‘ବନ୍ଦେ ଉତ୍କଳ ଜନନୀ’ ଭଳି ପ୍ରେରଣାଦାୟୀ ଭାବଗର୍ଭକ ଓ ମଧୁର ପ୍ରାଦେଶିକ ସଂଗୀତ ମୁଁ ଜାଣିବାରେ ଅନ୍ୟ କେଉଁ ରାଜ୍ୟରେ ନାହିଁ- ରାଜ୍ୟପାଳ

– ‘ବନ୍ଦେ ଉତ୍କଳ ଜନନୀ’ ଭଳି ପ୍ରେରଣାଦାୟୀ ଭାବଗର୍ଭକ ଓ ମଧୁର ପ୍ରାଦେଶିକ ସଂଗୀତ ମୁଁ ଜାଣିବାରେ ଅନ୍ୟ କେଉଁ         ରାଜ୍ୟରେ ନାହିଁ
–  ଓଡ଼ିଆ ଭାଷାରେ ଏମିତି ରଚନା ଅଛି ଯାହା ସମଗ୍ର ବିଶ୍ୱକୁ ଆଲୋକିତ କରିଦେବ
–  ସୃଜନଶୀଳତା ଓଡ଼ିଶାର ଜୀବନଶୈଳୀ ସହିତ ସମନ୍ୱିତ
– ସମଗ୍ର ପୃଥିବୀର ଅନନ୍ୟ ସଫ୍ଟ ପାୱାର ହେବାର ସାମର୍ଥ୍ୟ ରହିଛି ଓଡ଼ିଶାର
–  ରଥ ଦଉଡ଼ି ପୃଥିବୀର ସବୁଲୋକଙ୍କୁ ଏକାଠି କରିଦେବ
–  ଓଡ଼ିଶାର ଆଧ୍ୟାତ୍ମିକ ଆଙ୍ଗିକ ଗଠନକୁ କୋଟି ପ୍ରଣାମ କରୁଛି
– ଓଡ଼ିଶାବାସୀଙ୍କ ଅନ୍ତର୍ନିହିତ ଶକ୍ତି ଓ ସାମର୍ଥ୍ୟ, ସାହସିକତା ଓ ଦୃଢ଼ପଣ ବିରଳ
– ଶାନ୍ତିପ୍ରିୟ ଓଡ଼ିଶା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି
– ଓଡ଼ିଶାର ଦର୍ଶନ ହେଉଛି; କ୍ଷମତା ପ୍ରେମ ନୁହେଁ, ପ୍ରେମର କ୍ଷମତା
– ଓଡ଼ିଶା ଜାଗତିକ ଓ ମହାଜାଗତିକ ମାନଦଣ୍ଡରେ ନିଜକୁ ପ୍ରମାଣିତ କରି ଅନୁସରଣୀୟ ହେବ

ଲେଖକ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍‌ govodisha@nic.in

ଓଡ଼ିଶାର ଯେଉଁ ସ୍ଥାନକୁ ଯାଇଛି ସେଠି କେବଳ ଚଳିତ ସମୟକୁ ନୁହେଁ, ଅତୀତକୁ ମଧ୍ୟ ଅନୁଭବ କରିବାକୁ ପ୍ରୟାସ କରିଛି, ଭବିଷ୍ୟତକୁ ଦେଖିବାକୁ ଆଗ୍ରହୀ ହୋଇଛି। ସଇଁତଳା ଗୋଳାବାରୁଦ କାରଖାନା, ସୁନାବେଡ଼ା ମିଗ ବିମାନ କାରଖାନା, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ବୁଲି ଦେଖିଲା ବେଳେ ‘ଉତ୍କଳ ସୁରବର-ଦର୍ପିତ-ଗେହା, ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା’ ମନେ ପଡ଼ିଛି। ପାରାଦ୍ବୀପ ଓ ଧାମରା ବନ୍ଦର ଦେଖିଛି। ନୀଳ ସମୁଦ୍ରରେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଅନୁଭବରେ ଆଣିଛି।
ଏବେ ‘ବନ୍ଦେ ଉତ୍କଳ ଜନନୀ…’ ଗାନ କରାଯାଇ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଗଲା। ମହତ ପ୍ରୟାସ। ମୁଁ ଗାଇଛି। କୌଣସି ଏକ କାର୍ଯ୍ୟକ୍ରମରେ ମୁଁ ଯେତେବେଳେ ପ୍ରଥମେ ଏହାକୁ ଶୁଣିଲି; ଏହାର ଶବ୍ଦ, ଭାବ ଓ ସ୍ୱରର ପ୍ରେମରେ ପଡ଼ିଗଲି। ଏହି ସଂଗୀତର ଅପୂର୍ବ ଜୀବନୀ ଶକ୍ତି ଥିବା ମନେ ହେଲା ଏବଂ ଏଥିରେ ଓଡ଼ିଶାର ଯେଉଁ ରୂପ ବର୍ଣ୍ଣନା କରାଯାଇଛି ତାହାକୁ ମୁଁ ସାକ୍ଷାତ କରିଚାଲିଛି। ‘ବନ୍ଦେ ମାତରମ୍’ ସମକକ୍ଷ ଏଭଳି ପ୍ରେରଣାଦାୟୀ, ଭାବଗର୍ଭକ ଓ ମଧୁର ପ୍ରାଦେଶିକ ସଂଗୀତ ମୁଁ ଜାଣିବାରେ ଅନ୍ୟ କେଉଁ ରାଜ୍ୟରେ ନାହିଁ। ଚାରୁ ହାସମୟୀ, ଚାରୁ ଭାଷମୟୀ, କରୁଣାମୟୀ, କ୍ଷମାମୟୀ, ମଙ୍ଗଳମୟୀ, ବାତ୍ସଲ୍ୟମୟୀ, ଶୋଭାମୟୀ ଉତ୍କଳ ଜନନୀଙ୍କ ବନ୍ଦନା ଗାଇ ମୁଁ କୃତାର୍ଥ। ଓଡ଼ିଆ ଭାଷା ଓ ସାହିତ୍ୟ ବେଶ ସମୃଦ୍ଧ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି, ଏହା ତ ଦେବତାଙ୍କର ଭାଷା। ଏହି ଭାଷାର ସ୍ୱତନ୍ତ୍ର ମିଠାପଣ ଅଛି। ଶୁଣିବାକୁ ଆନନ୍ଦ ଲାଗେ। ଏହି ଭାଷାରେ ଏମିତି ରଚନା ଅଛି ଯାହା ସମଗ୍ର ବିଶ୍ୱକୁ ଆଲୋକିତ କରିଦେବ। ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’, ଏହା ପରେ ଆଉ କ’ଣ କିଛି କରିବାକୁ ଅଛି! ଏମିତି ଅନେକ ପଦ ସଂସ୍ପର୍ଶରେ ଆସିଛି, ଯାହା ମୋର ଚେତନାକୁ ଆନନ୍ଦ ଓ ପୁଲକରେ ଭରି ଦେଇଛି। ଏହି ଭାଷାରେ ଅନେକ ସ୍ରଷ୍ଟା ଏବେ କ୍ରିୟାଶୀଳ ଥିବା ସୁଖର କଥା। ଓଡ଼ିଶାସାରା ବୁଲିଲା ବେଳେ ଅନେକ ସାହିତ୍ୟିକଙ୍କୁ ଭେଟିଛି। ମୋତେ ଇତିମଧ୍ୟରେ ଶହଶହ ନୁହେଁ, ହଜାରହଜାର ବହି ଉପହାର ଆକାରରେ ମିଳିଛି। ଓଡ଼ିଶାରେ ଯେତେ ସଂଖ୍ୟାରେ କବି/ଲେଖକ ସକ୍ରିୟ ଅଛନ୍ତି, ମତେ ଲାଗୁନି ଅନ୍ୟ କେଉଁ ଭାଷାରେ ଏତେ ସଂଖ୍ୟାରେ ଥିବେ। ଓଡ଼ିଆ ଭାଷାର କୃତି, ବିଶେଷକରି ମତେ ବହି ଉପହାର ଦେଇଥିବା ଲେଖକଙ୍କୁ ଯେଭଳି ପଢ଼ିପାରିବି, ସେଥିପାଇଁ ଓଡ଼ିଆ ଭାଷା ଶିଖୁଛି। ମୁଁ ଏବେ ପ୍ରାୟ ପଢ଼ିପାରୁଛି ଓ ଓଡ଼ିଆ ଶୁଣି ବୁଝିପାରୁଛି। ଏହାକୁ ମୋର ଏକ ବ୍ୟକ୍ତିଗତ ସୁଖ, ସନ୍ତୋଷ ଓ ସଫଳତା ବୋଲି ମନେ କରୁଛି।

