ବନବିଦ୍ୟାଳୟ ବିଶ୍ବବିଦ୍ୟାଳୟ

ଗତ କିଛି ବର୍ଷ ହେଲା ଓଡ଼ିଶାରେ ବିଶ୍ବବିଦ୍ୟାଳୟ ଶବ୍ଦଟି ଭାରି ଶୁଣାଯାଉଚି। ଏଥିପାଇଁ ମନ୍ତ୍ରୀହାକିମମାନେ ଯେମିତି କସରତ କରୁଚନ୍ତି, ମନେହେଉଚି ରାଇଜର ସବୁ ବିଦ୍ୟାର ଆଳୟଗୁଡ଼ାକର ନାଁ ଆଗରେ ସତେକି ‘ବିଶ୍ବ’ ଯୋଡ଼ି ହୋଇଯିବ! କେତେକରେ ଯୋଡ଼ା ବି ହେଇସାରିଲାଣି, ‘ବିଦ୍ୟା’ ଓ ‘ଆଳୟ’ର ମାନ ଯାହା ଥାଉ ପଛକେ! ଏବେ ଓଡ଼ିଶାରେ ଯାହାକୁ ଯେତେ ବିଶ୍ବବିଦ୍ୟାଳୟ। ଏହି କ୍ରମରେ ସରକାର ଗୋଟାଏ ଭାଷା ବିଶ୍ବବିଦ୍ୟାଳୟ ଖୋଲିବାକୁ ବି ମନସ୍ଥ କରିଛନ୍ତି, ଯାହାର ନାମ ରହିଛି ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟ। ସତ୍ୟବାଦୀ କଥା ଭାବିଲେ ଯାହାଙ୍କ ନାମ ସର୍ବପ୍ରଥମେ ମାନସପଟରେ ଉଦ୍ଭାସିତ ହୁଏ, ସିଏ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ତାଙ୍କ ପ୍ରତିଷ୍ଠିତ ଶିକ୍ଷା-ଭାଷା-ସାହିତ୍ୟ-ଜାତୀୟତାବୋଧର ସାଧନା କେନ୍ଦ୍ର ସତ୍ୟବାଦୀ ବନବିଦ୍ୟାଳୟ। କେବଳ ଓଡ଼ିଶା ନୁହେଁ, ଏକଦା ସମଗ୍ର ଭାରତବର୍ଷରେ ଶିକ୍ଷାର ଏକ ଅପୂର୍ବ ଓ ଅନନ୍ୟ ପ୍ରୟୋଗଶାଳା ପାଲଟିଥିବା ଏହି ବନବିଦ୍ୟାଳୟ ପରିସରରେ ବିଶ୍ବବିଦ୍ୟାଳୟଟିଏ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ତ ନିଶ୍ଚୟ; କିନ୍ତୁ ଏହାର ନକ୍ସାରେ ମୋହର ମାରିବା ଦିନ ସରକାର ଏହାକୁ ନେଇ ଯେଉଁ ବାହାଦୁରୀ ଦେଖାଇବାକୁ ଚେଷ୍ଟା କରିଚନ୍ତି, ତାହା ଆଶା ଅପେକ୍ଷା ଅଧିକ ଆଶଙ୍କାର କାରଣ ହୋଇଚି। ସରକାର କହିଚନ୍ତି ଯେ ବିଶ୍ବବିଦ୍ୟାଳୟଟି ସତ୍ୟବାଦୀ ବନବିଦ୍ୟାଳୟ ଢାଞ୍ଚାରେ ହେବ। ଏହା କାହିଁକି ସମ୍ଭବ ଲାଗୁନାଇଁ, ସେକଥା କହିବା ପୂର୍ବରୁ ଗୋଟିଏ ସୂଚନା ଦେଇଦିଏଁ ଯେ ୨୦୧୭ ମସିହାରେ ସରକାର ପ୍ରଥମେ ଏପରି ଏକ ବିଶ୍ବବିଦ୍ୟାଳୟର