କ୍ଷୁଧାର୍ତ୍ତ କରୋନା ; ଜୀବନ-ଜୀବିକା ନିଷ୍ପତ୍ତି ଏବେ ନିଜ ହାତରେ

ରୋନାର ପଞ୍ଝା ଯେତେ ବିସ୍ତାରିତ ହେଉଛି ତା’ର ଭୋକ ସେତେ ବଢ଼ି ଚାଲିଛି। ଜୁନ୍‍ ୧୧ ତାରିଖ ସୁଦ୍ଧା ଘାତକ କରୋନା ବିଶ୍ୱର ୪ ଲକ୍ଷ ୧୯ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣ ନେଲାଣି। ୨୦୦ କୋଟିରୁ ଊର୍ଦ୍ଧ୍ବ ଚାକିରି ଖାଇଲାଣି। ବିଶ୍ୱ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିସାରିଲାଣି। ତଥାପି ତା’ର ଭୋକ ଆଉ ଶୋଷ ମେଣ୍ଟିନି।
ଆଉ ମାତ୍ର କିଛିଦିନ ପରେ କରୋନା ମହାମାରୀ ସଂକ୍ରମଣଜନିତ ଜୀବନ ସଙ୍କଟଠାରୁ ଜୀବିକା ସମସ୍ୟା ଟପିଯିବ – ଏହା ଏକପ୍ରକାର ସ୍ପଷ୍ଟ ହୋଇସାରିଛି। କରୋନା ସଂକ୍ରମଣରେ ଯେତିକି ଲୋକଙ୍କ ପ୍ରାଣହାନି ଘଟିବ ତା’ଠାରୁ ଅଧିକ ଲୋକ ବେରୋଜଗାରଜନିତ ଅନାହାର ଓ ଅପୁଷ୍ଟିଜନିତ ରୋଗରେ ପ୍ରାଣ ହରାଇବେ। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‍ଙ୍କ ସୂଚନା ଅନୁଯାୟୀ, ଆଗାମୀ ଦିନରେ ବିଶ୍ୱର ଉତ୍କଟ ଦରିଦ୍ର ସଂଖ୍ୟାରେ ଆଉ ୫ କୋଟି ଯୋଡ଼ି ହୋଇଯିବେ। ବିଶ୍ୱରେ ଏବେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ୍‍ ରହିଛି, କିନ୍ତୁ ସଂକ୍ରମଣ ଭୟଜନିତ କଟକଣା ଯୋଗୁଁ ପ୍ରକ୍ରିୟାକରଣ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ଫଳରେ ୧୪ କୋଟି ୪୦ ଲକ୍ଷ ଶିଶୁଙ୍କ ସମେତ ୮୨ କୋଟି ଲୋକ ଅନାହାର ଓ ଦାରିଦ୍ର୍ୟ ଭିତରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଆଗକୁ ଏହି ସ୍ଥିତି ଆହୁରି ସାଂଘାତିକ ହୋଇପାରେ। ବିଶ୍ୱ ମୋଟ ଘରୋଇ ଉତ୍ପାଦରେ ଗୋଟିଏ ପର୍ସେଣ୍ଟେଜ୍‍ ପଏଣ୍ଟ ହ୍ରାସ ପାଇଲେ ୭ ଲକ୍ଷ ଶିଶୁ ଅପୁଷ୍ଟିର ଶିକାର ହେବେ। କରୋନା ମହାମାରୀର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ କେତେ ଭୟଙ୍କର ହେବାକୁ ଯାଉଛି ତାହା ଏବେଠାରୁ ସ୍ପଷ୍ଟ ହୋଇସାରିଛି। ତେଣୁ ଆଗକୁ ଦାରିଦ୍ର୍ୟ, ଅନାହାର ଓ ଅପୁଷ୍ଟି ସମସ୍ୟା କେତେ ଉତ୍କଟ ହେବ ତାହା ସହଜରେ ଅନୁମେୟ।
