ପ୍ରଥମ ସବାକ୍‌ ଚଳଚ୍ଚିତ୍ରର ଇତିହାସ

‘ଆଲମ୍‌ ଆରା’ର ସ୍ଥାନ ଭାରତୀୟ ଚଳଚ୍ଚିତ୍ର ଇତିହାସରେ ସ୍ବତନ୍ତ୍ର

ବିଜନ କୁମାର ମହାପାତ୍ର

ଦାଦାସାହେବ ଫାଲ୍‌କେ ହେଉଛନ୍ତି ଭାରତୀୟ ସିନେମାର ଜନକ। ଭାରତରେ ଚଳଚ୍ଚିତ୍ର ଶିଳ୍ପର ମୂଳଦୁଆ ପକାଇଥିଲେ ଦାଦାସାହେବ ଫାଲ୍‌କେ। ସେ ନିର୍ମାଣ କରିଥିଲେ ଭାରତର ପ୍ରଥମ ଚଳଚ୍ଚିତ୍ର ‘ରାଜା ହରିଶ୍ଚନ୍ଦ୍ର’। ଏହା ଥିଲା ଏକ ନିର୍ବାକ୍‌ ବା ସାଇଲେଣ୍ଟ ଫିଲ୍ମ; କିନ୍ତୁ ଭାରତରେ ଟକି ବା କଥାକୁହା ଚଳଚ୍ଚିତ୍ରର ଜନକ ହେଉଛନ୍ତି ଆର୍ଦେଶିର ଇରାନୀ। ଇରାନୀଙ୍କ ନିର୍ଦେଶିତ ‘ଆଲମ ଆରା’ ହେଉଛି ଭାରତର ପ୍ରଥମ କଥାକୁହା ବା ସବାକ୍ (ଟକି) ଚଳଚ୍ଚିତ୍ର। ୧୯୩୧ ମସିହା ମାର୍ଚ୍ଚ ୧୪ ରେ ମୁକ୍ତିଲାଭ କରିଥିଲା ‘ଆଲମ ଆରା’। ମୁମ୍ବଇର ମ୍ୟାଜେଷ୍ଟିକ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା ଭାରତର ପ୍ରଥମ ସବାକ୍‌ ଚଳଚ୍ଚିତ୍ର। ଏଥି ସହ ଆରମ୍ଭ ହୋଇଥିଲା ଭାରତୀୟ ଚଳଚ୍ଚିତ୍ରର ସବାକ୍‌ ଯୁଗ। ଇତିମଧ୍ୟରେ ଆଲମ ଆରାକୁ ପୂରିଛି ୯୦ ବର୍ଷ। ଏହି ଚଳଚ୍ଚିତ୍ର ନିର୍ମାଣ ସହ ଯୋଡି ହୋଇ ରହିଛି ଅନେକ କୌତୂହଳପୂର୍ଣ୍ଣ ଓ ରୋମାଞ୍ଚକର ତଥ୍ୟ।
ଭାରତୀୟ ସିନେମା ଇତିହାସରେ ‘ଆଲମ ଆରା’ର ଶୁଭମୁକ୍ତି ଥିଲା ଏକ ଐତିହାସିକ ଘଟଣା। ସେତେବେଳେ ମୂକ ଚଳଚ୍ଚିତ୍ରର ଯୁଗ ଥିଲା। କ୍ରମଶଃ ସବାକ୍‌ ବା କଥାକୁହା ଚଳଚ୍ଚିତ୍ରର ଜ୍ଞାନକୌଶଳ ବିକଶିତ ହେଲା ପରେ ନିର୍ମାତାଙ୍କ ମଧ୍ୟରେ ଏ ପ୍ରକାର ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଆଗ୍ରହ ବଢିଥିଲା। ଏ କ୍ଷେତ୍ରରେ ପ୍ରଥମେ ବାଜି ମାରିଥିଲେ ଜଣେ ପାର୍ସୀ ନିର୍ମାତା ନିର୍ଦେଶକ ଆର୍ଦେଶିର ଇରାନୀ। ତେଣୁ ଇରାନୀଙ୍କୁ ଭାରତରେ କଥାକୁହା ଚଳଚ୍ଚିତ୍ରର ଜନକ ବୋଲି କୁହାଯାଏ।
