ବ୍ୟୟବହୁଳ ନିର୍ବାଚନ : ମେଳଖାଉନି ତଥ୍ୟ

0

ନୂଆଦିଲ୍ଲୀ  : ଭାରତରେ ନିର୍ବାଚନୀ ପ୍ରକ୍ରିୟା କ୍ରମଶଃ ବ୍ୟୟବହୁଳ ହେବାରେ ଲାଗିଛି। ନିର୍ବାଚନରେ ଅର୍ଥ କାରବାରକୁ ଯଥାସମ୍ଭବ ନିୟନ୍ତ୍ରଣରେ ରଖିବା ପାଇଁ ଜନପ୍ରତିନିଧି ଆଇନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ଦଳୀୟ ଖର୍ଚ୍ଚର ସଂଜ୍ଞା ଅସ୍ପଷ୍ଟ ଥିବାରୁ ଅବାଧ ଅର୍ଥ କାରବାର ଉପରେ ଲଗାମ ଲାଗିପାରୁନାହିଁ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଆଉ ମାତ୍ର କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ବିଶ୍ୱର ସବୁଠାରୁ ବ୍ୟୟବହୁଳ ହେବ ବୋଲି ଆକଳନ କରାଯାଇଛି।
ଆମେରିକାର ଏକ ଥିଙ୍କଟ୍ୟାଙ୍କର ସୂଚନା ଅନୁଯାୟୀ, ୨୦୧୬ରେ ଆମେରିକାର ରାଷ୍ଟ୍ରପତି ଓ କଂଗ୍ରେସ ନିର୍ବାଚନରେ ମୋଟ ୬.୫ ବିଲିୟନ ଡଲାର ଖର୍ଚ୍ଚ ହୋଇଥିଲା। ଦୁଇ ବର୍ଷ ପୂର୍ବରୁ ଅନୁଷ୍ଠିତ ଭାରତର ଷୋଡ଼ଶ ଲୋକସଭା ନିର୍ବାଚନର ଖର୍ଚ୍ଚ ଥିଲା ୫ ବିଲିୟନ ଡଲାର। ତେଣୁ ୨୦୧୯ ସାଧାରଣ ନିର୍ବାଚନ ଯେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ଭାବରେ ପରିଗଣିତ ହେବାକୁ ଯାଉଛି ତାହାକୁ ଅସ୍ୱୀକାର କରି ହେବ ନାହିଁ।
ଜନପ୍ରତିନିଧି ଆଇନ ୧୯୫୧ ଧାରା ୭୭ ଅନୁଯାୟୀ, ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ସ୍ଥାନବିଶେଷରେ ୫୪ ଲକ୍ଷ ଟଙ୍କାରୁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଅରୁଣାଚଳ ପ୍ରଦେଶ, ଗୋଆ ଓ ସିକ୍କିମ୍‍ ସମେତ କେନ୍ଦ୍ରଶାସିତ ଅଞ୍ଚଳରେ ଲୋକସଭା ପ୍ରାର୍ଥୀମାନେ ସର୍ବାଧିକ ୫୪ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ। ଦିଲ୍ଳୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲେ ମଧ୍ୟ ସେଠାକାର ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ସର୍ବାଧିକ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଏତଦ୍‍ବ୍ୟତୀତ ଦେଶର ଅନ୍ୟସମସ୍ତ ରାଜ୍ୟର ଲୋକସଭା ପ୍ରାର୍ଥୀମାନେ ସର୍ବାଧିକ ୭୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ।
ସେହିପରି ବିଧାନସଭା ନିର୍ବାଚନ ପାଇଁ ଅରୁଣାଚଳପ୍ରଦେଶ, ଗୋଆ, ସିକ୍କିମ୍‍ ଓ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରାର୍ଥୀଙ୍କ ଲାଗି ଖର୍ଚ୍ଚ ସୀମା ସର୍ବାଧିକ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ବାକି ଅନ୍ୟ ସମସ୍ତ ରାଜ୍ୟରେ ୨୮ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀମାନେ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ହିସାବ ଦେବା ପାଇଁ ଏକ ସ୍ୱତନ୍ତ୍ର ଆକାଉଣ୍ଟ ଓ ଫାଇଲ୍‍ ପ୍ରସ୍ତୁତ କରିବାକୁ ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟ ନିର୍ଦେଶ ରହିଛି। ନିୟମାନୁଯାୟୀ ପ୍ରାର୍ଥୀମାନେ ନିର୍ବାଚନ ସରିବାର ୩୦ ଦିନ ମଧ୍ୟରେ ଏବଂ ରାଜନୈତିକ ଦଳଗୁଡ଼ିକ ୯୦ ଦିନ ମଧ୍ୟରେ ନିର୍ବାଚନ ଖର୍ଚ୍ଚର ସବିଶେଷ ବିବରଣୀ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ଯଦି ଉକ୍ତ ତଥ୍ୟ କିମ୍ବା ହିସାବ ବିଭ୍ରାନ୍ତିକର ବୋଲି ଜଣାପଡ଼େ ତେବେ ଜନପ୍ରତିନିଧି ଆଇନ୍‍ ୧୯୫୧ର ଧାରା ୧୦(କ) ଆଧାରରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଆଗାମୀ ତିନିବର୍ଷ ଯାଏ ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷଣା କରାଯିବ।
ଅତୀତରେ ଦାଖଲ ତଥ୍ୟ ଓ ପ୍ରକୃତ ହିସାବରେ ତାଳମେଳ ରହୁନଥିବା ଦୃଷ୍ଟିଗୋଚର ହୋଇଛି। ଅଥଚ ପ୍ରାର୍ଥୀଙ୍କ ବିରୋଧରେ ଆଇନତଃ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନାହିଁ। ନିର୍ବାଚନ ଖର୍ଚ୍ଚ ଭିତରେ ଦଳୀୟ ପ୍ରଚାରକୁ ସାମିଲ କରାଯାଉ ନ ଥିବାରୁ ପ୍ରାର୍ଥୀଙ୍କ ପ୍ରଚାରରେ କେତେ ଖର୍ଚ୍ଚ ହେଉଛି ତାହା ନିର୍ଦିଷ୍ଟ ରୂପେ ପ୍ରମାଣ କରାଯାଇପାରୁନାହିଁ।
କେବଳ ୨୦୧୪ ଲୋକସଭା ନିର୍ବାଚନ ପରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟକୁ ତର୍ଜମା କଲେ ଦଳୀୟ ପାଣ୍ଠି ଖର୍ଚ୍ଚ ଓ ନେତାଙ୍କ ଖର୍ଚ୍ଚ ଘୋଷଣା ମଧ୍ୟରେ ତାରତମ୍ୟ ବାରି ହୋଇପଡ଼ିବ। ଆସୋସିଏସନ୍‍ ଫର ଡେମୋକ୍ରେଟିକ୍‍ ରିଫର୍ମ୍ସର ବିଶ୍ଲେଷଣ ଅନୁଯାୟୀ, ଲୋକସଭାର ମୋଟ ୫୪୩ ସାଂସଦଙ୍କ ମଧ୍ୟରୁ ୩୪୨ ଜଣ ଜାତୀୟ ଦଳର ପ୍ରାର୍ଥୀ ବା ସାଂସଦ ରୂପେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୬୩ ଜଣ ସାଂସଦ ସେମାନଙ୍କ ଦଳୀୟ ସୂତ୍ରରୁ ମୋଟ ୭,୫୫୯.୮୨ ଲକ୍ଷ ଟଙ୍କା ନେଇଥିବା ଦର୍ଶାଇଛନ୍ତି। ଅରପପକ୍ଷରେ ସେ ସମସ୍ତ ଜାତୀୟ ଦଳ ସାମଗ୍ରିକ ଭାବେ ମାତ୍ର ୧୭୫ ସାଂସଦଙ୍କୁ ୫,୫୨୩.୫୩ ଲକ୍ଷ ଟଙ୍କା ଦେଇଥିବା ଦର୍ଶାଇଛନ୍ତି। ୧୫ଟି ଆଞ୍ଚଳିକ ଦଳର ୩୮ ଜଣ ସାଂସଦ ଦେଇଥିବା ତଥ୍ୟ ସେମାନଙ୍କ ଦଳୀୟ ତଥ୍ୟ ସହିତ ଆଦୌ ମେଳଖାଉନି। ଆହୁରି କୌତୂହଳ ହେଉଛି ଯେଉଁ ୮୯ ଜଣ ସାଂସଦ ସେମାନଙ୍କ ଦଳୀୟ ପାଣି୍ଠରୁ ମୋଟ ୧୭.୪୩ କୋଟି ଟଙ୍କା ନେଇଥିବା ଦର୍ଶାଇଛନ୍ତି ସେହି ସାଂସଦଙ୍କ ନାମ ସେମାନଙ୍କ ଦଳୀୟ ପାଣ୍ଠି ପ୍ରଦାନ ତାଲିକାରେ ନାହିଁ। ଦଳୀୟ ପାଣ୍ଠି ତାଲିକାରୁ ବାଦ୍‍ ପଡ଼ିଥିବା ସେହି ୮୯ ଜଣ ସାଂସଦଙ୍କ ମଧ୍ୟରେ ୭୧ ଜଣ ବିଜେପିର, ୧୧ଜଣ କଂଗ୍ରେସର, ସିପିଆଇ(ଏମ୍‍)ର ୫ ଜଣ, ଏନ୍‍ସିପି ଓ ସିପିଆଇର ଜଣେ ଲେଖାଏଁ ସାଂସଦ ଅଛନ୍ତି।

Leave A Reply