ଆନ୍ତର୍ଜାତିକ ଶ୍ରମିକ ସଂଗଠନର ସୂଚନା ଅନୁଯାୟୀ ମହାମାରୀ ଯୋଗୁଁ ବିଶ୍ୱର ପ୍ରାୟ ଅଧା ଶ୍ରମଜୀବୀଙ୍କ ଜୀବିକା ଏବେ ସଙ୍କଟରେ ପଡ଼ିଛି। ଅଣ-ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୧୬୦ କୋଟି ବେକାର ହୋଇଯାଇଛନ୍ତି। ସେମାନଙ୍କ ସାମାଜିକ-ଅର୍ଥନୈତିକ ସୁରକ୍ଷା ବିପନ୍ନ ହୋଇଛି। ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରୁ ୪୦ କୋଟି ଶ୍ରମିକଙ୍କ ମଜୁରି ବନ୍ଦ ହୋଇଯାଇଛି। ରୋଜଗାର ନାହିଁ ତ ଖାଇବା ନାହିଁ ଓ ଭବିଷ୍ୟତ ନାହିଁ। କରୋନା ଏମାନଙ୍କର ଆହାର ଛଡ଼ାଇ ନେଇଛି। କେବଳ ଶ୍ରମଜୀବୀ ନୁହନ୍ତି, ବିଶ୍ୱର ୪୩୬ ନିୟୁତ ଆତ୍ମନିଯୁକ୍ତ ଓ ଛୋଟ ସଂସ୍ଥା ମଧ୍ୟ ଅନିଶ୍ଚିତତା ଓ ଆତଙ୍କିତ ଅବସ୍ଥା ଦେଇ ଗତି କରୁଛନ୍ତି। ବୃହତ୍‍ ଶିଳ୍ପ ସଂସ୍ଥାରୁ ଆରମ୍ଭ କରି ଲଘୁ ଉଦ୍ୟୋଗ ପର୍ଯ୍ୟନ୍ତ ଛଟେଇ ଆରମ୍ଭ ହୋଇଛି। ଯେଉଁକେତେକ ଭାଗ୍ୟଶାଳୀଙ୍କ ଚାକିରି ବଞ୍ଚିଯାଇଛି ସେମାନଙ୍କ ବେତନର ଅଧା କରୋନା ପାଟିକୁ ଯାଉଛି।
ଭାରତରେ ଏହି ସମସ୍ୟା ଆହୁରି ଉତ୍କଟ। ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ଯୋଗୁଁ କେବଳ ସେମାନେ ରୋଜଗାର ହରାଇ ନାହାନ୍ତି, ବରଂ ଉତ୍ପାଦନ ଓ ବଜାର ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ବିଭିନ୍ନ ଉପଭୋକ୍ତା ସାମଗ୍ରୀର ଉତ୍ପାଦନ ହ୍ରାସ ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିବାରେ ଲାଗିଛି। ଏକପକ୍ଷରେ ଛଟେଇ ଓ ରୋଜଗାର ହ୍ରାସ, ଅନ୍ୟପକ୍ଷରେ ଦରଦାମ ବୃଦ୍ଧି ଯୋଗୁଁ ପରିସ୍ଥିତି ଅଣାୟତ୍ତ ହେବାକୁ ଯାଉଛି। ବୁଲାବେପାରୀ, ଖଟିଖିଆ, ଛୋଟ ଦୋକାନୀମାନଙ୍କ ଆୟ ଶୂନ୍‍ ହୋଇଯାଇଛି। ଅପରପକ୍ଷରେ ଘରଭଡ଼ା ବାବଦରେ ବୁଝାମଣା କରିବାକୁ ଘରମାଲିକମାନେ ପ୍ରସ୍ତୁତ ନଥିବାରୁ ଲୋକମାନେ ଏବେ ରାଜରାସ୍ତାକୁ ଆସିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
