ମହାରାଷ୍ଟ୍ର ଯିବେ ୨୫ ଓଡ଼ିଆ ଛାତ୍ରଛାତ୍ରୀ

‘ଏକ ଭାରତ-ଶ୍ରେଷ୍ଠ ଭାରତ’ ଛାତ୍ର ବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ବର : ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରୁଛନ୍ତି ।  ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଗୁଣୁପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ୨ ଜଣ ଶିକ୍ଷକ ମହାରାଷ୍ଟ୍ର ଗସ୍ତ କରିବେ । ସେମାନଙ୍କୁ ମୁମ୍ବାଇର ଠାକୁର କଲେଜ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ଆତିଥେୟ ପ୍ରଦାନ କରାଯିବ । ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆପୋସ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପରସ୍ପରର ଜୀବନଶୈଳୀ, ସଂସ୍କୃତି ପରମ୍ପରା, ଶିକ୍ଷା ପଦ୍ଧତି ଆଦି ବିଷୟରେ ମତବିନିମୟ କରିବା ଲାଗି ସେମାନଙ୍କୁ ସୁଯୋଗ ମିଳିବ । ଚଳିତ ବର୍ଷ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମୋଟ ୭୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଯୋଗ୍ୟ ଯେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର, ୨୦୧୫ରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୦ତମ ଜୟନ୍ତୀ ଅବସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ଘୋଷଣା କରିଥିଲେ ।  ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଅବଧାରଣା ମାଧ୍ୟମରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବଢ଼ାଇବା ଲାଗି ଦେଶବ୍ୟାପୀ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ଐତିହାସିକ, ସାଂସ୍କୃତିକ ସମ୍ପର୍କକୁ ଉଜାଗର କରିବା ଲାଗି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଭାଷା ଶିଖିବା, ସଂସ୍କୃତି, ପରମ୍ପରା, ସଂଗୀତ, ପର୍ଯ୍ୟଟନ, ଖାଦ୍ୟପେୟ, କ୍ରୀଡ଼ା ଏବଂ ସର୍ବୋତ୍ତମ ପଦ୍ଧତିକୁ ବାଣ୍ଟିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରୋତ୍ସାହନ ଦିଆଯାଉଛି ।

Comments are closed.