୧୮୮୬ ମସିହାରେ ତତ୍କାଳୀନ ବମ୍ବେ ପ୍ରେସିଡେନ୍‌ସୀର ପୁଣେରେ ଜନ୍ମ ଗ୍ରହଣ କରିଥିବା ଆର୍ଦେଶିର ଇରାନୀ ଥିଲେ ଜଣେ ଚଳଚ୍ଚିତ୍ରପ୍ରେମୀ। ବମ୍ବେର ଜେ.ଜେ ଫ୍ୟାକଲ୍ଟି ଅଫ୍ ଆର୍ଟସରେ ନାମଲେଖା ପୂର୍ବରୁ ଇରାନୀ ଥିଲେ ଜଣେ କଲେଜ ଟ୍ରେନର ଓ କିରାସିନି ଇନ୍ସପେକ୍ଟର। ଯୁବାବସ୍ଥାରେ ସେ ଏକ ଟେଣ୍ଟ ସିନେମାଘରର ସହ ମାଲିକ ଥିଲେ। ପରେ ଏକ ଥିଏଟର ବି ପ୍ରତିଷ୍ଠା କରିଥିଲେ ଇରାନୀ। ଚଳଚ୍ଚିତ୍ର ନିଶା ଥିଲା ପ୍ରବଳ। ୧୯୧୭ରେ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିଲେ ଇରାନୀ। ୧୯୨୦ରେ ତାଙ୍କ ପ୍ରଯୋଜିତ ପ୍ରଥମ ନିର୍ବାକ୍‌ ଚଳଚ୍ଚିତ୍ର ‘ନଳ ଦମୟନ୍ତୀ’ ନିର୍ମାଣ କରିଥିଲେ ଇରାନୀ। ଏହି ଚଳଚ୍ଚିତ୍ରର ସଫଳତା ପରେ ସେ ଆଉ କିଛି ନିର୍ବାକ୍‌ ଚଳଚ୍ଚିତ୍ର ବି ନିର୍ମାଣ କରିଥିଲେ। ୧୯୨୫ରେ ଇରାନୀଙ୍କ ମାଜେଷ୍ଟିକ ମୁଭିଜ୍‌କୁ ଇମ୍ପେରିଆଲ ମୁଭି କଂପାନୀ ଅଧିଗ୍ରହଣ କରିଥିଲା। ସେତେବେଳକୁ ଭାରତୀୟ ସିନେମାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ଆର୍ଦେଶିର। ଇମ୍ପେରିଆଲ ମୁଭିଟୋନ (ଇମ୍ପେରିଆଲ ଷ୍ଟୁଡିଓ) ବ୍ୟାନରରେ ହିଁ ନିର୍ମିତ ହୋଇଥିଲା ଆଲମ ଆରା ଚଳଚ୍ଚିତ୍ର।
୧୯୨୭ରେ ମୁକ୍ତିଲାଭ କରିଥିଲା ହଲିଉଡ୍‌ର ପ୍ରଥମ କଥାକୁହା ବା ସବାକ୍ ଚଳଚ୍ଚିତ୍ର ‘ଦି ଜାଜ୍ ସିଙ୍ଗର’। ଏହି ଚଳଚ୍ଚିତ୍ରର ଅଭୂତପୂର୍ବ ଲୋକପ୍ରିୟତା ନିର୍ବାକ୍‌ ଚଳଚ୍ଚିତ୍ର ଯୁଗର ପତନ ଆରମ୍ଭ କରିଥିଲା। ୧୯୨୯ର ହଲିଉଡ୍‌ର ଆଂଶିକ କଥାକୁହା ଚଳଚ୍ଚିତ୍ର ‘ଶୋ ବୋଟ୍‌’ ବମ୍ବେର ଏକ୍ସେଲସିୟର ସିନେମା ହ୍‌ଲରେ ପ୍ରଦର୍ଶିତ ହୋଇଥିଲା। ‘ଶୋ ବୋଟ’ ଦେଖିବା ପରେ ହିଁ କଥାକୁହା ଚଳଚ୍ଚିତ୍ର ନିର୍ମାଣ ପାଇଁ ମନ ବଳାଇଥିଲେ ଆର୍ଦେଶିର ଇରାନୀ।