ଓଡ଼ିଆ ଲୋକମାନେ ସ୍ୱଭାବତଃ ସୃଜନଶୀଳ। ସୃଜନଶୀଳତା ଓଡ଼ିଶାର ଜୀବନଶୈଳୀ ସହିତ ସମନ୍ୱିତ। ଗାଁରେ କାନ୍ଥରେ ଝୋଟି ଚିତା ଦେଖିଛି, ଦେଖିଛି ବି ପ୍ରସ୍ତର କଳା, ବାଲୁକା କଳା, ଚିତ୍ରକଳା, ବୟନ କଳା। ଅନେକ ଶିଳ୍ପୀଙ୍କୁ ବ୍ୟକ୍ତିଗତ ସ୍ତରରେ ଭେଟିଛି। ମତେ ଲାଗେ ଈଶ୍ୱର ସେମାନଙ୍କୁ ଏଠାକୁ ପଠାଇଛନ୍ତି, ତାଙ୍କ ସୃଷ୍ଟିକୁ ଆହୁରି ଟିକେ ସୁନ୍ଦର କରିବାକୁ। ଓଡ଼ିଶା ପ୍ରକୃତରେ ଈଶ୍ୱରଙ୍କର ଆଶୀର୍ବାଦପ୍ରାପ୍ତ; ନହେଲେ ଏତେ କଳାକାର ଶିଳ୍ପୀ ଏହି ମାଟିରେ ଜନ୍ମ ନେଉନଥା’ନ୍ତେ। ଉତ୍କର୍ଷ କଳାର ଦେଶ ଉତ୍କଳ ତା’ର ସାର୍ଥକତା ପ୍ରତିପାଦନ କରିଚାଲିଛି। ସବୁ ସୃଜନର ପ୍ରେରଣା ଭୂମି ହେଉଛି ଆଧ୍ୟାତ୍ମିକ ଭାବ। ସେ ଗୀତ ହେଉ କି ନୃତ୍ୟ ହେଉ କି ଚାରୁକଳା କାରୁକଳା ହେଉ, ସବୁର ଗତି ସେଇଆଡ଼କୁ। ଓଡ଼ିଶୀ ନୃତ୍ୟ ତ ନୃତ୍ୟ କେବଳ ନୁହେଁ, ଏହା ମୋକ୍ଷ ମୁହାଁ ଗତି। ତଲ୍ଲୀନଭାବ ଓଡ଼ିଶୀ ନୃତ୍ୟର ଭୂଷଣ। ସବୁ ଏକାକାର ହୋଇଯାଏ, ମଞ୍ଚ, ପ୍ରେକ୍ଷାଳୟ, ଦର୍ଶକ, ନର୍ତ୍ତକୀ, ବାଦକ, ଗାୟକ। ସବୁ ମିଶିଯାଏ ଯେମିତି ଆତ୍ମା ସହ ପରମାତ୍ମା, ନଈ ସହ ସମୁଦ୍ର କି ବାସ ସହ ପୁଷ୍ପ। ମନ୍ଦିରରୁ ମଞ୍ଚକୁ ଆସିଥିବା ଏହି ନୃତ୍ୟରେ ମନ୍ଦିରର ପବିତ୍ରତା ବଜାୟ ରହିଥିବା ବଡ଼କଥା। ମୁଁ ଯେତେଥର ଓଡ଼ିଶୀ ନୃତ୍ୟ ଦେଖିଛି, ଶେଷଆଡ଼କୁ ମୁଁ ଯେମିତି ନୃତ୍ୟ ହୋଇଯାଇଛି। ଏହା ଯେମିତି ଯୋଗର ଏକ ମଧୁମୟ ମାର୍ଗ। ଓଡ଼ିଶୀ ଭିନ୍ନ ଅନ୍ୟ କେତେକ ନୃତ୍ୟ ଦେଖିବାର ସୁଯୋଗ ପାଇଛି। ମୁଗ୍ଧ ହେଇଛି। ମତେ ଲାଗୁଛି, ଓଡ଼ିଶାର ପ୍ରତ୍ୟେକ ଲୋକ ନିଜ କର୍ମ ଛଡ଼ା କୌଣସି ନା କୌଣସି ସୃଜନ କର୍ମରେ ରହିଥାନ୍ତି। ଏମିତି ଦେଖିଲେ ଓଡ଼ିଶା ହେଉଛି ପ୍ରତିଭାଙ୍କ ଗନ୍ତାଘର। କେବଳ ଭାରତ ନୁହେଁ; ସମଗ୍ର ପୃଥିବୀର ଅନନ୍ୟ ସଫ୍ଟ ପାୱାର ହେବାର ସାମର୍ଥ୍ୟ ରହିଛି ଓଡ଼ିଶାର। କେବଳ ଦରକାର ପ୍ରସାର। ପ୍ରତିଭାର ଆବିଷ୍କାର, ଉପଯୁକ୍ତ ଲାଳନପାଳନ ଓ ଅନୁକୂଳ ପରିବେଶ ନିର୍ମାଣ।

