ଯେତେ ମାଠିବୁ ମାଠ…

‘ରିଷ୍ଟ’ ଓ ତା’ କଟିଯିବାରେ ଆଶ୍ବସ୍ତ ହେବାର ‘ଭାବ’, ଏ ଦେଶ ସଂସ୍କୃତି ଓ ସଂସ୍କାରରେ ଯେମିତି ଅଛି ଆଉ କୋଉଠି ନାହିଁ। ରେଳ ଦୁର୍ଘଟଣା ହେଲା। ଶହଶହ ଲୋକ ମଲେ, ଆହତ ହେଲେ। ମଞ୍ଜୁ ଓ ତା’ ଚାରି ମାସର ପୁଅ ବି ସେଥିରେ ଫେରୁଥିଲେ। ତାଙ୍କ ଦେହରେ ଆଞ୍ଚୁଡ଼ା ବି ଟିକିଏ ହୋଇନି। କି ସୌଭାଗ୍ୟ, କି ପ୍ରଭୁକୃପା! ମାତ୍ର ତା’ ବ୍ୟାଗରେ ତା’ ବିଭାଘରର ହାର ମୁଦି ଆଦି ପ୍ରାୟ ତିନିଲକ୍ଷ ଟଙ୍କାର ଥିଲା। ସେତକ କିଏ ଲୁଟି ନେଲା ଏ ବିପତ୍ତି ସମୟରେ। ଲୋକେ ଉଦ୍ଧାର ପାଇଁ ବିକଳ ଚିତ୍କାର କରୁଥିବା ବେଳେ, ସେମାନଙ୍କର ସର୍ବନାଶ ହେଉଥିବା ବେଳେ, ଲୁଟେରା ଦଳଙ୍କ କି ଆନନ୍ଦ, କି କୌତୂହଳ! ତାଙ୍କର ଇୟେ ପୁଷ ମାସ ନା କ’ଣ! ମଞ୍ଜୁର କିନ୍ତୁ ଏ ସୁନାଗହଣା ନଗଦ ଟଙ୍କା ଲୁଟ୍‌ରେ ଚେତା ବୁଡ଼ିଯାଉଥିଲା। ତଥାପି କୁହାବୋଲା କରି ମୃତକଙ୍କ ପାଇଁ ସିନା ପାଞ୍ଚଲକ୍ଷ, ଆହତଙ୍କ ପାଇଁ ଲକ୍ଷେ ହିସାବରେ ତା’ ପାଇଁ, ତା’ ଚାରିମାସର ପୁଅ ପାଇଁ ଏମିତି ଦି’ଲକ୍ଷ ଟଙ୍କାର ମଞ୍ଜୁର, ମଞ୍ଜୁର ଖୁଡ଼ୁତାଶୁର ଯେ ରେଳ ବିଭାଗର ଜଣେ ବଡ଼ ହାକିମ, କରି ଦେଇଥିଲେ। ତଥାପି ବି ମଞ୍ଜୁଠୁ ହାଁ ଛାଡ଼ୁନଥିଲା। ଘରେ ପହଞ୍ଚୁପହଞ୍ଚୁ ସାଇଯାକର ଲୋକ ରୁଣ୍ଡ। ମଞ୍ଜୁ ବାହୁନା ଓ ଚେତାବୁଡ଼ା ଦେଖିବ କ’ଣ! ମଞ୍ଜୁର ବଡ଼ ଜେଜେ ନବେ ବର୍ଷର। ସେ ଗର୍ଜି ଉଠିଲେ। କହିଲେ, ‘‘ଏଇଟା କେତେ କୃତଘ୍ନ ମ! ହଇରେ ଦୁର୍ଘଟଣାରେ ପରିବାର ପୋଛି ହୋଇଯାଇଛି। ତୋର କେଶାଗ୍ର ବଙ୍କା ହୋଇନି। ପୁଅ ସହ ଜୀବନ ଧରି ଫେରିଛୁ। ପ୍ରଭୁର କି କୃପା, ମହିମା! ମନ୍ଦିରରେ ମୁଁ ଭୋଗ ଲଗେଇଛି ପ୍ରଭୁ ପାଖେ। ତୋର ଚେତା ବୁଡ଼ୁଛି, ବାହୁନୁଛୁ? ସୁନାଗହଣା ଗଲାନି ତ ବଡ଼ ରିଷ୍ଟଟେ କଟିଗଲା ତା’ ବଦଳରେ। ତୁନି ହ, ମନ୍ଦିର ଆଗ ଯା’।’’ ଏଥିରେ ସଭିଏଁ ଚୁପ୍‌ ହୋଇଗଲେ।
