ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଲା ପ୍ରଚାର ଅଭିଯାନ

0

ଜୟପୁର : ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ କ୍ରମଶଃ ଜୋର ଧରୁଛି। ରାଜସ୍ଥାନର ୨୦୦ ଏବଂ ତେଲଙ୍ଗାନାର ୧୧୯ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ମାସ ୭ତାରିଖରେ ଭୋଟଗ୍ରହଣ କରାଯିବ।
ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ରାଜସ୍ଥାନରେ ୨ ହଜାର ୨୯୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ୩ ହଜାର ୨୯୩ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିଲେ। ସେହିପରି ତେଲଙ୍ଗାନାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୧୮୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଜଣାପଡ଼ିଛି। ବହୁ କଂଗ୍ରେସ ବିଦ୍ରୋହୀ ପ୍ରାର୍ଥୀଙ୍କ ସମେତ ମୋଟ ୩୬୭ ଜଣ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି।
ଶନିବାର ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‍ ଏବଂ ପ୍ରଦେଶ କଂଗ୍ରେସ ସଭାପତି ସଚିନ୍‍ ପାଇଲଟ୍‍ କେତେକ ନିର୍ବାଚନ ର‍୍ୟାଲିରେ ଉଦ୍‍ବୋଧନ ଦେଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସି.ପି. ଯୋଶୀ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ନିର୍ବାଚନ କମିଶନ୍‍ ପକ୍ଷରୁ ନୋଟିସ୍‍ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ଉପରେ ଜାତିଗତ ମନ୍ତବ୍ୟ ପ୍ରଦାନ କରିଥିବାରୁ ବିଜେପି ସି.ପି. ଯୋଶୀଙ୍କ ବିରୋଧରେ ନିର୍ବାଚନ କମିଶନ୍‍ଙ୍କ ପାଖରେ ଅଭିଯୋଗ କରିଥିଲା। ଇତିମଧ୍ୟରେ ଛତିଶଗଡରେ ଦୁଇ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ୫ଟି ଯାକ ରାଜ୍ୟ ଛତିଶଗଡ, ମଧ୍ୟପ୍ରଦେଶ, ମିଜେରାମ, ରାଜସ୍ଥାନ ଓ ତେଲଙ୍ଗାନାର ଭୋଟଗଣତି ଆସନ୍ତା ମାସ ୧୧ତାରିଖରେ କରାଯିବ।

Leave A Reply