ମୁଁ ୨୦୧୮ ମସିହା ମଇ ଶେଷରେ ଓଡ଼ିଶାରେ ପହଞ୍ଚିଥିଲି। ତା’ ପରେ ଗୋଟିଏ ପରେ ଗୋଟିଏ ଉତ୍ସବ ଲାଗିଚାଲିଲା। ପ୍ରାୟ ଆଠ ମାସ ଧରି ଯେମିତି ଓଡ଼ିଶା କମ୍ପୁଥିଲା। ଏସବୁ ଥିଲା ସାର୍ବଜନୀନ ଉତ୍ସବ। ଶୁଣିଲି, ବ୍ୟକ୍ତିଗତ ସ୍ତରରେ, ଗୋଷ୍ଠୀ ତଥା ପାରିବାରିକ କ୍ଷେତ୍ରରେ ଆହୁରି କେତେ ଓଷା, ପର୍ବ, ଉତ୍ସବ ପାଳିତ ହୁଏ। ଜୀବନ ଏଠି ଉତ୍ସବମୟ, ପର୍ବମୟ। କୁହାଯାଏ, ଓଡ଼ିଶାରେ ବାରମାସରେ ତେର ପର୍ବ, କିନ୍ତୁ ବାସ୍ତବରେ ବହୁତ ଅଧିକ। ପାରମ୍ପରିକ, ସାଂସ୍କୃତିକ, ଧର୍ମୀୟ ପର୍ବ ସହିତ ନୂଆନୂଆ ମେଳା ମହୋତ୍ସବ। ସାଂସ୍କୃତିକ କାର୍ଯ୍ୟକ୍ରମ। ଜିଲ୍ଲା ଉତ୍ସବ, ବ୍ଲକସ୍ତରୀୟ ଉତ୍ସବ, ପଞ୍ଚାୟତସ୍ତରୀୟ ଉତ୍ସବ। ଅନ୍ୟ ରାଜ୍ୟର ଉତ୍ସବକୁ ଆପଣେଇବାରେ ମଧ୍ୟ ନାହିଁ ନଥିବା ଆଗ୍ରହ। ଏହା ସୂଚାଏ ଓଡ଼ିଆମାନଙ୍କର ବିଶାଳ ହୃଦୟବତ୍ତା ଓ ମହାନୁଭବତା। କଟକର ଦୁର୍ଗା ପୂଜା, ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା, ଜଟଣିର ଗଣେଶ ପୂଜା, …. ମୁଁ ଯାଇ ଦେଖିଛି। ଭକ୍ତି, ଭାବ, ଆବେଗ ଓ ଉଚ୍ଛ୍ୱାସର ଉଚ୍ଚକିତ ସ୍ଥିତି। ସମନ୍ୱୟ ଓ ସମ୍ମିଳିତ ଭାବ। ଏସବୁ କେଉଁଠି ମିଳିବ? ଏ ତ ମୋ ପାଇଁ ଚେତନାର ଭିନ୍ନଭିନ୍ନ ପ୍ରକାଶ। ସ୍ୱର୍ଗୀୟ ରାଗ ଓ ସୁଷମା ବିମଣ୍ଡିତ ମୁହୂର୍ତ୍ତ। ଏଠି ଶୋକ ଦୁଃଖ କେଉଁଠି ଉଧେଇ ପାରିବ? ଯଦି ଥିବ ତେବେ ରହିଥିବ ବାହାରେ ବାହାରେ; ଭିତରେ ତା’ ପାଇଁ ସ୍ଥାନର ଅଭାବ।

