ବ୍ୟକ୍ତି-ସ୍ବାଧୀନତା, ସଭିଙ୍କ ପାଇଁ ସାମ୍ବିଧାନିକ ସୁରକ୍ଷା କବଚ ରହୁ

ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ରିପବ୍ଲିକ୍‌ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରି ତାଙ୍କ ରାୟରେ ଏଭଳି କେତେକ ପ୍ରସଙ୍ଗ ଉଠାଇଛନ୍ତି, ଯାହା ଖୁବ୍‌ ମହତ୍ତ୍ବପୂର୍ଣ୍ଣ। ସୂଚନାଯୋଗ୍ୟ ଯେ ଇଣ୍ଟେରିୟର୍‌ ଡିଜାଇନର୍ ଅନ୍ବୟ ନାଏକ ଓ ତାଙ୍କ ମାଆଙ୍କ ଆତ୍ମହତ୍ୟା ମାମଲାରେ ଅନ୍ୟ ଦୁଇ ଜଣଙ୍କ ସମେତ ଶ୍ରୀ ଗୋସ୍ବାମୀ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି। ତାଙ୍କୁ ବମ୍ବେ ହାଇକୋର୍ଟ ଅନ୍ତରୀଣ ଜାମିନ୍ ପ୍ରଦାନ ପାଇଁ ମନା କରିଦେବା ପରେ ସେ ଅଦାଲତଙ୍କ ରାୟକୁ ଚାଲେଞ୍ଜ୍‌ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ନ୍ୟାୟମୂର୍ତ୍ତି ଡି.ୱାଇ. ଚନ୍ଦ୍ରଚୂଡ଼ ଓ ଇନ୍ଦିରା ବାନାର୍ଜୀଙ୍କ ପୀଠ ମାମଲାର ତ୍ବରିତ ଶୁଣାଣି କରି ମହାରାଷ୍ଟ୍ର ସରକାରଙ୍କ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ସ୍ବାଧୀନତା ସର୍ବୋପରି ଓ ରାଜ୍ୟ ସରକାରଗୁଡ଼ିକ ଜଣେ ବ୍ୟକ୍ତିକୁ ଉଦ୍ଦେଶ୍ୟମୂଳକ ଭାବେ ନିଶାଣ କରିବା ଠିକ୍‌ ନୁହେଁ ବୋଲି ଅଦାଲତ ଚେତାଇ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ଉଦ୍ଦେଶ୍ୟରେ ମଧ୍ୟ କହିଛନ୍ତି ଯେ ସାମ୍ବିଧାନିକ ଅଦାଲତଗୁଡ଼ିକ ଯଦି ବ୍ୟକ୍ତିଗତ ସ୍ବାଧୀନତା କ୍ଷୁଣ୍ଣ ହେଉଥିବା ଏପରି ମାମଲାରେ ଆଜି ଯଦି ହସ୍ତକ୍ଷେପ କରିବେ ନାହିଁ, ତେବେ ଆମେ ବ୍ୟକ୍ତିଗତ ସ୍ବାଧୀନତା ଧୂଳିସାତ୍‌ ହେବା ରାସ୍ତାରେ ଯାଉଛୁ ବୋଲି ବିଚାରିବାକୁ ହେବ। ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଗଣତନ୍ତ୍ର ଅସାଧାରଣ ଭାବେ ସ୍ଥିତିସ୍ଥାପକ ଏବଂ ମହାରାଷ୍ଟ୍ର ସରକାର ଟିଭିରେ ଦିଆଯାଉଥିବା ଅପମାନଜନକ ମନ୍ତବ୍ୟକୁ ଆଡ଼େଇ ଯିବା ଉଚିତ।

ଅର୍ଣ୍ଣବଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲଗଣ ସମ୍ଭବତଃ ନିଜ ଯୁକ୍ତିରେ ଅଦାଲତକୁ ବୁଝାଇବାରେ ସଫଳ ହୋଇଛନ୍ତି ଯେ ତାଙ୍କ ମହକିଲଙ୍କୁ ରାଜ୍ୟ ସରକାର ଅଯଥାରେ ହଇରାଣ ହରକତ କରିବାପାଇଁ ଗିରଫ କରିଛନ୍ତି ଏବଂ ତାଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଇଛି। ଏହା ସତ୍ୟ ଯେ ପ୍ରତ୍ୟହ ନିଜର ପ୍ରାଇମ୍‌ ଟାଇମ୍‌ ଶୋ’ରେ ଶ୍ରୀ ଗୋସ୍ବାମୀ ମହାରାଷ୍ଟ୍ର ସରକାର ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଯେପରି ଶ୍ରୁତିକଟୁ ମନ୍ତବ୍ୟ ଦେଉଥିଲେ, ତାହା ସେମାନଙ୍କୁ କ୍ଷୁବ୍ଧ କରିଥିବ। ତା’ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୁରୁଣା ମାମଲା ଖୋଜି ଗିରଫ କରାଯାଇଥିବ। ଘଟଣାକ୍ରମରୁ ଏହା ଉଦ୍ଦେଶ୍ୟମୂଳକ ମନେହୁଏ। ଯଦି ସେପରି ହୋଇଥାଏ, ତେବେ ଏହା ନିଶ୍ଚିତ ନିନ୍ଦନୀୟ; କିନ୍ତୁ ଗୋଟିଏ କଥା ମଧ୍ୟ ମନେରଖିବା ଆବଶ୍ୟକ ଯେ ଏକ ଜାତୀୟ ଗଣମାଧ୍ୟମରେ ବିନା ତଥ୍ୟପ୍ରମାଣରେ କାହାକୁ ବ୍ୟକ୍ତିଗତ ଭାବେ ଅପମାନିତ କରିବା ଭଳି ଭାଷା କହିବା, ତିରସ୍କାର କରିବା ବା କୌଣସି ସ୍ବାର୍ଥ ହାସଲ ପାଇଁ ଘୃଣାଯୁକ୍ତ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ। ଅଦାଲତ ଚେତାଇ ଦେବାପରି ଏହାଦ୍ବାରା ମଧ୍ୟ ଅନ୍ୟର ବ୍ୟକ୍ତିଗତ ସ୍ବାଧୀନତା କ୍ଷୁଣ୍ଣ ହେଉନାହିଁ କି? ଶ୍ରୀ ଗୋସ୍ବାମୀ ଏକ ନିର୍ଦିଷ୍ଟ ଆଦର୍ଶରେ ବିଶ୍ବାସୀ ଏବଂ ତଦନୁରୂପ କାର୍ଯ୍ୟ କରୁଥିବା ନେଇ ଲୋକଙ୍କ ଭିତରେ ଯେଉଁ ଧାରଣା ଜନ୍ମିଛି, ତାହା ମଧ୍ୟ ଅମୂଳକ ନୁହେଁ। ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ଭିତରେ ସୀମିତ ରହିଲେ ସମସ୍ୟା ନାହିଁ; କିନ୍ତୁ ତାକୁ ଯେତେବେଳେ ଅନ୍ୟମାନଙ୍କ ସହ, ସମଗ୍ର ଦେଶ ସହ ଯୋଡ଼ି ଏକ ଗଣମାଧ୍ୟମରେ ଅତି ଆକ୍ରମଣାତ୍ମକ ଶୈଳୀରେ ଉପସ୍ଥାପନ କରାଯାଏ, ସମାଜ ଉପରେ ତା’ର ନକାରାତ୍ମକ ପ୍ରଭାବ ପଡ଼ିବା ସ୍ବାଭାବିକ। ନିଜପାଇଁ ଥିବା ଲକ୍ଷ୍ମଣରେଖାକୁ ଅତିକ୍ରମ କରିବା କାହାପାଇଁ ମଧ୍ୟ ମଙ୍ଗଳକର ନୁହେଁ।

ଆମ ଦେଶରେ ସରକାର (ରାଜ୍ୟ ଓ କେନ୍ଦ୍ର) ବ୍ୟକ୍ତିଗତ ସ୍ବାଧୀନତାକୁ କ୍ଷୁଣ୍ଣ କଲା ଭଳି ବହୁ ଘଟଣା ପ୍ରାୟ ଦେଖିବାକୁ ମିଳିଥାଏ। ଭିନ୍ନମତ ଦେଉଥିବା, ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ସଚେତନ ନାଗରିକମାନଙ୍କୁ ମିଥ୍ୟା ମାମଲାରେ ଗିରଫ କରି ଜେଲ୍‌ରେ ପୂରାଇବା ଗତ କିଛିବର୍ଷ ଭିତରେ ଏକ ସାଧାରଣ କଥା ପାଲଟିଛି। ସେମାନଙ୍କ ପାଇଁ ସାମ୍ବିଧାନିକ ସୁରକ୍ଷା କବଚ ଯେପରି କାମ କରିବା କଥା ତାହା କରୁନାହିଁ। ଏହା ହିଁ ବଡ଼ ବିଡ଼ମ୍ବନା।

ଅର୍ଣ୍ଣବ ମାମଲାରେ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନର ସଭାପତି ଦୁଷ୍ମନ୍ତ ଦଭେ ସୁପ୍ରମକୋର୍ଟର ସେକ୍ରେଟାରୀ ଜେନେରାଲଙ୍କୁ ପତ୍ର ଲେଖି ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ମଧ୍ୟ ଆଲୋଚନାଯୋଗ୍ୟ। ମୋଟାମୋଟି ଭାବେ ତାଙ୍କ ଅାପତ୍ତି ହେଲା, ଅର୍ଣ୍ଣବ ଆବେଦନ କରୁକରୁ ତାଙ୍କ ମାମଲାର ତ୍ବରିତ ଶୁଣାଣି ପାଇଁ ତାରିଖ ମିଳିଯାଉଛି (ପୂର୍ବରୁ ମଧ୍ୟ ଏହାର ଉଦାହରଣ ରହିଛି); କିନ୍ତୁ ହଜାରହଜାର ଲୋକଙ୍କ ଆବେଦନ ସେପଟେ ଦୀର୍ଘ ଦିନ ଧରି ପଡ଼ିରହୁଛି। ତାଙ୍କ ଅଭିଯୋଗକୁ ଏଇଥିପାଇଁ ଅମୂଳକ ବୋଲି କହିହେବ ନାହିଁ ଯେ ଅଦାଲତର ଶୁଣାଣିରୁ ଦୀର୍ଘଦିନ ଧରି ବଞ୍ଚିତ ହେବା ଫଳରେ ନିର୍ଦୋଷ ଓ ନିରପରାଧ ଲୋକେ ମଧ୍ୟ କାରାଗାରରେ ଦୁଃସ୍ଥ ଜୀବନ କାଟିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ବାଛିବାଛି କିଛି ଲୋକଙ୍କ ଶୁଣାଣି ତାଲିକା (ସିଲେକ୍ଟିଭ୍‌ ଲିଷ୍ଟିଂ) ତିଆରି କରିବା ଫଳରେ ଅତି ଜରୁରୀ ମାମଲାଗୁଡ଼ିକର ଶୁଣାଣି ମଧ୍ୟ ଉପେକ୍ଷିତ ହେଉଛି, ଯାହା ପ୍ରାଶାସନିକ କ୍ଷମତାର ଦୁରୁପଯୋଗ ବୋଲି ଶ୍ରୀ ଦଭେ ଦର୍ଶାଇଛନ୍ତି। କହିବା ବାହୁଲ୍ୟ, ବିଚାର ବିଭାଗରେ କୌଣସି ପ୍ରକାରର ପାତରଅନ୍ତର ଜନସାଧାରଣଙ୍କ ମନରେ ଅବିଶ୍ବାସ ଭାବ ସୃଷ୍ଟି କରିବ। ଏହା ସମସ୍ତଙ୍କ ପାଇଁ ସମାନ ହେବା ବାଞ୍ଛନୀୟ।

Comments are closed.