ସିଏଏକୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ରାଜନୀତିର କେନ୍ଦ୍ରସ୍ଥଳରେ ପରିଣତ କରା ନ ଯାଉ : ରମେଶ ପୋଖରିୟାଲ୍‍ ନିଶଙ୍କ

ଭୋପାଳ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିଭ୍ରାନ୍ତି ସୃଷ୍ଟି କରାଯାଉଛି । ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ରାଜପଥରୁ ଶିକ୍ଷା ପ୍ରତିଷ୍ଠାନ ପର୍ଯ୍ୟନ୍ତ ବ୍ୟାପିଛି । ବିଭିନ୍ନ ବିଶ୍ବ ବିଦ୍ୟାଳୟ ପରିସରରେ ମଧ୍ୟ ହିଂସାଓ ଅଶାନ୍ତ ବାତାବରଣ ସୃଷ୍ଟି ​ହୋଇଛି । ତେଣୁ ସିଏଏକୁ ବିରୋଧ କରୁଥିବା ବ୍ୟକ୍ତିମାନେ ଶିକ୍ଷାନୁଷ୍ଠାନଗୁଡ଼ିକୁ ରାଜନୀତିର କେନ୍ଦ୍ରସ୍ଥଳରେ ପରିଣତ ନ କରିବା ପାଇଁ କହିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‍ ନିଶଙ୍କ ଏହି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଏହି ଆଇନ ସମୟୋପଯୋଗୀ ଏବଂ ଦେଶପାଇଁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ଭୋପାଳଠାରେ ଆୟୋଜିତ ଅଟଳ ସ୍ମୃତି ବକ୍ତୃତାମାଳାରେ ଯୋଗଦେଇ ସେ ଏହା କହିଛନ୍ତି ।

ସେହିପରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତେମାର କହିଛନ୍ତି, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଅତ୍ୟାଚାରିତ ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକୁ ଏହି ଆଇନ ନ୍ୟାୟ ପ୍ରଦାନ କରିବ। ସେ କହିଛନ୍ତି, କଂଗ୍ରେସ, ବାମପନ୍ଥୀ ଦଳ ଏବଂ ତଥାକଥିତ କିଛି ବୁଦ୍ଧିଜୀବୀ ଏହି ଆଇନକୁ ବିରୋଧ କରି ହିଂସାକୁ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି।

Comments are closed.