ଓଡ଼ିଶା​ରେ ‌ରେଳ ବିକାଶ : କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟିଦେବା ଉଚିତ

ରେଳ ବିସ୍ତାର କ୍ଷେତ୍ରରେ ଓଡ଼ିଶାଦେଶର ଅନ୍ୟାନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ତୁଳନାରେ ପଛୁଆ। ଏହାର ଅନେକ ଐତିହାସିକ କାରଣ ରହିଛି। ସ୍ବାଧୀନତାପ୍ରାପ୍ତି ପରଠାରୁ ଓଡ଼ିଶାବାସୀ କ୍ରମାଗତଭାବେ କେନ୍ଦ୍ର ସରକାରଙ୍କ ନିକଟରେ ରେଳପଥର ବିକାଶ ପାଇଁ ଦାବି କରିଆସୁଛନ୍ତି। ରେଳବଜେଟ ବ୍ୟବସ୍ଥା ପ୍ରଚଳନ ଥିବାବେଳେ ପ୍ରତିବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ରାଜ୍ୟର ସାଂସଦ ଓ ବିଧାୟକମାନେ ଓଡ଼ିଶା ପାଇଁ ଅଧିକ ବ୍ୟୟବରାଦ ନିମନ୍ତେ ଦାବି କରୁଥିଲେ। ଏବେ ସାଧାରଣ ବଜେଟରେ ରେଳ ବଜେଟ ମିଶିଯାଇଥିଲେ ମଧ୍ୟ ସେ ଦାବି ଅବ୍ୟାହତ ରହିଛି। ଲକ୍ଷଣୀୟ ଯେ କେନ୍ଦ୍ରରେ ଅଣ-କଂଗ୍ରେସ ସରକାର ରହିବାବେଳେ ରେଳବିକାଶ ପାଇଁ ଓଡ଼ିଶାକୁ ସର୍ବଦା ଅଧିକ ଅର୍ଥ ବରାଦ ହୋଇଥିଲା। ତେବେ କଂଗ୍ରେସ ଶାସନ କାଳରେ ଏକମାତ୍ର ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଓଡ଼ିଶା ରେଳବାଇ କ୍ଷେତ୍ରରେ ଶୁଭଦୃଷ୍ଟି ପାଇଥିଲା। ସେତେବେଳେ ବିଧାନସଭାରେ ରେଳବଜେଟ ବୃଦ୍ଧିନେଇ ଏକ ପ୍ରସ୍ତାବ ଗୃହୀତ ହେବାସହ ଏକ ସର୍ବଦଳୀୟ ବିଧାୟକ ମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ଉପସ୍ଥାପିତ କରିଥିଲା। ଏହାପରେ କାହ୍ନୁଚରଣ ଲେଙ୍କାଙ୍କୁ ରେଳ ରାଷ୍ଟ୍ରମନ୍ତ୍ରୀ କରିବା ସହ ନରସିଂହ ରାଓ ଓଡ଼ିଶାରେ ରେଳ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ। ତାଙ୍କ ଭଳି ଜଣେ ବିଜ୍ଞ ରାଜନେତାଙ୍କ ମହାନୁଭବତାକୁ ଓଡ଼ିଶାବାସୀ ଭୁଲି ପାରିବେ ନାହିଁ।
