ଶ୍ରୀମନ୍ଦିର ବିକାଶ ପାଇଁ କରାଯିବ ନିଷ୍ଠାପର ଉଦ୍ୟମ

ପୁରୀ: ଶ୍ରୀମନ୍ଦିର ବିକାଶ ପାଇଁ ବିଶାଳ ସମର୍ପଣ ନିଧି ସଂଗ୍ରହ ଅଭିଯାନ ଆରମ୍ଭ କରାଯିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପରାମର୍ଶକୁ ପ୍ରଶଂସା କରିଛନ୍ତି ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ। ଶନିବାର ଚିଠି ମାଧ୍ୟମରେ ସେ ଉତ୍ତର ଦେଇଛନ୍ତି। ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସବୁପ୍ରକାର ବିକାଶ ପାଇଁ ନିଷ୍ଠାପର ଭାବେ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି ଗଜପତି ମହାରାଜା ପ୍ରତିଶ୍ରୁତି ଦେଇଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତିଯେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ଯୋଜନା ସମେତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଶ୍ରୀଜଗନ୍ନାଥ ଧାମ ପୁରୀକୁ ବିଶ୍ବର ସର୍ବଶ୍ରେଷ୍ଠ ଧାର୍ମିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବା ଏହାର ଉଦେଶ୍ୟ। ପୁରୁଷୋତ୍ତମ କ୍ଷେତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟଭୂମି। ଏଭଳି ଐତିହାସିକ ନିଷ୍ପତ୍ତି କାର୍ୟ୍ୟକାରୀ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକ ଉଦ୍ୟମ ଏବଂ ଭକ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି।

ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହି ମହାନ କାର୍ୟ୍ୟ ନିଶ୍ଚୟ ସଫଳ ହେବବୋଲି ଗଜପତି ମହାରାଜା ଆଶାପୋଷଣ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେରଣା ଏବଂ ମହିମା ବିଶ୍ବର ଅଗଣିତ ଭକ୍ତଙ୍କୁ ପ୍ରଭାବିତ କରିଥିବା ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କ ତ୍ୟାଗ ଓ ଭାବାବେଗ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ରହିଛି। ଶହ ଶହ ବର୍ଷ ଧରି ଶାନ୍ତି ଓ ସମୃଦ୍ଧିର ତାହା ପ୍ରକୃତ କାରଣ। ମହାପ୍ରଭୁଙ୍କ ପାଇଁ ଆମ ଲୋକେ ଅନେକ ତ୍ୟାଗ ଏବଂ ଉତ୍ସର୍ଗ କରିଥିବା ଗଜପତି ଉଲ୍ଲେଖ କରିଛନ୍ତି। ଧର୍ମେନ୍ଦ୍ରଙ୍କ ମୂଲ୍ୟବାନ ପରାମର୍ଶ ଏବଂ ସହଯୋଗ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏବଂ ସେ ବ୍ୟକ୍ତିଗତ ଭାବେ ଶ୍ରୀମନ୍ଦିର ବିକାଶ ଯୋଜନା ପାଇଁ ଚିଠିରେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଗଜପତି ମହାରାଜା। ବିଶ୍ବର ଅଗଣିତ ଭକ୍ତଙ୍କ ସ୍ବାର୍ଥ ତଥା ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ଶ୍ରୀମନ୍ଦିର ବିକାଶ ପ୍ରକଳ୍ପ କାର୍ୟ୍ୟକାରୀ ହେବବୋଲି ଗଜପତି ମହାରାଜା ଶ୍ରୀ ଦେବ ଚିଠିରେ ଉଲ୍ଲେଖ କରିଛନ୍ତି।

ଶ୍ରୀମନ୍ଦିର ବିକାଶ ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ଗଜପତି ମହାରାଜାଙ୍କୁ ଚିଠି ଲେଖିଥିଲେ। ଶ୍ରୀମନ୍ଦିର ବିକାଶ ପାଇଁ ଶ୍ରମ ଓ ଅର୍ଥଦାନରେ ପ୍ରତ୍ୟେକ ହିନ୍ଦୁ ଏବଂ ୪କୋଟି ଓଡ଼ିଆ ପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇବେ ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ। ପ୍ରସ୍ତାବିତ ଅଭିଯାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରାଯିବାକୁ ସେ ପରାମର୍ଶ ଦେଇଥିଲେ। ମହାପ୍ରଭୁଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ନିମନ୍ତେ ବ୍ୟାଙ୍କ ଗୁଡିକ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲେ।

ଗତମାସ ୨୮ତାରିଖ ଦିନ ପୁରୀ ଗସ୍ତରେ ଆସିଥିବା ବେଳେ ଶ୍ରୀ ପ୍ରଧାନ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ବିକାଶ ଯୋଜନା ପାଇଁ ନିଜ ଦରମାରୁ ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

Comments are closed.