ଠୋସ୍‌ ନିଷ୍ପତ୍ତି ଆବଶ୍ୟକ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସମୟନିଷ୍ଠ; କିନ୍ତୁ ଏହି ସାମୟିକ ସ୍ଥଗିତାଦେଶ କୃଷକଙ୍କ ସମସ୍ୟା ସମାଧାନ କରିପାରିବ ନାହିଁ

ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ପ୍ରଣୀତ ତିନିଟି ବିବାଦୀୟ କୃଷି ଆଇନର କାର୍ଯ୍ୟକାରିତା ଉପରେ ଯେଉଁ ସାମୟିକ ସ୍ଥଗିତାଦେଶ ଜାରି କରିଛନ୍ତି, ତାକୁ ସମୟନିଷ୍ଠ ବୋଲି କୁହାଯାଇପାରେ। ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଏସ୍‌.ଏ.ବୋବ୍‌ଡେଙ୍କ ନେତୃତ୍ବାଧୀନ ପୀଠ ଦିଲ୍ଲୀ ସୀମାନ୍ତ ସିଂଘୁ ଓ ଅନ୍ୟ ସ୍ଥାନରେ ଆନ୍ଦୋଳନରତ ଚାଷୀଙ୍କ ପାଇଁ ଚିନ୍ତାପ୍ରକଟ କରିଥିବାବେଳେ ସରକାର ସେମାନଙ୍କ ସହ କରୁଥିବା ଆଲୋଚନାକୁ ‘ନିରାଶାଜନକ’ ଦର୍ଶାଇ ଭର୍ତ୍ସନା କରିଛନ୍ତି। ସରକାର ଓ କୃଷକ ସଂଘ ମଧ୍ୟରେ ଏକ ବୁଝାମଣାର ସୂତ୍ର ବାହାର କରିବାକୁ ଅଦାଲତ ଏକ ଚାରିଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି ଏବଂ ଆଶା କରିଛନ୍ତି ଯେ କୃଷକ ସଂଘ ଏହି କମିଟିକୁ ସହଯୋଗ କରୁ। ତେବେ ମୂଳରୁ ହିଁ କମିଟି ଗଠନକୁ ବିରୋଧ କରିଆସୁଥିବା ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ବୟ ସମିତି ଏକ ପ୍ରେସ୍‌ ବିବୃତିରେ ସ୍ପଷ୍ଟ କରିଛି ଯେ ନ୍ୟାୟାଳୟର ଏହି ନିଷ୍ପତ୍ତି ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଏହାଦ୍ବାରା ଆନ୍ଦୋଳନରେ ଦାଓପେଞ୍ଚ ପଶିଯିବ ବୋଲି ସମନ୍ବୟ ସମିତି ଆଶଙ୍କା କରିଛି। କୃଷକ ସଂଘର ନେତୃବର୍ଗଙ୍କ ପକ୍ଷରୁ ଏହାର କାରଣ ଭାବେ ଯେଉଁ ଯୁକ୍ତି ଉପସ୍ଥାପନ କରାଯାଇଛି, ତାକୁ ଅମୂଳକ ବୋଲି କହିହେବ ନାହିଁ। ସେମାନଙ୍କ ମତରେ କମିଟି ଗ୍ରହଣୀୟ ନୁହେଁ, କାରଣ ସେଥିରେ ରହିଥିବା ଚାରିଜଣ କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟି, ଜାତୀୟ କୃଷି ଅନୁସନ୍ଧାନ ପ୍ରବନ୍ଧନର ପୂର୍ବତନ ନିର୍ଦେଶକ ଡ. ପ୍ରମୋଦ କୁମାର ଜୋଷୀ, ଶେତ୍‌କାରୀ ସଂଗଠନର ଅନିଲ୍‌ ଘନୱତ୍‌ ଓ ଭାରତୀୟ କିଷାନ ୟୁନିୟନର ଭୂପିନ୍ଦର ସିଂହ ମାନ୍‌ ନୂତନ କୃଷି ଆଇନର ମୁଖର ସମର୍ଥକ ଭାବେ ଜଣାଶୁଣା। ତେଣୁ ସେମାନେ କେବେହେଲେ ଚାଷୀଙ୍କ ସପକ୍ଷରେ ଅଦାଲତକୁ ରିପୋର୍ଟ ଦେବେ ନାହିଁ। ନ୍ୟାୟାଳୟକୁ ବିଭିନ୍ନ ଶକ୍ତି ବାଟବଣା କରିବାକୁ ଚେଷ୍ଟା