ପରିକଳ୍ପନା କଲେ ଓ ‘ଓଡ଼ିଆ ବିଶ୍ବବିଦ୍ୟାଳୟ ବିଧେୟକ’ ପ୍ରସ୍ତୁତ କଲେ। ୨୦୧୮ରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଲା ଏବଂ ସେଥିନେଇ ପାଣ୍ଠି ବ୍ୟବସ୍ଥା ଓ ନକ୍ସା ଅଙ୍କନ କରୁକରୁ ୨୦୨୧ ମସିହା ଆସିଗଲା। ଗୋପବନ୍ଧୁ ଶହେ ବର୍ଷ ତଳେ ତାଙ୍କର ‘ସତ୍ୟବାଦୀ’ ପତ୍ରିକାରେ ସେଇ ଓଡ଼ିଶାର ଭାଷାସାହିତ୍ୟ ବିଷୟରେ ଆଲୋଚନା କରୁକରୁ ଠାଏ ଲେଖିଥିଲେ, ‘‘ଓଡ଼ିଶା କଥା ସ୍ବତନ୍ତ୍ର; ଓଡ଼ିଶାର ସବୁ ବିଷୟରେ ମନ୍ଥର ଗତି’’ (‘ସାହିତ୍ୟ ସମାଜ’), ଯାହା ଏବେ ବି ପ୍ରାସଙ୍ଗିକ ମନେ ହେଉନାହିଁ କି? ଆମ ମନ୍ତ୍ରୀହାକିମମାନେ ଅବଶ୍ୟ ବହୁତ ଚିନ୍ତା କରି ବିଶ୍ବବିଦ୍ୟାଳୟଟିଏ ଗଢ଼ୁଥିବାରୁ ବିଳମ୍ବ ହୋଇଥିବ!
ଇତିମଧ୍ୟରେ ପ୍ରସ୍ତାବିତ ବିଶ୍ବବିଦ୍ୟାଳୟର ନକ୍ସା ଅଙ୍କନ ସହ ୧୦ କୋଟି ଟଙ୍କାର ପାଣ୍ଠି ବି ବଜେଟ୍‌ରେ ଘୋଷଣା ହୋଇଚି; କିନ୍ତୁ ଏଥିରେ ରାଜ୍ୟର ସାହିତ୍ୟିକ-ବୁଦ୍ଧିଜୀବୀ-ଚିନ୍ତାଶୀଳ ବ୍ୟକ୍ତିଙ୍କର ମତାମତ ନିଆଯାଇନଥିବା କହି ଦ‌େଳ ଅସନ୍ତୁଷ୍ଟଙ୍କ ଅଭିଯୋଗ ଯେ ଭାଷା-ସାହିତ୍ୟ-ଗବେଷଣାରେ ଅମଲା, ହାକିମ ଆଉ ନେତାମନ୍ତ୍ରୀଙ୍କର କି କାମ! କିନ୍ତୁ ସେମାନେ ବୁଝିବା ଦରକାର ଯେ ଏମାନଙ୍କ ବିନା ଶାସନ ଅଚଳ, ଯେମିତି ଇଂରେଜୀ ବିନା ଓଡ଼ିଶା ଅଚଳ! ଏଇ ରାଜ୍ୟରେ କେତେ ସରକାର ଆସି ‘ଓଡ଼ିଆ ଭାଷାରେ ଓଡ଼ିଶା ଶାସନ’ ସ୍ଲୋଗାନ ଦେଇଦେଇ ଗଲେଣି; ଅଥଚ ଇଂରେଜୀ ହିଁ ଶାସନ-ପ୍ରଶାସନର ମୁଖ୍ୟଭାଷା ହୋଇ ଏବେ ବି ରହିଚି। ତେଣୁ ସରକାର ଓ ହାକିମବୃନ୍ଦ ଯେତେବେଳେ ବିଶ୍ବବିଦ୍ୟାଳୟ ବନବିଦ୍ୟାଳୟ ଢାଞ୍ଚାରେ ହିଁ ହେବ ବୋଲି ଅଟଳ ପ୍ରତିଜ୍ଞା କରିଚନ୍ତି; ସେଥିକୁ ଏତେ ଅଭିଯୋଗ କିଆଁ! ସତକୁ ସତ ସତ୍ୟବାଦୀର ପଞ୍ଚସଖା ଓ ବନବିଦ୍ୟାଳୟର ଶିକ୍ଷକମାନଙ୍କ ପରି ଏବେ ଓଡ଼ିଶାର କେଇଜଣ ଭାଷାବିତ୍‌-ସାହିତ୍ୟିକ-ବୁଦ୍ଧିଜୀବୀ ମଧ୍ୟ ସରକାରୀ ପଦଗଦକୁ ତୁଚ୍ଛ ମନେକରି ତ୍ୟାଗ କରିପାରିବେ? ଏମାନଙ୍କ ଭିତରୁ ଅଧାରୁ ଅଧିକ ତ ସରକାରଙ୍କ ବିଭୋର ଚାଟୁକାର। ଏଇଠି ଗୋଟିଏ ଘଟନା ସମସ୍ତଙ୍କର ସ୍ମରଣକୁ ଆସୁ।
