ଆଂଶିକ ସ୍ବାଧୀନ

ଆମେ ଗ୍ରହଣ କରୁ ବା ନକରୁ, ‘ଫ୍ରିଡମ୍‌ ହାଉସ୍‌’ ରିପୋର୍ଟ ଭାରତ ପାଇଁ ଏକ ସତର୍କଘଣ୍ଟି

ପ୍ରତିବର୍ଷ ବିଶ୍ବର ବିଭିନ୍ନ ଦେଶର ସ୍ବାଧୀନତାକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରୁଥିବା ଆମେରିକାସ୍ଥିତ ପ୍ରତିଷ୍ଠିତ ଓ ସମ୍ମାନଜନକ ସଂସ୍ଥା ଫ୍ରିଡମ୍‌ ହାଉସ୍‌ ପକ୍ଷରୁ ପ୍ରସ୍ତୁତ ‘ବିଶ୍ବ ସ୍ବାଧୀନତା ରିପୋର୍ଟ ୨୦୨୧‘ରେ ଭାରତ ‘ସ୍ବାଧୀନ’ରୁ ‘ଆଂଶିକ ସ୍ବାଧୀନ’ ରାଷ୍ଟ୍ର ତାଲିକାରେ ସ୍ଥାନ ପାଇବା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଏହା ସ୍ବାଭାବିକ ମଧ୍ୟ, କାରଣ ପ୍ରଥମ ଥରପାଇଁ ଏହି ରାଙ୍କିଙ୍ଗ୍‌ରେ ‘ଆଂଶିକ ସ୍ବାଧୀନ’ ଦେଶ ଭାବେ ଭାରତର ଅଧୋଗତି ହୋଇଛି। ୨୦୨୦ରେ ଏହା ୧୦୦ରୁ ୭୧ ନମ୍ବର ହାସଲ କରିଥିବାବେଳେ ଏଥର ୬୭ ନମ୍ବରକୁ ଖସିଆସିଛି। ୨୦୧୯ରେ ୭୫ ଏବଂ ୨୦୧୮ ଓ ୨୦୧୭ରେ ଏହା ୭୭ ନମ୍ବର ପାଇଥିଲା; ଅର୍ଥାତ ଏହାର କ୍ରମଅବନତି ଘଟିଚାଲିଛି। ପ୍ରାୟ ପ୍ରତ୍ୟେକ ଦେଶର ସରକାର ଏହି ରିପୋର୍ଟକୁ ଗୁରୁତ୍ବ ଦେଇଥାନ୍ତି, କାରଣ ‘ଫ୍ରିଡମ୍‌ ହାଉସ୍’ ୨୫ଟି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଏହାକୁ ପ୍ରସ୍ତୁତ କରିଥାଏ। ଭାରତ ଭଳି ବିଶ୍ବର ଏକ ବୃହତ୍‌ ଗଣତାନ୍ତ୍ରିକ ସ୍ବାଧୀନ ରାଷ୍ଟ୍ରକୁ କୌଣସି ସଂସ୍ଥା ତା’ର ଆକଳନରେ ‘ଆଂଶିକ ସ୍ବାଧୀନ’ ଭାବେ ମାନ୍ୟତା ପ୍ରଦାନ କରିବା ନିଶ୍ଚୟ ଉଦ୍‌ବେଗପୂର୍ଣ୍ଣ ଓ ଲଜ୍ଜାଜନକ। ହୁଏତ ଏହି କାରଣରୁ ଭାରତ ସରକାର ଅନ୍ୟ ରିପୋର୍ଟ ପରି ଏହାକୁ ‘ବିଦେଶୀ ଶକ୍ତିଙ୍କ ଷଡ଼ଯନ୍ତ୍ର’ କହି ସମ୍ପୂର୍ଣ୍ଣ ଉପେକ୍ଷା କରିପାରିନାହାନ୍ତି ଏବଂ ବାଧ୍ୟହୋଇ ଏକ ବିବୃତି ଜାରି କରି ରିପୋର୍ଟର ବିଷୟବସ୍ତୁକୁ ଖଣ୍ଡନ କରିବାପାଇଁ ଏହା ‘ଭ୍ରମାତ୍ମକ ଓ ତ୍ରୁଟିପୂର୍ଣ୍ଣ’ ବୋଲି କହିଛନ୍ତି। ଏହି ରିପୋର୍ଟରେ ଭାରତରେ ମୁସଲମାନଙ୍କ ଉପରେ ଆକ୍ରମଣ, ରାଜଦ୍ରୋହ ଆଇନର ଅପବ୍ୟବହାର ଓ କରୋନା କାଳରେ ଲକ୍‌ଡାଉନ ଭଳି ସରକାରୀ ପଦକ୍ଷେପ ସମ୍ପର୍କରେ ବିଶେଷଭାବେ ଦର୍ଶାଯାଇ କୁହାଯାଇଛି ଯେ, ‘‘୨୦୧୪ ପରଠାରୁ ଅଭିବ୍ୟକ୍ତିର ସ୍ବାଧୀନତା ଓ ଅଧିକାର କ୍ଷୁଣ୍ଣ ହୋଇଚାଲିଛି।’’

