ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ… ଶତାବ୍ଦୀ ସମେତ ୮ଟି ଟ୍ରେନ୍ ମାର୍ଚ୍ଚ ୩୧ ଯାଏଁ ବାତିଲ

ନୂଆଦିଲ୍ଲୀ : ଭାରତରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୮ ରେ ପହଞ୍ଚିଥିବା ବେଳେ ୫ଜଣଙ୍କର ମୃତ୍ୟୁ ହୋଇ ସାରିଛି। ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକାର ପ୍ରତିଶେଧକ ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ଦେଶରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କେତେକ ପରିବହନ ସେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ଲକ୍ଷ୍ନୌ ଜଙ୍କସନରୁ ଆନନ୍ଦ ବିହାର ପର୍ଯ୍ୟନ୍ତ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ ସହିତ ଉତ୍ତର ଏବଂ ଉତ୍ତର ପୂର୍ବାଞ୍ଚଳରେଳର ଆଠଟି ଟ୍ରେନ୍ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାତିଲ ହୋଇଯାଇଛି। ଏଥି ମଧ୍ୟରେ ୧୨୦୦୩/୦୪ ଶତାବ୍ଦୀ ଏକ୍ସପ୍ରେସ, ୧୧୧୦୯/୧୦ ଲକ୍ଷ୍ନୌ-ଝାନସୀ ଇଣ୍ଟରସିଟି,୧୨୧୭୯/୮୦ ଆଗ୍ରା ଇଣ୍ଟରସିଟି ଏବଂ ୧୪୨୧୫/୧୬ ଲକ୍ଷ୍ନୌ-ପ୍ରୟାଗ ଗଙ୍ଗା ଗୋମତୀ ଏକ୍ସପ୍ରେସ ଅନ୍ତର୍ଭୁକ୍ତ। ଏଥି ସହିତ ରେଳବାଇ ବାରାଣାସୀ-ଆନନ୍ଦ ବିହାର ଗରିବ ରଥ ଏକ୍ସପ୍ରେସ, ଗୋରଖପୁର-ଆନନ୍ଦ ବିହାର ହମସଫର ଏକ୍ସପ୍ରେସ ଏବଂ କାଟିହର-ଦିଲ୍ଲୀ ଚମ୍ପାରନ ହମସଫର ଏକ୍ସପ୍ରେସକୁ ମଧ୍ୟ ବାତିଲ କରିଦେଇଛି।

Comments are closed.