କ୍ଷତିରେ ବି ପ୍ରଭୁର କୃପା ଦେଖିବା ଏ ଦେଶ ସଂସ୍କାର, ସଂସ୍କୃତି ଓ ଭାବ। ଲୁଟେରା ତ ସବୁ କାଳେ ଲୁଟେରା। ଧରାପଡ଼ିଲେ, ମାଡ଼ଗାଳି ଖାଇଲେ କହନ୍ତି, ‘‘ପେଟ ପୋଷ୍‌ ନାହିଁ ଦୋଷ। ପେଟ ଚାଖଣ୍ଡକ ପାଇଁ ସିନା ଏତେ ହୀନାବସ୍ଥା ହଉଛୁ।’’ ନା’ ତା’ ଠିକ୍‌ ନୁହଁ। ଏଗୁଡ଼ା ଗାଲୁଆ, ଧପାଡ଼ି ଶଳେ। ଆରେ ପେଟ ଚାଖଣ୍ଡକ ନାଁରେ ସର୍ବାଙ୍ଗ ଏମାନେ ଲେସନ୍ତି। ତାଙ୍କ ପାଇଁ ବିପତ୍ତି, ଗୋଳିଆ ପାଣି, ବରଂ ଜମାଣିଆ। କଙ୍କଡ଼ାଗୁଡ଼ା ଶଳେ। କୃଷ୍ଣଙ୍କ ଦେହତ୍ୟାଗରେ, ଯୁଗ ସରିଗଲା। ପାଣ୍ଡବମାନେ ରାଜ୍ୟ ଛାଡ଼ି ତା’ ପରେ ବାନପ୍ରସ୍ଥି ହୋଇଗଲେ। ମହାଭାରତର ବୀର ଅର୍ଜୁନ ତେଜ ଓ ବୀର୍ଯ୍ୟହୀନ ହୋଇଗଲେ। ସବୁଠି ହାହାକାର। କୃଷ୍ଣଙ୍କ ଆଶ୍ରିତାମାନଙ୍କୁ ସୁରକ୍ଷିତ କରିବାକୁ, କୃଷ୍ଣଙ୍କ ଶେଷ ଇଚ୍ଛା ଅନୁସାରେ ଅର୍ଜୁନ ଏ ଶହଶହ ରାଜକନ୍ୟାମାନଙ୍କୁ ନେବାର ବ୍ୟବସ୍ଥା କରୁଥିବାବେଳେ ଆଭୀର ଗଉଡ଼ଗୁଡ଼ା ସେଠି ଦଳଦଳ ପହଞ୍ଚି ଅର୍ଜୁନଙ୍କୁ ମାଡ଼ ମାରି, ଜନ୍ଦା ଉଖୁଡ଼ା ନେବା ପରି ଏମାନଙ୍କୁ ଛଡ଼େଇ ନେଲେ, ଲୁଟି ନେଲେ। ସବୁକାଳେ ଚୋର ଦୁଶ୍ଚରିତ୍ରଙ୍କ ଏଇ କାଣ୍ଡ, ଏଇ ବାଗ। ପିତୃସତ୍ୟ ପାଳିବାକୁ, ରାଜଗାଦି ଛାଡ଼ି, ବନବାସୀ ହୋଇଥିବା ଦୁଃଖୀ ରାମଲକ୍ଷ୍ମଣ ଓ ସୀତାଙ୍କ ପ୍ରତି ସହାନୁଭୂତି କୁଆଡ଼େ ଗଲା, ସୂର୍ପଣଖାର ରାମ ଭାଇ ଦୁହିଁଙ୍କି ଭୋଗ କରିବାର ଭାବ ଜାଗିଲା। କି ଦୁଶ୍ଚରିତ୍ର ମାଇକିନାଟେ ମ! ତା’ ପରେ ତ ରାମାୟଣ ଆରମ୍ଭ ହୋଇଗଲା। ଛୋଟ ବଡ଼ ସବୁଠି ଏ ସବୁଙ୍କର ଏ ନାଟ। କୃଷ୍ଣ ଓ ରାମଙ୍କ କଥା ଛାଡ଼। ଜୋତା ଚପଲ ରଖି ଭିଡ଼ ବେଳେ ମନ୍ଦିରକୁ ଯାଇଛ ତ, ଠାକୁରଙ୍କୁ କ’ଣକ’ଣ ସବୁ ମାଗି