କାହିଁକି ଏ ହୀନମନ୍ୟତା ?

 

ଖ୍ରୀଷ୍ଟପୂର୍ବ କାଳରୁ ପ୍ରାଚୀନତା ବହନ କରିଆସିଥିବା ଓଡ଼ିଆ ଭାଷାର ସମୃଦ୍ଧ ରୂପ ପ୍ରଥମେ ଉପଲବ୍‌ଧ ହୁଏ ପଞ୍ଚଦଶ ଶତାବ୍ଦୀରେ ଲିଖିତ ସାରଳା ଦାସଙ୍କ ମହାଭାରତରେ। ଏହି ମହାଭାରତ ବ୍ୟବହୃତ ଶବ୍ଦର ପ୍ରାଚୁର୍ଯ୍ୟ ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲେ ମଧ୍ୟ ଭାଷା ଅଧିକ ମାର୍ଜିତ ଓ ପ୍ରକାଶକ୍ଷମ ହୋଇଛି। ମୋଗଲ ଓ ଇଂରେଜ ଶାସନ ପ୍ରଭାବରୁ ଅଳ୍ପ କେତୋଟି ପାର୍ସୀ ଓ ଇଂରେଜୀ ଶବ୍ଦ ଆମ ଭାଷାକୁ ସ୍ବାଭାବିକ ରୂପେ ପ୍ରବେଶ କରିଛି। ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ସଂଘଟିତ ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତର ଆଘାତ ସତ୍ତ୍ବେ ଏହି ଭାଷା ଏହାର ଉନ୍ନତ ମାନ ଓ ସାବଲୀଳତାକୁ ଅବ୍ୟାହତ ରଖି ଆସିଛି। ଭାବପ୍ରକାଶ ପାଇଁ ତତ୍‌ସମ (ସଂସ୍କୃତସମ), ତଦ୍‌ଭବ (ସଂସ୍କୃତଜାତ), ଦେଶୀ ଓ ବିଦେଶୀ ଶବ୍ଦ ସଂବଳିତ ଓଡ଼ିଆ ଶବ୍ଦଭଣ୍ଡାରରେ ସାମାନ୍ୟ ଅଭାବ ଘଟିନାହିଁ।
ଅଳ୍ପ କେତେ ବର୍ଷ ହେଲା ଓଡ଼ିଆ ଭାଷାକୁ ଏକ ନିମ୍ନମାନର ସଂକର ବା ମିଶ୍ର ଭାଷାରେ ପରିଣତ କରିବାର ଅପଚେଷ୍ଟା କ୍ରମାଗତ ଭାବେ ଲାଗିରହିଥିବା ପରି ମନେହେଉଛି। ଭାଷାରେ ଅହେତୁକ ଚମକ ସୃଷ୍ଟି ପାଇଁ ଟିଭି ଓ ଖବରକାଗଜର କେତେକ ସଂଯୋଜକ ଓ ସାମ୍ବାଦିକ ଏବଂ କେତେକ ବ୍ୟକ୍ତି ଅନେକ ହିନ୍ଦୀ ଶବ୍ଦ ବା ଅପଶବ୍ଦର ବ୍ୟବହାର କରିଚାଲିଛନ୍ତି। ଏଗୁଡ଼ିକର ସଂକ୍ରମଣ ଫଳରେ ଆମର ପୂର୍ବ ପ୍ରଚଳିତ ବହୁ ସୁନ୍ଦର, ଭାବପୂର୍ଣ୍ଣ, ଶ୍ରୁତିସୁଖକର ଶବ୍ଦ ଲୋପ ପାଇ ସାରିଲାଣି; କିନ୍ତୁ ମୂଳ ଶବ୍ଦଗୁଡ଼ିକର ସ୍ଥାନ ଅଧିକାର କରି ବସିଥିବା ଅନୁପ୍ରବେଶକାରୀ ଶବ୍ଦଗୁଡ଼ିକ ଅସଂଖ୍ୟ ଅନଭ୍ୟସ୍ତ ଲୋକଙ୍କ ନିକଟରେ ଦୁର୍ବୋଧ୍ୟ। ଏହି ପ୍ରସଙ୍ଗରେ ନିମ୍ନରେ କେତୋଟି ଉଦାହାରଣ ଦିଆଯାଉଛି।
କେହି କେହି ନେତା ଭାଷଣ ପ୍ରସଙ୍ଗରେ କହନ୍ତି- ‘‘ସରକାରଙ୍କର ଏ ସମସ୍ତ ଯୋଜନା ସାମାନ୍ୟ ଲୋକଙ୍କ ବିକାଶ ପାଇଁ ହିଁ କରାଯାଇଛି’’ ବା ‘‘ସାମାନ୍ୟ ଲୋକଙ୍କୁ ଉନ୍ନତ କରିବା ହିଁ ଆମର ଲକ୍ଷ୍ୟ।’’ ଶୁଣୁଥିବା ଲୋକେ ହଠାତ୍‌ ସନ୍ଦେହରେ ପଡ଼ିବେ- ଏ ‘ସାମାନ୍ୟ ଲୋକ’ ଶବ୍ଦଟି କାହା ଉଦ୍ଦେଶ୍ୟରେ କୁହାଯାଇଛି ? ‘ସାମାନ୍ୟ ଲୋକ’ କହି ଜନସାଧାରଣଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟ କଦାପି ନେତାଙ୍କର ନଥିବ। ନେତା ‘ସାଧାରଣ ଲୋକ’ ଅର୍ଥରେ ହିନ୍ଦୀ ଶବ୍ଦ ଅନୁସରଣରେ କଥାଟି କହିଦେଇଛନ୍ତି; କିନ୍ତୁ ସେହି ଜନସାଧାରଣ ଏହାର ହିନ୍ଦୀ ଅର୍ଥ ବୁଝିପାରିନଥିବେ; ସେମାନେ ‘ସାମାନ୍ୟ ଲୋକ’ର ଅର୍ଥ ବୁଝନ୍ତି- ତୁଚ୍ଛ ଲୋକ ବା ହୀନଲୋକ ବୋଲି। ହିନ୍ଦୀରେ ‘ସାମାନ୍ୟ’ ଶବ୍ଦକୁ ସ୍ବାଭାବିକ ଅର୍ଥରେ ମଧ୍ୟ ବ୍ୟବହାର କରାଯାଏ। ହିନ୍ଦୀ ଅର୍ଥ ଅନୁସରଣରେ ଗଣମାଧ୍ୟମରେ କୁହାଯାଉଛି ବା ଲେଖାଯାଉଛି- ‘‘ବର୍ତ୍ତମାନ କାଶ୍ମୀରର ପରିସ୍ଥିତି ସାମାନ୍ୟ ହୋଇଗଲାଣି’’ କିମ୍ବା ‘‘ମହାମାରୀର ପ୍ରକୋପ ଦ୍ରୁତ ଗତିରେ ସାମାନ୍ୟ ହେବାକୁ ଲାଗିଛି।’’ ଏହାର ଅର୍ଥ ଲୋକେ କ’ଣ ବୁଝିବେ ? ‘ସାମାନ୍ୟ ଲୋକ’ ଅର୍ଥରେ ମଧ୍ୟ ‘ଆମ୍‌ ଆଦମି’ ଶବ୍ଦ ନେତା ଓ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ସାଧାରଣ ଲୋକେ ହଠାତ୍‌ ଭାବିନେବେ ଯେ ‘ଆମ୍‌ ଆଦମି’ ବୋଧହୁଏ ‘ଆମ ଲୋକ’।