ସବୁ ଯାତ୍ରା ଭିତରେ ପୁରୀର ରଥଯାତ୍ରାର ଅନୁଭବ ଓ ଅନୁଭୂତି ମୋ ପାଇଁ ନିଆରା। ଏହା ନିଃସନ୍ଦେହ ନୈସର୍ଗିକ। ରଥଯାତ୍ରା ଦୁଇବର୍ଷ ଦେଖିବାର ସୌଭାଗ୍ୟ ହୋଇଛି। ଖାଲି ଆଖିକୁ ଦିଶୁଥିବା ଏହି ଯାତ୍ରା ବାସ୍ତବରେ ବେଦାନ୍ତ ଦର୍ଶନର ଲୀଳାୟିତ ପ୍ରକାଶ। ଆତ୍ମା ଓ ପରମାତ୍ମାର ମିଳନ, ଅଦ୍ୱୈତବାଦର ଆଖ୍ୟାନ। ସବୁ ମଣିଷ ସମାନ କେବଳ ନୁହନ୍ତି, ଏକ ଓ ଅଭିନ୍ନ। ଏକୋଇ ଉତ୍ସରୁ ଉତ୍ପନ୍ନ। ମନୁଷ୍ୟକୃତ ବନ୍ଧନ, ପାଚେରି, ସୀମା, ସଂଜ୍ଞା ଭୁଶୁଡ଼ିଯାଏ। ବିଲୀନ ହେଇଯାଏ ବ୍ୟକ୍ତିର ବାହ୍ୟିକ ପରିଚୟ। ମହାପ୍ରଭୁ ଶ୍ରୀଜଗନ୍ନାଥ ଯେତେବେଳେ ବଡ଼ଦାଣ୍ଡକୁ ଆସନ୍ତି ଆଲୋକ ସମସ୍ତ ଅନ୍ଧାରକୁ ଗର୍ଭସ୍ଥ କଲାଭଳି, ସେ ପ୍ରତିଟି ମଣିଷକୁ ନିଜ ଭିତରକୁ ନେଇଯାଆନ୍ତି। ଭକ୍ତ ଭଗବାନ ହେବାର ଦିବ୍ୟ ଅନୁଭବ ପାଏ। ଛୋଟ ବଡ଼ ଲହରୀର ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଥାଏ, ତାହା ସମୁଦ୍ରରେ ମିଶିଯାଏ। ଚୈତନ୍ୟ ଉଦୟ ହୁଏ, ସମୁଦ୍ର ବିନା ଲହରୀର ଜନ୍ମ କାହିଁ? ସ୍ଥିତି ବି କାହିଁ? ରଥଯାତ୍ରା ତ ଏବେ ବିଶ୍ୱର କୋଣ ଅନୁକୋଣରେ ଆୟୋଜିତ ହେଉଛି। ଦିନ ଆସିବ, ଏଇ ରଥ ଦଉଡ଼ି ପୃଥିବୀର ସବୁଲୋକଙ୍କୁ ଏକାଠି କରିଦେବ। ଅନ୍ତଃକରଣର ପ୍ରେମ ପ୍ରବାହ ପୃଥିବୀକୁ ପୁଷ୍କଳ କରିବ। ମୁଁ ପୁରୀର ରଥଯାତ୍ରା ଭିତରେ ଦେଖିପାରିଛି ମଣିଷ ଜାତିର ଉତ୍ତରଣର ମାର୍ଗ ଓ ଉପାୟ। କେବେ ପୃଥିବୀ ପୁରୀକୁ ଆପଣେଇବ?

ଓଡ଼ିଶାରେ ଭରି ରହିଛି ପୁରୁଣା ମନ୍ଦିର; ବିଭିନ୍ନ ପନ୍ଥାର, ମାର୍ଗର। ନୂଆ ମନ୍ଦିର ବି ନିର୍ମାଣ ହେଉଛି। ମନ୍ଦିର ତିଆରି କରିବାର ତାତ୍ତ୍ୱିକ କଳା ରହିଛି ଓଡ଼ିଆମାନଙ୍କ ରକ୍ତରେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରହିଛି ଶକ୍ତି ପୀଠ। ଉତ୍କଳ ଜନନୀ ବିଭିନ୍ନ ରୂପରେ ଆବିର୍ଭୂତା ହୋଇଛନ୍ତି ବିଭିନ୍ନ ପୀଠରେ। ଶ୍ରୀକ୍ଷେତ୍ରଠୁ ଶାବର ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଓଡ଼ିଶାରେ ଖାଲି ମନ୍ଦିର ଆଉ ମନ୍ଦିର। ମତେ ସୂଚନା ଦିଆଗଲା ଯେ ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ଅଛନ୍ତି ଜଣେ ଜଣେ ଗ୍ରାମ ଦେବତୀ ଏବଂ ତାଙ୍କର ପ୍ରଥମ ପୂଜା ପରେ ଯାହା କିଛି ଶୁଭକାର୍ଯ୍ୟ କରାଯାଏ। ଏହା ଅବିଶ୍ୱସନୀୟ ଭାବରେ ସତ୍ୟ ବୋଲି ଜାଣିଲା ପରେ ମୁଁ ସତରେ ଓଡ଼ିଶାର ଆଧ୍ୟାତ୍ମିକ ଆଙ୍ଗିକ ଗଠନକୁ କୋଟି ପ୍ରଣାମ କରୁଛି।