୧୯୦୯ ଅଗଷ୍ଟ ୧୨ରେ ସତ୍ୟବାଦୀରେ ଯେଉଁ ମଧ୍ୟଇଂରାଜୀ ବିଦ୍ୟାଳୟଟି ପ୍ରତିଷ୍ଠିତ ହେଲା, ତାହାକୁ ଆରମ୍ଭରୁ ହିଁ ବନବିଦ୍ୟାଳୟ ଢାଞ୍ଚାରେ ଗଢ଼ାଗଲା। ‘ଗୁପ୍ତ ବୃନ୍ଦାବନ’ ନାମକ ଉଦ୍ୟାନରେ ବକୁଳ-ଛୁରୀଅନା ବୃକ୍ଷ ତଳେ ବସି ବିଭିନ୍ନ ଶ୍ରେଣୀର ପିଲାଏ ପାଠ ପଢ଼ିଲେ। ଶିକ୍ଷକମାନେ ଇଟାସିମେଣ୍ଟ ତିଆରି ପିଢ଼ି ବା ଚଉକିରେ ବସି ଶିକ୍ଷା ଦେଉଥିଲେ। ବର୍ଷାଦିନ ପାଇଁ କେତେ ବଖରା ଚାଳଘର ତିଆରି କରାଯାଇଥିଲା। ୧୯୧୭ରେ ଏହା ଉଚ୍ଚଇଂରାଜୀ ବିଦ୍ୟାଳୟରେ ପରିଣତ ହୋଇଥିଲା। ପ୍ରଥମ ତିନିଚାରିବର୍ଷ ସରକାରଙ୍କ ଶିକ୍ଷାବିଭାଗ ବା ବିଶ୍ବବିଦ୍ୟାଳୟ ସହ ସମ୍ପର୍କ ନରଖି ଏହା ଚାଲିଥିଲା। ପରେ ବିଶ୍ବବିଦ୍ୟାଳୟରେ ସାମିଲ୍‌ ହେଲା; କିନ୍ତୁ ୧୯୨୧ରେ ଏହା ଜାତୀୟ ବିଦ୍ୟାଳୟରେ ପରିଣତ ହେଲା। ଗୋପବନ୍ଧୁଙ୍କ ଅନିଚ୍ଛା ସତ୍ତ୍ବେ ମଝିରେ ବନବିଦ୍ୟାଳୟର ଅଭିଭାବକଗଣ ଓ ପରିଚାଳନା ମଣ୍ଡଳୀର ସଦସ୍ୟ ବିଦ୍ୟାଳୟଟିକୁ ସରକାରୀ ହୋଇଯିବାକୁ ପ୍ରବର୍ତ୍ତାଇଲେ ଏବଂ ସେଥିପାଇଁ ବିଶ୍ବବିଦ୍ୟାଳୟକୁ ଦରଖାସ୍ତ କରାଗଲା; କିନ୍ତୁ ବନବିଦ୍ୟାଳୟର ଢାଞ୍ଚା ସରକାରୀ ଢାଞ୍ଚା ସହ ଖାପ ଖାଇଲା ନାହିଁ; ତେଣୁ ସରକାରୀ ପାଣ୍ଠି ମଞ୍ଜୁର ହେଲାନାହିଁ। ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ ଯାହା ଲେଖିଥିଲେ, ତାହା ପ୍ରଣିଧାନଯୋଗ୍ୟ: ‘‘ଯଥାର୍ଥରେ କହିବାକୁ ଗଲେ ବର୍ତ୍ତମାନ ଶାସନ ପଦ୍ଧତିରେ ଭାରତରେ ଚଳୁଥିବା ଶିକ୍ଷାରେ ମୋର ଆଦୌ ବିଶ୍ବାସ ନାହିଁ। ମୋ ମତରେ ଶିକ୍ଷା କୌଣସି ପ୍ରକାରେ ଶାସନ ଶିକୁଳିରେ ଆବଦ୍ଧ ହେବା ଉଚିତ ନୁହେଁ। ଏପରିକି ସ୍ବରାଜ୍ୟ ସରକାରରେ ଶିକ୍ଷା ଶାସନର ଅଧୀନ ହେବା ମୋର ଇଚ୍ଛା ନୁହେଁ।’’ (୩.୧.୧୯୨୫) ପାଖାପାଖି ଶହେ ବର୍ଷ ତଳର ଏଇ କଥାଟି ପ୍ରକୃତରେ ଏବେ ବି କମ୍‌ ପ୍ରାସଙ୍ଗିକ ନୁହେଁ! ଇଂରେଜୀ-ପ୍ରଧାନ ସ୍ବରାଜ୍ୟ ଶାସନ ଆମ ସକଳ ପ୍ରକାରର ବିଦ୍ୟାର ଆଳୟଗୁଡ଼ାକୁ ଏପରି ପିଞ୍ଜରାବଦ୍ଧ କରି ରଖିଚି ଯେ ସେଗୁଡ଼ାକ ମୁକ୍ତ ଉଡ଼ାଣ କଥା ଭୁଲିଗଲେଣି। ‘ସ୍ବାୟତ୍ତ’ ବୋଲି କୁହାଯାଉଥିବା ବିଶ୍ବବିଦ୍ୟାଳୟଗୁଡ଼ାକ ବି ଆମୂଳଚୂଳ ପରାୟତ୍ତ! ଏଇଠି ମୁକ୍ତ ମନନ-ଚିନ୍ତନ, ନିଷ୍ଠାପର ଗବେଷଣା କି ମୌଳିକ ସର୍ଜନା କିପରି ସମ୍ଭବ ହେବ? ଓଡ଼ିଆ ବିଶ୍ବବିଦ୍ୟାଳୟ ଶାସନ ଶିକୁଳିରେ ଆବଦ୍ଧ ହେବ ନା ସେଥିରୁ ମୁକ୍ତ ରହିବ?
ସତ୍ୟବାଦୀ ବନବିଦ୍ୟାଳୟ ତା’ର ଅଳ୍ପାୟୁ ଭିତରେ ବି କେବଳ ଶିକ୍ଷାର ମୌଳିକ ପ୍ରୟୋଗ କ୍ଷେତ୍ରରେ ଅସାଧାରଣ ନଥିଲା, ଓଡ଼ିଆ ଭାଷାସାହିତ୍ୟକୁ ମଧ୍ୟ ଯେଉଁ ଅମୂଲ୍ୟ ଅବଦାନ ଦେଇଯାଇଛି ତା’ର ଦ୍ବିତୀୟ ଦୃଷ୍ଟାନ୍ତ ନାହିଁ। ଶହେବର୍ଷ ତଳେ ଓଡ଼ିଶା ଭୂଇଁରେ ଏପରି ବିଦ୍ୟାଳୟଟିଏ ଥିଲା, ଯେଉଁଠି ଓଡ଼ିଶାର ଉଚ୍ଚଶିକ୍ଷିତ, ବାଗ୍ମୀ, ସୁଲେଖକ, ଉଚ୍ଚ ମାନର କବି-ପ୍ରାବନ୍ଧିକମାନେ ଶିକ୍ଷାଦାନରେ ବ୍ରତୀ ହେବା ସହ ଉଚ୍ଚକୋଟୀର ସାହିତ୍ୟ ସର୍ଜନା କରିଥିଲେ, ତାହା ଏବେ ବି ବିସ୍ମୟର ବିଷୟ। ‘ସତ୍ୟବାଦୀ’ ପତ୍ରିକାର ପ୍ରତ୍ୟେକ ସଂଖ୍ୟାର ପ୍ରତିଟି ରଚନା ଓଡ଼ିଆ ସାରସ୍ବତ ଜଗତର ଶ୍ରେଷ୍ଠସ୍ଥାନ ଦାବି କରିବାର ସାମର୍ଥ୍ୟ ରଖେ। ବନବିଦ୍ୟାଳୟର ପ୍ରତିଷ୍ଠାତା-ସଂପାଦକ ପଣ୍ଡିତ ଗୋପବନ୍ଧୁଙ୍କ କାବ୍ୟକବିତା, ପ୍ରବନ୍ଧ; ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡିତ ନୀଳକଣ୍ଠ ଦାସଙ୍କ କବିତା, ପ୍ରବନ୍ଧ ଓ ସାହିତ୍ୟ ସମାଲୋଚନା; ଶିକ୍ଷକ ଗୋଦାବରୀଶ ମିଶ୍ରଙ୍କ କବିତା, ନାଟକ, ଅର୍ଥନୀତି ଓ ସ୍ବାସ୍ଥ୍ୟରକ୍ଷା ବିଷୟକ ପ୍ରବନ୍ଧଚୟ; ଶିକ୍ଷକ କୃପାସିନ୍ଧୁ ମିଶ୍ରଙ୍କ ଐତିହାସିକ ଓ ଦାର୍ଶନିକ ପ୍ରବନ୍ଧମାନ ତଥା ଆଚାର୍ଯ୍ୟ ହରିହରଙ୍କ ପ୍ରବନ୍ଧ ସଂକଳନ ଓଡ଼ିଆ ସାହିତ୍ୟାକାଶର ଗୋଟିଏଗୋଟିଏ ଉଜ୍ବଳ ନକ୍ଷତ୍ର। ପ୍ରଖର ବିଦ୍ବାନ ନୀଳକଣ୍ଠଙ୍କ ‘ସତ୍ୟବାଦୀ’ରେ ଧାରାବାହିକ ପ୍ରକାଶିତ ପ୍ରାଚୀନ ଭାରତର ଆର୍ଯ୍ୟମାନଙ୍କର ସାଂସ୍କୃତିକ ଜୀବନର ଇତିହାସ ଆଲୋଚନା ପରେ ପୁସ୍ତକାକାରରେ ମୁଦ୍ରିତ ହୋଇ ଉତ୍କଳ ବିଶ୍ବବିଦ୍ୟାଳୟର ପୋଷ୍ଟ୍‌ଗ୍ରାଜୁଏଟ୍‌ ପାଠ୍ୟପୁସ୍ତକ ଭାବେ ନିର୍ବାଚିତ ହୋଇଥିଲା। ବିଦ୍ୟାଳୟଟିଏ ବି ବିଶ୍ବବିଦ୍ୟାଳୟର କାର୍ଯ୍ୟ ତୁଲାଇପାରେ, ତାହା ସତ୍ୟବାଦୀ ବନବିଦ୍ୟାଳୟ ଜ୍ବଳନ୍ତ ପ୍ରମାଣ। ଇଂରେଜୀ ‘ୟୁନିଭର୍ସିଟି’କୁ ଆମେ ଓଡ଼ିଆରେ ବିଶ୍ବବିଦ୍ୟାଳୟ କହୁଚୁ, ଯାହା ଆସିଚି ମୂଳ ଲାଟିନ ଶବ୍ଦ ‘universitas magistrorum et scholarisum’ରୁ, ଯାହାର ମୋଟାମୋଟି ଅର୍ଥ ହେଲା ‘ଶିକ୍ଷକ ଓ ବିଦ୍ବାନମାନଙ୍କ ସମାଜ ବା ସଂପ୍ରଦାୟ’। ପାଶ୍ଚାତ୍ୟ ସଭ୍ୟତାର ଆଧୁନିକ ବ୍ୟୁତ୍ପତ୍ତି ଅନୁଯାୟୀ ‘ୟୁନିଭର୍ସିଟି’ରେ ‘ଶୈକ୍ଷିକ ସ୍ବାଧୀନତା’ ଏକ ଅନିବାର୍ଯ୍ୟ ଆବଶ୍ୟକତା। କହିବା ବାହୁଲ୍ୟ, ‘ୟୁନିଭର୍ସିଟି’ର ଉପରୋକ୍ତ ପ୍ରାଚୀନ ଓ ଆଧୁନିକ ସଂଜ୍ଞା, ଉଭୟ ମଧ୍ୟ ସତ୍ୟବାଦୀ ବନବିଦ୍ୟାଳୟକୁ ‘ବିଶ୍ବବିଦ୍ୟାଳୟ’ର ମାନ୍ୟତା ପ୍ରଦାନ କରିଥାଏ। ଅବଶ୍ୟ ତତ୍କାଳୀନ ଇଂରେଜ ସରକାର ହୁଅନ୍ତୁ ବା ଏବର ଇଂରେଜୀ-ପ୍ରଧାନ ସରକାର, ଏପରି କୌଣସି ବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଭାବେ ଗ୍ରହଣ କରିବେ ସେ ନେଇ ଘୋର ସଂଶୟ ରହିଚି। ଏହି ଦୃଷ୍ଟିରୁ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ମଧ୍ୟ ଆକଳନ କରାଯାଇପାରେ।