ଯାନ୍ତ୍ରିକ ଗଣମାଧ୍ୟମରେ ଜଣେ ସଂଯୋଜକ କହୁଥିଲେ- ‘‘ଆତଙ୍କବାଦ ଆମ ଦେଶ ପାଇଁ ଗୋଟାଏ ବଡ଼ ଖତରା ହୋଇ ଠିଆହୋଇଛି। ଆତଙ୍କବାଦର ଜଡ଼ ସମ୍ପୂର୍ଣ୍ଣ ଉତ୍ପାଟିତ ନହେବା ପର୍ଯ୍ୟନ୍ତ ଦେଶରେ ଶାନ୍ତି ନାହିଁ।’’ ଆମେ ‘ଖତରା’ ଶବ୍ଦ ବ୍ୟବହାର କରୁ ପୋକଖିଆ ବା ନଷ୍ଟପ୍ରାୟ ଅର୍ଥରେ। ଯେପରି ‘ଖତରା କାଠ’, ‘ଖତରା ଗାଡ଼ି’, ‘ଖତରା ଲୁଗାପଟା’। ସଂଯୋଜକ କିନ୍ତୁ ଓଡ଼ିଆ ‘ଖତରା’ ଶବ୍ଦ ବ୍ୟବହାର କରୁନାହାନ୍ତି, ବ୍ୟବହାର କରୁଛନ୍ତି ହିନ୍ଦୀ ଶବ୍ଦ, ଯାହାର ଅର୍ଥ ବିପଦ। ସେହିପରି ହିନ୍ଦୀ ‘ଜଡ଼’ ଶବ୍ଦର ଅର୍ଥ ମୂଳ; କିନ୍ତୁ ଆମେ ଜଡ଼ କହିଲେ ବୁଝୁ ନିର୍ଜୀବ। ଯେପରି ଜଡ଼ ବସ୍ତୁ ବା ପଦାର୍ଥ, ଜଡ଼ ମଣିଷ ଇତ୍ୟାଦି। ଓଡ଼ିଆ ଭାଷାରେ ବିପଦ ଅର୍ଥରେ ‘ଖତରା’ ଓ ମୂଳ ଅର୍ଥରେ ‘ଜଡ଼’ କୁହାଯାଇଥିବାବେଳେ ଆମ ଲୋକେ କ’ଣ ଏଇ ଅର୍ଥରେ ବୁଝିଥିବେ ? ଓଡ଼ିଆ ଭାଷାରେ ‘ଖତରା’ ଓ ‘ଜଡ଼’ ଦୁଇଟି ବହୁକଥିତ ଶବ୍ଦ। ଏ ଶବ୍ଦ ଦୁଇଟିକୁ ଶୁଣିବା ମାତ୍ରେ ଓଡ଼ିଆ ଲୋକଙ୍କ ମନ ଭିତରେ ଖତରା ଜିନିଷ ବା ଜଡ଼ ପଦାର୍ଥର ଚିତ୍ର ନାଚି ଉଠିବ।
ଗୋଟିଏ ଶବ୍ଦ ଆମ ମନରେ ତତ୍‌କ୍ଷଣାତ୍‌ ଗୋଟିଏ ଚିତ୍ର ସୃଷ୍ଟି କରେ। ସେହି ଚିତ୍ର କଳ୍ପନାରେ ଆମେ ଶବ୍ଦର ଅର୍ଥ ବୁଝିଥାଉ। ଗଣମାଧ୍ୟମ ରାଜନୀତି ସମ୍ପର୍କିତ ମୁଦ୍ଦା, ଟକ୍କର୍‌, ଝଟ୍‌କା, ଠୋସ୍‌ କଦମ୍‌, ବାଜିମାତ୍‌, ନାରା, ନାରାବାଜି, ଦବ୍‌ଦବା, ବହୁମତ, ତରିକା, ଅଧୁରା ଇତ୍ୟାଦି; ଅପରାଧ ସମ୍ପର୍କିତ ଛାନ୍‌ବିନ୍‌, ଛିନ୍‌ତାଇ, ହଡପ, ଲୁଟେରା, ପର୍ଦାଫାସ୍‌, କାରନାମା, ଦାଓପେଞ୍ଚ, ବେସାହାରା ଇତ୍ୟାଦି; ସାଂସ୍କୃତିକ ଉତ୍ସବ ସମ୍ପର୍କିତ ଝୁମିବା, ଧମାକା, ମାହୋଲ, ମାହିର, ବାଜିମାତ, ହଙ୍ଗାମା, ତାଜୁବ ଇତ୍ୟାଦି ଶବ୍ଦକୁ ବାରମ୍ବାର ବ୍ୟବହାର କରୁଛନ୍ତି।
ଏବେ ରାଜନୈତିକ ଲୋକେ ପ୍ରସଙ୍ଗ, ବିଷୟ ବା ପ୍ରଶ୍ନ ଅର୍ଥରେ ହିନ୍ଦୀ ଶବ୍ଦ ‘ମୁଦ୍ଦା’ ବ୍ୟବହାର କରୁଛନ୍ତି। ‘ମୁଦ୍ଦା’ ଶବ୍ଦ ଶୁଣିବା ମାତ୍ରେ ସାଧାରଣ ଲୋକଙ୍କ ମନରେ ମୁଦି ହୋଇଯାଇଥିବା କୌଣସି ବସ୍ତୁର ଚିତ୍ର ପ୍ରତିଫଳିତ ହେବ। ସେ ଭାବିପାରିବ ନାହିଁ ଯେ ଆମରି ‘ପ୍ରସଙ୍ଗ’ ଶବ୍ଦଟିକୁ ‘ମୁଦ୍ଦା’ ଶବ୍ଦ ଉତ୍‌ଖାତ କରି ତାର ସ୍ଥାନ ମାଡ଼ିବସିଛି। ଯେପରି ଏବେ ରାଜନୈତିକ ଦଳ ଆଉ କୌଣସି ପ୍ରସଙ୍ଗକୁ ନେଇ ଲଢ଼ୁନାହାନ୍ତି, ‘ମୁଦ୍ଦା’କୁ ନେଇ ଲଢ଼ୁଛନ୍ତି। ପୂର୍ବରୁ ପ୍ରଚଳିତ ‘ପ୍ରଭାବ’ ଶବ୍ଦଟିକୁ ହିନ୍ଦୀର ଧ୍ବନ୍ୟାତ୍ମକ ଶବ୍ଦ ‘ଦବ୍‌ଦବା’ ବିତାଡ଼ିତ କରିସାରିଲାଣି, ଯଥା- ‘ତାଙ୍କର ଏ ନିର୍ବାଚନମଣ୍ଡଳୀରେ ଯଥେଷ୍ଟ ପ୍ରଭାବ ରହିଛି’ କୁହାନଯାଇ ଏବେ କୁହାଯାଉଛି- ‘ତାଙ୍କର ଏ ନିର୍ବାଚନମଣ୍ଡଳୀରେ ଯଥେଷ୍ଟ ଦବ୍‌ଦବା ରହିଛି’। ଦବ୍‌ଦବା ଶବ୍ଦର ଅର୍ଥ ସାଧାରଣ ଲୋକେ ହଠାତ୍‌ ବୁଝିପାରିବେ କି ? ଓଡ଼ିଶାରେ ‘ଠୋସ୍‌’ ଗୋଟିଏ ଧ୍ବନ୍ୟାତ୍ମକ ଶବ୍ଦ। ଯେମିତି ଠୋସ୍‌ ଠୋସ୍‌ କଥା କହିବା, ଠୋସ୍‌ କରି ଚାପୁଡ଼ାଏ ଦେଲା। ହିନ୍ଦୀରେ ‘ଠୋସ୍‌’ର ଅର୍ଥ ଠିକ୍‌, ଉପଯୁକ୍ତ ଇତ୍ୟାଦି। ବର୍ତ୍ତମାନ ଠୋସ୍‌ ପ୍ରତିକାର, ଠୋସ୍‌ କଦମ୍‌ (ଉପଯୁକ୍ତ ପଦକ୍ଷେପ) କୁହାଗଲାଣି। ବାଜିମାତ୍‌ ଶବ୍ଦ ବିଜୟ ଅର୍ଥରେ, ନାରାବାଜି ଶବ୍ଦ ଧ୍ବନିଦେବା ଅର୍ଥରେ ବ୍ୟବହୃତ ହେଲାଣି। ଆଜିକାଲି ଖବରକାଗଜ ଖୋଲିବାମାତ୍ରେ ଏକ ବା ଏକାଧିକ ‘ଛାନ୍‌ବିନ୍‌’ ଶବ୍ଦକୁ ପ୍ରାୟ ଭେଟିବା। ଟିଭିରେ ମଧ୍ୟ ଏଇ ଶବ୍ଦ। ମନେ ହେଉଛି ପୁଲିସ ଆଜି ଆଉ ଅନୁସନ୍ଧାନ ବା ତଦନ୍ତ ବା ଖୋଳତାଡ଼ କରୁନାହିଁ, ସେ କେବଳ ଛାନ୍‌ବିନ୍‌ କରୁଛି! ଏପରି ଏକ ଧ୍ବନ୍ୟାତ୍ମକ ହିନ୍ଦୀ ଶବ୍ଦ ସହିତ ଆମେ କେବେ ପରିଚିତ ନଥିଲୁ। ଲୁଟ୍‌ ହେବା, ଡକାୟତି ହେବା ବା ବାଟମାରଣା ହେବା ଅର୍ଥରେ ଏବେ ଛିନ୍‌ତାଇ ଶବ୍ଦ ବ୍ୟବହାର କରାଯାଉଛି। ଆତ୍ମସାତ୍‌, ତୋଷରପାତ ବା ଅପହରଣ ଅର୍ଥରେ ଏବେ ‘ହଡ଼ପ’ କୁହାଯାଉଛି। ରହସ୍ୟ ଉନ୍ମୋଚନ ଅର୍ଥରେ ପର୍ଦାଫାସ ଶବ୍ଦର ବ୍ୟବହାର କରାଯାଉଛି। ସାଧାରଣ ଲୋକଟିଏ ଏ ଶବ୍ଦ ଶୁଣି ହଠାତ୍‌ ଭାବିନେବ ବୋଧହୁଏ ପର୍ଦାରେ ଫାଶ ପଡ଼ିବା। ଏବେ ଝୁମିବା ଶବ୍ଦ ଗଣମାଧ୍ୟମରେ ପ୍ରଚଳିତ ହୋଇଗଲାଣି। ବିଭୋର ହେବା, ବିମୋହିତ ହେବା କି ମନ୍ତ୍ରମୁଗ୍ଧ ହେବା ଶବ୍ଦଗୁଡ଼ିକ ଯେମିତି ଆମ ଭାଷାରୁ ଲୋପ ପାଇଗଲାଣି। ଏବେ ନୃତ୍ୟଗୀତ ଦେଖି ଲୋକେ ବିଭୋର ହେଉନାହାନ୍ତି; ଖାଲି ଝୁମୁଛନ୍ତି! ଏହିପରି ହିନ୍ଦୀର ବହୁ ଅନଭ୍ୟସ୍ତ ଶବ୍ଦ ଲୁଟେରା (ଚୋର, ଡାକୁ), କାରନାମା (କରିତ୍‌କର୍ମାପଣ), ମାହୋଲ (ପରିବେଶ), ଧମାକା (ଆନନ୍ଦ ଉତ୍ସବ), ମାହିର (ନିପୁଣ, ଦକ୍ଷ, ଶ୍ରେଷ୍ଠ), ଅଧୁରା (ଅସଂପୂର୍ଣ୍ଣ, ଅସମାପ୍ତ), ତରିକା (ପଦ୍ଧତି, କୌଶଳ), ବେସାହାରା (ଅସହାୟ), ବହୁମତ (ସଂଖ୍ୟାଗରିଷ୍ଠତା), ଟକ୍କର (ପ୍ରତିଦ୍ବନ୍ଦ୍ବିତା), ନଜରଅନ୍ଦାଜ (ଅବହେଳା), ଝଟ୍‌କା (ଆଘାତ) ଆଦି