ସରପଞ୍ଚ ଉପନିର୍ବାଚନ ; ବିଜେପିର ହାଇଭୋଲ୍‍ଟେଜ୍‍ ପ୍ରଚାର

ପିପିଲି : ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆସନ୍ତା ୨୪ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଶୁକ୍ରବାର ଦଳ ପକ୍ଷରୁ ହାଇଭୋଲ୍‍ଟେଜ୍‍ ପ୍ରଚାର ହୋଇଥିଲା । ବିଜେପିର ବରିଷ୍ଠ ନେତା, ନେତ୍ରୀ ଓ ଅଭିନେତାଙ୍କ ସମେତ ନିର୍ବାଚନମଣ୍ଡଳୀର ବିଜେପି ନେତାମାନେ ଏଥିରେ ସାମିଲ ହୋଇ ଦଳୀୟ ସମର୍ଥୀତ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‍ ପ୍ରଚାର କରିଥିଲେ । ଆଗକୁ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସରପଞ୍ଚ ଉପନିର୍ବାଚନର ଫଳାଫଳ ବିଭିନ୍ନ ଦଳ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ଶୁକ୍ରବାର ପୂର୍ବାହ୍ନରେ ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ  ପିପିଲି ପୌରାଞ୍ଚଳର ସଙ୍କଟମୋଚନ ହନୁମାନଙ୍କ ମନ୍ଦିର ଠାରୁ ଏକ ବିରାଟ ବାଇକ୍‍ ଶୋଭାଯାତ୍ରା ବାହାରିଥିଲା । ହଜାରରୁ ଅଧିକ ଦଳୀୟ କର୍ମୀ, ସମର୍ଥକ ଓ ନେତାଙ୍କୁ ନେଇ ଅନୁଷ୍ଠିତ ଏହି ଶୋଭାଯାତ୍ରା ନୂଆଶାସନ ପଞ୍ଚାୟତର ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲା । ବିଭିନ୍ନ ଗ୍ରାମରେ ପଦଯାତ୍ରାରେ ଯାଇ ଶ୍ରୀପଟ୍ଟନାୟକ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୌମ୍ୟକାନ୍ତ ଦାଶଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ । ଏହି ଅବସରରେ ଚଉଦମାଣ ମେଳଣ ପଡିଆ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଜିଲା ବିଜେପି ସଭାପତି ଶ୍ରୀପଟ୍ଟନାୟକଙ୍କ ସମେତ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା, ହାସ୍ୟ ଅଭିନେତା ହରି ମହାପାତ୍ର, ପୁରୀ ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, ପୂର୍ବତନ ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ପିପିଲି ଏନ୍‍ଏସିର ପୂର୍ବତନ ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ସରପଞ୍ଚ ସୁଭାଶିଷ ରଥ, ପୂର୍ବତନ ସରପଞ୍ଚ ସୁବୋଧ କୁମାର ମହାନ୍ତି, ପ୍ରଦୀପ କୁମାର ସାହୁ, ଧନେଶ୍ୱର ପ୍ରଧାନ, ପୁରୀ ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ କୁମାର ପ୍ରଧାନ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସୁଧିର ବିଶ୍ୱାଳ, ପ୍ରଦୀପ ପାତ୍ର, ଲଡୁ ରାୟ, ଶ୍ୱେତ ନାୟକ, ସୁଧାଂଶୁ ପରିଡା, ବରିଷ୍ଠନେତା ନରେନ୍ଦ୍ର ବିଶ୍ୱାଳ, ଯୁବମୋର୍ଚ୍ଚା ସଭାପତି ଦେବୀପ୍ରସାଦ ମଲ୍ଲିକ, ଆଶିଷ ସାମନ୍ତରାୟ, ପବିତ୍ର ପ୍ରଧାନ, ହିମାଂଶୁ ପରିଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ବିଜେପି ସମର୍ଥୀତ ପ୍ରାର୍ଥୀ ସୌମ୍ୟକାନ୍ତଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ଅବସରରେ ସରପଞ୍ଚ ପ୍ରାର୍ଥୀ ସୌମ୍ୟକାନ୍ତ ନିଜ ଅଭିଭାଷଣରେ ପଞ୍ଚାୟତରେ ଶାନ୍ତି ଓ ପ୍ରଗତି ପାଇଁ ଭୋଟ୍‍ ଭିକ୍ଷା କରିବା ସହ ସମସ୍ତଙ୍କ ଆର୍ଶୀବାଦ କାମନା କରିଥିଲେ ।

ଏଠାରେ ସୂଚନା ଥାଉକି, ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ନୂଆଶାସନ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ସରପଞ୍ଚ ଉପନିର୍ବାଚନର ପ୍ରଚାର ମଇଦାନରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଭୋଟ ପ୍ରଚାର କରୁଛନ୍ତି । ଆଗକୁ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସରପଞ୍ଚ ଉପନିର୍ବାଚନର ଫଳାଫଳ ବିଭିନ୍ନ ଦଳ ପାଇଁ ବେଶ୍‍ ଗୁରୁତ୍ୱ ବହନ କରୁଛି । ସରପଞ୍ଚ ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନୂଆଶାସନ ପଞ୍ଚାୟତରେ ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ଆଗାମୀ ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ନୂଆଶାସନ ପଞ୍ଚାୟତକୁ ଦଖଲ କରିବାକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଜୋରଦାର କସରତ ଆରମ୍ଭ ହୋଇଯାଇଛି । ପ୍ରମୁଖ ରାଜନୈତିକ ଦଳର ପଞ୍ଚାୟତ ବାହାରର ଜନପ୍ରତିନିଧି ଓ ନେତାମାନେ ଏହି ପଞ୍ଚାୟତରେ ୨୪ଘଣ୍ଟିଆ ଡେରା ପକାଇ ଭୋଟରଙ୍କୁ ମନେଇବାକୁ ଚେଷ୍ଟା ଚଳାଇଛନ୍ତି । ଏହି ପଞ୍ଚାୟତରେ ସତେଯେପରି ମିନି ବିଧାନସଭା ନିର୍ବାଚନ ଚାଲିଛି ବୋଲି ଏଠାକାର ରାଜନୈତିକ ମହଲରେ ଆଲୋଚନା ଚାଲିଛି । ଏଠାରେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ବିଜୟର ପ୍ରଭାବ ସମଗ୍ର ନିର୍ବାଚନମଣ୍ଡଳୀ ଉପରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏଠାକାର ୩ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ସେମାନଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରାଣପଣେ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି ।

Comments are closed.