ରିପୋର୍ଟର ଏହି ନକାରାତ୍ମକ ନିଷ୍କର୍ଷ ସହ ଆମେ ରାଜି ହୋଇପାରୁ ବା ନହୋଇପାରୁ, କିନ୍ତୁ ଲକ୍‌ଡାଉନ ସମୟରେ ଦେଶର ଶ୍ରମଜୀବୀଙ୍କ ଦୁର୍ଦ୍ଦଶା ହେଉ ବା ତବଲିଗି ଜମାତ୍‌ ପ୍ରସଙ୍ଗ; ବିଜେପିଶାସିତ ରାଜ୍ୟଗୁଡ଼ିକରେ ‘ଲଭ୍‌ ଜିହାଦ୍‌’ ଆଇନ ହେଉ ବା ରାଜଦ୍ରୋହ ଆଇନର ବ୍ୟବହାର, ନାଗରିକତା ସଂଶୋଧନ ଆଇନ ଅବା ଇଣ୍ଟରନେଟ୍‌ ବନ୍ଦ କରାଯିବା ଘଟନା, ଏସବୁ ଭିତରେ ନାଗରିକର ସ୍ବାଧୀନତା, ବିଶେଷତଃ ଅଭିବ୍ୟକ୍ତିର ସ୍ବାଧୀନତା କ୍ଷୁଣ୍ଣ ହେଉଥିବାର ଅଭିଯୋଗ ବାରମ୍ବାର ହୋଇଆସିଛି। ଭାରତ ଭଳି ଏକ ପାକଳ ଗଣତନ୍ତ୍ର ଏପରି ପ୍ରସଙ୍ଗଗୁଡ଼ିକୁ ଠିକ୍‌ଭାବେ ପରିଚାଳନା କରିବା ଉଚିତ ଏବଂ ଏବେ ଯେଉଁ ଅଭିଯୋଗ ଆସିଛି, ତା’ର ମଧ୍ୟ ମୁକାବିଲା କରାଯିବା ଆବଶ୍ୟକ। ଏହା ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ କେବଳ ଶାସନରେ ଥିବା ସରକାର ନୁହନ୍ତି, ଏହାଦ୍ବାରା ସମଗ୍ର ଦେଶ ବିଶ୍ବରେ ବଦନାମ ହେଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ବିବୃତି ଜାରି କରାଯାଇଛି, ତାହା ଅଳ୍ପେବହୁତେ ସଫେଇ ଦେବାପରି: ଭାରତର ବିଭିନ୍ନ ରାଜ୍ୟରେ କେନ୍ଦ୍ରରେ ଶାସନ କରୁଥିବା ଦଳ ବ୍ୟତୀତ ଅନ୍ୟ ଦଳଗୁଡ଼ିକ ମଧ୍ୟ ସଂଘୀୟ ବ୍ୟବସ୍ଥାରେ ଶାସନ କରୁଛନ୍ତି, ତେଣୁ ଏକ ପ୍ରାଣବନ୍ତ ଗଣତନ୍ତ୍ର ସକ୍ରିୟ ଅଛି। ସରକାର ମଧ୍ୟ ସମ୍ବିଧାନ ଅନୁସାରେ ସମସ୍ତ ନାଗରିକଙ୍କୁ ସମାନ ଭାବେ ଦେଖୁଛନ୍ତି। ରାଜଦ୍ରୋହ ଆଇନର ଅପବ୍ୟବହାର ଅଭିଯୋଗ ନେଇ କୁହାଯାଇଛି ଯେ ‘ଆଇନ ଶୃଙ୍ଖଳା’ ଓ ‘ପୁଲିସ୍’ ରାଜ୍ୟ ବିଷୟ ଏବଂ ଅପରାଧର ତଦନ୍ତ, ପଞ୍ଜୀକରଣ ଓ ଦଣ୍ଡ ପ୍ରଦାନ ତଥା ଧନଜୀବନର ସୁରକ୍ଷା ସହ ଆଇନଶୃଙ୍ଖଳା ରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ବ। ଏହି ବିବୃତିରୁ ମନେହେଉଛି ଯେ ଉପରୋକ୍ତ ବିଷୟଗୁଡ଼ିକ ପାଇଁ ରାଜ୍ୟ ସରକାରଗୁଡ଼ିକ ହିଁ ଦାୟୀ! କେନ୍ଦ୍ର ସରକାରଙ୍କର କ’ଣ କିଛି ଉତ୍ତରଦାୟିତ୍ବ ନାହିଁ?