ସରକାରଙ୍କ ଅନୁଯାୟୀ, ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତିର ଉଚ୍ଚତର ଗବେଷଣା ହେବ। ଆମ ବିଶ୍ବବିଦ୍ୟାଳୟଗୁଡ଼ିକରେ କିପରି ଗବେଷଣା ହଉଚି ଏବଂ ସେଥିରେ ଓଡ଼ିଆ ଭାଷାର ସ୍ଥାନ କ’ଣ, ତାହା ଆମ ସଭିଙ୍କୁ ଅଳ୍ପବହୁତେ ଜଣା। ବେଳେବେଳେ ସନ୍ଦେହ ଉପୁଜୁଚି ଯେ ଆମ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାର ଦୈନ୍ୟକୁ ଘୋଡ଼ାଇବା ପାଇଁ ଏପରି ଏକ ସ୍ବତନ୍ତ୍ର ଭାଷା ବିଶ୍ବବିଦ୍ୟାଳୟଟିଏ ଖୋଲିବାର ଫିକର ହେଉନାହିଁ ତ? ଆମ ମାତୃଭାଷାରେ ଯଦି ଆମୂଳଚୂଳ ପ୍ରାଥମିକ ବିଦ୍ୟାଳୟଠୁ ବିଶ୍ବବିଦ୍ୟାଳୟ ଯାଏ ସବୁପ୍ରକାରର ବିଦ୍ୟା ଶିକ୍ଷା ଦିଆଯାଆନ୍ତା ଓ ଗବେଷଣା ହୁଅନ୍ତା, ତା’ହେଲେ ଏପରି ଏକ ସ୍ବତନ୍ତ୍ର ଭାଷା ବିଶ୍ବବିଦ୍ୟାଳୟର ଆବଶ୍ୟକତା ହୁଏତ ପଡ଼ିନଥାନ୍ତା। ଇଂରେଜୀ ଭାଷା ଭାରତୀୟ ସମାଜରେ ଶ୍ରେଣୀ ବିଭାଜନ, ଅର୍ଥାତ ଅଭିଜାତ ଓ ବଞ୍ଚିତ ଦୁଇ ଶ୍ରେଣୀ ସୃଷ୍ଟିର କାରଣ, ଯାହାକୁ ଅଟକାଇପାରିବ କେବଳ ମାତୃଭାଷା। ମାତୃଭାଷା ଯେପର୍ଯ୍ୟନ୍ତ ଜ୍ଞାନବିଜ୍ଞାନର ଭାଷା ପାଲଟିନାହିଁ, ତାହା ଇଂରେଜୀର ସ୍ଥାନ ନେଇପାରିବ ନାହିଁ ଏବଂ ଇଂରେଜୀ-ଅଜ୍ଞମାନେ ସର୍ବଦା ସେଥିରୁ ବଞ୍ଚିତ ହେଉଥିବେ। ଇଂରେଜୀକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରାଯାଉ, ସେକଥା ଆଦୌ ନୁହେଁ। ତାହା ରହିବା ଉଚିତ କେବଳ ଅନ୍ୟ ବିଦେଶୀ ଭାଷା ପରି ଦ୍ବିତୀୟ କି ତୃତୀୟ ଭାଷା ଭାବରେ। ମାତୃଭାଷା ହିଁ ହେବ ସର୍ବତ୍ର ଶିକ୍ଷାର ମାଧ୍ୟମ। ୟୁରୋପରେ ଯେତେଦିନ ପର୍ଯ୍ୟନ୍ତ ଲାଟିନ ଭାଷାର ଆଧିପତ୍ୟ ଥିଲା, ସେତେଦିନ ଯାଏ ଜ୍ଞାନବିଜ୍ଞାନ ସ୍ଥାଣୁ ଅବସ୍ଥାରେ ରହିଥିଲା। ନବଜାଗରଣ (ରେନେସଁା) ଯୁଗରେ ବିଭିନ୍ନ ଦେଶରେ ଯେତେବେଳେ ମାତୃଭାଷାର ମହତ୍ତ୍ବ ବଢ଼ିଲା ଓ ସର୍ବତ୍ର ବ୍ୟବହାର ହେବାକୁ ଲାଗିଲା, ସେତେବେଳେ ଯାଇ ଜ୍ଞାନବିଜ୍ଞାନ କ୍ଷେତ୍ରରେ ନୂଆ ଜୁଆର ଆସିଲା। ବିଶ୍ବର ସାହିତ୍ୟ, ଦର୍ଶନ, ବିଜ୍ଞାନ ଆଦି କ୍ଷେତ୍ରରେ ନରୱେ, ସୁଇଡେନ, ଡେନମାର୍କ ଆଦି କ୍ଷୁଦ୍ର ଦେଶଗୁଡ଼ିକର ବିପୁଳ ଅବଦାନ ସର୍ବସ୍ବୀକୃତ। କହିବାର ତାତ୍ପର୍ଯ୍ୟ, ଓଡ଼ିଆ ବିଶ୍ବବିଦ୍ୟାଳୟ ଏକ ଭାଷା ବିଶ୍ବବିଦ୍ୟାଳୟ ହେଲେମଧ୍ୟ ଏହା କେବଳ ଭାଷା ଓ ସାହିତ୍ୟଚର୍ଚ୍ଚା ତଥା ଭାଷାବିତ୍‌-ସାହିତ୍ୟିକଙ୍କ ମଧ୍ୟରେ ସୀମାବଦ୍ଧ ରହିବା ଉଚିତ ନୁହେଁ। ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପୂର୍ବରୁ ଓ ପରେ ବହୁ ବଡ଼ବଡ଼ ସ୍ବପ୍ନ ଦେଖାଯାଇଥିଲା, ଯାହା ମଉଳିସାରିଚି। ଏହା ଅବଶ୍ୟ ଅସ୍ବାଭାବିକ ନୁହେଁ। ସରକାର ସବୁ କରିଦେବେ ବୋଲି ଯେଉଁ ଧାରଣାଟି ରହିଚି, ତାହାକୁ ନଛାଡ଼ିବା ଯାଏ ବାସ୍ତବ ପନ୍ଥା ଖୋଜିପାଇବା ଅସମ୍ଭବ। ପ୍ରକୃତରେ ଶାସ୍ତ୍ରୀୟ ମାନ୍ୟତାର ଅର୍ଥ ଓଡ଼ିଆ ଭାଷାର ପ୍ରାଚୀନତା ଓ ସ୍ବତନ୍ତ୍ରତାକୁ ସରକାରୀ ସ୍ବୀକୃତି; କିନ୍ତୁ ଅସଲ ଆହ୍ବାନ ତ ଏହାକୁ ଜ୍ଞାନବିଜ୍ଞାନର ଭାଷା କରିବା, ଯେଉଁ ଦିଗରେ ଏ ଯାଏ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଓଡ଼ିଆ ବିଶ୍ବବିଦ୍ୟାଳୟ ଏ କ୍ଷେତ୍ରରେ ଏକ ଦିଗ୍‌ଦର୍ଶକ ଅନୁଷ୍ଠାନ ହୋଇପାରନ୍ତା, ସରକାରଙ୍କୁ ବି ଓଡ଼ିଆ ଶିଖାନ୍ତା; କିନ୍ତୁ ଗୋପବନ୍ଧୁଙ୍କ କହିବା ପରି ସରକାରୀ ଶିକୁଳି ବନ୍ଧା ହୋଇଥିଲେ ଏହା ସମ୍ଭବ ହେବାପରି ଲାଗୁନାହିଁ।
