ତନ୍ଦ୍ରାଲୋକର ଅତନ୍ଦ୍ର ପ୍ରହରୀ : ବ୍ୟାଖ୍ୟାକାର ମନୋଜ ଦାସଙ୍କ ତିରୋଧାନ ଏକ ଅପୂରଣୀୟ କ୍ଷତି

ଓଡ଼ିଆ ଓ ଭାରତୀୟ ଜନଜୀବନ ତଥା ସଂସ୍କୃତିର ପ୍ରଥିତଯଶା

ବିଶ୍ବ ସାହିତ୍ୟର ଦିଗ୍‌ଦର୍ଶକ ସ୍ରଷ୍ଟା, ‘ଆଧୁନିକ ବିଷ୍ଣୁ ଶର୍ମା’, ଆନ୍ତର୍ଜାତିକ ମଞ୍ଚରେ ଓଡ଼ିଆ ଓ ଭାରତୀୟ ସଂସ୍କୃତିର ପ୍ରଥିତଯଶା ବ୍ୟାଖ୍ୟାକାର, ଅଧ୍ୟାତ୍ମ ଜଗତର ଅଦ୍ବିତୀୟ ଅନ୍ବେଷକ ମନୋଜ ଦାସଙ୍କ ତିରୋଧାନ କେବଳ ଓଡ଼ିଶା ପାଇଁ ନୁହେଁ; ସମଗ୍ର ପୃଥିବୀ ପାଇଁ ଏକ ଏପରି କ୍ଷତି, ଯାହା ଚିରକାଳ ଅପୂରଣୀୟ। ସାହିତ୍ୟ ଲେଖନକୁ ଏକ ଅନୁତ୍ପାଦକ କାର୍ଯ୍ୟ ଭାବେ କେତେକ ବିଚାର କରନ୍ତି, କାରଣ ଏହା ମନୁଷ୍ୟକୁ ସହସା କିଛି ଭୌତିକ ବସ୍ତୁ ପ୍ରଦାନ କରିପାରେ ନାହିଁ ଯାହା ତା’ର ଜୀବନ ଧାରଣରେ ସହାୟତା କରିବ; ଅଥଚ ଅନେକ ସମୟରେ ସାହିତ୍ୟ ମନୁଷ୍ୟ ଜୀବନର ଏକ ଅଭିନ୍ନ ଅଂଗ ଭାବେ ଅପରିହାର୍ଯ୍ୟ ମନେହୋଇଛି। ଏହି କଷଟିରେ ଅବଶ୍ୟ ଖୁବ୍‌ କମ୍‌ ସାହିତ୍ୟିକଙ୍କ ସର୍ଜନକର୍ମ ଉତ୍ତୀର୍ଣ୍ଣ ହୋଇଛି। ଭାରତୀୟ ଓ ଓଡ଼ିଆ ସାହିତ୍ୟରେ ଯେଉଁ ସ୍ରଷ୍ଟାଜଣକ ଏହି ଅସାଧାରଣ ଶିଖରକୁ ସ୍ପର୍ଶ କରିପାରିଥିଲେ, ସେ କୋଟିକୋଟି ପାଠକଙ୍କ ପ୍ରିୟ ଲେଖକ ମନୋଜ ଦାସ। କିଶୋର ବୟସରୁ ସାହିତ୍ୟ ସର୍ଜନାରେ ମଗ୍ନ ହୋଇ ଦୀର୍ଘ ସତୁରୀ ବର୍ଷ ଧରି ଓଡ଼ିଆ ଓ ଇଂରେଜୀ ଉଭୟ ଭାଷାରେ ଗଳ୍ପ, ଉପନ୍ୟାସ, କବିତା, ଭ୍ରମଣ କାହାଣୀ, ରମ୍ୟରଚନା ଆଦି ରଚନା କରି ପାଲଟିଯାଇଥିଲେ ଓଡ଼ିଆ ଜନଜୀବନ, ଚାଲିଚଳଣିର ଅନନ୍ୟ ରୂପକାର। ତାଙ୍କ ରଚନାରେ କେବଳ ଭୌତିକ ଜଗତର ଜାଗତିକ ଓ ମାନବୀୟ ରହସ୍ୟ ସ୍ଥାନ ପାଇନାହିଁ, ଆଧିଭୌତିକ ଏବଂ ଅତୀନ୍ଦ୍ରିୟ ଜଗତର ଦିବ୍ୟ ଚେତନା ଅପୂର୍ବ ଦାର୍ଶନିକତା ସହ ପ୍ରକଟିତ ହୋଇଛି, ଯାହା ମହାଭାରତୀୟ ସାହିତ୍ୟ ପରମ୍ପରାକୁ ତାଙ୍କର ଶ୍ରେଷ୍ଠ ଅବଦାନ। ଗଭୀର ଶ୍ଳେଷ ସହିତ ମାନବୀୟ ସମ୍ବନ୍ଧର