ଏହା ନିଃସନ୍ଦେହ ଯେ ଏକ ସାମ୍ବିଧାନିକ ଗଣତନ୍ତ୍ରରେ ନାଗରିକଙ୍କ ସ୍ବାଧୀନତାର ସୁରକ୍ଷା ସରକାରଙ୍କ ଅଗ୍ରପ୍ରଧାନ ଦାୟିତ୍ବ ହେବା ଉଚିତ, କିନ୍ତୁ ନ୍ୟାୟାଳୟ ମଧ୍ୟ ଏହାର ସୁରକ୍ଷାକର୍ତ୍ତା। ବହୁ କଷ୍ଟଲବ୍ଧ ସ୍ବାଧୀନତା କୌଣସି ପରିସ୍ଥିତିରେ ସାମାନ୍ୟ ବି କ୍ଷୁଣ୍ଣ ନହେବା ହିଁ ସମସ୍ତଙ୍କର ଧ୍ୟେୟ ହେବା ଆବଶ୍ୟକ। ସ୍ବାଧୀନତାର ମହତ୍ତ୍ବ ବୁଝାଇବାକୁ ଯାଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସେହି ଅମର ବାଣୀକୁ କେହି ଭୁଲିବା ଅନୁଚିତ: ‘‘ସ୍ବାଧୀନତା ମାନବର ଜନ୍ମ ଅଧିକାର; ସ୍ବାଧୀନ ଭାଷଣ ଆଉ ସ୍ବାଧୀନ ବିହାର।’’ ଆମେ ଗ୍ରହଣ କରୁ ନା ନକରୁ, ‘ଫ୍ରିଡମ୍‌ ହାଉସ୍‌’ର ରିପୋର୍ଟ ଭାରତ ପାଇଁ ଏକ ସତର୍କଘଣ୍ଟି। ଗଣତନ୍ତ୍ରକୁ ଆହୁରି ପ୍ରାଣବନ୍ତ କରିବା ଦିଗରେ ସରକାର ଯତ୍ନଶୀଳ ହେବା ଦରକାର।

Comments are closed.