ଫେରିବା ବେଳକୁ, କାଲି ବାରଶ’ ଟଙ୍କା ଦେଇ କିଣିଥିବା ଚପଲ ନାହିଁ ଲୋ ମା। ତା’ ପରେ ଠାକୁରଙ୍କୁ ଗାଳି, ‘‘ଆଉ ମନ୍ଦିର ଆସିବିନି’’। କିଏ ଠାକୁରଙ୍କୁ କାନ୍ଦିଲୋଟି କହୁଥିବା ବେଳେ ​ଜୋତା ଚପଲ ଚୋର ଏପଟେ ଢେର ଖୁସି। ଏଙ୍କୁ ଜଗିବ କିଏ, କ’ଣ? ‘ତାଲା’ ଚୋର ପାଇଁ କୁ ହୋଇଥାଏ ? ପୁରୁଣା ଚୋରକୁ କୋଉ ଆଲିଗଡ଼ ତାଲା ରୋକିବ? କଥା ତ ଅଛି, ‘‘ରାଣ୍ଡକୁ ଲଗା ନାଇଁ କି ଷଣ୍ଢକୁ ପଘା ନାଇଁ’’। ଏତେ ବାଟ କିଆଁ ଯାଉଚ? ଏଠି ଭିଜିଲାନ୍‌ସ, ସିବିଆଇ ବିଭାଗ ଅଛି। ମାତ୍ର ବଡ଼ବଡ଼ ଅମଲା, ନେତାମାନେ ନାକ ଯାଏ ଠେସି ହୋଇ ଜିଅଲ ଯିବା କୋଉ କମିଛି? କେତେ ଆଇ.ଏ.ଏସ୍‌. କେତେ ନେତା କଇଦୀ ବନି ଜିଅଲ ଜୀବନ କଟାଇବା କୋଉ ଆଶ୍ଚର୍ଯ୍ୟର କଥା ଏବେ? ଇଏ ତ ଦିହସୁହା ହୋଇଗଲାଣି। ଏଠି କରୋନା ଜନତାଙ୍କୁ ନାକେଦମ କଲାଣି। ଜନଜୀବନ ଚଳଣି ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। କିମ୍ଭୀର ଅଧା ନଈରେ କଲାଣି। ମାତ୍ର ଆମ ଅମଲାଙ୍କ ଖେଳ କୁ’ କମିଛି? ବାଲିଅନ୍ତାର ଜଣେ ମହିଳା ତହସିଲଦାର ରଶ୍ମୀରେଖା ପ୍ରଧାନ ଓ ତାଙ୍କ କିରାଣି ଧନେଶ୍ବର ସାହୁ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେଣି। କିରେ ଇଏ ପୁଣି ଜଣେ ନାରୀ! ଏଇଲେ ନାରୀ ସଶକ୍ତୀକରଣ ଯୁଗ। ଏଥିରେ ୟେ ପୁଣି ସରକାରଙ୍କ ଜଣେ ଢେର କ୍ଷମତାର ଅଧିକାରିଣୀ। ମାତ୍ର ଜମି କିସମ ବଦଳାଇବା ପାଇଁ ଏଇ ଲାଞ୍ଚ ନେଇ ବିଚାରୀ ଅପା ନିଜ କିସମ ବଦଳାଇ ଦେଲେ। ବରା ପକୁଡ଼ି ଛଣା, ମୁଢ଼ି ବିକା ଜୀବିକା ବନ୍ଦ କରି ଦେଇଥିବା ଏ ସରକାର ଜମି କିସମ ବଦଳା କାମ କେମିତି ଜାରି ରଖିଛନ୍ତି? ନିଆଳି ଅଞ୍ଚଳ ଆଡ଼େ ଯାଇଥିଲୁ। କି ଗୋମାତା ମ ସେଠି ଘରେ ଘରେ! ଆଠ ଦଶ ଲିଟର ଦୁଧ ଦିଅନ୍ତି