କେନ୍ଦ୍ରୀୟ ପଦ୍ଧତିକୁ ଅନୁସରଣ କରିପାରେ ରାଜ୍ୟ, ପ୍ରତି ୩ ମାସରେ ବିଦ୍ୟାର୍ଥୀଙ୍କ ଦକ୍ଷତା ମାପିବେ ଶିକ୍ଷକ

ଭୁବନେଶ୍ୱର: ଏଣିକି ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବେ ଶିକ୍ଷକ। ପ୍ରତି ତିନି ମାସରେ ଥରେ ଶିକ୍ଷକମାନେ ବିଦ୍ୟାର୍ଥୀଙ୍କର ପରୀକ୍ଷା (ଆସେସମେଣ୍ଟ) କରି ତାଙ୍କୁ ମାର୍କ ପ୍ରଦାନ କରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁ ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟରେ ପଢୁଥିବା ନବମରୁ ଦ୍ବାଦଶ ଛାତ୍ରଛାତ୍ରୀଙ୍କର ଏଭଳି ମୂଲ୍ୟାୟନ କରାଯିବ। କେନ୍ଦ୍ରୀୟ ପରିଷଦ ଭଳି ରାଜ୍ୟରେ ମଧ୍ୟ ସମାନ ଢଙ୍ଗରେ ଏଭଳି ମୂଲ୍ୟାୟନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଷଷ୍ଠରୁ ଅଷ୍ଟମ ବିଦ୍ୟାର୍ଥୀଙ୍କର ଏଭଳି ମୂଲ୍ୟାୟନ କରାଯିବ। ସବୁ ଶିକ୍ଷାନୁଷ୍ଠାନରେ ଏଭଳି ବ୍ୟବସ୍ଥା ଲାଗୁ ହେବ। ଏନେଇ ଖୁବ୍‌ଶୀଘ୍ର ନିୟମାବଳୀ ପ୍ରକାଶ ପାଇବ। ତେବେ ଏଯାବତ୍‌ ବିଭାଗ ପକ୍ଷରୁ କୌଣସି ଘୋଷଣା କରାଯାଇନି।

ମିଳିଥିବା ସୂଚନା ଅନୁଯାୟୀ କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ଚଳିତ ବର୍ଷ ଦଶମ ଓ ଯୁକ୍ତ ଦୁଇ(ଦ୍ବାଦଶ) ପାଠ୍ୟକ୍ରମର ବାର୍ଷିକ ପରୀକ୍ଷାକୁ ବାତିଲ କରାଗଲା। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ବିଦ୍ୟାର୍ଥୀଙ୍କୁ ମାର୍କ ଦେବାକୁ ଯୋଜନା କରାଗଲା। ତେବେ କେନ୍ଦ୍ରୀୟ ବୋର୍ଡର ତୈମାସିକ ପରୀକ୍ଷା (ଆସେସମେଣ୍ଟ) ମାର୍କ ଥିବାରୁ ବିକଳ୍ପ ମୂଲ୍ୟାୟନ କରିବା ସହଜ ହେଲା। ତେବେ ରାଜ୍ୟରେ ତିନି ମାସରେ ଥରେ ମୂଲ୍ୟାୟନ ବ୍ୟବସ୍ଥା ନଥିବାରୁ ବିଦ୍ୟାର୍ଥୀଙ୍କର ଦକ୍ଷତା ମାପିବା କଷ୍ଟକର ହେଲା। ଯୁକ୍ତଦୁଇ କ୍ଷେତ୍ରରେ ଅନ୍ୟ କିଛି ବିକଳ୍ପ ନଥିବାରୁ ଦଶମ ଶ୍ରେଣୀ ମାର୍କ ଆଧାରରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନହେବ ତା’କୁ ବିଭାଗ ଗୁରୁତ୍ବ ଦେଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ତିନି ମାସରେ ଥରେ ବିଦ୍ୟାର୍ଥୀଙ୍କର ଦକ୍ଷତା ମାପିବାକୁ ଯୋଜନା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି।

ଏଣିକ କେନ୍ଦ୍ରୀୟ ବୋର୍ଡ ଭଳି ରାଜ୍ୟରେ ପ୍ରତି ତିନିମାସରେ ଥରେ ଛାତ୍ରଛାତ୍ରୀଙ୍କର ଅନ୍‌ଲାଇନ୍‌ରେ ପରୀକ୍ଷା କରାଯାଇ ଦକ୍ଷତା ମପାଯିବ। ବିଦ୍ୟାର୍ଥୀଙ୍କର କେତେ ମାର୍କ ରହିଲା ତା’ର ତଥ୍ୟ ଏକ ପୃଥକ ସେଲ କରାଯାଇ ରଖାଯିବ। ପ୍ରତି ତିନି ମାସରେ ଥରେ ସମସ୍ତ ତଥ୍ୟ ସଂଗ୍ରହ କରାଯିବ। ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଦକ୍ଷତା ମପାଯିବ ପରେ କିଏ କେତେ ନମ୍ବର ରଖିଲା ସେନେଇ ଉକ୍ତ ସେଲ୍‌କୁ ତଥ୍ୟ ଦେବେ।

ଯେଉଁ ବିଦ୍ୟାର୍ଥୀ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେନି ସେମାନଙ୍କ ପାଇଁ ମଧ୍ୟ ବିକଳ୍ପ ବ୍ୟବସ୍ଥା ସଂକ୍ରାନ୍ତରେ ଚିନ୍ତନ କରାଯାଉଛି। ଏକ ଆପ୍‌ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ। ଅନ୍‌ଲାଇନ୍‌ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ଶିକ୍ଷକ ପୁସ୍ତକ ବଣ୍ଟନ କରିବା ଭଳି ବିଦ୍ୟାର୍ଥୀଙ୍କ ଘରକୁ ଯାଇ ପ୍ରଶ୍ନପତ୍ର ଦେଇ ସେମାନଙ୍କଠାରୁ ଉତ୍ତରଖାତା ସଂଗ୍ରହ କରିବେ। ଏଥିପାଇଁ ଏକ ସ୍ବତନ୍ତ୍ର ସେଲ ପ୍ରତିଷ୍ଠା କରାଯିବ। ଏହି ସେଲ୍‌ ଉକ୍ତ ଆପ୍‌ ଜରିଆରେ ଅଫ୍‌ଲାଇନ୍‌ ବିଦ୍ୟାର୍ଥୀଙ୍କ ମାର୍କ ଓ ଉତ୍ତରଖାତା ରହିବ। ତେବେ ଏନେଇ ଚିନ୍ତନ ଚାଲିଥିବାବେଳେ ଆସନ୍ତାମାସ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ। ଖୁବ୍‌ଶୀଘ୍ର ପରୀକ୍ଷା ଓ ମୂଲ୍ୟାୟନ ନେଇ ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ ପାଇବ। ଆଗାମୀ ଦିନରେ କୌଣସି ପରିସ୍ଥିତିରେ ପରୀକ୍ଷା ବାତିଲ ହେଲେ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ଏହି ଦକ୍ଷତା ମୂଲ୍ୟାୟନ ମାର୍କ ଅଧାରରେ ବାର୍ଷିକ ପରୀକ୍ଷା ମାର୍କ ଦେବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ତେବେ ଏନେଇ ଏଯାବତ୍‌ କୌଣସି ଘୋଷଣା କରାଯାଇନି।

Comments are closed.