ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ରୁଦ୍ର – ଲୋକଙ୍କ ସୁଖ, ଦୁଃଖର ସାଥୀ ହେବି

ପିପିଲି : ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ପଡିଥିବା ପିପିଲି ବିଧାନସଭା ଆସନର ଉପନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ବୁଧବାର ନାମାଙ୍କନପତ୍ର ଗୁଡିକର ଯାଞ୍ଚ କରାଯାଇଥିବା ବେଳେ ୩ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଇତି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟ୍‍ପ୍ରଚାର ଚାଲିଥିବା ବେଳେ ବିଜୁ ଜନତା ଦଳର ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବୁଧବାର ତେଇସିପୁର ପଞ୍ଚାୟତରୁ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।

ପିପିଲି ବ୍ଲକ ୨୪ନଂ ଜୋନ୍‍ ଅନ୍ତର୍ଗତ ତେଇସିପୁର ପଞ୍ଚାୟତର ସାନସରଗାଇଲୋ ଗ୍ରାମରୁ ସକାଳ ସାଢେ ୭ଟାରେ ରୁଦ୍ର ନିଜର ଭୋଟ୍‍ ପ୍ରଚାର ଆରମ୍ଭ କରିଥିଲେ । ପରେ ସେ ନିର୍ମଳା, ବଡସରଗାଇଲୋ, ସୋଲଣା, ନୂଆପାଟଣା, ମାଧିପୋଟଳି, ପୋଟଳ ,କାଙ୍କନଡୁଆ, ଖରିଦାସାହି, ତେଇସିପୁର, ଆଳିଶ, ବାଲିଗାଁ, ଆବଲପୁର, ନୂଆଗୋଡି, ପୋଡଙ୍ଗ, ନାନପୂର, ନୂଆସାହି ଆଦି ଗ୍ରାମକୁ ଯାଇ ଘରକୁ ଘର ବୁଲି ଲୋକଙ୍କ ଆର୍ଶୀବାଦ କାମନା କରିଥିଲେ । ମୁଁ ଆପଣଙ୍କ ପରିବାରର ଜଣେ ସଦସ୍ୟ, ଆପଣଙ୍କ ସୁଖ, ଦୁଃଖରେ ସର୍ବଦା ସାଥୀ ହୋଇ ରହିବି ବୋଲି ରୁଦ୍ର ସମସ୍ତଙ୍କୁ କହିବା ସହ ବାପାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ରୁଦ୍ରଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଏକ ଅପୂର୍ବ ଆଗ୍ରହ ପରିଲକ୍ଷିତ ହୋଇଥିଲା । ଯୁବକ, ଛାତ୍ର, ମହିଳାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ପରେ ବୀରପୁରୁଷୋତ୍ତମପୁର, ଯଶୁଆପୁର, ସରସ୍ୱତୀପୁର, ରଥପୁରୁଷୋତ୍ତମପୁର, ରୂପଦେଇପୁର ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଶ୍ରୀମହାରଥୀ ଭୋଟ୍‍ ପ୍ରଚାର କରିଥିଲେ । ତାଙ୍କ ସହ ତାଙ୍କ ଦାଦା ତଥା ସ୍ୱର୍ଗତ ମହାରଥୀଙ୍କ ଭାଇ ପ୍ରଣୟ କୁମାର ମହାରଥୀ, ବିଧାୟକ ବ୍ୟେମକେଶ ରାୟ, ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ମହିଳାନେତ୍ରୀ ଜ୍ୟୋତିରେଖା ନାୟକ, କେନ୍ଦ୍ରାପଡା ଜିଲା ଯୁବ ବିଜେଡି ସଭାପତି ରାଜେଶ କୁମାର ଦାଶ, ଭଦ୍ରକ ଜିଲା ଯୁବନେତା ଦିପ୍ତସୂର୍ଯ୍ୟ ବିଶ୍ୱାଳ, ପୁରୀ ଜିଲା ମହିଳା ବିଜେଡି ସଭାନେତ୍ରୀ ଶାନ୍ତିଲତା ପ୍ରଧାନ, ପୁରୀ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ସରପଞ୍ଚ ନରେନ୍ଦ୍ର ଦାସ, ଯୁବନେତା ଫଗୁଭୂଷଣ ପରିଡା ପ୍ରମୁଖ ନିର୍ବାଚନୀ ପ୍ରଚାରରେ ସାମିଲ ଥିଲେ ।

Comments are closed.