ଆମର ସୁନ୍ଦର, ଭାବପୂର୍ଣ୍ଣ, ଶ୍ରୁତିମଧୁର ଶବ୍ଦଗୁଡ଼ିକୁ ଉନ୍ମୂଳ ଓ ବିତାଡ଼ିତ କରିସାରିଲାଣି। ଗଣମାଧ୍ୟମର ଯେଉଁ ଶବ୍ଦଗୁଡ଼ିକୁ ଶୁଣି ଓ ପଢ଼ି ପ୍ରଥମେ ବୁଝିପାରୁନଥିଲୁ, ବାରମ୍ବାର ପ୍ରୟୋଗଦ୍ବାରା ତାହା ବୁଝାପଡ଼ିଗଲାଣି। ଏ ଶବ୍ଦଗୁଡ଼ିକୁ ସହରୀ ଲୋକଙ୍କ ଭିତରୁ ଅନେକେ ଗ୍ରହଣ କରିଗଲେଣି; କିନ୍ତୁ ଗ୍ରାମାଞ୍ଚଳର ଲୋକଙ୍କ ଉପରେ ଏଗୁଡ଼ିକର ପ୍ରଭାବ ଅପେକ୍ଷାକୃତ ଅଳ୍ପ। ଖବରକାଗଜରୁ ଲୋକେ ଭାଷା ଶିଖନ୍ତି। ଖବରକାଗଜରେ ଯେଉଁ ଶବ୍ଦ ବାରମ୍ବାର ପ୍ରକାଶିତ ହେଉଛି, ତାହା ଲୋକଚିତ୍ତକୁ ସଂଚରିତ ହେବା ସ୍ବାଭାବିକ।
ହିନ୍ଦୀ ଶବ୍ଦର ପ୍ରୟୋଗ ଶୈଳୀ ଓ କଥନ ଭଙ୍ଗୀ ମଧ୍ୟ ଓଡ଼ିଆ ଭାଷାକୁ ବିଶେଷ ପ୍ରଭାବିତ କଲାଣି। ଏବେ ଅଧିକାଂଶ ‘ବହୁତ’ ଶବ୍ଦ ସହିତ ​‌େ​‌ଗାଟିଏ ‘ସାରା’ ଶବ୍ଦ ଯୋଡ଼ି ‘ବହୁତସାରା’ କହିଲେଣି। ‘ସାରା’ ଅର୍ଥ ସମଗ୍ର। ବହୁତ ସହିତ ଏ ସାରା ଶବ୍ଦଟିକୁ ଯୋଡ଼ିବାର ଅର୍ଥ କ’ଣ? ପୁଣି କ୍ଷତି କରିବା ଅର୍ଥରେ କ୍ଷତି ପହଞ୍ଚାଇବା, ଖୋଜିବା ଅର୍ଥରେ ପତ୍ତା ଲଗାଇବା, ଉତ୍ସବ ବା ଜନ୍ମଦିନ ପାଳନ ଅର୍ଥରେ ଉତ୍ସବ ମନାଇବା, ଜନ୍ମଦିନ ମନାଇବା, ଖୁସି ମନାଇବା (ଆନନ୍ଦ କରିବା), ମଜା କରିବା ଅର୍ଥରେ ମଜା ଉଠାଇବା ବହୁ ଲୋକଙ୍କ ମୁହଁରେ ଶୁଣାଗଲାଣି। କ୍ଷତିକୁ କିପରି ପହଞ୍ଚା ଯାଉଛି। ମଜାକୁ କିପରି ଉଠାଯାଉଛି? ଉତ୍ସବ ବା ଜନ୍ମଦିନକୁ ବା ଖୁସିକୁ କିପରି ମନାଯାଉଛି ବା ରାଜି କରାଯାଉଛି? ଏ ସବୁ ଶୁଣିଲାବେଳେ ମନରେ କେଉଁ ପ୍ରକାର ଚିତ୍ର ସୃଷ୍ଟି ହେଉଛି? ଏ ସବୁ ଶବ୍ଦର ପ୍ରୟୋଗ ବଡ଼ ଉଦ୍ଭଟ ଲାଗୁ ନାହିଁ କି?
