କୋଭିଡ୍‌ ଦେଇଛି ଅନେକ ଶିକ୍ଷା; ପ୍ରକୃତିକୁ ସମ୍ମାନ ଦିଅ, ସିଏ ତୁମର ଯତ୍ନ ନେବ

୨୦୨୦ ମାନବ ସମାଜ ପାଇଁ ଥିଲା ସଂଘର୍ଷର ବର୍ଷ। ୨୦୨୧ ନୂତନ ବର୍ଷ ପ୍ରାରମ୍ଭରୁ କୋଭିଡ୍‍ ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ଟିକା ଆସିଛି ତଥାପି ଗତବର୍ଷର ଦୁଃଖଦ ଅନୁଭୂତିରୁ ଆମକୁ ମାସ୍କ ପିନ୍ଧିବାକୁ ପଡ଼ିବ, ସାମାଜିକ ଦୂରତା ବଜାୟ ରଖିବା ସହ ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଭ୍ରମଣରୁ ଦୂରେଇ ରହିବାକୁ ହେବ ଏବଂ ଏକାଧିକ ଥର ହାତ ଧୋଇବାକୁ ପଡ଼ିବ। କାରଣ ବ୍ରିଟେନ ଜନ୍ମିତ ନୂତନ କରୋନା ଭୂତାଣୁର ଡର ଏବେ ବି ରହିଛି। ୨୦୨୦ ଆମକୁ ଅନେକ ଶିକ୍ଷା ଦେଇଛି। ପ୍ରକୃତି ଓ ପରିବେଶର ସୁରକ୍ଷା ନ କରି ନଷ୍ଟ କଲେ ଆମକୁ କେଉଁଭଳି ବିପଦର ସମ୍ମୁଖୀନ ହେବାକୁ ପଡିବ, କୋଭିଡ୍‍ ହେଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ। କୋଭିଡ ମାଧ୍ୟମରେ ସମଗ୍ର ମଣିଷ ସମାଜ ଉପରେ ପ୍ରକୃତିର ପ୍ରତିଶୋଧ ବୋଲି ଧରିନେବାକୁ ହେବ। ପ୍ରାଥମିକ ପର୍ଯ୍ୟାୟରେ କୋଭିଡ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପାଖରେ କୌଣସି ବିକଳ୍ପ ନଥିଲା। କେବଳ ସଂକ୍ରମଣ ରୋକିବା ପାଇଁ ଦୀର୍ଘଦିନଧରି ସହରବଜାରକୁ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ କରାଗଲା। ଗାଡିମଟର ଚଳାଚଳ ବନ୍ଦ ରହିଲା। କଳକାରଖାନାରୁ ଉତ୍ପାଦନ ବନ୍ଦ ହେଲା। ଗାଡିମଟର ଓ କଳକାରଖାର ବିଷାକ୍ତ ବାଷ୍ପ ବାୟୁମଣ୍ଡଳରେ ମିଶିଲାନି। ମହାମାରୀ ହିଁ ବାୟୁମଣ୍ଡଳକୁ ପରିଷ୍କାର କଲା। ଆମେ ପ୍ରଶ୍ୱାସରେ ବିଶୁଦ୍ଧ ପବନ ନେବାକୁ ସକ୍ଷମ ହେଲୁ। ବାୟୁମଣ୍ଡଳ ସନ୍ତୁଳନ ଯୋଗୁଁ ବର୍ଷା ଭଲ ହୋଇଥିଲା।