ପ୍ରକୃତି ହେଉଛି ଭଗବାନଙ୍କର ଦୃଶ୍ୟମାନ ପୋଷାକ। ଓଡ଼ିଶାକୁ ପ୍ରକୃତିର ଆଶୀର୍ବାଦର ତୁଳନା ନାହିଁ। ମାଟି ଉପରେ ଯେତିକି, ମାଟି ତଳେ କାହିଁରେ କେତେ। ପ୍ରକୃତିର ସବୁ ବିଭବ ଏଠାରେ ବିଦ୍ୟମାନ। ଚାନ୍ଦିପୁରରେ ସମୁଦ୍ର ପ୍ରାୟ ୫ କିମି ଚାଲିଯାଉଛି, ପୁଣି ଫେରୁଛି। ପୁରୀ ବେଳାଭୂମିରେ ସମୁଦ୍ର ତ ଅନବରତ ରିୟାଜ କରୁଛି। ନଈ, ଜଙ୍ଗଲ, ପର୍ବତ, ହ୍ରଦ, ପ୍ରପାତ, କ’ଣ ନାହିଁ ଓଡ଼ିଶାରେ? ମୁଁଁ ପର୍ଯ୍ୟଟନ ସମ୍ପର୍କିତ ଏକ ସେମିନାରରେ ଯୋଗ ଦେବା ପାଇଁ ପ୍ରସ୍ତୁତି କଲାବେଳେ ଦେଖିଲି ଯେ ଏବେ ପର୍ଯ୍ୟଟନକୁ ବହୁ ଭାଗରେ ବିଭକ୍ତୀକରଣ କରାଯାଇଛି। ଯେମିତି ଐତିହ୍ୟ ପର୍ଯ୍ୟଟନ, ପ୍ରକୃତି ପର୍ଯ୍ୟଟନ, କ୍ରୀଡ଼ା ପର୍ଯ୍ୟଟନ, ସ୍ୱାସ୍ଥ୍ୟ ପର୍ଯ୍ୟଟନ ଇତ୍ୟାଦି। ମୁଁ ଦେଖିଲି ଯେ ପ୍ରତ୍ୟେକ ବିଭାଗ ଅନୁସାରେ ଓଡ଼ିଶାରେ କିଛି ନା କିଛି ଅଛି। ଏହା ଈଶ୍ୱରଙ୍କର ଆଶୀର୍ବାଦ ନୁହେଁ କି? ତେବେ ଏହି ସାମର୍ଥ୍ୟର ସଫଳ ଉପଯୋଗ ଦରକାର ଏବଂ ସୁଖର କଥା ଯେ ଓଡ଼ିଶା ସେହି ରାସ୍ତାରେ ଅଛି।

ମୁଁ ଓଡ଼ିଶାରେ ରହଣି କାଳରେ ଦୁଇଟି ବାତ୍ୟାକୁ ସାମ୍ନା କରିଛି। ବାତ୍ୟା ପୂର୍ବରୁ ସ୍ୱାଭାବିକ ଭାବରେ ଭୟଭୀତ ହୋଇଛି, କିନ୍ତୁ ଏହି ଭୟର ଲେଶମାତ୍ର ଚିହ୍ନ ଲୋକଙ୍କ ପାଖରେ ଦେଖିନାହିଁ। ସେମାନେ ଯେମିତି ବାତ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ। ଏଭଳି ଅନ୍ତର୍ନିହିତ ଶକ୍ତି ଓ ସାମର୍ଥ୍ୟ, ସାହସିକତା ଓ ଦୃଢ଼ପଣ କ୍ୱଚିତ ଦେଖିବାକୁ ମିଳେ। ବାହାରକୁ ନରମ ଦିଶୁଥିବା ମଣିଷ ଭିତରର ଦୃଢ଼ପଣ ମତେ ପ୍ରଭାବିତ କରିଛି। ବାତ୍ୟା ଆସିଛି, ବହୁତ ନଷ୍ଟଭ୍ରଷ୍ଟ କରିଛି। ଦିନ କେଇଟାରେ ଓଡ଼ିଶା ପୁଣି ସଜାଡ଼ି ହୋଇ ଉଠିିଛି। ମୁଁ ଆଶ୍ଚର୍ଯ୍ୟ ଚକିତ ହେଇଛି।

