ହାତୀର ଦାନ୍ତ : ବ୍ୟବସ୍ଥାଗତ ତ୍ରୁଟି ସୁଧାରିବାକୁ ପଡ଼ିବ

ଟେଲିଭିଜନରେ ସିନେମା, ସିଧାପ୍ରସାରଣ କିମ୍ବା ମନପସନ୍ଦର କାର୍ଯ୍ୟକ୍ରମଟିଏ ଦେଖୁଥିବାବେଳେ ମଝିରେ ଅବାଞ୍ଛିତ ଭାବେ ପଶି ଆସୁଥିବା ବିଜ୍ଞାପନର ତିକ୍ତ-ମଧୁର ଅନୁଭୂତି ଆମମାନଙ୍କ ମଧ୍ୟରୁ ଅଳ୍ପବହୁତେ ସମସ୍ତଙ୍କର ଥିବ। ଲୟ ଭାଙ୍ଗି ଦେଉଥିବା ଅଭିଯୋଗରେ ଦର୍ଶକର ଗାଳି ଶୁଣୁଥିବା ବିଚରା ବିଜ୍ଞାପନଗୁଡ଼ିକ ମଧ୍ୟ ଯେ ବିଭ୍ରାନ୍ତ, ତାହା କିନ୍ତୁ ଆମମାନଙ୍କ ମଧ୍ୟରୁ ହୁଏତ ଅନେକେ ଜାଣି ନଥିବେ। ବିଜ୍ଞାପନଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଟିଭି ଚ୍ୟାନେଲ ଦ୍ବାରା ରଚିତ ଟିଆରପି (ଟେଲିଭିଜନ ରେଟିଂ ପଏଣ୍ଟ) ନାମକ ଚକ୍ରବ୍ୟୂହ ରଚନା(ଦୁର୍ନୀତି) ପଦାକୁ ଆସିବାପରେ ଦର୍ଶକମାନେ ଅଳ୍ପେ ବହୁତେ ଏ ବିଷୟରେ ଜାଣିବାର ଆଗ୍ରହ ପ୍ରକାଶ କରିଛନ୍ତି।
ଏହା ଅନସ୍ବୀକାର୍ଯ୍ୟ ଯେ ଦର୍ଶକଙ୍କଠାରୁ ଯେତେଯାହା ଗାଳି ଶୁଣିଲେ ମଧ୍ୟ ବିଜ୍ଞାପନ ହିଁ ଗଣମାଧ୍ୟମ ସଂସ୍ଥାର ‘ଜୀବନରକ୍ତ’, ଯାହା ବିନା ତିଷ୍ଠି ରହିବା ଏକପ୍ରକାର ଅସମ୍ଭବ। ଅପରପକ୍ଷରେ ବିଜ୍ଞାପନ ପାଇଁ ଗଣମାଧ୍ୟମ ବିଶେଷକରି ଟେଲିଭିଜନ ହିଁ ସର୍ବୋତ୍କୃଷ୍ଟ ମାଧ୍ୟମ। ଏଣୁ ଆଜିର ପ୍ରତିଯୋଗିତାପୂର୍ଣ୍ଣ ସମୟରେ ଗଣମାଧ୍ୟମ ଶିଳ୍ପ ସହିତ ବିଜ୍ଞାପନ ଶିଳ୍ପ ଯୋଡ଼ି ହୋଇଯାଇଛି ଏବଂ ଏଥିରୁ ଫିକ୍ସିଂ (ଅସାଧୁ ଉପାୟ ପ୍ରୟୋଗ ଦ୍ୱାରା କାର୍ଯ୍ୟ ସାଧନ) ନାମକ ରାକ୍ଷସ ଆତ୍ମପ୍ରକାଶ କରିବାର ସୁଯୋଗ ପାଇଛି। ସ୍ବାଭାବିକ ଭାବରେ ଯେଉଁ ଚ୍ୟାନେଲ ବା ଟିଭି ସଂସ୍ଥାର ଦର୍ଶକ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ, ବିଜ୍ଞାପନଦାତାମାନେ ସେହି ଚ୍ୟାନେଲକୁ ଅଧିକ ବିଜ୍ଞାପନ ଦେବାକୁ ଚାହିଁବେ। ତେଣୁ କେଉଁ ଚ୍ୟାନେଲର ଦର୍ଶକ ସଂଖ୍ୟା କେତେ, ତାହା ଜାଣିବା ପାଇଁ ବର୍ତ୍ତମାନ ‘ବାର୍କ’ (ବ୍ରଡକାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନସିଲ) ନାମକ ଏକ ସରକାରୀ ସ୍ବୀକୃତ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି।
ଟିଆରପି ପରିସଂଖ୍ୟାନ ଜାଣିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ରହୁଥିବା ଅଗଣିତ ଦର୍ଶକଙ୍କ ମଧ୍ୟରୁ ହାତଗଣତି କେତେକ ଦର୍ଶକଙ୍କ ଟେଲିଭିଜନ ସେଟ୍‌ରେ ଏକ ଉପକରଣ ଖଞ୍ଜି ଦିଆଯାଏ। ପିପୁଲମିଟର ନାମକ ଏହି ଉପକରଣ କାହାଘରେ ଲାଗିଛି ତାହା ଗୋପନୀୟ ରହେ। ପ୍ରତି ପିପୁଲ ମିଟର ପାଇଁ ଏକ ରିମୋଟ ଥାଏ। ରିମୋଟର ପ୍ରତି ନମ୍ବରକୁ ପରିବାର ସଦସ୍ୟମାନଙ୍କର ପ୍ରିୟ ଚ୍ୟାନେଲ ପାଇଁ ନିର୍ଦ୍ଧାରଣ କରାଯାଏ। କାର୍ଯ୍ୟକ୍ରମ ଦେଖିବା ଆରମ୍ଭ କରିବାବେଳେ ଦର୍ଶକ ପିପୁଲମିଟର ରିମୋଟର ସେହି ଚ୍ୟାନେଲ ପାଇଁ ଉଦ୍ଦିଷ୍ଟ ବଟନ ‘ଅନ’ କରିବେ ଏବଂ ଆଉ ଏକ ଚ୍ୟାନେଲ ବଦଳାଇବା ପୂର୍ବରୁ ସେହି ବଟନକୁ ‘ଅଫ୍‌’ କରି ଅନ୍ୟ ବଟମ ‘ଅନ’ କରିବେ। ମିଟର ଖଞ୍ଜିବା କାର୍ଯ୍ୟ ତୁଲାଇବା ପାଇଁ ବାର୍କ ‘ହାନ୍‌ସା ରିସର୍ଚ୍ଚ’ ନାମକ ଏକ ସହଯୋଗୀ ସଂସ୍ଥାର ସହାୟତା ନେଉଛି। ଏଠାରେ କହି ରଖିବା ଉଚିତ ହେବ ଯେ ଟିଆରପି ସମ୍ପର୍କିତ ବିବାଦ ବିଗତ ଦଶକରେ ୯୦ ଦଶକର ଶେଷାର୍ଦ୍ଧରୁ ଆରମ୍ଭ ହୋଇଛି ଏବଂ ସେହି ବିବାଦୀୟ ପରିସ୍ଥିତିରୁ ଚଳିତ ଶତାବ୍ଦୀର ପ୍ରଥମ ଦଶକର ଶେଷାର୍ଦ୍ଧରେ ବାର୍କ ଜନ୍ମ ନେଇଛି।
ଯେତେବେଳ ପର୍ଯ୍ୟନ୍ତ ଟେଲିଭିିଜନ ଦୁନିଆରେ ଦୂରଦର୍ଶନ ଅପ୍ରତିଦ୍ବନ୍ଦ୍ବୀ ଥିଲା ସେତେବେଳେ ପର୍ଯ୍ୟନ୍ତ ବିଜ୍ଞାପନକୁ ନେଇ କୌଣସି ବିବାଦ ନଥିଲା। ବିଂଶ ଶତାବ୍ଦୀର ୯୦ ଦଶକରେ ଜଗତୀକରଣ ସହିତ ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ ଦୁନିଆରେ ଏକାଧିକ ଘ‌େ‌ରାଇ ଟିଭି ସଂସ୍ଥା ବା ଚ୍ୟାନେଲର ଆବିର୍ଭାବ ସହିତ ବିଜ୍ଞାପନ ପାଇଁ ପ୍ରତିଯୋଗିତା ଆରମ୍ଭ ହେଲା। ଚ୍ୟାନେଲଗୁଡ଼ିକର ଲୋକପ୍ରିୟତା ମାପିବା ପାଇଁ ‘ଟାମ୍‌’ ଟେଲିଭିଜନ ଅଡିଆନ୍ସ ମେଜରମେଣ୍ଟ) ଗଠନ କରାଗଲା। ‘ଇନ୍‌ଟାମ’ (ଇଣ୍ଡିଆନ ନ୍ୟାସନାଲ ଟେଲିଭିଜନ ଅଡିଆନ୍ସ ମେଜରମେଣ୍ଟ) ମଧ୍ୟ ସମାନ୍ତରାଳ ଭାବେ ଚାଲିଲା। ଟିଭି ସଂସ୍ଥା ମଧ୍ୟରେ ପ୍ରତିଯୋଗିତା ତୀବ୍ର ହେବା ସହିତ ଉକ୍ତ ଦୁଇ ସଂସ୍ଥା ବିରୋଧରେ ବିଜ୍ଞାପନ ଫିକ୍ସିଂ ଅଭି‌େ‌ଯାଗ ଆସିଲା। ୨୦୦୮ରେ ଏହି ପ୍ରସଙ୍ଗ ସଂସଦକୁ ଯିବାପରେ ରେଟିଂ ସଂସ୍ଥାମାନଙ୍କର ମାନଦଣ୍ଡ ନିର୍ଦ୍ଧାରଣ କରିବା ପାଇଁ ଟେଲିକମ୍‌ ନିୟାମକ ପ୍ରାଧିକରଣ(ଟ୍ରାଇ)କୁ ତତ୍କାଳୀନ କେନ୍ଦ୍ର ସରକାର ନିର୍ଦେଶ ଦେଲେ। ଟ୍ରାଇର ପରାମର୍ଶ ଓ ସୁପାରିସ କ୍ରମେ ଏକ ଶିଳ୍ପ ସଂସ୍ଥା ଭାବେ ‘ବାର୍କ’ ଜନ୍ମ ନେଇ ୨୦୧୦ରୁ କାର୍ଯ୍ୟକାରୀ ହେଲା; କିନ୍ତୁ ନିୟାମକ ସଂସ୍ଥା ପାଇଁ ମାର୍ଗଦର୍ଶିକା ଜାରି କରିବାକୁ ଆହୁରି ୪ବର୍ଷ ଲାଗିଗଲା। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୨୦୧୪ ଜାନୁଆରୀରେ ମାର୍ଗଦର୍ଶିକା ଜାରିକଲା ଏବଂ ୨୦୧୫ ଜୁଲାଇ ୨୮ ତାରିଖରେ ‘ବାର୍କ’ ସ୍ବୀକୃତି ପାଇଲା। ୨୦୧୬ ଫେବୃଆରୀରେ ‘ଟାମ’ ଓହରିଯିବା ପରେ(ଇନଟାମ ବହୁ ପୂର୍ବରୁ ଓହରି ଯାଇଥିଲା) ଟିଆରପି ନିର୍ଦ୍ଧାରଣରେ ‘ବାର୍କ’ ହିଁ ଏକମାତ୍ର ସଂସ୍ଥା ରହିଲା। ଯେଉଁଠି ଏକଚାଟିଆ ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ ସେଠାରେ ନୈତିକତାର ଅନୁପସ୍ଥିତି ବାରି ହୋଇପଡ଼େ। ତେଣୁ ଟିଆରପି ଦୁର୍ନୀତିରୁ ବାର୍କ ମୁକୁଳି ଯାଆନ୍ତା କିପରି?