କ୍ଷୁଧାର୍ତ୍ତ କରୋନା ଯେତେ ଜୀବନ ଓ ଜୀବିକା ନେଉଛି ତା’ର ଭୋକ ସେତେ ବଢ଼ି ଚାଲିଛି। ସବୁଠାରୁ ଉଦ୍‍ବେଗଜନକ ହେଲା କରୋନା-ମଣିଷ ଯୁଦ୍ଧରେ ଏବେ ଆଗଧାଡ଼ିର ଯୋଦ୍ଧା କୁହାଯାଉଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀମାନଙ୍କୁ କରୋନା ସିଧାସଳଖ ଆକ୍ରମଣ କରିଛି। ଲୋକମାନେ ଡାକ୍ତରଖାନା ଯିବାକୁ ଭୟ କରୁଛନ୍ତି। କରୋନା ବୋଧହୁଏ ଏହି ସଙ୍କେତ ଦେବାକୁ ଚାହୁଁଛି, ଯେତେବେଳେ ରକ୍ଷାକର୍ତ୍ତାମାନେ ନିଃସହାୟ ସେତେବେଳେ ସାଧାରଣ ନାଗରିକଙ୍କ ନିସ୍ତାର ନାହିଁ। ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଏବେ ଭାରତରେ ଘଟୁଛି। ଦେଶର ଜନସଂଖ୍ୟା ତୁଳନାରେ ଡାକ୍ତର ଓ ଡାକ୍ତରଖାନାର ଶଯ୍ୟା ସଂଖ୍ୟାର ଅନୁପାତ ଅତି ନୈରାଶ୍ୟଜନକ। ଭାରତରେ ଯଦି କରୋନା ଗଣ-ସଂକ୍ରମଣର ରୂପ ନିଏ ତେବେ ସଂକ୍ରମିତଙ୍କ ଚିକିତ୍ସା ଅସମ୍ଭାଳ ହୋଇଯିବ। ଏବେ ଦିଲ୍ଲୀରେ ଏହି ଆଶଙ୍କା ବାସ୍ତବ ରୂପ ନେବାକୁ ଯାଉଥିବାବେଳେ ଅନ୍ୟାନ୍ୟ ରେଡ୍‍ ସ୍ପଟ୍‍ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଉତ୍ପନ୍ନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଆତ୍ମସଂଯମ ଓ ଶୃଙ୍ଖଳିତ ଜୀବନଚର୍ଯ୍ୟା ହିଁ ମହାମାରୀ ସଂକ୍ରମଣରୁ ରକ୍ଷା ପାଇବାର ଏକମାତ୍ର ଉପାୟ ବୋଲି ମତ ପ୍ରକାଶ ପାଇଆସୁଥିଲା, କିନ୍ତୁ ବର୍ତ୍ତମାନର ସ୍ଥିତି ଓ ଗତି ଆଧାରରେ ଏହି ମତ ମଧ୍ୟ ଶତପ୍ରତିଶତ ଠିକ୍‍ ନୁହେଁ ବୋଲି ବୁଝାପଡ଼ୁଛି। ଜୀବିକା ବା ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ କ୍ଷୁଧାର୍ତ୍ତ କରୋନା ମୁହଁରୁ ବର୍ତ୍ତିବା ଏତେ ସହଜ ନୁହେଁ। ଆମେ ଯେତେ ସୁରକ୍ଷିତ ରହିଲେ ମଧ୍ୟ ଆମ ଚାରିପାଖରେ ଥିବା ପ୍ରତିଟି ସାମଗ୍ରୀ, ସ୍ଥାନ ଓ ବ୍ୟକ୍ତିବିଶେଷ କରୋନାର ବାହକ ହେବା ଅସମ୍ଭବ ନୁହେଁ। ତେଣୁ ଏବେ ଜୀବନ ଓ ଜୀବିକାର ନିଷ୍ପତ୍ତି ଲୋକଙ୍କ ହାତରେ। ସେମାନେ ନିଷ୍ପତ୍ତି ନେବେ କରୋନା ମୁହଁର ଆହାର ହେବେ ନା ଆଉ କିଛି ଦିନ ନିଜେ ଭୋକିଲା ରହି କରୋନାକୁ ଦୁର୍ବଳ କରିବେ।