ଅଣ୍ଡା ଖାଆନ୍ତୁ, ସୁସ୍ଥ ରହନ୍ତୁ

ସକାଳ ଜଳଖିଆ​‌ରେ ଗୋଟିଏ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ। ବିଶେଷଜ୍ଞଙ୍କ ମତରେ ପିଲା ଓ ଯୁବବର୍ଗଙ୍କ ଖାଦ୍ୟତାଲିକାରେ ଅଣ୍ଡା ସାମିଲ ହେବା ଉଚିତ। ବୟସ୍କ ପିଢ଼ି ହୃଦ୍‌ରୋଗ, ମଧୁମେହ କିମ୍ବା ମେଦବହୁଳ ରୋଗରେ ଆକ୍ରାନ୍ତ ଥିଲେ, ଡାକ୍ତରଙ୍କ ପରାମର୍ଶ ଜରୁରୀ।
– ଅଣ୍ଡାକୁ ସିଝାଇ ଖାଇଲେ ଏହାର ପୋଷକତତ୍ତ୍ବ ଶରୀରକୁ ଠିକ୍ ଭାବେ ମିଳେ। ଅଣ୍ଡାର ଧଳା ଅଂଶରେ କୋଲେଷ୍ଟୋରଲ୍ ନଥାଏ। ହଳଦିଆ କେଶର ପରିବର୍ତ୍ତେ ଜଳଖିଆରେ ଗୋଟିଏ କିମ୍ବା ଦୁଇଟି ଅଣ୍ଡାର ଧଳା ଅଂଶ ଖାଇପାରନ୍ତି। ନିଜ ହଜମ କ୍ଷମତାକୁ ଦେଖି ପ୍ରତ୍ୟେକ ଖାଇବା ଉଚିତ।
– ​ପ୍ରୋଟିନ୍‌ଯୁକ୍ତ ଅଣ୍ଡାର ଧଳା ଭାଗ ଖାଇଲେ ଶୀଘ୍ର ଭୋକ ମଧ୍ୟ ଲାଗେନାହିଁ। ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବା ବ୍ୟକ୍ତି ପ୍ରତିଦିନ ଖାଇବା ଭଲ।
– ଦୀର୍ଘ ୨ ବର୍ଷ ଅଣ୍ଡାକୁ ନେଇ ଅନୁଧ୍ୟାନ କରିବା ପରେ ଆମେରିକାନ୍ କେମିକାଲ୍ ସୋସାଇଟି ମତ ବ୍ୟକ୍ତ କରିଛି, ଅଣ୍ଡାର ଧଳା ଅଂଶରେ ମହଜୁଦ୍ ତତ୍ତ୍ବ ରକ୍ତଚାପକୁ କମ୍ କରେ।
– ମହିଳାମାନଙ୍କ ପାଇଁ ଅଣ୍ଡା ଏକ ଔଷଧ ପରି କାମ କରେ। ଗର୍ଭବସ୍ଥା ସମୟରୁ ଆରମ୍ଭ କରି ପ୍ରସବ ପର ପର୍ଯ୍ୟନ୍ତ ମହିଳାମାନେ ଅଣ୍ଡାର ଧଳା ଅଂଶ ଖାଇଲେ ସେମାନଙ୍କ ଶରୀରକୁ ଶକ୍ତି ମିଳିଥାଏ।
– କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସୋଡିୟମ୍, ଭିଟାମିନ୍ ବି-୬, ବି-୧୨ ଇତ୍ୟାଦି ପୋଷକତତ୍ତ୍ବ ଭରପୂର ଅଣ୍ଡାର ଧଳା ଅଂଶ ଖାଇଲେ ଆମ କେଶର ଘନତ୍ବ ବଢ଼ିବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହେଉଥିବାର ବିଶେଷଜ୍ଞଙ୍କ ମତ।
– ଶରୀରର ହାଡ଼କୁ ଶକ୍ତ କରିବା ପାଇଁ ମଧ୍ୟ ଅଣ୍ଡାର ଧଳା ଅଂଶ ଏକ ଉତ୍ତମ ଖୋରାକ୍। ନିୟମିତ ଅଣ୍ଡା ଖାଇଲେ ତ୍ବଚାରୁ ଭାଙ୍ଗ ଦୂର ହେବା ସହ ବୟସର ଛାପ ମଧ୍ୟ କମ୍ ହୋଇଥାଏ।
– ସପ୍ତାହରେ ୨-୩ଥର ସକାଳ ଜଳଖିଆରେ ସିଝା ଅଣ୍ଡା ଖାଇବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥିବାର ଖାଦ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Comments are closed.