କେତେକ ନୂଆ ଟିଭି ଚ୍ୟାନେଲ ବା ସଂସ୍ଥା ପିପୁଲମିଟର ଲଗାଉଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରି ଟିଆରପି ଫିକ୍ସିଂ ଆରମ୍ଭ କଲେ। ଏହି ଫିକ୍ସିଂରେ ପିପୁଲମିଟର ଲଗାଯାଇଥିବା ପରିବାରକୁ ରିମୋଟର ନିର୍ଦିଷ୍ଟ ବଟନକୁ ଦୀର୍ଘ ସମୟ ପାଇଁ ‘ଅନ୍‌’ ରଖିବାକୁ ଅନୁରୋଧ କରାଯାଏ। ପ୍ରତି ବଦଳରେ ଉକ୍ତ ପରିବାରକୁ ପାରିତୋଷିକ/ଉପହାର ଆଦି ଦିଆଯାଏ। ଏ ବିଷୟରେ ଜାଣିବା ପରେ ‘ହାନ୍‌ସା’ କର୍ତ୍ତୃପକ୍ଷ ୨୦୧୮ରେ ଅଭିଯୋଗ କରିଥିଲେ ହେଁ ପ୍ରମାଣ ଅଭାବରୁ କାର୍ଯ୍ୟାନୁଷ୍ଠାନ ହୋଇ ପାରିନଥିଲା। ଏବେ କିନ୍ତୁ ମୁମ୍ବଇ ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିଛି। ପ୍ରାଥମିକ ତଦନ୍ତ ଆଧାରରେ ‘ହାନ୍‌ସା’ର ଦୁଇଜଣ କର୍ମଚାରୀଙ୍କୁ ଗିରଫ କରି ଜେରା କରିବା ପରେ ଏହା ପଛରେ ମହାରାଷ୍ଟ୍ରର ଦୁଇଟି ଆଞ୍ଚଳିକ ଚ୍ୟାନେଲ ଓ ଗୋଟିଏ ଜାତୀୟସ୍ତରର ଟିଭି ଚ୍ୟାନେଲ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି।
ସମ୍ପୂର୍ଣ୍ଣ ଘଟଣା ଓ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଟିଆରପିକୁ ‘ହାତୀର ଦେଖିବା ଦାନ୍ତ ଓ ଖାଇବା ଦାନ୍ତ’ ରୂଢ଼ି ସହିତ ତୁୁଳନା କରାଯାଇପାରେ। ଅର୍ଥାତ୍‌ ଟିଆରପିରେ ଯାହା ଦେଖାଯାଉଛି ତାହା ବାସ୍ତବ ନୁହେଁ, ଯାହା ବାସ୍ତବ ତାହା ଆଢ଼ୁଆଳରେ ରହିଯାଉଛି। ଏଥିପାଇଁ କିନ୍ତୁ କୌଣସି ସଂସ୍ଥାକୁ ଦାୟୀ ନକରି ବିଧିବ୍ୟବସ୍ଥାକୁ ଦାୟୀ କରିବା ଉଚିତ ହେବ। ୧୩୦କୋଟି ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷରେ ମାତ୍ର ୪୦ହଜାର ମିଟର ପ୍ରକୃତ ମାପଦଣ୍ଡ ନିର୍ଦ୍ଧାରଣ କରିପାରିବ ନାହିଁ। ସେଟଅପ୍‌ ଯନ୍ତ୍ରରେ ଯଦି ପିପୁଲମିଟର ବ୍ୟବସ୍ଥା କରାଯାଇପାରନ୍ତା ତା’ହେଲେ ଟିଆରପିର ବାସ୍ତବ ଚିତ୍ର ପଦାକୁ ଆସିପାରନ୍ତା। ଟ୍ରାଇ କିମ୍ବା ସୂଚନା ପ୍ରସାରଣ ମନ୍ତ୍ରାଳୟର ପ୍ରତ୍ୟକ୍ଷ ପରିଚାଳନାରେ ଏହି କାର୍ଯ୍ୟ ସମ୍ପନ୍ନ ହେଲେ ହାତୀର ଦାନ୍ତ ଚିହ୍ନିବାରେ କଷ୍ଟ ହୁଅନ୍ତା ନାହିଁ।

Comments are closed.