ସତର୍କଘଣ୍ଟି ଶୁଣ : ପରିବେଶ ଓ ପ୍ରକୃତିର ସୁରକ୍ଷା ସହିତ ଖେଳ ସମଗ୍ର ମାନବ ସମାଜ ପାଇଁ କାଳ ପାଲଟିବ

ଦିଲ୍ଲୀ ପୁଣି ଚର୍ଚ୍ଚାକୁ ଆସିଛି। କରୋନା ମହାମାରୀର ତୃତୀୟ ଲହଡ଼ିର ସମ୍ମୁଖୀନ ହୋଇଥିବା ଦେଶର ରାଜଧାନୀରେ ପ୍ରଦୂଷଣ ସମସ୍ୟା ଗୁରୁତର ହୋଇପଡ଼ିଛି। ସମଗ୍ର ଦିଲ୍ଲୀଆକାଶ ଧୂଆଁର ବହଳ ଆସ୍ତରଣରେ ଆବୃତ ହୋଇଛି। ଅଳ୍ପ ଦୂରରୁ ମଧ୍ୟ ଇଣ୍ଡିଆ ଗେଟ୍‌ ଦେଖାଯାଉନାହିଁ। ପ୍ରଦୂଷଣକୁ ରୋକିବା ନିମନ୍ତେ ସରକାର ଯଥୋଚିତ ଗୁରୁତ୍ବ ଦେଉନାହାନ୍ତି। ଗତ କିଛି ବର୍ଷ ହେବ ପଞ୍ଜାବ, ହରିଆଣା ସମେତ ଅନେକ ରାଜ୍ୟରେ ଚାଷୀ ନଡ଼ା ପୋଡ଼ିବା ଯୋଗୁଁ ପ୍ରଦୂଷଣ ଉତ୍କଟ ହେଉଛି। ସୁପ୍ରିମକୋର୍ଟର ତାଗିଦ ସତ୍ତ୍ବେ ଅବସ୍ଥାରେ କୌଣସି ଉନ୍ନତି ଘଟୁନାହିଁ। ଏଥର ନୂତନ କୃଷି ଆଇନ ଯୋଗୁଁ କେନ୍ଦ୍ର ସରକାର ଚାଷୀଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି, ତେଣୁ ଚାଷୀ ନଡ଼ା ଜାଳିବା ପ୍ରସଙ୍ଗରେ ଚୁପ୍‌ ରହିଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି। ପଞ୍ଜାବରେ ଆମ ଆଦମୀ ପାର୍ଟି ଚାଷୀଙ୍କ ସମର୍ଥନରେ ଛିଡ଼ା ହୋଇଥିବାରୁ ଦିଲ୍ଲୀର କେଜରିୱାଲ ସରକାର ମଧ୍ୟ ନିରବ। ପରିସ୍ଥିତି ଏପରି ହୋଇଛି ଦିଲ୍ଲୀର ଜନସାଧାରଣ ଓ ରୋଗୀ ଶ୍ବାସ ସମେତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେଲେଣି।
ଦିଲ୍ଲୀ ଦେଶର ରାଜଧାନୀ ତଥା ଜନବହୁଳ ମହାନଗର ହୋଇଥିବାରୁ ପ୍ରଦୂଷଣ ଏକ ପ୍ରମୁଖ ସଙ୍କଟ ଭାବେ ଉଭା ହୋଇଛି। ଦେଶର ରାଜଧାନୀ ହୋଇଥିବା ଦୃଷ୍ଟିରୁ ଏ କ୍ଷେତ୍ରରେ ଦିଲ୍ଲୀ ଏକ ଆଦର୍ଶ ସହର ହେବା ଉଚିତ; କିନ୍ତୁ ଗତ ୫/୭ବର୍ଷ ମଧ୍ୟରେ ଏହା ଗ୍ୟାସ ଚେମ୍ବରରେ ପରିଣତ ହୋଇଛି। ପ୍ରଦୂଷଣର ପ୍ରକୃତ କାରଣ କ’ଣ କୌଣସି ସରକାର ଓ ସଂଗଠନ ନିକଟରେ ତା’ର ଉତ୍ତର ନାହିଁ। କୌଣସି ସମସ୍ୟାର ସମାଧାନ ପୂର୍ବରୁ ଏହାର କାରଣ ଜାଣିବା ଆବଶ୍ୟକ, କିନ୍ତୁ ଦିଲ୍ଲୀରେ ଏହାର ନିର୍ଦିଷ୍ଟ କାରଣ ନେଇ ଏ ପର୍ଯ୍ୟନ୍ତ ସନ୍ଦିହାନ। ଆମ ଦେଶରେ ସରକାରୀ ବିଜ୍ଞାନ କେନ୍ଦ୍ର ଅଛି ଯେଉଁଥିରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ମହାନଗରକୁ ପ୍ରଦୂଷଣମୁକ୍ତ କରିବାକୁ ମିଳିତ ପ୍ରୟାସ କରାଯାଉନାହିଁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାରରେ ଆମେରିକାର ପରିବେଶକୁ ପ୍ରଶଂସା କରିଥିଲେ। ଆମେରିକାର ରାଜନୈତିକ ସଂସ୍କୃତିର ବୈଶିଷ୍ଟ୍ୟ ଯେ ବାୟୁମଣ୍ଡଳରେ ଶୁଦ୍ଧତା ମଧ୍ୟ ନିର୍ବାଚନ ପ୍ରଚାରର ଏକ ଅଂଶ ହୋଇପାରୁଛି, କିନ୍ତୁ ଆମ ଦେଶରେ ଶୁଦ୍ଧତା ପ୍ରସଙ୍ଗ ବା ଜନସାଧାରଣଙ୍କ ସ୍ବାସ୍ଥ୍ୟ ସହ ଜଡ଼ିତ ବିଷୟଗୁଡ଼ିକ ସ୍ଥାନ ପାଏନାହିଁ। ଦିଲ୍ଲୀ ଦେଶର ଅନ୍ୟ ସହର ପାଇଁ ମଧ୍ୟ ସତର୍କଘଣ୍ଟି ବଜାଇଛି। ଦେଶର ଅନ୍ୟ ମହାନଗର ପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସମେତ ଶିଳ୍ପାଞ୍ଚଳ ଗଢ଼ିଉଠିଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳ​‌େ​‌ର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଏହାକୁ ନିୟନ୍ତ୍ରଣରେ ରଖିବା ଅତି ଜରୁରୀ। ସ୍ବାସ୍ଥ୍ୟକୁ ନିରୋଗ ରଖିବା ପାଇଁ ଭାରତର ଜନସାଧାରଣ ବର୍ତ୍ତମାନ ପରିବେଶ ସୁରକ୍ଷା ଉପରେ ଚିନ୍ତା କରିବାକୁ ପଡ଼ିବ।
ଏହି ପରିପ୍ରେକ୍ଷୀରେ ବିଶ୍ବ ତାପମାତ୍ରା ବୃଦ୍ଧି ନେଇ ଯେଉଁ ତାଜା ତଥ୍ୟ ପ୍ରକାଶ ପାଇଛି, ତାହା ମନରେ ଦକ ସୃଷ୍ଟି କରିବାପାଇଁ ଯଥେଷ୍ଟ। ‘ସାଇଣ୍ଟିଫିକ୍ ରିପୋର୍ଟସ’ ନାମକ ପ୍ରସିଦ୍ଧ ପରିବେଶ ପତ୍ରିକାରେ କୁହାଯାଇଛି ଯେ ବୈଶ୍ବିକ ତାପମାତ୍ରା ଖୁବ୍‌ ଜୋରରେ ବଢ଼ିଚାଲିଛି, ଯାହାକୁ ବନ୍ଦ କରିବା ଭଳି ଶକ୍ତି କାହାର ନାହିଁ। ଦୁଇଜଣ ବୈଜ୍ଞାନିକ ନିଜ ନିର୍ମିତ ଏକ ପ୍ରତିକୃତି ଜରିଆରେ ଭବିଷ୍ୟବାଣୀ କରିଛନ୍ତି ଯେ ଧରିତ୍ରୀର ତାପମାତ୍ରା ଅନିୟନ୍ତ୍ରିତ ବେଗରେ ବୃଦ୍ଧି ପାଇବ ଏବଂ ବର୍ତ୍ତମାନ ଯେତେ ସବୁଜଗୃହ ବାଷ୍ପ ବା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କଲେ ମଧ୍ୟ ସମୁଦ୍ର ଜଳସ୍ତର ମଧ୍ୟ ବଢ଼ିଚାଲିବ। ସେମାନେ ଚେତାବନୀ ଦେଇଛନ୍ତି ଯେ ବର୍ତ୍ତମାନ ବିଶ୍ବ ତାପମାତ୍ରା ବୃଦ୍ଧି ଅଟକାଇବା ସ୍ଥିତିରେ ନାହିଁ। ଏହି ଦୁଇ ବିଜ୍ଞାନୀ ସେମାନଙ୍କ ମଡେଲ୍‌ର ନାଁ ରଖିଛି ‘ଏସ୍କିମୋ’ (ଇଏସ୍‌ସିଆଇଏମ୍‌ଓ)। ଏଥିରେ ସେମାନେ ୧୮୫୦ ପରଠାରୁ ବିଭିନ୍ନ ଘଟଣାର ତଥ୍ୟାବଳୀକୁ ସଂଗ୍ରହ କରି ୨୫୦୦ ମସିହା ପର୍ଯ୍ୟନ୍ତ ଧରିତ୍ରୀର ତାପମାତ୍ରା କେତେ ବୃଦ୍ଧି ପାଇବ, ତାହାକୁ ଦର୍ଶାଇଛନ୍ତି। ଏଥିରେ ସେମାନେ ଶତାଧିକ ବର୍ଷ ଧରି ତରଳିଚାଲିଥିବା ଆଣ୍ଟାର୍କଟିକା ତୁଷାରାଞ୍ଚଳ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଗୁଡ଼ିକ ଯଦି ଶୀଘ୍ରଶୀଘ୍ର ତରଳିଚାଲେ, ତେବେ ଆମ ପୃଥିବୀ ଅନ୍ଧକାରମୟ ଯୁଗରେ ପହଞ୍ଚିଯିବ ବୋଲି ସେମାନେ କହିଛନ୍ତି। ଅବଶ୍ୟ ଏହି ଗବେଷଣାତ୍ମକ ନିବନ୍ଧରେ ଦର୍ଶାଯାଇଥିବା ସମସ୍ତ ତଥ୍ୟକୁ ନେଇ ବୈଜ୍ଞାନିକ ମହଲରେ ମତଭେଦ ରହିଥିବା ଜଣାପଡ଼ିଛି।
ସେ ଯାହାହେଉ, ଏହି ତଥ୍ୟ ତ୍ରୁଟିପୂର୍ଣ୍ଣ ହୋଇଥିଲେ ହେଁ ଯେଉଁ ପରିମାଣରେ ବିଶ୍ବ ତାପମାତ୍ରା ବୃଦ୍ଧି ଘଟୁଛି, ତାହା ନିଶ୍ଚିତଭାବେ ମନୁଷ୍ୟ ପାଇଁ ଏକ ବଡ଼ ବିପଦ ପାଲଟିଚାଲିଛି ସେଥିରେ ସନ୍ଦେହ ନାହିଁ। ମଣିଷ ନିଜ ଗୋଡ଼ରେ ନିଜେ ହିଁ କୁରାଢ଼ି ମାରିବା ଭଳି କାର୍ଯ୍ୟ କରୁଛି। ଜାତିସଂଘର ଜଳବାୟୁ ପରିବର୍ତ୍ତନ ପ୍ୟାନେଲ୍‌ ଯେଉଁ ଲକ୍ଷ୍ୟ ସ୍ଥିର କରିଛି, ତା’ର ପାଖାପାଖି ମଧ୍ୟ କୌଣସି ଦେଶ ପହଞ୍ଚିନାହାନ୍ତି କି ସେଥିପାଇଁ ଆବଶ୍ୟକ ଚେଷ୍ଟା ମଧ୍ୟ କରୁନାହାନ୍ତି। ଜଳବାୟୁ ପରିବର୍ତ୍ତନ କାରଣରୁ ହିଁ ସାମୁଦ୍ରିକ ବାତ୍ୟାଗୁଡ଼ିକର ବେଗ ଅଧିକ ହେବ ଓ ବହୁ କ୍ଷୟକ୍ଷତି ଘଟାଇବ ବୋଲି ଜାପାନର ଏକ ବିଶ୍ବବିଦ୍ୟାଳୟର ଗବେଷଣାରେ କୁହାଯାଇଛି। ବିକଶିତ ଦେଶ ଅପେକ୍ଷା ଭାରତ ପରି ବିକାଶଶୀଳ ଓ ଗରିବ ଦେଶଗୁଡ଼ିକ ଏଥିରେ ଅଧିକ ପ୍ରଭାବିତ ହେବା ନିଶ୍ଚିତ। ଆମେ ଓଡ଼ିଶାବାସୀ ନିଜ ଅଭିଜ୍ଞତାରୁ ଏହା ଜାଣିସାରିଛୁ। ନିକଟ ଅତୀତରେ ହିଁ ଅମ୍ପନଠାରୁ ଆରମ୍ଭ କରି ଫଣି ପର୍ଯ୍ୟନ୍ତ ବାତ୍ୟା ଆମ ରାଜ୍ୟରେ ବହୁ କ୍ଷୟକ୍ଷତି କରିଥିଲା। ପୂର୍ବ ସତର୍କତା ଆମକୁ ଅନେକ ପରିମାଣରେ ସେଥିରୁ ରକ୍ଷା କରିପାରିଲା; ତଥାପି ପ୍ରାକୃତିକ ଶକ୍ତି ନିକଟରେ ମାନବୀୟ କ୍ଷମତା ଅତି ନ୍ୟୂନ। ଏବେଠୁ ସତର୍କଘଣ୍ଟି ଶୁଣି ଯଦି ଆମେ ଉପଯୁକ୍ତ ପଦକ୍ଷେପ ନେବାନାହିଁ, ତେବେ ଭବିଷ୍ୟତରେ ଅବସ୍ଥା ଅସମ୍ଭାଳ ହେବା ସୁନିଶ୍ଚିତ। ପରିବେଶ ଓ ପ୍ରକୃତିର ସୁରକ୍ଷା ସହିତ ଖେଳ ଖେଳିଲେ ଆମକୁ କେହି ରକ୍ଷା କରିପାରିବେ ନାହିଁ।

Comments are closed.