ପୃଥିବୀର କେନ୍ଦ୍ରସ୍ଥଳରେ ପହଂଚିବା ଉଦ୍ୟମ

ଭୂପୃଷ୍ଠରେ ଖୋଳାଗଲା ଗଭୀରତମ ଗର୍ତ୍ତ

ମସ୍କୋ: ପ୍ରକୃତିର ସବୁକିଛି ସଂପର୍କରେ ଟିକିନିଖି ଜାଣିବା ଉଦ୍ୟମ କରୁଛି ଆଧୁନିକ ମଣିଷ। ପ୍ରକୃତି ଦ୍ୱାରା ସବୁକିଛି କେମିତି ସୃଷ୍ଟି ହୋଇଛି, ତାହାର ଉପାଦାନ ସବୁ କ’ଣ, ଆଉ ସବୁ କ’ଣ ଏମିତି ରହିଯାଇଛି, ଯାହା ଏପର୍ଯ୍ୟନ୍ତ ଜଣାପଡିନି, ସେସବୁ ବିଷୟରେ ଜାଣିବାର ଅହରହ ପ୍ରୟାସ କରୁଛି ମଣିଷ। ମହାକାଶକୁ ଯାଇ ଗ୍ରହ, ଉପଗ୍ରହ, ନକ୍ଷତ୍ର, ତାରକାମଣ୍ଡଳ ସମ୍ପର୍କରେ ଜାଣିବାର ଦୁର୍ବାର ଇଛାରେ ମଣିଷ ପ୍ରତିବର୍ଷ ମହାକାଶ ଅଭିଯାନ ଜାରି ରଖିଛି। ଏପରିକି ମହାକାଶରେ ଘଟୁଥିବା ଘଟଣାବଳୀ ସଂପର୍କରେ ଜାଣିବା ଏବଂ ଅଧିକ ତଥ୍ୟ ସଂଗ୍ରହ ପାଇଁ ସେଠାରେ ଏକ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପନ କରିସାରିଛି। ଏବେ ପୃଥିବୀ ବିଷୟରେ ଜାଣିବାର ଇଛା ତା’ ମନରେ ଦୃଢ ଭାବରେ ଜାଗିଛି। ପୃଥିବୀର ଅଭ୍ୟନ୍ତରରେ କ’ଣ ରହିଛି, ତାହାର କେନ୍ଦ୍ରସ୍ଥଳକୁ କିଭଳି ପହଂଚିହେବ, ସେହି ଉଦ୍ୟମ ମଣିଷ ଆରମ୍ଭ କରିଛି। ବିଶେଷକରି ଆମେରିକା ଓ ରୁଷିଆର ବୈଜ୍ଞାନିକ ଏ ଦିଗରେ ଆଗୁଆ ରହିଛନ୍ତି।

