୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କଲେ ନିର୍ବାଚନ କମିଶନ୍‍

ନୂଆଦିଲ୍ଲୀ: ନିର୍ବାଚନ କମିଶନ୍‍ ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି। ଏଥିପାଇଁ ଆସନ୍ତା ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିପାରିବେ। ଜୁଲାଇ ୫ତାରିଖରେ ଆବଶ୍ୟକ ପଡ଼ିଲେ ଏହିସବୁ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ଅମିତ୍‍ ଶାହା ଏବଂ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେମାନେ ପ୍ରତିନିଧିତ୍ୱ କରୁଥିବା ଗୁଜରାଟ୍‍ର ଦୁଇଟି ରାଜ୍ୟସଭା ଆସନରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେ ବିହାର ରାଜ୍ୟସଭା ଆସନରୁ ଇସ୍ତଫା ଦେଇଛନ୍ତି। ଏହାଛଡ଼ା ଓଡ଼ିଶାର ୩ଟି ଆସନ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟସଭା ସଦସ୍ୟ ଥିବା ଓଡ଼ିଶାର ଅଚ୍ୟୁତ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ପ୍ରତାପ କେଶରୀ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ପଦରୁ ସେମାନେ ଇସ୍ତଫା ଦେଇଛନ୍ତି।

ଏକ ବିବୃତ୍ତିରେ ନିର୍ବାଚନ କମିଶନ୍‍ ସ୍ପଷ୍ଟ କରିଛନ୍ତି, ରାଜ୍ୟସଭା ସମେତ ବିଭିନ୍ନ ଗୃହରେ ଖାଲି ହେଉଥିବା ଆସନପାଇଁ ସ୍ୱତନ୍ତ୍ର ଭାବେ ଭିନ୍ନ ଭିନ୍ନ ଉପନିର୍ବାଚନ ବିଜ୍ଞପ୍ତି ଘୋଷଣା କରାଯାଉଛି। ଯଦିଓ ନିର୍ବାଚନ ପ୍ରକ୍ରିୟା ଏକା, ତେବେ ଏଥିପାଇଁ ସ୍ୱତନ୍ତ୍ର ନିର୍ବାଚନ ଅନୁଷ୍ଠିତ ହେଉଛି। ଗୁଜରାଟ୍‍ର ଦୁଇଟି ଆସନ ପାଇଁ ଉପନିର୍ବାଚନକୁ ଏକାସଙ୍ଗରେ କରିବାପାଇଁ କଂଗ୍ରେସ ଯେଉଁ ଦାବି କରୁଛି, ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିଶନ୍‍ ଏହି ସ୍ପଷ୍ଟିକରଣ ଦେଇଛନ୍ତି। ଏକାସାଙ୍ଗରେ ରାଜ୍ୟସଭା ନିର୍ବାଚନ ହେଲେ ଗୁଜରାଟ୍‍ରୁ କଂଗ୍ରେସ ଗୋଟିଏ ଆସନ ପାଇବ ବୋଲି ଆଶା ରଖିଛି। କିନ୍ତୁ ନିର୍ବାଚନ କମିଶନ୍‍ ଲୋକପ୍ରତିନିଧି ଆଇନ ଅନୁସାରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।

Comments are closed.