ଆଜିଠାରୁ ଖୋଲିଲା ଶିକ୍ଷାନୁଷ୍ଠାନ ; କୋଭିଡ ଗାଇଡ ଲାଇନ ମାନି ପାଠପଢା ଆରମ୍ଭ

ଜି.ଉଦୟଗିରି : କରୋନା ମହାମାରୀକୁ ନେଇ ପ୍ରାୟ ନଅ ମାସ ହେଲା ସ୍କୁଲ ବନ୍ଦ ଥିବାବେଳେ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଚଳିତ ବର୍ଷ ଦ୍ବାଦଶ ଓ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ଆଜିଠାରୁ ଶ୍ରେଣୀ କକ୍ଷରେ ପାଦ ଥାପିଛନ୍ତି। ସ୍କୁଲ ଗୁଡିକ ମାର୍ଚ୍ଚ ମାସ ଅଧାରୁ ବନ୍ଦ ହୋଇଥିବା ବେଳେ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏହାକୁ ଦୁର କରିବା ପାଇଁ ଅନ ଲାଇନ ପାଠ ପଢା ଚାଲିଥିବାବେଳେ ନେଟ୍ ର ଅଭାବ ପରିଲକ୍ଷିତ ଯୋଗୁଁ ସେଥିରୁ ମଧ୍ୟ ପିଲାମାନେ ସୁଫଳ ପାଇପାରିଲେ ନାହିଁ। ଏଣୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଠାରୁ ୧୦୦ ଦିନ ପର୍ଯ୍ୟନ୍ତ ପାଠ ପଢାଯିବା ସହ ଚଳିତ ବର୍ଷ ମେ ମାସରେ ପରୀକ୍ଷା କରାଇବା ପାଇଁ ଗଣଶିକ୍ଷା ବିଭାଗ ଆଜିଠାରୁ ସ୍କୁଲ ଓ କଲେଜ କୋଭିଡ  ଗାଇଡଲାଇନ ଅନୁଯାୟୀ ଖୋଲିବାକୁ ଘୋଷଣା କରିଥିଲେ। ଏ ସବୁକୁ ଦୃଷ୍ଟିରେ ରଖି ଗତକାଲି ଜି.ଉଦୟଗିରି ଅଗ୍ନିଶମ ବିଭାଗ ଦ୍ବାରା ବ୍ଳକରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକୁ ବିଶୋଧନ କରାଯାଇଥିଲା। ଏନେଇ ଗତକାଲି ଠାରୁ ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ପ୍ରତ୍ୟେକ ସ୍କଲ ଓ କଲେଜ ସଫାସୁତରା ଅଛି କି ନାହିଁ ଏବଂ କୋଭିଡ ଗାଇଡ ଲାଇନ ସଠିକ୍ ଭାବେ ପାଳନ କରାଯାଉଛିକି ନାହିଁ ଏସବୁର ତଦାରଖ କରିଥିଲେ। ତେବେ ସ୍କୁଲ ଖୋଲିବା ନେଇ ଶିକ୍ଷକ, ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଯାଇଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଚଳିତ ମାସ ୧୦ ତାରିଖରେ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରାଯିବ। ଏହାପୂର୍ବରୁ ଶ୍ରେଣୀକକ୍ଷରେ କୋଭିଡ଼ ନିୟମ ଅନୁଯାୟୀ ଅଳ୍ପ ସଂଖ୍ୟକ ପିଲାଙ୍କୁ ନେଇ କିପରି ପାଠ ପଢାଯିବ ଓ ୧୦୦ ଦିନରେ ଯେପରି ପାଠପଢା ସମ୍ପୂର୍ଣ୍ଣ କରାଯିବ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଆଜି କଲେଜ ଓ ସ୍କୁଲକୁ ଛାତ୍ରଛାତ୍ରୀ ପ୍ରବେଶ କରିବା ସମୟରେ ପ୍ରଥମେ ସାମାଜିକ ଦୁରତା ବଜାୟ ରଖି, ମାସ୍କ ପରିଧାନ ଓ ସ୍କ୍ରିନିଙ୍ଗ ଟେଷ୍ଟ କରାଯାଇଥିଲା। ଏହା ଉପରେ ପ୍ରତ୍ୟେକ ଦିନ ଗୁରୁତ୍ବ ଦିଆଯିବା ସହ ଶ୍ରେଣୀରେ ଛାତ୍ରଛାତ୍ରୀ ମାନଙ୍କ ବସିବା ସ୍ଥାନ ସମାନ ରହିବ ଏବଂ ସେମାନେ କୌଣସି ଜିନିଷ ନିଜ ନିଜ ମଧ୍ୟରେ ଆଦାନ ପ୍ରଦାନ ନ କରିବାକୁ କୁହାଯାଇଛି ବୋଲି ଦାୟିତ୍ବରେ ଥିବା ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରଥମ ଦିନରେ ଜି.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ବିଜ୍ଞାନ ଓ କଳାରେ ପଢୁଥିବା ୩୦୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆସିଥିବା ନେଇ ଭାରପ୍ରାପ୍ତ ଅଧ୍ୟକ୍ଷ ଶୁଧାଂସୁ ମେହେର ସୂଚନା ଦେଇଥିବା ବେଳେ ସ୍ଥାନୀୟ ଇନ୍ଦୀରା ପ୍ରୀୟଦର୍ଶନୀ ମହିଳା ମହାବିଦ୍ୟାଳୟରେ ୧୯୦ ଜଣଙ୍କ ମଧ୍ୟରୁ ୩୫ ଜଣ ଛାତ୍ରୀ ଆସିଥିବା ନେଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଠିକ ସେହିପରି ହବାକ୍ ଉଚ୍ଚ ବିଦ୍ୟାଳୟକୁ ୮୯ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରୁ ୨୦ ଜଣ  ଆସିଥିବା ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର କହିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୦୮ ଜଣ ଛାତ୍ରୀଙ୍କ ମଧ୍ୟରୁ ଦୁଇଟି ଶ୍ରେଣୀରେ ମୋଟ ୩୩ଜଣ ଛାତ୍ରୀ ଅଧ୍ୟୟନ କରୁଥିବା ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କହିଛନ୍ତି।

Comments are closed.