ମୁଁ ଲକ୍ଷ୍ୟ କରିଛି ଓଡ଼ିଶାର ଲୋକମାନେ ସ୍ୱଭାବତଃ ଶାନ୍ତ ଓ ମନ୍ଥର। ବ୍ୟସ୍ତ ବିବ୍ରତ ହୋଇ ଧାଁଧପଡ଼ କରନ୍ତି ନାହିଁ। ସମୟକୁ ସୁଖ ଓ ଶାନ୍ତିରେ ପରିଣତ କରିବାର ମନ୍ତ୍ର ତାଙ୍କୁ ଜଣା। ଏହି ସ୍ୱଭାବକୁ କେହିକେହି ନକାରାତ୍ମକ ଦୃଷ୍ଟିରେ ଦେଖୁଥାଇ ପାରନ୍ତି। ଆଧୁନିକ ସମୟ କାଳେ ଚାହୁଁଛି କିଲର୍ ଇନ୍‌ଷ୍ଟିଂକ୍ଟ, କିନ୍ତୁ ମୁଁ ଏ ତତ୍ତ୍ୱରେ ବିଶ୍ୱାସ କରେ ନାହିଁ। ବିକ୍ଷୁବ୍ଧ ସମୁଦ୍ରରେ ହିଂସା ଥାଏ, ସ୍ଥିର ସମୁଦ୍ରରେ ଶାନ୍ତି ବିରାଜମାନ କରୁଥାଏ। ଶାନ୍ତିପ୍ରିୟ ଓଡ଼ିଶା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି, ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଛି। ସେ ମଧ୍ୟ ଖାରବେଳ ହେଇଛି। ସେ ମଧ୍ୟ ବରୁଣେଇ ପାହାଡ଼ ତଳେ ଦୁର୍ଦ୍ଧର୍ଷ ବ୍ରିଟିଶର ଅଣ୍ଟା ଭାଙ୍ଗିଛି। ସେ ନ’ଅଙ୍କ ଦୁର୍ଭିକ୍ଷକୁ ଡେଇଁ ଓଡ଼ିଶାର ନବକଳେବର କରିଛି। ଉତ୍‌ଥାନ ପତନର ଓଡ଼ିଶାର ଇତିହାସରେ। ଓଡ଼ିଶାର ଶକ୍ତି ହେଉଛନ୍ତି ଶ୍ରୀଜଗନ୍ନାଥ। ଦରକାରବେଳେ ସେ ଖଣ୍ଡାଧରି ଓଡ଼ିଶା ସପକ୍ଷରେ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇ ପାରନ୍ତି। ଓଡ଼ିଆ ଲୋକମାନଙ୍କଠାରେ ମୁଁ ଲକ୍ଷ୍ୟ କରିଛି ଆତ୍ମିକ ବିକାଶର ସମସ୍ତ ଗୁଣ ଓ ଲକ୍ଷଣ।

ଓଡ଼ିଶାର ଦର୍ଶନ ହେଉଛି; ଯାହା ପସନ୍ଦ ତା’କୁ ପାଇବା ପାଇଁ ପ୍ରୟାସଠୁ ଶ୍ରେୟସ୍କର ଯାହା ପାଇଛ ତାକୁ ପସନ୍ଦ କରିବା; ଅହଂ କୈନ୍ଦ୍ରିକତା ନୁହେଁ ପୃଥ୍ବୀକୈନ୍ଦ୍ରିକତା, କ୍ଷମତା ପ୍ରେମ ନୁହେଁ ପ୍ରେମର କ୍ଷମତା। ଇଣ୍ଟରନେଟ୍ ସହ ଇନରନେଟ, ବାହ୍ୟ ଦୃଷ୍ଟି ସହ ଅନ୍ତର୍ଦୃଷ୍ଟି ଏବଂ ଫିଜିକ୍ସ ସହ ମେଟାଫିଜିକ୍ସର ସହାବସ୍ଥାନ। ସତରେ ଯାହାସବୁ ଗଣାଯାଇପାରେ ହୁଏତ ଜୀବନରେ ତା’ର ଅର୍ଥ ନ ଥାଇପାରେ, କିନ୍ତୁ ଯାହା ଜୀବନକୁ ଅର୍ଥପୂର୍ଣ୍ଣ କରେ ତାକୁ ଗଣିବା ସମ୍ଭବ ହୁଏ ନାହିଁ।

