଲନାଡ଼ୁରେ ଏଆଇଏଡିଏମକେ ଓ କେରଳରେ ସିପିଆଇ(ମାର୍କ୍ସବାଦୀ) ଏବଂ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ ମେଣ୍ଟ ସରକାର କ୍ଷମତାସୀନ ଅଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରୀରେ କଂଗ୍ରେସ ସରକାରର ପତନ ଘଟି ସେଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି। ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବିଜେପି କ୍ଷମତାରେ ଆସିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। କେରଳର ବାମପନ୍ଥୀ ସରକାର ପାଇଁ କଂଗ୍ରେସ ଆହ୍ୱାନ ସୃଷ୍ଟି କରିଛି ା ନିକଟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ କେରଳ ଗସ୍ତରୁ ଏହା ଜଣାପଡ଼ିଛି। ତାମିଲନାଡୁର ମୁଖ୍ୟ ଲଢ଼େଇ ଏଆଇଡିଏମ୍‍କେ ଓ ଡିଏମ୍‍କେ ମଧ୍ୟରେ ହୋଇପାରେ। ପୁଦୁଚେରୀରେ ବିଜେପିର ଜଣେ ହେଲେ ନିର୍ବାଚିତ ବିଧାୟକ ନାହାନ୍ତି; କିନ୍ତୁ ତିନିଜଣ ମନୋନୀତ ବିଧାୟକଙ୍କ ମାଧ୍ୟମରେ ବିଧାନସଭାରେ ନିଜର ଉପସ୍ଥିତି ବଜାୟ ରଖିଛି। କେରଳରେ ମେଟ୍ରୋମ୍ୟାନ ଇଂ. ଶ୍ରୀଧରନ୍‌ ବିଜେପି ପାଇଁ ନୂତନ ଆଶା ସଞ୍ଚାର କରିପାରନ୍ତି।
ପ୍ରେମ ଓ ଯୁଦ୍ଧରେ ସବୁ ସମ୍ଭବ ବୋଲି କୁହାଯାଏ। ପଶ୍ଚିମବଙ୍ଗ ରାଜନୀତିରେ କିଛିଦିନ ହେବ ଏହା ଦେଖାଯାଉଛି। ୪ଟି ରାଜ୍ୟ ମଧ୍ୟରୁ ବିଜେପି ପଶ୍ଚିମବଙ୍ଗ ଉପରେ ଅଧିକ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି। ପୂର୍ବ ଭାରତ ଅଭିଯାନ ପାଇଁ ପଶ୍ଚିମବଙ୍ଗରେ ଖାତା ଖୋଲିବାକୁ ବିଜେପି ଆଶା ରଖିଛି। ସେଥିପାଇଁ ବଜେଟଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ପଶ୍ଚିମବଙ୍ଗକୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଉ ଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିର ବାଟ ଓଗାଳିଛନ୍ତି। ଦୁଇ ଦଳ ସେଠାରେ କେବଳ ବାକ୍‍ଯୁଦ୍ଧରେ ସୀମିତ ନାହାନ୍ତି, ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଆରମ୍ଭ ହେଲାଣି। ୨୦୧୬ ନିର୍ବାଚନରେ ବିଜେପି କେବଳ ସଂଗଠନ ସୁଦୃଢ଼ କରିନଥିଲା, ସାରା ରାଜ୍ୟରେ ନିଜର ଉପସ୍ଥିତି ମଧ୍ୟ ଜାହିର କରିଥିଲା। ଏହି କାରଣରୁ ଦୀର୍ଘଦିନ ଧରି ଶାସନରେ ରହିଥିବା ବାମପନ୍ଥୀ ମିଳିତ ମଞ୍ଚ ଓ କଂଗ୍ରେସ ପ୍ରାୟ ୭୦ଟି ଆସନ ହରାଇଥିଲା। ୩୪ବର୍ଷ ଧରି ଶାସନ କରିଥିବା ବାମପନ୍ଥୀ ୨୦୧୬ରେ କଂଗ୍ରେସଠାରୁ ମଧ୍ୟ କମ୍‍ ଆସନ ପାଇଥିଲା। ୨୦୧୬ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏହି ରାଜ୍ୟରେ ନିଜ ସ୍ଥିତି ସୁଦୃଢ କରିଛି। ୨୦୨୧ ନିର୍ବାଚନରେ ତୃଣମୂଳ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ଉଭା ହୋଇଛି। ୨୦୧୯ ଲୋକସଭା ନିର୍ବାଚନରେ ୪୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ମମତାଙ୍କ ତୃଣମୂଳ କଂଗ୍ରେସ ୨୨ଟି ଓ ବିଜେପି ୧୮ଟି ଆସନରେ ବିଜୟୀ ହୋଇଥଲା। ଦୁଇ ଦଳ ମଧ୍ୟରେ ଭୋଟ ହାର ଯଥାକ୍ରମେ ୪୩ (ଟିଏମ୍‍ସି) ଓ ୪୦ (ବିଜେପି) ପ୍ରତିଶତ ଥିଲା। ୨୦୧୯ ଲୋକସଭା ନିର୍ବାଚନ ଭୋଟ ହାର ଯଦି ବଜାୟ ରହେ, ମମତାଙ୍କ ଦଳ ୧୬୦ଟି ଆସନ ସହ ପୁନର୍ବାର କ୍ଷମତାକୁ ଆସିପାରେ। ପଶ୍ଚିମବଙ୍ଗର ୨୯୪ଟି ଆସନ ବିଶିଷ୍ଟ ବିଧାନସଭା ଆସନରୁ ସରକାର ଗଠନ ପାଇଁ ୧୪୮ଟି ଆସନ ଆବଶ୍ୟକ। ଅନ୍ୟପକ୍ଷରେ ବିଜେପି ୨୦୦+ ଆସନ ପାଇବ ବୋଲି ଆଶା ରଖିଛି। ସେହିପରି ଦୀର୍ଘ ୩୪ ବର୍ଷ ଧରି ଶାସନ କରିଥିବା ସିପିଆଇଏମ ଏଥର କଂଗ୍ରେସ ସହ ମେଣ୍ଟ କରିପାରେ। ଉପରୋକ୍ତ ରାଜ୍ୟର ନିର୍ବାଚନଗୁଡ଼ିକ ଯେପରି ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ହୁଏ ସେଥିପ୍ରତି ନିର୍ବାଚନ ଆୟୋଗ ଧ୍ୟାନ ଦେବା ଜରୁରୀ।

Comments
Loading...