ଅନ୍ଧକାର ଦିଗର ଉନ୍ମୋଚନର ଦକ୍ଷତା ତାଙ୍କର ପରାକାଷ୍ଠାର ପ୍ରମାଣ। ସେ ଶିଶୁ, କିଶୋର, ତରୁଣ ଓ ବୟସ୍କ- ସବୁ ବୟସର ପାଠକଙ୍କ ପାଇଁ ସାହିତ୍ୟ ସର୍ଜନା କରିଛନ୍ତି। ଆହୁରି ମଧ୍ୟ କେବଳ ମନୁଷ୍ୟ ନୁହନ୍ତି, ତାଙ୍କ ସୃଷ୍ଟିରେ ପଶୁ, ପକ୍ଷୀ, କୀଟପତଙ୍ଗ ଯେପରି ଚିତ୍ରାୟିତ ହୋଇଛନ୍ତି, ତାହା ଓଡ଼ିଆ ସାହିତ୍ୟରେ ଦୁର୍ଲଭ କହିଲେ ଅତ୍ୟୁକ୍ତି ହେବନାହିଁ। ସେଇ କାରଣରୁ ହିଁ ସେ ହାସଲ କରିଥିଲେ ଓଡ଼ିଆଙ୍କ ପ୍ରିୟତମ କଥାକାରର ମର୍ଯ୍ୟାଦା।
ଜୀବନର ପ୍ରଥମ ଭାଗରେ ଅର୍ଥାତ୍‌ ତରୁଣ ବୟସରେ ସେ ବାମପନ୍ଥୀ ଧାରାର ଅନୁଗାମୀ, ଯାହା ତାଙ୍କ ଲେଖାରେ ମଧ୍ୟ ପ୍ରସ୍ଫୁଟିତ ହୋଇଛି। ଏକ ସମତାଭିତ୍ତିକ ସମାଜ ଗଠନ ଅଭୀପ୍‌ସା ତଥା ଅନ୍ୟାୟ ଅତ୍ୟାଚାର ଓ ଶୋଷଣ ବିରୋଧରେ ପ୍ରତିବାଦ ସେଗୁଡ଼ିକର ମୁଖ୍ୟ ସ୍ବର। ତେବେ ଜୀବନର ପରବର୍ତ୍ତୀ ସମୟରେ ସେ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଅତିମାନସ ଚେତନାରେ ଓତପ୍ରୋତ ଭାବେ ଜଡ଼ିତ ହୋଇ ଅଧ୍ୟାତ୍ମମାର୍ଗର ପଥିକ ହୋଇଛନ୍ତି; କିନ୍ତୁ ଆଧ୍ୟାତ୍ମିକତାକୁ ସେ ସଂସାରବୈରାଗ୍ୟ ଭାବେ ଆଦୌ ଦେଖିନାହାନ୍ତି; ବରଂ ସେ କହିଛନ୍ତି ଯେ ତାହା ଦୁଃଖଯାତନା, ଅଭାବ ଓ ଅନ୍ୟାୟର ପ୍ରତିଷେଧକ। ଆଧ୍ୟାତ୍ମିକତାକୁ ସେ ପୂର୍ଣ୍ଣତାର ସୂତ୍ର ଭାବେ ଗ୍ରହଣ କରିଛନ୍ତି। ତେଣୁ ସେ ଏକଦା ମାର୍କ୍ସୀୟ ବିଚାରରୁ ବାହାରିଯାଇ ଅଧ୍ୟାତ୍ମର ଅନ୍ବେଷଣ ନେଇ ପଚରାଯାଇଥିବା ଗୋଟିଏ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଆଧ୍ୟାତ୍ମିକତାର ଆଲୋକରେ ରାଜନୀତି ବିପଜ୍ଜନକ ନୁହେଁ; ବରଂ ଆଧ୍ୟାତ୍ମିକତା ନାମରେ ରାଜନୀତି ବିପଜ୍ଜନକ। ଆଜି ତାଙ୍କର ଏହି କଥାଟି ଖୁବ୍‌ ପ୍ରାସଙ୍ଗିକ ମନେହେଉଛି ଏବଂ ଏହାର ଆବେଦନ ଚିରକାଳ ରହିବ। ସ୍ମରଣଯୋଗ୍ୟ ଯେ ମନୋଜ ଦାସଙ୍କ ସୁଦୀର୍ଘ ସାହିତ୍ୟିକ ଜୀବନଯାତ୍ରାରେ ପ୍ରଶ୍ନୋତ୍ତର ଓ ବିମର୍ଶ ଏକ ଗୁରୁତ୍ବପୂର୍ଣ୍ଣ ଅଂଗ ହୋଇ ରହିଥିଲା, ଯାହା ପ୍ରୟାତ ପ୍ରାବନ୍ଧିକ-ଦାର୍ଶନିକ ଚିତ୍ତରଂଜନ ଦାସଙ୍କ ପରି ଖୁବ୍‌ ଅଳ୍ପ ଓଡ଼ିଆ ସାହିତ୍ୟିକଙ୍କ ନିକଟରେ ଦେଖାଯାଏ। ଏହି କ୍ରମରେ ଅତୀତରେ ‘ସମାଜ’ ମଧ୍ୟ ଏକ ମାଧ୍ୟମ ହୋଇଥିଲା ଏବଂ ଶ୍ରୀ ଦାସ ପ୍ରାୟ ବର୍ଷେ କାଳ ‘ଜିଜ୍ଞାସାର ଦିଗ୍‌ଦିଗନ୍ତ’ ନାମକ ସ୍ତମ୍ଭ ଜରିଆରେ ପାଠକଙ୍କ ଅନୁସନ୍ଧିତ୍ସାର ଉତ୍ତର ରଖିଆସିଥିଲେ।
ମନୋଜ ଦାସଙ୍କୁ କେବଳ ଜଣେ ଲେଖକ ବା ସ୍ରଷ୍ଟା ଭାବେ ଦେଖିଲେ ତାଙ୍କର ସାମଗ୍ରିକ ଜୀବନକୁ ଠିକ୍‌ ଭାବେ ବୁଝି ହେବନାହିଁ। ସେ ସାହିତ୍ୟ-ସଂସ୍କୃତି ଜଗତର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମାନ୍ତରାଳ ଭାବେ ତରୁଣ ବୟସରୁ ହିଁ ତୁଲାଇ ଆସୁଥିଲେ; ତାହା ହେଲା ସଂପାଦନା। ଓଡ଼ିଆରେ ‘ଦିଗନ୍ତ’ ପତ୍ରିକାଠାରୁ ଆରମ୍ଭ କରି ‘ସଚିତ୍ର ବିଜୟା’, ‘ଜହ୍ନମାମୁ’ ଯାଏ ତଥା କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ଦର୍ଶନଭିତ୍ତିକ ମର୍ଯ୍ୟାଦାବନ୍ତ ଇଂରେଜୀ ପତ୍ରିକା ‘ଦ ହେରିଟେଜ୍‌’ ଆଦିର ସଂପାଦନାରେ ତାଙ୍କ ଅଭିନବତ୍ବ ଖୁବ୍‌ ସ୍ପଷ୍ଟ। ତାଙ୍କର ସେହି ସ୍ଥାନ କେହି ନେଇପାରିବ ନାହିଁ। ସେ ଆଗାମୀ ପିଢ଼ି ପାଇଁ ଜଣେ ପଥପ୍ରଦର୍ଶକ ହୋଇ ରହିଥିବେ।
ଏହି ଅଦ୍ବିତୀୟ କିମ୍ବଦନ୍ତୀ ନିର୍ମାତା, ଅନନ୍ୟ ଭାଷା, ଶୈଳୀ ଓ ରୂପକଳ୍ପର ପ୍ରବର୍ତ୍ତକଙ୍କ ଅବର୍ତ୍ତମାନରେ ଭାରତୀୟ ସାହିତ୍ୟ ଜଗତ ମ୍ରିୟମାଣ ହେବା ସ୍ବାଭାବିକ; କିନ୍ତୁ ସେ ମନୁଷ୍ୟର ତନ୍ଦ୍ରାଲୋକକୁ ଆବିଷ୍କାର କରି ନିଜେ ଅତନ୍ଦ୍ର ପ୍ରହରୀ ସାଜି ଯେପରି ତା’ର ଚେତନ, ଅବଚେତନ ସତ୍ତା ଏବଂ ବିବେକର ରକ୍ଷା କରିବାପାଇଁ ଅଙ୍ଗୀକାରବଦ୍ଧ ହୋଇଛନ୍ତି, ତାହା ତାଙ୍କୁ ଚିର ଅବିନଶ୍ବର କରି ରଖିବ ଏଥିରେ ସନ୍ଦେହ ନାହିଁ।

Comments are closed.