ପରବର୍ତ୍ତୀ ସମୟରେ ଓଡ଼ିଶା କ୍ରମଶଃ ରେଳବଜେଟରେ ଅଧିକ ଅର୍ଥ ପାଇଆସିଛି। ଏହା ସତ୍ତ୍ବେ ଜାତୀୟସ୍ତରର ରେଳ ନେଟୱାର୍କର ଘନତାଠାରୁ ଓଡ଼ିଶା ପଛରେ ପଡ଼ିଛି। ଅବଶ୍ୟ ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଓଡ଼ିଶା ରେଳବାଇ ପାଇଁ କ୍ରମାଗତ ଅଧିକ ଅର୍ଥ ପାଇ ଆସୁଥିଲା। ଏଥର ବଜେଟରେ କିନ୍ତୁ ତାହା ଗତବର୍ଷ ଅପେକ୍ଷା ଟଙ୍କା କମ୍‌ ପାଇଛି ବୋଲି କୁହାଯାଉଛି; ଯାହାକୁ ସୂକ୍ଷ୍ମ ହିସାବ ଦର୍ଶାଇ ରେଳମନ୍ତ୍ରଣାଳୟ ଓ ବିଜେପିବାଲା ଖଣ୍ଡନ କରୁଛନ୍ତି। ଓଡ଼ିଶାକୁ ରେଳବାଇ ବିକାଶ ପାଇଁ ଅଧିକ ଅର୍ଥ ଦେବାକୁ ବିଧାନସଭାର ଗୃହକମିଟି ରେଳବାଇମନ୍ତ୍ରୀଙ୍କୁ ନୂଆଦିଲ୍ଲୀରେ ଭେଟି ଦାବି ଜଣାଇଛନ୍ତି। ଓଡ଼ିଶା ଭଳି ଯେଉଁ ସବୁ ଆଞ୍ଚଳିକ ଦଳ ଦ୍ବାରା ଶାସିତ ରାଜ୍ୟମାନ ଅଛନ୍ତି ସେ ସବୁଠି ଏକା ପ୍ରକାର ସ୍ବର ଶୁଣାଯାଉଛି ରେଳବ୍ୟୟ ବରାଦ ବଢ଼ାଇବାକୁ। ଏହା ଏକ ରାଜନୈତିକ ଧର୍ମ ଓ ବାସ୍ତବତା। ରାଜ୍ୟର ସ୍ବାର୍ଥ ଜଗିବାର ଏକ ସହଜ ପ୍ରୟାସ। ମନ୍ତ୍ରୀ ହୁଅନ୍ତୁ ବା ପ୍ରଧାନମନ୍ତ୍ରୀ, ପ୍ରତିନିଧିମାନଙ୍କ ଦାବିପତ୍ର ଗ୍ରହଣ କରିଥାନ୍ତି ଏବଂ ସହୃଦୟତାର ସହ ବିଚାରକରି ଦେଖିବାକୁ ମଧୁର ପ୍ରତିଶ୍ରୁତି ଦେଇ ଚୁପ୍‌ ରହିଯାଆନ୍ତି। ନରସିଂହ ରାଓଙ୍କ ଭଳି ବାସ୍ତବବାଦୀ ଆଭିମୁଖ୍ୟ ଓ ମହନୀୟତା ମୋଦୀ ଓ ତାଙ୍କ ମନ୍ତ୍ରୀ କେତେ ଦେଖାଇବେ ତାହା କହିବା କଷ୍ଟ।
ରାଜନୀତିରୁ ଊର୍ଦ୍ଧ୍ବକୁ ଯାଇ ଏଇ ପ୍ରସଙ୍ଗଟିକୁ ଦେଖିଲେ ଆମର ବିଶ୍ବାସ ହେଉଛି ଯେ ମୋଦୀଜୀ ଓଡ଼ିଶା ପ୍ରତିନିଧିମାନଙ୍କୁ ନିରାଶ କରିବେ ନାହିଁ; କାରଣ ତାଙ୍କ ଶାସନ କାଳରେ ଓଡ଼ିଶା ରେଳବାଇଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ପାଇଛି। ‘ପୂର୍ବୋଦୟ’ର ଆରମ୍ଭ ଓଡ଼ିଶାରୁ ହେବ ଏବଂ ପ୍ରଚୁର ଖଣିଜ ସଂପଦ, ଜମି, ଜଙ୍ଗଲ,ଜଳ ଓ ପରିଶ୍ରମୀ ଲୋକଶକ୍ତିରେ ଭରପୂର ଓଡ଼ିଶାର ବିକାଶ ପାଇଁ ରେଳ, ସଡ଼କ ଓ ବନ୍ଦର ସଂଯୋଗର ଆବଶ୍ୟକତାକୁ ସେ ନିଜେ ତାଙ୍କ ଓଡ଼ିଶାଗସ୍ତ ଅବସରରେ ବିିଭିନ୍ନ ସଭାରେ ବାରମ୍ବାର କହିଛନ୍ତି। ରେଳବିକାଶ ବିନା ଓଡ଼ିଶାର ଔଦ୍ୟୋଗିକ ବିକାଶ ଯେ ହୋଇପାରିବ ନାହିଁ ଏବଂ ଏଇ ପଛୁଆ ରାଜ୍ୟ ସେମିତି ଅବହେଳିତ ହୋଇରହିଯିବ, ଏକଥା