ଅତି କମ୍‌ରେ। ତାଙ୍କଠୁ ଦୁଧ ଦୁହାଁ ବନ୍ଦ। ଦୁଧ ବିକିବେ କୋଉଠି? ଖାଇବାକୁ ନ ପାଇ ଏ ଗୋମାତାମାନେ ହାଡ଼ମାଳ ହୋଇଯାଇଛନ୍ତି। ସରକାର ଗୋମାତାମାନଙ୍କ କିସମ ଏଠି ବଦଳେଇ ଦେଇଛନ୍ତି। ସରକାରଙ୍କ କିସମ ବଦଳା କରାମତିକୁ ମାନିବାକୁ ହେବ।
ସ୍କୁଲ, କଲେଜ ପାଠପଢ଼ା ବି ବନ୍ଦ। ଠାକୁର ମନ୍ଦିର ବି ବନ୍ଦ। ଜଗନ୍ନାଥଙ୍କ ମନ୍ଦିରକୁ ଭକ୍ତଙ୍କ ଦର୍ଶନ ବି ବନ୍ଦ। ଏବେ ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥଙ୍କ ସ୍ନାନ ଯେଭଳି ଭାବେ କରାଗଲା, ତା’ ଦେଖିଲେ ମୁଣ୍ଡ ଯେ ଆଉ ଅକ୍ତିଆରରେ ନାହିଁ ତା’ ଠଉରେଇ ହେଉଛି। ଜଗାଙ୍କ ବ୍ରହ୍ମ ଦର୍ଶନ ପାଇଁ ସେବକମାନଙ୍କ କୌତୂହଳ ପରଠାରୁ ଜଗା ଏଙ୍କ କଣ୍ଢେଇ ବନିଯାଇଥିବା ବେଳେ ଏବେ ଜଗା ସରକାରୀ କଣ୍ଢେଇ ବନିଯାଇଛନ୍ତି। ବିନା ଭକ୍ତରେ ଯେଭଳି ସ୍ନାନ ଯାତ୍ରା କରାଗଲା, ୧୪୪ ଧାରା ପୁରୀ ବଡ଼ଦାଣ୍ଡରେ କରାଗଲା ସେଥିରୁ ସରକାରଙ୍କ ଭକ୍ତଙ୍କ ପ୍ରବଣତା ପ୍ରତି ଆହ୍ବାନର ଏକ ଭାବ ଉକୁଟି ଉଠେ। ମାତ୍ର ଭକ୍ତ କାହାନ୍ତି ଯେ ସରକାରଙ୍କ ଏ ଆହ୍ବାନକୁ କିଏ ଗ୍ରହଣ କରିଥାନ୍ତା!! ‘‘ଜଗନ୍ନାଥ ହୋ, କିଛି ମାଗୁନାହିଁ ତତେ, ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧା ବାଲିରୁ ହାତେ,’’ କାଇଁ ଏ ଭକ୍ତ! ସବୁଠୁ ବିସ୍ମୟକର ହୋଇଛି, ଜଗନ୍ନାଥଙ୍କ ପରମ ସେବକ କହୁଥିବା ‘ଗଜପତି’ ସେଦିନ ଶ୍ରୀନଅରରେ ରହି ମଧ୍ୟ ଜଗାଙ୍କ ସେବାକୁ, ଦର୍ଶନକୁ ଗଲେନି! ବେପାରପତ୍ରବାଲାଏ ତାଙ୍କ ଶ୍ରୀନଅର ଆଗେ ଭିଡ଼ ଜମେଇଲେ ଦି’ପଦ ଶୁଣିବାକୁ, ତାଙ୍କୁ ଅନୁମତି ମିଳିଲାନି। ଏ ଜନତାଙ୍କୁ ସେ କ’ଣ ବାର୍ତ୍ତା ଦେବେ ତା’ ପର କଥା। ସେମିତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ବି