କଥାକୁହା ଚଳଚ୍ଚିତ୍ରର ନିର୍ମାଣ ଶୈଳୀ ସଂପର୍କରେ ପ୍ରଥମେ ଜ୍ଞାନ ଆହରଣ କଲେ ଆର୍ଦେଶିର ଇରାନୀ। ଭାରତର ପ୍ରଥମ କଥାକୁହା ଚଳଚ୍ଚିତ୍ର ନିର୍ମାଣ ଯୋଜନାକୁ ଅତି ଗୋପନ ରଖିଥିଲେ ଇରାନୀ। କାରଣ ସେତେବେଳେ ବମ୍ବେରେ ସକ୍ରିୟ ଅନ୍ୟ ଭାରତୀୟ ଚଳଚ୍ଚିତ୍ର କଂପାନୀ ବା ଷ୍ଟୁଡିଓଗୁଡିକ ମଧ୍ୟ କଥାକୁହା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ। ୧୯୨୯ ମସିହା ବେଳକୁ ଇରାନୀ ତାଙ୍କ ସ୍ବପ୍ନର ପ୍ରକଳ୍ପ ଉପରେ କାମ ଆରମ୍ଭ କରିଦେଇଥିଲେ।
ସ୍ଥାନୀୟ ନାଟ୍ୟକାର ଯୋଶେଫ୍ ଡେଭିଡଙ୍କ ମଂଚ ନାଟକ ‘ଆଲମ ଆରା’ କାହାଣୀ ଉପରେ କଥାକୁହା ଚଳଚ୍ଚିତ୍ର ନିର୍ମାଣ କରିବାକୁ ମନସ୍ଥ କରିଥିଲେ ଆର୍ଦେଶିର ଇରାନୀ। ଅଧିକରୁ ଅଧିକ ଦର୍ଶକଙ୍କ ମଧ୍ୟରେ ପହଞ୍ଚିବା ପାଇଁ ‘ଆଲମ ଆରା’କୁ ହିନ୍ଦୀ ଭାଷାରେ ପ୍ରସ୍ତୁତ କରିବା ପାଇଁ ସ୍ଥିର କରିଥିଲେ ଇରାନୀ। ଜଣେ ରାଜକୁମାର ଓ ଆଦିବାସୀ କନ୍ୟା ମଧ୍ୟରେ ପ୍ରେମ କାହାଣୀ ଉପରେ ଆଧାରିତ ଥିଲା ‘ଆଲାମ ଆରା’। ଭାରତର ସର୍ବପ୍ରଥମ କଥାକୁହା ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ ମୂକ ବା ସାଇଲେଣ୍ଟ ଚଳଚ୍ଚିତ୍ର ନିର୍ମାଣ ଓ ନିର୍ଦେଶନାରେ ଦକ୍ଷତା ହାସଲ କରିସାରିଥିଲେ ଆର୍ଦେଶିର ଇରାନୀ। ୧୯୨୨ରେ ‘ବୀର ଅଭିମନ୍ୟୁ’ ଥିଲା ଇରାନୀଙ୍କ ନିର୍ଦେଶିତ ପ୍ରଥମ କଥାକୁହା ଚଳଚ୍ଚିତ୍ର।
ସେତେବେଳେ ଭାରତୀୟ ଚଳଚ୍ଚିତ୍ର ବୈଷୟିକ ଦୃଷ୍ଟିରୁ ସେତେ ବିକଶିତ ନ ଥିଲା। ଧ୍ୱନିଯୁକ୍ତ ଚଳଚ୍ଚିତ୍ର କେମିତି ନିର୍ମାଣ ହୁଏ ତାହା ଭାରତୀୟ ଟେକ୍‌ନିସିଆନଙ୍କୁ ଜଣା ନ ଥିଲା। ଇରାନୀ ଆଲମ ଆରା ଚଳଚ୍ଚିତ୍ର ପାଇଁ ହଲିଉଡ୍‌ର ଜଣେ ଧ୍ୱନି ବିଶେଷଜ୍ଞ ୱିଲଫୋର୍ଡ ଡେମିଂ ଜୁନିୟରଙ୍କଠାରୁ ସାଉଣ୍ଡ ରେକର୍ଡିଂର ମୌଳିକ ଜ୍ଞାନ ଶିଖିଥିଲେ। ଆଲମ ଆରା ଚଳଚ୍ଚିତ୍ର ପାଇଁ ବୈଷୟିକ ସହାୟତା ଦେବାକୁ ବମ୍ବେ ଆସିଥିଲେ ୱିଲଫୋର୍ଡ ଡେମିଂ ଜୁନିୟର; କିନ୍ତୁ ଆଲମ ଆରାର ସାଉଣ୍ଡ ରେକର୍ଡ ପାଇଁ ଦିନକୁ ୧୦୦ ଟଙ୍କା ଦାବି କରିଥିଲେ। ସେ ଯୁଗରେ ୧୦୦ ଟଙ୍କା ଥିଲା ମୋଟା ପରିମାଣ। ଅଧିକ ବ୍ୟୟ ଏଡାଇବାକୁ ଇରାନୀ ନିଜେ ହିଁ ଚଳଚ୍ଚିତ୍ରର ସାଉଣ୍ଡ ରେକର୍ଡ କରିବାକୁ ସ୍ଥିର କରିଥିଲେ। ଏ କଥା ନିଜେ ଇରାନୀ, ଚଳଚ୍ଚିତ୍ର ଐତିହାସିକ ବି.ଡି ଗର୍ଗଙ୍କୁ ଏକ ସାକ୍ଷାତକାରରେ କହିଥିଲେ। ସିଙ୍ଗଲ୍–ସିଷ୍ଟମ କ୍ୟାମେରାରେ ଆଲମ ଆରାର ଶୁଟିଂ କରାଯାଇଥିଲା। ଏହି କ୍ୟାମେରାରେ ଛବି ସହ ଧ୍ୱନି ବା ଶବ୍ଦ ବି ରେକର୍ଡିଂ ହୋଇପାରୁଥିଲା। ଆଲମ ଆରା ଶୁଟ୍ ହେଉଥିବା ଷ୍ଟୁଡିଓ ନିକଟରେ ରେଳଧାରଣା ଥିଲା। ସେତେବେଳେ ସାଉଣ୍ଡ ପ୍ରୁଫ୍ ବ୍ୟବସ୍ଥା ନ ଥିଲା। ତେଣୁ କୋଳାହଳମୟ ବାତାବରଣ ଯେମିତି ପ୍ରତିବନ୍ଧକ ସୃଷ୍ଟି ନ କରିବ, ସେଥିପାଇଁ ଚଳଚ୍ଚିତ୍ରର ଅଧିକାଂଶ ଭାଗ ରାତି ଗୋଟାଏରୁ ଭୋର୍ ୪ଟା ମଧ୍ୟରେ ଶୁଟ୍ କରାଯାଇଥିଲା। ଅଭିନେତାଙ୍କ ସଂଳାପ ରେକର୍ଡ ପାଇଁ ଗୁପ୍ତଭାବେ ବଡ ବଡ ମାଇକ୍ରୋଫୋନ ଖଞ୍ଜା ଯାଇଥିଲା।
ଆଲମ ଆରା ଏକ କଥାକୁହା ଚଳଚ୍ଚିତ୍ର ହୋଇଥିବାରୁ ଭଲଭାବେ ହିନ୍ଦୁସ୍ତାନୀ ବା ଉର୍ଦୁ କହିପାରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ନାୟିକା ଭାବେ ପ୍ରଥମ ପସନ୍ଦ ଥିଲେ ଇରାକୀ-ପାର୍ସୀ ଅଭିନେତ୍ରୀ ରୁବି ମାୟର୍ସ, ଯିଏ କି ସୁଲୋଚନା ନାମରେ ପ୍ରସିଦ୍ଧ ଥିଲେ; କିନ୍ତୁ ତାଙ୍କର ହିନ୍ଦୀ ଭଲ ନ ଥିବାରୁ ନାୟିକା ଭାବେ ଜୁବୈଦାଙ୍କୁ ନିଆଯାଇଥିଲା। ନାୟକ ଭୂମିକା ପାଇଁ ପ୍ରଥମେ ଆଶାୟୀ ଅଭିନେତା ମେହବୁୁବ ଖାନ (ପରେ ମଦର ଇଣ୍ଡିଆ ଭଳି କ୍ଲାସିକ ଚଳଚ୍ଚିତ୍ରର ନିର୍ଦେଶକ)ଙ୍କୁ ମନୋନୟନ କରାଯାଇଥିଲା; କିନ୍ତୁ ସେ ପରିଚିତ ନ ଥିବାରୁ ସେତେବେଳର ଲୋକପ୍ରିୟ ଅଭିନେତା ଓ ଷ୍ଟଂଟମ୍ୟାନ୍ ମାଷ୍ଟର ବିଠଲଙ୍କୁ ଲିଡ୍ ରୋଲ ପାଇଁ ଅନୁବନ୍ଧିତ କରାଗଲା। ଆଲମ ଆରାର ଅନ୍ୟ କଳାକାରମାନଙ୍କ ମଧ୍ୟରେ ପୃଥ୍ୱୀରାଜ କପୁର ଥିଲେ ପ୍ରମୁଖ। ମୋଟ ୭୮ ଜଣ କଳାକାର ଆଲମ ଆରା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
ଆଲମ ଆରା ଚଳଚ୍ଚିତ୍ରରେ ଥିଲା ୭ଟି ଗୀତ। ଅଧିକାଂଶ ଗୀତ ନାୟିକା ଜୁବୈଦା ଗାଇଥିଲେ। ଚଳଚ୍ଚିତ୍ରର ପ୍ରଥମ ଗୀତ ଥିଲା – ‘ଦେ ଦେ ଖୁଦା କେ ନାମ ପେ ପ୍ୟାରେ …’ । ହିନ୍ଦୀ ଚଳଚ୍ଚିତ୍ରର ଏହା ପ୍ରଥମ ଗୀତ। ଚଳଚ୍ଚିତ୍ରରେ ଜଣେ ଫକିର ଭୂମିକାରେ ଅଭିନୟ କରିଥିବା ବଜୀର ମହମ୍ମଦ ଗାଇଥିଲେ ଏହି ଗୀତ। ଆଲମ ଆରା ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୪୦ ହଜାର ଟଙ୍କା। ସେତେବେଳର ହିସାବରେ ଏହା ଏକ ବ୍ୟୟବହୁଳ ସବାକ୍ ଚଳଚ୍ଚିତ୍ର ଥିଲା। ଚଳଚ୍ଚିତ୍ରର ସୁଟିଂ ସରିବାକୁ ୪ ମାସ ସମୟ ଲାଗିଥିଲା।
୧୯୩୧ ମସିହା ମାର୍ଚ୍ଚ ୧୪ ତାରିଖରେ ବମ୍ବେରେ ମୁକ୍ତିଲାଭ କରିଥିଲା ଆଲମ ଆରା। ଭାରତୀୟ ସିନେମା ଇତିହାସରେ ଲେଖାଗଲା ନୂଆ ଅଧ୍ୟାୟ। କଥାକୁହା ଚଳଚ୍ଚିତ୍ର ଯୁଗରେ ପ୍ରବେଶ କଲା ଭାରତୀୟ ସିନେମା। ଭାରତର ପ୍ରଥମ କଥାକୁହା ଚଳଚ୍ଚିତ୍ରକୁ ୯୦ ବର୍ଷ ପୂରିଛି। ଦୁଃଖର ବିଷୟ ଯେ, ଆଲମ ଆରା ଚଳଚ୍ଚିତ୍ରର କୌଣସି କପି ଉପଲବ୍ଧ ନାହିଁ ; କିନ୍ତୁୁ ଆର୍ଦେଶିର ଇରାନୀ ଓ ଆଲମ ଆରାର ସ୍ଥାନ ଭାରତୀୟ ସିନେମା ଇତିହାସରେ ସ୍ୱତନ୍ତ୍ର ହୋଇ ରହିଛି।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର
ମୋ-୯୭୦୩୬୯୦୮୪୭

Comments are closed.