ବନବିଦ୍ୟାଳୟର ପ୍ରତିଷ୍ଠାତା ଗୋପବନ୍ଧୁଙ୍କ ପୁରୋଦୃଷ୍ଟି ଏଇଥିରୁ ଅନୁମେୟ ଯେ ୧୯୧୮ରେ ସେ ଭାରତର ଶ୍ରେଷ୍ଠ ମନୀଷୀ ରବୀନ୍ଦ୍ରନାଥ ଠାକୁରଙ୍କ ତତ୍କାଳୀନ ପୃଥିବୀ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ (୧୯୨୧ରେ ଜାତୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଲା) ଶାନ୍ତିନିକେତନ ଯାଇ ତା’ର ବୈଶିଷ୍ଟ୍ୟ ଅନୁଧ୍ୟାନ କରିଥିଲେ। ‘ସତ୍ୟବାଦୀ’ ପତ୍ରିକା (୧୩୨୫ ସାଲ୍‌ ଧନୁ ଓ ମକର ସଂଖ୍ୟା)ରେ ‘ବୋଲପୁର ଶାନ୍ତିନିକେତନ’ ଶୀର୍ଷକ ଭ୍ରମଣ ଆଲେଖ୍ୟରେ ତାହାର କର୍ମଧାରା ଓ ଆଦର୍ଶ ପ୍ରସଙ୍ଗରେ ସେ ଯାହା ଲେଖିଛନ୍ତି, ତାହା ଉଲ୍ଲେଖଯୋଗ୍ୟ: ‘‘ସ୍ବାଧୀନତା ଶାନ୍ତିନିକେତନର ନିୟାମକ ନୀତି। କୌଣସି ପ୍ରକାର ପରମ୍ପରା ଓ ପଦ୍ଧତିରେ ମାନବ ହୃଦୟକୁ ଆବଦ୍ଧ ନରଖି ତାହାର ସ୍ବଚ୍ଛନ୍ଦ ସ୍ବାଭାବିକ ବିକାଶ ନିମନ୍ତେ ସ୍ବାଧୀନତା ଦେବା ଏଠା ବିଧାନର ଲକ୍ଷ୍ୟ।’’ ପ୍ରତିଷ୍ଠାତାଙ୍କ ସହ ସମସ୍ତ ଶିକ୍ଷକ ଜାତୀୟ ସଂଗ୍ରାମରେ ଝାସଦେବା ଫଳରେ ବନବିଦ୍ୟାଳୟ କାଳଗର୍ଭରେ ଲୀନ ହୋଇଗଲା; କିନ୍ତୁ ଓଡ଼ିଶାରେ ଆଉ ସେପରି ଉତ୍କୃଷ୍ଟ ଶିକ୍ଷାଳୟଟିଏ ଏ ପର୍ଯ୍ୟନ୍ତ ଗଢ଼ାଯାଇପାରିଲା ନାହିଁ। ଗୋପବନ୍ଧୁଙ୍କ ପରି ଅନ୍ତର୍ଦୃଷ୍ଟିସଂପନ୍ନ ଆଉ ଜଣେହେଲେ ବୁଦ୍ଧିଜୀବୀ-ନେତା ଗତ ଶହେବର୍ଷ ଭିତରେ ଏ ରାଇଜରେ ଜନ୍ମ ନେଇନାହାନ୍ତି, ଯିଏ ରବୀନ୍ଦ୍ରନାଥ ମହର୍ଷି ଦେବେନ୍ଦ୍ରନାଥଙ୍କ ‘ବ୍ରହ୍ମବିଦ୍ୟାଳୟ’କୁ ‘ବିଶ୍ବଭାରତୀ’ରେ ରୂପାନ୍ତରିତ କରିବାଭଳି ସତ୍ୟବାଦୀ ବନବିଦ୍ୟାଳୟକୁ ‘ସତ୍ୟବାଦୀ ବିହାର’ (୧୯୨୫ରେ ସେ ହଜାରିବାଗ ଜେଲରୁ ଖଲାସ ହେବାପରେ ଏହି ନାମରେ ବିଦ୍ୟାଳୟର ପୁନର୍ଗଠନ ପାଇଁ କାମ ଆରମ୍ଭ କରିଥିଲେ ହେଁ ତାହା ଫଳବତୀ ହୋଇପାରିନଥିଲା) ବିଶ୍ବବିଦ୍ୟାଳୟରେ (ଓଡ଼ିଆ ବିଶ୍ବବିଦ୍ୟାଳୟ ପରି କେବଳ ‘ଭାଷା’ର ନୁହେଁ) ପରିଣତ କରିପାରିଥାନ୍ତେ। ଏହା ହିଁ ଓଡ଼ିଆ ଜାତିର ସବୁଠୁ ବଡ଼ ଦୁର୍ଭାଗ୍ୟ।

Comments are closed.