ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ; ଭୋଟ ଗଣତି ଆରମ୍ଭ

ବାଲେଶ୍ବର/ତିର୍ତ୍ତୋଲ : ବହୁ ପ୍ରତୀକ୍ଷିତ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଇଛି। ଅଧ ଘଣ୍ଟାଏ ପରେ ଇଭିଏମ ଭୋଟ ଗଣାଯିବ।   ଫଳାଫଳ କ’ଣ ହେବ ତାହା ଜାଣିବା ପାଇଁ ରାଜ୍ୟବାସୀ ପ୍ରବଳ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ମଇଦାନରେ ଥିବା ପ୍ରାର୍ଥୀଙ୍କର ହୃତସ୍ପନ୍ଦନ ବଢ଼ିବାରେ ଲାଗିଛି।
ସାଧାରଣତଃ ଉପନିର୍ବାଚନର ଫଳାଫଳ ଶାସକ ଦଳ ସପକ୍ଷରେ ଯାଇଥାଏ। କେତେକ ସ୍ଥଳରେ ଫଳାଫଳ ଦିବଙ୍ଗତ ବିଧାୟକଙ୍କ ଆତ୍ମୀୟଙ୍କୁ ସୁହାଇଥାଏ। ଏଥର ଅନୁଷ୍ଠିତ ନିର୍ବାଚନରେ ଶାସକ ଓ ବିରୋଧୀ ଦଳ ଭିତରେ କଡ଼ା ମୁକାବିଲା ହୋଇଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଫଳ କାହା ସପକ୍ଷରେ ଯିବ ତାହା ଜାଣିବା ପାଇଁ ସବୁଠି ଉତ୍କଣ୍ଠା ଲକ୍ଷ୍ୟ କରାଯାଉଛି।
ମଙ୍ଗଳବାର ପୂର୍ବାହ୍ନ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଅପରାହ୍ଣ ବେଳକୁ ବିଜୟୀ ପ୍ରାର୍ଥୀଙ୍କ ସ୍ଥିତି ସ୍ପଷ୍ଟ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡର ଭୟାବହତା ମଧ୍ୟରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ସହ ଭୋଟ ଗଣତି କରାଯିବ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି କେନ୍ଦ୍ରର ଭିତର ସୁରକ୍ଷା ବଳୟରେ କେନ୍ଦ୍ରୀୟ ସଶସ୍ତ୍ର ବଳ ନିୟୋଜିତ କରାଯାଇ ଥିବାବେଳେ ମଧ୍ୟ ସୁରକ୍ଷା ବଳୟରେ ରାଜ୍ୟ ସ୍ବତନ୍ତ୍ର ସୁରକ୍ଷା ବଳ ଏବଂ ବାହାର ସୁରକ୍ଷା ବଳୟରେ ରାଜ୍ୟ ପୁଲିସକୁ ମୁତୟନ କରାଯାଇଛି।
ବାଲେଶ୍ବର ଜିଲାପାଳଙ୍କ କାର୍ଯ୍ୟାଳୟରେ ବାଲେଶ୍ବର ନିର୍ବାଚନମଣ୍ଡଳୀ ଏବଂ ଜଗତସିଂହପୁରର ଏସଭିଏମ କଲେଜରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଭୋଟ ଗଣତି କରାଯିବ। ପ୍ରତି ନିର୍ବାଚନମଣ୍ଡଳୀର ଭୋଟ ଗଣତି ପାଇଁ ଗୋଟିଏ ଅତିରିକ୍ତ ଭୋଟ ଗଣତି ହଲ ସମେତ ତିନିଟି ହଲର ବ୍ୟବସ୍ଥା କରାଯାଇଛି। ଦୁଇଟିରେ ଇଭିଏମ/ଭିଭିପାଟ ଭୋଟ ଏବଂ ଗୋଟିଏରେ ପୋଷ୍ଟାଲ ବାଲଟ ଗଣତି କରାଯିବ। ଇଭିଏମ ଓ ଭିଭିପାଟ ଭୋଟ ଗଣତି ପାଇଁ ୭ଟି ଲେଖାଏଁ ଟେବୁଲ ଓ ପୋଷ୍ଟାଲ ବାଲଟ ପାଇଁ ଗୋଟିଏ ଟେବୁଲ ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।