୨୦୨୧ରେ ଉଭୟ ଶସ୍ୟ ଅମଳ ଏବଂ ଜଳକଷ୍ଟରୁ ସୁଧାର ଆସିପାରିବ ବୋଲି ଆଶା କରଯାଉଛି। ନିର୍ମଳ ବାୟୁ, ଜଳ ଏବଂ ଖାଦ୍ୟ ସୁସ୍ଥ ଜୀବନଯାପନ ପାଇଁ ଏକାନ୍ତ ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ରୋକିବା ସହିତ ବାୟୁମଣ୍ଡଳରେ ବିଷାକ୍ତ ବାଷ୍ପ ପ୍ରଭାବ ହ୍ରାସ କରିବା ପାଇଁ ଆମକୁ କିଛିଟା ତ୍ୟାଗ କରିବାକୁ ପଡ଼ିବ। ଆମେରିକା ପୁନର୍ବାର ଗ୍ରୀନ୍‍ କ୍ଲାଇମେଟ ଫଣ୍ଡକୁ ଅର୍ଥ ଦେବାକୁ ରାଜି ହୋଇଛି। ଯାହାକି ପରିବେଶ ସୁରକ୍ଷା ଦିଗରେ ସମଗ୍ର ବିଶ୍ୱ ଆଗକୁ ବଢିବାର ନୂତନ ଆଶା ସଞ୍ଚାର କରିଛି। ଗୋଟିଏ ଧାଡ଼ିରେ ଏହାକୁ ବ୍ୟାଖ୍ୟା କଲେ କୋଭିଡ୍‍-୧୯ ଶିକ୍ଷା ଦେଇଛି ପ୍ରକୃତିକୁ ସମ୍ମାନ ଦିଅ, ସିଏ ତୁମର ଯତ୍ନ ନେବ। ଚୀନକୁ ସମର୍ଥନ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଏ.ଜି. ଟେଡ୍ରୋସ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ପଶୁ କଲ୍ୟାଣର ମୁକାବିଲା ନକରି ମାନବ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଚେଷ୍ଟା କରାଯିବ। ମହାମାରୀ ଯୋଗୁଁ ଡାକ୍ତରଖାନାଗୁଡ଼ିକର ଭିତ୍ତିଭୂମି ବୃଦ୍ଧି ହୋଇପାରିଛି। ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସରକାରୀ ଡାକ୍ତରଖାନାଗୁଡ଼ିକରେ ବେଶ୍‌ ସୁଧାର ଆସିଛି। କେବଳ ରୋଗୀ ସେବା ନୁହେଁ; ଡାକ୍ତରଖାନାଗୁଡିକ ପୂର୍ବାପେକ୍ଷା ଯଥେଷ୍ଟ ପରିଷ୍କାର, ପରିଚ୍ଛନ୍ନ ହୋଇପାରିଛି।

ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଗଣତାନ୍ତ୍ରିକ ସରକାରର ଏକ ଜରୁରୀ କର୍ତ୍ତବ୍ୟ। ଯେ କୌଣସି ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ଆମକୁ ଦୀର୍ଘସ୍ଥାୟୀ ନୀତି ମାଧ୍ୟମରେ ପ୍ରସ୍ତୁତ ହେବାକୁ ପଡ଼ିବ। ଓଡ଼ିଶା ସରକାର ଦୈନିକ ସଂକ୍ରମଣ ସଂଖ୍ୟା ପ୍ରାୟ କାବୁ କରିବାକୁ ସକ୍ଷମ ହୋଇଛନ୍ତି। ଚେଷ୍ଟା କଲେ ଯେ କୌଣସି ସରକାର ଭଲ ସେବା ଯୋଗାଇପାରିବେ ଏହା ଏଥିରୁ ସ୍ପଷ୍ଟ ହୋଇଛି। ଏହି ସମୟରେ ଦୀର୍ଘ ରାସ୍ତାରେ ଘରକୁ ଯାଉଥିବା ପ୍ରବାସୀମାନଙ୍କ ଚିତ୍ର ହୃଦୟସ୍ପର୍ଶୀ ଥିଲା। ଶ୍ରମିକ ଦରମା ପାଇଲେନି, ତେଣୁ ଏକ ସାମାଜିକ ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ ଯାହାକୁ ସରକାର ଗୁରୁତ୍ୱ ଦେଇଥିଲେ। ସରକାର ଖାଦ୍ୟଶସ୍ୟ ଗଚ୍ଛିତ ରଖିବା ସହ, ଅସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ ଏବଂ ଶ୍ରମିକଙ୍କୁ ନଗଦ ଅର୍ଥ ପ୍ରଦାନ କରିବା ଆବଶ୍ୟକ ବୋଲି ଅନୁଭବ କରିଥିଲେ। ଏହି ପରିପ୍ରେକ୍ଷୀରେ ଏକ ଜାତୀୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଚଳନ ନିମନ୍ତେ ମୂଳଦୁଆ ପଡ଼ିଥିଲା। କେତେକ ରାଜ୍ୟ ବୃଦ୍ଧ, ଅବିବାହିତ ମହିଳା, ବିଧବା ଏବଂ ଭିନ୍ନକ୍ଷମଙ୍କ ପାଇଁ ନାମମାତ୍ର ଭତ୍ତା ପ୍ରଦାନ କରନ୍ତି; କିନ୍ତୁ ସୁସ୍ଥ ଯୁବକମାନେ ସୁରକ୍ଷିତ ପରିବେଶ ଆବଶ୍ୟକ କରନ୍ତି, ତାହା ଏହି ମହାମାରୀ ଶିଖାଇଲା। ୨୦୨୦ ଏହା ମଧ୍ୟ ପ୍ରମାଣ କରିଛି ଯେ, ବିଶାଳ ଅସ୍ଥାୟୀ କାର୍ଯ୍ୟାଳୟର ଆଉ ଆବଶ୍ୟକ ନାହିଁ। ଆଇଟି ଠାରୁ ଆରମ୍ଭ କରି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଆଇନ ସଂସ୍ଥା ପର୍ଯ୍ୟନ୍ତ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଥିଲେ। ଯାହାଦ୍ୱାରା ଶୀତତାପ ନିୟନ୍ତ୍ରିତ କୋଠାଗୁଡ଼ିକ ଅନାବଶ୍ୟକ ହୋଇଗଲା। ଯାହାଦ୍ୱାରା ବାୟୁରେ ଅଙ୍ଗାରକାମ୍ଳ ହ୍ରାସ ଘଟିବ ଏବଂ ବାୟୁ ପ୍ରଦୂଷଣ ସଙ୍କଟରୁ ମୁକ୍ତି ମିଳିବ। ବୈଷୟିକ ଜ୍ଞାନକୌଶଳ ସମଗ୍ର ଜୀବଜଗତକୁ ପରିବର୍ତ୍ତନ କରୁଛି; ଆସନ୍ତୁ ଏହାକୁ ସ୍ୱାଗତ କରିବା ଏବଂ ପ୍ରୟୋଗ କରିବା।

୨୦୨୦ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା। ଯାହା ଜଣାପଡୁଛି ୨୦୨୧ରେ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ସୁଧାର ଆସିନପାରେ; କିନ୍ତୁ ଡିଜିଟାଲ ପାଲଟିଛି ଶିକ୍ଷାର ବଳିଷ୍ଠ ମାଧ୍ୟମ। ସେଥିପାଇଁ ସମସ୍ତ ଶିକ୍ଷକ ଓ ପିଲାମାନଙ୍କୁ ଟାବଲଏଡ୍‍ ଦିଆଯିବା ଆବଶ୍ୟକ। ବ୍ରଡବ୍ୟାଣ୍ଡ ସେବା ମଧ୍ୟ ଉପଲବ୍ଧ ନିଶ୍ଚିତ କରାଯିବା ଜରୁରୀ। ମହାମାରୀ ସମୟରେ ମହିଳାମାନେ ସ୍ୱାବଲମ୍ବୀ ହେବାର ସୁଯୋଗ ପାଇଲେ। ସୁତରାଂ ମହାମାରୀ କୋଭିଡ୍‍-୧୯ରୁ ଆମକୁ ଅନେକ ଶିକ୍ଷା ମିଳିଛି। ଯାହା ଆମର ପରବର୍ତ୍ତୀ ପିଢିର ବିକାଶରେ ବିଶେଷ ସହାୟକ ହୋଇପାରିବ ବୋଲି ଆଶା ସଞ୍ଚାର କରିଛି।

Comments are closed.