ଆମେରିକା ପ୍ରଥମେ ଏହି ପ୍ରୟାସ କରିଥିଲା। ୧୯୫୮ରେ ‘ପ୍ରୋଜେକ୍ଟ ମୋହୋଲ୍‍’ ନାମରେ ଏହି ଉଦ୍ୟମ ମେକ୍ସିକୋର ଗ୍ୱାଡାଲୁପ୍‍ଠାରେ କରାଯାଇଥିଲା। ଆମେରିକା ଇଂଜିନିୟରମାନଙ୍କର ଏକ ଦଳ ପ୍ରଶାନ୍ତ ମହାସାଗର ନିମ୍ନଭାଗକୁ ଖନନ କରିବା ଆରମ୍ଭ କରିଥିଲେ। କିନ୍ତୁ ତାହାର ଆଠବର୍ଷ ପରେ ଏହି ପ୍ରକଳ୍ପ ପାଇଁ ଦିଆଯାଉଥିବା ଅର୍ଥ ପରିମାଣ ହ୍ରାସ କରାଗଲା ଏବଂ ଶେଷରେ ଏହି ପ୍ରକଳ୍ପକୁ ବନ୍ଦ କରିଦିଆଗଲା। ପରେ ୧୯୭୦ରେ ରୁଷିଆର ଗବେଷକମାନେ ଏଭଳି ଏକ ବିରଳ ପ୍ରୟାସ କରିଥିଲେ। ଦେଶର ଉତ୍ତର ପଶ୍ଚିମ ଭାଗରେ ଗବେଷକମାନେ ପୃଥିବୀର କେନ୍ଦ୍ର ପର୍ଯ୍ୟନ୍ତ ପହଂଚିବା ଲକ୍ଷ୍ୟରେ ଏକ ଗର୍ତ୍ତ ଖୋଳିବା ଆରମ୍ଭ କରିଥିଲେ। ପେସେଙ୍ଗସି ଜିଲାରେ ଏହା ଖୋଳାଗଲା। ଏହାଦେଖି ଆମେରିକା ମଧ୍ୟ ପୁନର୍ବାର ଉଦ୍ୟମ କରିଥିଲା। ୧୯୭୪ରେ ଆମେରିକାର ଲୋନ୍‍ଷ୍ଟାର ପ୍ରଡ୍ୟୁସିଂ କମ୍ପାନୀ ୱାଶିତା କାଉଂଟିରେ ତୈଳ ଖନନ ପାଇଁ ଗର୍ତ୍ତ ଖୋଳିବା ଆରମ୍ଭକଲା। ସମୟକ୍ରମେ ଏହା ୩୪ହଜାର ଫୁଟ ଗଭୀରତା ପର୍ଯ୍ୟନ୍ତ ଖୋଳାଯାଇଥିଲା। ଏହାକୁ ଖୋଳିଚାଲିବା ପରେ ଏକ ସମୟରେ ସେମାନେ ଏଭଳି ଏକ ଘଟଣା ଦେଖିଲେ, ଯେଉଁଥିପାଇଁ ସେମାନଙ୍କୁ ଏହା ବନ୍ଦ ରଖିବାକୁ ପଡିଲା। ଲୋନ୍‍ଷ୍ଟାର ଏହା ଯେଉଁଥିପାଇଁ ଖୋଳୁଥିଲା ତାହା ନପାଇବା ପରେ ଖୋଳିବା ସେହିଠାରେ ବନ୍ଦ ରଖିଲା। ପରବର୍ତୀ ପାଂଚ ବର୍ଷ ପର୍ଯ୍ୟନ୍ତ ତାହା ଗଭୀତରମ ଗର୍ତ୍ତ ହୋଇ ରହିଥିଲା। ପରେ ୧୯୭୯ରେ ରୁଷିଆ ଗବେଷକମାନେ ସେମାନଙ୍କ ଗର୍ତ୍ତକୁ ଖୋଳିବା ଆରମ୍ଭ କଲେ ଏବଂ ୧୯୮୩ ସୁଦ୍ଧା ତାହା ୩୯ହଜାର ଫୁଟ ଗଭୀର ହୋଇଥିଲା। ପରେ ତାହାକୁ ବନ୍ଦ କରିଦିଆଗଲା। ୧୯୮୯ରେ ପୁନଶ୍ଚ ତାହାକୁ ଖୋଳି ୪୦,୨୩୦ ଫୁଟ ଗଭୀର ପର୍ଯ୍ୟନ୍ତ ନିଆଗଲା। କିନ୍ତୁ ଗର୍ତ୍ତ ଯେତିକି ଗଭୀର ଏବଂ ପୃଥିବୀର କେନ୍ଦ୍ରସ୍ଥଳ ନିକଟବର୍ତ୍ତୀ ହେଉଥିଲା, ସେତିକି ସେତିକି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିଲା।

ପ୍ରଥମ ୩ହଜାର ମିଟର ପର୍ଯ୍ୟନ୍ତ ଗବେଷକ ଆଶା କରୁଥିବା ସ୍ତରରେ ତାପମାତ୍ରା ରହିଥିଲା। କିନ୍ତୁ ତାହାପରେ ସେଥିରେ ଅସ୍ୱାଭାବିକ ଭାବେ ବୃଦ୍ଧି ଘଟିଲା। ସେମାନେ ଗଭୀରତମ ସ୍ଥାନରେ ପହଂଚିବାବେଳେ ତାପମାତ୍ରା ୧୮୦ ଡିଗ୍ରୀ ସେଲ୍‍ସିୟସ ପର୍ଯ୍ୟନ୍ତ ପହଂଚିଥିଲା। କେବଳ ସେତିକି ନୁହେଁ, ଅଭ୍ୟନ୍ତରରେ ଥିବା ପଥରର ଘନତ୍ୱ ମଧ୍ୟ କମ୍‍ ରହିଥିବା ଦେଖାଗଲା। ସେଠାରେ ଗବେଷକମାନେ ଦେଖିଲେ ଯେ ସେଠାରେ ଉପକରଣ ତିଷ୍ଠି ରହିବା ସମ୍ଭବ ନୁହେଁ। ସେତେବେଳେକୁ ସେମାନେ ୨୨ବର୍ଷ କାଳ ଗର୍ତ୍ତକୁ ଖୋଲି ଚାଲିଥିଲେ। ବାଧ୍ୟହୋଇ ସେମାନଙ୍କୁ ପ୍ରକଳ୍ପ ସେହିଠାରେ ବନ୍ଦ ରଖିବାକୁ ପଡିଲା। ସେତେବେଳକୁ ଗର୍ତ୍ତର ଗଭୀରତା ପ୍ରାୟ ୧୨,୦୦୦ ମିଟରରେ ପହଂଚିସାରିଥିଲା।

 

Comments are closed.