ଦର୍ଶନକୁ ଗଲେନି। ଅବଶ୍ୟ ଗଜପତିଙ୍କ ଭଳି ତାଙ୍କର ସେମିତି ନିର୍ଦିଷ୍ଟ ସେବା ସେଦିନ ସେ ଉତ୍ସବରେ ନ ଥିଲା। ତେବେ ସରକାରଙ୍କ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେ କହିବେ କାହିଁକି ସେ ଏ ଦର୍ଶନକୁ ଗଲେନି। ମାତ୍ର ଗଜପତି ମହାରାଜ ଓ ଶ୍ରୀ ଶଙ୍କରାଚାର୍ଯ୍ୟ ଯେ ଏ ସ୍ନାନ ପୂର୍ଣ୍ଣିମା ପାଳନକୁ ଠିକ୍‌ ଭାବେ ଗ୍ରହଣ କରି ପାରି ନାହାନ୍ତି ତା’ ସ୍ପଷ୍ଟ। ଭକ୍ତମାନଙ୍କ ପାଇଁ ପ୍ରଭୁର ଏ ଯାତ। ଭକ୍ତଙ୍କୁ ଘଉଡ଼ାଇ, ତାଙ୍କ ଗାଧୁଆ ପର୍ବକୁ ହୀନିମାନିଆ କରିବାରେ ଜଗା ଯେ ସରକାରୀ ନିୟନ୍ତ୍ରଣରେ, ତା’ ଜଣାପଡ଼େ। ‘ବନ୍ଦେ ଉତ୍କଳ ଗାନ ପାଇଁ ପୁରୀ ବଡ଼ ଦାଣ୍ଡରେ, ସିଂହଦ୍ବାର ଆଗରେ ହଜାରହଜାର ଭକ୍ତ ସଚିବାଳୟ ଜଗାଙ୍କ ଆହ୍ବାନରେ ଯେବେ ଏକତ୍ର କରାଯାଇ ପାରିଲା, ତେବେ ଜଗନ୍ନାଥଙ୍କ ଆଗରେ ବେଦ ବା ଜଗନ୍ନାଥ ସ୍ତବ ପାଠ ପାଇଁ କିଛି ଭକ୍ତ, ବିଦ୍ବାନଙ୍କୁ ଡକାଯାଇ ଏକ ଭାବ ଓ ଭକ୍ତିର ନିୟନ୍ତ୍ରିତ ଆସର କରାଯିବାରେ ଅସୁବିଧା କ’ଣ ଥିଲା? ଯଦି ଜଗାଙ୍କୁ ‘କଣ୍ଢେଇ’ ବନାଯିବାର ୟେ ଏକ ବିଜ୍ଞାନସମ୍ମତ ଭାବ ଓ ଉଦ୍ୟମ, ତେବେ ‘ଜିନ୍ଦାବାଦ’।
ପଙ୍ଗପାଳ ଏକ ଝିଣ୍ଟିକା କିସମର। ସବୁ ଝିଣ୍ଟିକା ପଙ୍ଗପାଳ ନ ହେଲେ ବି ଚାଷୀ ଏଙ୍କ ନାଁ ଶୁଣିଲେ ଛାନିଆ ହେବା ପରି ଆଇ.ଏ.ଏସ୍‌. ଦଳ ନାଁ ଶୁଣିଲେ ​ଜନତାଙ୍କର ସେମିତି ପଙ୍ଗପାଳିଆ ହୃତ୍‌କମ୍ପନ ହୁଏ। ସରକାରଙ୍କର ତ ଏମାନେ ଇନ୍ଦ୍ରିୟ ବୋଲ। ଏ କୋଭିଡ୍‌ ନିୟନ୍ତ୍ରଣ ପାଇଁ ସରକାର ଆଇ.ଏ.ଏସ୍‌. ଦଳଙ୍କୁ ନିଯୁକ୍ତି ଦେଲେ। ଏ ‘କୋଭିଡ୍‌’ ନିୟନ୍ତ୍ରିତ ହେବା ଯାଏ ଏଇ ଆଇ.ଏ.ଏସ୍‌. ଦଳପତିମାନେ ତାଙ୍କର ଏ ଦାୟିତ୍ବରେ ରହିବେ। ମାତ୍ର ଦିନ କେତେଟାରେ ଏଙ୍କୁ ସରକାର ଫେରେଇ ନେଇଛନ୍ତି। ଏବେ ତ ‘‘ଯୁଦ୍ଧ ସରିନାହିଁ, ଅରି ମରି ନାହିଁ।’’ ଏଙ୍କୁ ଲେଉଟାଣି ଦେଲେ କିଆଁ? ତାଙ୍କ ସ୍ଥାନରେ ଆଉଆଉ କାହାକୁ ବି ନିଯୁକ୍ତି ଦିଆଗଲା ନାହିଁ। କୋଭିଡ୍‌ଜନିତ କ୍ରୟ ବିକ୍ରୟ ଦାୟିତ୍ବ ତ ଜଣେ ପୁରୁଖା ଆଇ.ଏ.ଏସ୍‌. ଶ୍ରୀ ହେମନ୍ତ ଶର୍ମାଙ୍କୁ ଦିଆଯାଇଥିଲା। ମାତ୍ର ଏ ବିଶ୍ବସ୍ତ ଓ ପାରଙ୍ଗମଙ୍କୁ ବି ଫେରାଇ ନେବା ନେଇ ନାନା କଥା ଶୁଣାଯାଉଛି। ୟେ ବଡ଼ ଘର ବଡ଼ ଗୁମର କଥା। ଠାକୁର ଘରେ କିଏ ନା ମଁୁ କଦଳୀ ଖାଇନି ଭଳି, ମୁଖ୍ୟଶାସନ ସଚିବ ଏଗୁଡ଼ାକ ଭଲ ପିଲା, ଢେର ଭଲ କାମ କରିଛନ୍ତି ବୋଲି ସାକୁଲେଇ ହୋଇଛନ୍ତି। ଏବେ ହଠାତ୍‌ ଏ ମାନପତ୍ରର କି ଆବଶ୍ୟକ ଥିଲା? ୟେ ସବୁ ଉନ୍ନତ ଭେଜା, ଅତି ବୁଦ୍ଧିର କଥା। ଆମେ ତ ଚିଙ୍ଗୁଡ଼ି ଦଳିଆ, ମୁଣ୍ଡରେ ଗୁହ, ସେଥିକୁ କିଆଁ ହାତ ମାରିବୁ? ୟେ ସରକାରଙ୍କ ଅଜାଗା ଘା’ କଥା କି ନାହିଁ କିଏ କହିବ? ଆମେ ତ ନୀତିବାଣୀ ଶୁଣିଛୁ, ଘୋଷିଛୁ ବି। ‘‘କହିବି ନାହିଁ କହିଲେ ଏ ଘରେ ରହିବି ନାହିଁ’’, ‘‘ଆଲୋ ବାଇଲି ତୁ କହିଲାରୁ ମୁଁ କହିଲି’’। ଅବଶ୍ୟ ବାଇଲି ଉଖୁରେଇଲା ପରେ ବି ଆମେ ତୁନି। ଛାଡ଼ନ୍ତୁ ସେ ସବୁ କଥା, ମୂଳ ଭାବନାଟି ହେଲା, ପରିସ୍ଥିତି ଓ ପରିବେଶ ସତ୍ତ୍ବେ ପ୍ରକୃତି ଓ ପ୍ରବୃତ୍ତି କେମିତି ଅମାନିଆ ଥାଏ। କବିବର ରାଧାନାଥଙ୍କ ‘ତୁଳସୀସ୍ତବକ’ରୁ ମନେପଡ଼େ–
‘‘ଦେଖ ଦେଖ ଅଗ୍ରତେ ସରସୀଜଳେ। ପଡ଼ି ମଣ୍ଡୁକ କ୍ରୂର ଅହି-କବଳେ।। ବିକଳେ ରାବୁ ରାବୁ, ଊ​‌େ​‌ର୍ଦ୍ଧ୍ବ ଉଡ଼୍‌ଡୀନ। ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ।। କାଳ କବଳେ ସିନା ଏରୂପେ ଭାଇ। ଆରତେ ନର ଘାରି ହେଉଣ ଥାଇ।। ତେବେ ହେଁ ମନାସଇ ଲଭି ଏ ଦଶା। ମେଣ୍ଟାଇବାକୁ ଭବ-ଭୋଗ-ଲାଳସା।।’’

Comments are closed.