ଆଜି ବିଚାର କରିବା କଥା, ଅଧିକରୁ ଅଧିକ ହିନ୍ଦୀ ଶବ୍ଦ ଆମ ଭାଷା ଭିତରେ ଅନୁପ୍ରବେଶ କରାଇ ଆମର ରୁଚିସମ୍ମତ ସାବଲୀଳ ଶବ୍ଦଗୁଡ଼ିକୁ ଲୋପ କରିଦେବା ଉଚିତ କି? ଯେତେ ହିନ୍ଦୀ ଶବ୍ଦ ବ୍ୟବହାର କରାଯାଉଛି, ସେଗୁଡ଼ିକ ଆମ ଓଡ଼ିଆ ଶବ୍ଦଠାରୁ ଅଧିକ ଅର୍ଥବହ କି? ଯେଉଁ ଭାଷା ଦରିଦ୍ର, ତାହା ଉପଯୁକ୍ତ ଭାବ ପ୍ରକାଶ ପାଇଁ ଅନ୍ୟ ଭାଷାରୁ ଶବ୍ଦ ଓ ପ୍ରୟୋଗର ଆମଦାନୀ କରେ। ଆମ ଭାଷା କ’ଣ ଦରିଦ୍ର? ବିନା କାରଣରେ ଭାଷାକୁ ଏକ ମିଶ୍ରିତ ଭାଷା ବା ସଂକର ଭାଷାରେ ପରିଣତ କରାଯିବା ଉଚିତ୍‌ କି? ଏହା ଆମର ଗୌରବକୁ କ୍ଷୁଣ୍ଣ କରୁନାହିଁ କି? ଓଡ଼ିଆଭାଷା ଅତି ସମୃଦ୍ଧ ପ୍ରାଚୀନ ଭାଷା। ପରବର୍ତ୍ତୀ କାଳରେ କେତେକ ପ୍ରୟୋଜନୀୟ ବିଦେଶୀ ଶବ୍ଦ ଆମ ଭାଷାକୁ ଆସିଛି। ଆଧୁନିକ କାଳରେ ପେନ୍‌ସିଲ, ରବର, କମ୍ପ୍ୟୁଟର, ମୋବାଇଲ୍‌ ଫୋନ୍‌, ଫିନାଇଲ, ବଜେଟ୍‌, କିରାସିନି, ପେଟ୍ରୋଲ, ଡିଜେଲ, ପିନ୍‌କୋଡ, ବ୍ୟାଙ୍କ, ଭୋଟ, ଇଭିଏମ୍‌, କ୍ରିକେଟ, ଫୁଟବଲ ପ୍ରଭୃତି କେତେକ ଅତ୍ୟାବଶ୍ୟକ ଶବ୍ଦ ଆସିଛି। ପ୍ରୟୋଜନବୋଧରେ ସ୍ବାଭାବିକ ଭାବେ ଯେଉଁ ଶବ୍ଦଗୁଡ଼ିକ ଆସେ, ତାହା ଭାଷାକୁ ସମୃଦ୍ଧ କରେ। ନିଜର ପ୍ରଚଳିତ ଭାବପ୍ରକାଶ କ୍ଷମ ଶବ୍ଦଗୁଡ଼ିକୁ ବ୍ୟବହାର ନ କରି ଅଚଳ କରିଦେବା ଅଦୂରଦର୍ଶିତା। ଆମ ଭାଷାର ଶୁଦ୍ଧତାକୁ ରକ୍ଷା କରିବା ଆମ ପକ୍ଷରେ ଗୌରବଜନକ। ଭାରତୀୟ ଭାଷାଗୁଡ଼ିକ ସେମାନଙ୍କର ବୈଶିଷ୍ଟ୍ୟକୁ ଅକ୍ଷୁଣ୍ଣ ରଖି ଆସିଛନ୍ତି।
ଓଡ଼ିଆ ଭାଷା ଅତି ପ୍ରାଚୀନଭାଷା। ଜର୍ଜ ଗ୍ରୀୟରସନ୍‌ ଓ ଜନ୍‌ ବୀମ୍‌ସଙ୍କ ପରି ପ୍ରଖ୍ୟାତ ଭାଷାତତ୍ତ୍ବବିତ୍‌ମାନେ ଏହାର ପ୍ରାଚୀନତା ଓ ଶବ୍ଦ ପ୍ରାଚୁର୍ଯ୍ୟକୁ ସ୍ବୀକାର କରିଛନ୍ତି। ଆଜି ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଆ ଭାଷାର ସ୍ବାତନ୍ତ୍ର୍ୟ ସ୍ବୀକୃତ ହୋଇଥିବାବେଳେ କାହିଁକି ଏ ହୀନମନ୍ୟତା?

Comments are closed.