ଭୋଟ ଗଣତି ଫଳାଫଳ ନିର୍ବାଚନ ଆୟୋଗଙ୍କ ୱେବସାଇଟresults.eci.gov.inରେ ଉପଲବ୍ଧ ହେବ। ଗଣତି କେନ୍ଦ୍ର ବାହାରେ ଜିଲା ପ୍ରଶାସନ ପକ୍ଷରୁ ଫଳାଫଳ ଜାଣିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ସୋସିଆଲ ମିଡିଆ ହ୍ୟାଣ୍ଡେଲ, ଫେସବୁକ Ceoodisha or @ Ceoodisha, ଟୁଇଟର CEO Odisha or @OdishaCeo ମାଧ୍ୟମରେ ଫଳାଫଳ ଉପଲବ୍ଧ ହେବ।
ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନରେ ବାଲେଶ୍ବରରେ ତତ୍କାଳୀନ ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତ ତାଙ୍କ ନିକଟତମ ପ୍ରାର୍ଥୀ ବିଜେଡ଼ିର ଜୀବନପ୍ରଦୀପ ଦାସଙ୍କୁ ୧୩,୪୦୬ଭୋଟରେ ପରାସ୍ତ କରିଥିବାବେଳେ ତିର୍ତ୍ତୋଲରେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁଚରଣ ଦାସ ୪୦,୩୮୬ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ରମାକନ୍ତ ଭୋଇଙ୍କୁ ପରାସ୍ତ କରିଥିଲେ। ୨୦୧୯ରେ ବାଲେଶ୍ବରରେ କଂଗ୍ରେସ ପ୍ରାର୍ଥୀ ୧୯୭୦୪ଖଣ୍ଡ ଏବଂ ତିର୍ତ୍ତୋଲରେ କଂଗ୍ରେସ ପ୍ରାର୍ଥୀ ୨୩୮୦୯ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଗତ ଥର ବାଲେଶ୍ବରରେ ୭୧.୨୯ପ୍ରତିଶତ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିବାବେଳେ ଏଥର ତାହା ୭୦.୬୯ପ୍ରତିଶତକୁ କମିଛି। ସେହିପରି ତିର୍ତ୍ତୋଲରେ ଗତ ଥର ୭୪.୦୯ପ୍ରତିଶତ ମତଦାନ ହୋଇଥିବାବେଳେ ଏଥର ୬୯.୬୬ପ୍ରତିଶତ ଭୋଟର ମତଦାନ କରିଛନ୍ତି। ତେଣୁ ମତଦାନ ହାର କମିଥିବାରୁ ଏଥର ତୁମୁଳ ପ୍ରତିଯୋଗିତାର ସମ୍ଭାବନା ରହିଛି।
ଏଥର ଉପନିର୍ବାଚନରେ ବିଶେଷ ରୋଚକ କଥାଟି ହେଲା ବାଲେଶ୍ବରରେ ବିଜେପିର ଦିବଙ୍ଗତ ‌ବିଧାୟକଙ୍କ ପୁତ୍ର ମାନସ ଦତ୍ତ ଓ ତିର୍ତ୍ତୋଲରେ ବିଜେଡିର ଦିବଙ୍ଗତ ‌ବିଧାୟକଙ୍କ ପୁତ୍ର ବିଜୟଶଙ୍କର ଦାସ ପ୍ରାର୍ଥୀ ହୋଇଛନ୍ତି। ଏଥର ନିର୍ବାଚନରେ କୋଭିଡ଼ ପରିସ୍ଥିତି ସତ୍ତ୍ବେ ରାଜନୈତିକ ଦଳ ଗୁଡ଼ିକ ସେମାନଙ୍କ ରଣନୀତିକୁ ବେଶ ଶାଣିତ କରିଥିଲେ। ଏହା ଫଳାଫଳକୁ କେତେ ପ୍ରଭାବିତ କରିବ ତାହା ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ ବାଲେଶ୍ବରରେ ବିଜେପି ବିରୋଧରେ ବିଜେଡ଼ିରୁ ସ୍ବରୂପ କୁମାର ଦାସ ଏବଂ କଂଗ୍ରେସର ମମତା କୁଣ୍ଡୁ ଲଢ଼ୁଥିବାବେଳେ ତିର୍ତ୍ତୋଲରେ ବିଜେଡ଼ି ପ୍ରାର୍ଥୀଙ୍କ ବିରୋଧରେ ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସର ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ୁଛନ୍ତି।

Comments are closed.