ଏକାମ୍ରକାନନ ଭୁବନେଶ୍ବରର ଗର୍ବ, ଏହାର ବିକାଶ ପାଇଁ ସରକାର ବଦ୍ଧପରିକର: ମୁଖ୍ୟ ସଚିବ

ଭୁବନେଶ୍ବର : ଏକାମ୍ରକାନନ ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏଥିନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଏଭଳି ଖବର ତଥ୍ୟ ଉପରେ ଆଧାରିତ ନୁହେଁ କିମ୍ବା ଏକାମ୍ର କାନନର କୌଣସି ଅଂଶକୁ ସରକାର ଫେରାଇ ନେଇ ନାହାନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ଏକାମ୍ର କାନନ ଜମି ହସ୍ତାନ୍ତର ଦ୍ବାରା ଏହା ଜୈବ ବିବିଧତା ଓ ଆକର୍ଷଣ ହରାଇବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମୁଖ୍ୟ ସଚିବ ଏହା ଉପରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଛନ୍ତି ଯେ ଏକାମ୍ର କାନନ ହେଉଛି ଭୁବନେଶ୍ବରର ଗର୍ବ ଏବଂ ସରକାର ଏହାର ବିକାଶ ପାଇଁ ବଦ୍ଧପରିକର। ଏକାମ୍ରକାନନରେ ଥିବା ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର (ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର)କୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଏଠାରେ ବାୟୋଟେକ୍ନୋଲୋଜି ଗବେଷଣା ଭଳି ବ୍ୟାପକ କାର୍ଯ୍ୟକ୍ରମ ଜାରି ରହିଛି। ଏକାମ୍ର କାନନକୁ ସବୁମତେ ସୁରକ୍ଷିତ ରଖାଯିବ ଏବଂ ରାଜଧାନୀର ପ୍ରମୁଖ ସ୍ଥଳ ଭାବେ ଏହାକୁ ଗୁରୁତ୍ବ ଦିଆଯିବ। ଜମି ହସ୍ତାନ୍ତର ସଂକ୍ରାନ୍ତରେ ହେଉଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଉଦ୍ୟାନକୃଷି ବିଭାଗ ଏଠାକାର କିଛି ଅବ୍ୟବହୃତ ଜମିକୁ ହସ୍ତାନ୍ତର(ସରେଣ୍ଡର) କରିଛି ଏବଂ ଗତ ୫ ଦଶନ୍ଧି ଧରି ଏହା ଖାଲିପଡ଼ିଛି। ଜୟଦେବ ବିହାର ଏବଂ ପାଇକନଗର ମୌଜାରେ ଏହି ଜମି ରହିଛି। ଏହି ଜମିକୁ ଅଧିକ ଫଳପ୍ରସୂ ଦିଗରେ ବିନିଯୋଗ କରାଯିବ। ଏହି ଜମିର ଏକାମ୍ର କାନନ ଜମି ସହିତ କୌଣସି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Comments are closed.