ହଁ, ଓଡ଼ିଶାର ଆତ୍ମିକ ବିକାଶ ହୋଇଛି; ଏବେ ଲୋଡ଼ା ଆହୁରି ଆଙ୍ଗିକ ବିକାଶ। ଏହି ବିକାଶ ଯେ ହେଉନାହିଁ ତାହା ନୁହେଁ; ଆହୁରି ଗତିଯୁକ୍ତ ହେବା ଦରକାର। ଓଡ଼ିଶାର ସାମର୍ଥ୍ୟ ଅଛି ଏବଂ ଅଚିରେ ଓଡ଼ିଶା ଯେ ଜାଗତିକ ଓ ମହାଜାଗତିକ ଉଭୟ ମାନଦଣ୍ଡରେ ନିଜକୁ ପ୍ରମାଣିତ କରିବ ଏବଂ ଅନ୍ୟମାନଙ୍କ ପାଇଁ ଅନୁସରଣୀୟ ହେବ; ଏ ବିଶ୍ୱାସ ମୋର ଅଛି। ଓଡ଼ିଶା ଯେଭଳି କରୋନା ମହାମାରୀ ବିରୋଧରେ ଲଢ଼ୁଛି ସେଥିରେ ମୋ ବିଶ୍ୱାସ ଦୃଢ଼ତର ହୋଇଛି।

ଓଡ଼ିଶାରେ ମୁଁ ଦେଖିଛି ନିରବତାର ଶକ୍ତି ଓ ଶକ୍ତିର ନିରବତା। ଓଡ଼ିଶାରେ ମୁଁ ଦେଖିଛି ପଥର ଉପରେ କବିତା। ଓଡ଼ିଶା ଚିର ଆଲିଙ୍ଗନ ମୁଦ୍ରାରେ। କେତେ ଦୂରଦୂରାନ୍ତରୁ ପକ୍ଷୀ ଆସୁଛନ୍ତି ଏହାର ଆକର୍ଷଣରେ। ଇତିହାସ ସାରା ମହାତ୍ମାମାନଙ୍କ ଧାଡ଼ି ଲାଗିଛି ଓଡ଼ିଶାକୁ। ଶଙ୍କରାଚାର୍ଯ୍ୟ, ଚୈତନ୍ୟ, ନାନକ, କବୀର .. .. ଯେ ଆସିଛନ୍ତି ଏ ମାଟି ତାଙ୍କୁ ଖାଲି ହାତରେ ଫେରାଇ ଦେଇନି। ଗତିମୁକ୍ତି ପ୍ରଦାୟିନୀ ଏ ମାଟି। ଡବ୍ଲୁ ଡବ୍ଲୁ ହଣ୍ଟର କହୁଛନ୍ତି, ଯେ ଏ ମାଟିରେ ପାଦ ଦେବ ତାର ସମସ୍ତ ପାପ ଉଭେଇଯିବ। ଯୋଗୀ ଋଷିଗଣ- ଉଟଜ-ପବିତ୍ରା। ଧନ୍ୟ ଓଡ଼ିଶା।

ମୋର ଭାଗ୍ୟ ମୁଁ ଓଡ଼ିଶାର ପ୍ରଥମ ସେବକ। ଓଡ଼ିଶା ମାଟିର ସେବା କରି ନିଜକୁ ଧନ୍ୟ ମନେକରୁଛି। ଆସନ୍ତୁ, ମୋ ରାଜ୍ୟ, ଆପଣଙ୍କର ରାଜ୍ୟ, ଆମ ସମସ୍ତଙ୍କର ରାଜ୍ୟ ଓଡ଼ିଶାର ସେବାରେ ନିଜକୁ ସମର୍ପିତ କରିବା।
ବନ୍ଦେ ଉତ୍କଳ ଜନନୀ

Comments are closed.