ସେ ବେଶ୍‌ ଭଲଭାବରେ ବୁଝିଛନ୍ତି। ରାଜ୍ୟମାନଙ୍କର ବିକାଶ ଉପରେ ଦେଶର ବିକାଶ ଓ ପ୍ରଗତି ନିର୍ଭର କରେ- ଏକଥା ମୋଦୀଙ୍କୁ ବୁଝାଇବାର ଆବଶ୍ୟକତା ନାହିଁ। ସେଥିପାଇଁ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତ ଉପରେ ତାଙ୍କର ଦୃଷ୍ଟି ନିବଦ୍ଧ, ଏକଥା ତାଙ୍କ କାର୍ଯ୍ୟକ୍ରମ ଓ ଯୋଜନାରୁ ସୁସ୍ପଷ୍ଟ। ସେଥିପାଇଁ ସେ ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥା, ଆକାଙ୍‌କ୍ଷୀ ଜିଲା କାର୍ଯ୍ୟକ୍ରମ, ସାଗରମାଳା, ଉପକୂଳ ରାଜପଥ, ସୁବର୍ଣ୍ଣ ଚତୁର୍ଭୁଜ ଓ ଶିଳ୍ପ କରିଡ଼ର ଆଦି କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ଓଡ଼ିଶାପ୍ରତି ଯେ ଅନ୍ୟାୟ ହେବ, ସେ କଥା କୁହାଯାଇ, ନ’ପାରେ।
ଭଲ ହେଲା ଓଡ଼ିଶାର ଲୋକପ୍ରତିନିଧିମାନେ କେନ୍ଦ୍ର ସରକାରଙ୍କୁ, ବିଶେଷକରି ବିଭାଗୀୟ ମନ୍ତ୍ରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ନିଜର ଗରଜ ଓ ଆବଶ୍ୟକତା ସମ୍ପର୍କରେ ଠିକଣା ସମୟରେ ମନେ ପକାଇ ଦେଇଛନ୍ତି। ହେଲେ ଦେଖାଯାଉଛି ଯେ ରେଳବିକାଶ ପାଇଁ ଯେତେ ଅର୍ଥ ଓଡ଼ିଶା ପାଇଁ ମଂଜୁର ହେଉଛି ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟୟ ହୋଇପାରୁନାହିଁ। ଭୂମି ଅଧିଗ୍ରହଣ ଓ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଅର୍ଥଖର୍ଚ୍ଚ ହୋଇ ନ’ପାରି ପଡ଼ି ରହୁଛି ବା ଫେରି ଯାଉଛି। ତେଣୁ ରାଜ୍ୟସରକାର ଏ କ୍ଷେତ୍ରରେ ଥିବା ନିଜର ଦାୟିତ୍ବ ଉଚିତଭାବେ ନିର୍ବାହ କଲେ ଓଡ଼ିଶାର ରେଳବିକାଶ ପ୍ରକ୍ରିୟା ଅବଶ୍ୟ ତ୍ବରାନ୍ବିତ ହୋଇପାରିବ। ତେବେ ସେ ଯା’ହେଉ ଓଡ଼ିଶାର ଆର୍ଥିକ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ କରିବାପାଇଁ ଅଧିକ ରେଳପଥ ଓ ପ୍ରକଳ୍ପ ଯେ ଲୋଡ଼ା ତାହା ନିଃସନ୍ଦେହ। କେନ୍ଦ୍ର ସରକାର ଓଡ଼ିଶାର ଏଇ ଦାବିକୁ ସହୃଦୟତାର ସହ ବିଚାର କରିବା ଉଚିତ।

Comments are closed.