୪ଟି ରାଜ୍ୟ ଓ ପୁଡୁଚେରୀରେ ନିର୍ବାଚନ ପ୍ରଚାର ସରଗରମ

 

ନୂଆଦିଲ୍ଲୀ :  ଚାରୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ନିର୍ବାଚନ ପ୍ରଚାର ସରଗରମ ହୋଇ ଉଠିଛି। କେରଳରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଗତ ଶୁକ୍ରବାର ନାମାଙ୍କନ ଦାଖଲ ଶେଷ ହୋଇଛି। ତିନୋଟି ପ୍ରମୁଖ ରାଜନୈତିକ ସାମୁଖ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ଏଲ୍‍ଡିଏଫ୍‍ ତା’ର ଆଞ୍ଚଳିକ ନିର୍ବାଚନ ସମ୍ମେଳନ ଶେଷ କରିବା ପରେ ବୁଥ୍‍ୱାରୀ ବୈଠକମାନ ଆୟୋଜନ କରୁଛି। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ୟୁଡିଏଫ୍‍ ଏବଂ ଏନ୍‍ଡିଏ ମଧ୍ୟ ସେମାନଙ୍କର ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

ଗତକାଲି କଂଗ୍ରେସ ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଧର୍ମଡୁମ, ଯେଉଁଠାରୁ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେଠାରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ବାକି ଅଛି। ବିଜେପି କାଜାକୋଟାମ୍‍ ନିର୍ବାଚନ ମଣ୍ଡଳୀ ନିମନ୍ତେ ଦଳର ବରିଷ୍ଠ ନେତା ସୋଭା ସୁରେନ୍ଦ୍ରଙ୍କୁ ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେଇଛି। ନିର୍ବାଚନ ରୋଚକ ସ୍ତରକୁ ଆସିଯାଇଥିବାରୁ ଜାତୀୟ ଓ ରାଜ୍ୟ ସ୍ତରୀୟ ନେତାମାନେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଭୋଟରମାନଙ୍କୁ ପ୍ରବର୍ତ୍ତାଉଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ୍‍ ଆଜି ୱେନ୍‍ଆର୍ଡ ନିର୍ବାଚନ ମଣ୍ଡଳୀରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ବିରୋଧୀ ଦଳ ନେତା ରମେଶ ଚେନିଥାଲା ଏବଂ ବିଜେପି ସଭାପତି କେ. ସୁରେନ୍ଦ୍ରନ୍‍ ମଧ୍ୟ ସାଧାରଣ ସଭାରେ ସମ୍ବୋଧନ କରୁଥିବା ଦେଖିବାକୁ ମିଳିଛି।

ଆସାମରେ ମଧ୍ୟ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି। ସେଠାରେ ତିନି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୭ଟି ବିଧାନସଭା ଆସନ ଲାଗି ମାର୍ଚ୍ଚ ୨୭ରେ ମତଦାନ ହେବାକୁ ଯାଉଛି। ଅନୁରୂପ ଭାବେ ଦ୍ୱିତୀୟ ପର୍ଯ୍ୟାୟର ୩୯ଟି ଆସନ ଲାଗି ଏପ୍ରିଲ୍‍ ପହିଲା ଏବଂ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୪୦ଟି ଆସନ ପାଇଁ ଏପ୍ରିଲ୍‍ ୬ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ସେଠାରେ ସମୁଦାୟ ଆସନ ସଂଖ୍ୟା ୧୨୬ ଥିବା ବେଳେ ୮ଟି ସିଟ୍‍ ତଫସିଲ ଭୁକ୍ତ ଜାତି ଓ ୧୬ଟି ଆସନ ତଫସିଲଭୁକ୍ତ ଉପଜାତି ପାଇଁ ସଂରକ୍ଷିତ ରଖାଯାଇଛି।

Comments are closed.