କରୁଥିବା ମଧ୍ୟ କୃଷକ ସଂଘ ଅଭିଯୋଗ କରିଛି। ଏପରି କି ଜଣେ କୃଷକ ନେତା କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟ ସାମୟିକ ଭାବେ କୃଷି ଆଇନକୁ ସ୍ଥଗିତ ରଖିଥିଲେ ହେଁ କମିଟି ଗଠନ କରି ସରକାରଙ୍କ ସପକ୍ଷରେ ହିଁ ରାୟ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ସେମାନଙ୍କ ଦୁଇଟି ଦାବି ତିନି କୃଷି ଆଇନର ସମ୍ପୂର୍ଣ୍ଣ ରଦ୍ଦ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସରକାର ଆଇନ ପ୍ରଣୟନ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ଅତିଶୟ ଶୀତ ଓ ବର୍ଷାରେ ପଡ଼ିରହି ଆନ୍ଦୋଳନ କରୁଥିବା କୃଷକମାନେ କେନ୍ଦ୍ର ସରକାରଙ୍କ ଜିଦ୍‌ଖୋର୍‌ ମନୋଭାବ ଆଗରେ ଆଦୌ ନଇଁବା ଅବସ୍ଥାରେ ନଥିବା ସରକାରଙ୍କୁ ବଡ଼ ଅଡ଼ୁଆରେ ପକାଇଛି। ତେବେ ଏକ ଗଣତାନ୍ତ୍ରିକ ସରକାରଠାରୁ ଏପରି ଜିଦ୍‌ଖୋର୍‌ ଓ ଅହଂକାରୀ ସ୍ବଭାବ ଆଦୌ ଆଶା କରାଯାଏନା। ସରକାର ଆଠ ଆଠ ଥର ଆଲୋଚନା କରିବା ପରେ ମଧ୍ୟ କୃଷକଙ୍କ ବିଶ୍ବାସ ଜିତି ନପାରିବା ନିରାଶାପୂର୍ଣ୍ଣ ବୋଲି ନ୍ୟାୟାଳୟ ଦର୍ଶାଇବା ମଧ୍ୟ ଅଯଥାର୍ଥ ନୁହେଁ। ଏପରି ଆଲୋଚନାର କିଛି ଅର୍ଥ ନାହିଁ। ଏଥିରୁ ସରକାର କେବଳ ସମୟ ଗଡ଼ାଇବାକୁ ଚାହୁଁଥିବା ମନେହେଉଛି, ଯାହା ସମ୍ପର୍କରେ ନ୍ୟାୟାଳୟ ମଧ୍ୟ ଟିପ୍ପଣୀ କରିଛନ୍ତି। ସରକାର ହୃଦ୍‌ବୋଧ କରିସାରିଥିବେ ଯେ ଆଇନ ପ୍ରଣୟନ କରିବା ପୂର୍ବରୁ ଦେଶର ଚାଷୀଙ୍କ ସହ ଯଥୋଚିତ ଚର୍ଚ୍ଚା ଓ ଆଲୋଚନା ନକରି ବଡ଼ ଭୁଲ୍‌ କରିଛନ୍ତି, ଯାହା ଏବେ ତଣ୍ଟିରେ କଣ୍ଟା ପରି ଲାଖିଗଲାଣି। ସରକାର ଏ ପ୍ରସଙ୍ଗକୁ ଯେପରି ପରିଚାଳନା କରୁଛନ୍ତି, ସେଥିରୁ ମଧ୍ୟ ଲାଗୁଛି ଯେ ସରକାରଙ୍କ ପାଖରେ ଏ ସମସ୍ୟାର କୌଣସି ନ୍ୟାୟୋଚିତ ସମାଧାନ ବା ବିକଳ୍ପ ମଧ୍ୟ ନାହିଁ। ତେଣୁ ନ୍ୟାୟାଳୟର ତାଗିଦାକୁ ସହିବା ଏବଂ ନିର୍ଦେଶ ମାନିବା ଛଡ଼ା ଆଉ ଅନ୍ୟ ଗତି ନାହିଁ। ସରକାର ବାରମ୍ବାର କହିଚାଲିଛନ୍ତି ଯେ ଏହି ଆଇନ ଏବଂ ସରକାରଙ୍କ ସପକ୍ଷରେ ବହୁ କୃଷକ ସଂଘ ରହିଛନ୍ତି; କିନ୍ତୁ କୋଉମାନେ ପ୍ରକୃତରେ ଏହି ତିନିଟି କୃଷି ଆଇନକୁ ସମର୍ଥନ କରୁଛନ୍ତି ସରକାର ତାହା ଏ ପର୍ଯ୍ୟନ୍ତ କହିପାରୁନାହାନ୍ତି। ନ୍ୟାୟାଳୟ ଯଥାର୍ଥରେ ଏହି ବିଷୟକୁ ମଧ୍ୟ ଦର୍ଶାଇଛନ୍ତି ଯେ ଯେଉଁମାନେ ଏହି ଆଇନକୁ ସମର୍ଥନ କରୁଛନ୍ତି ବୋଲି ସରକାର କହୁଛନ୍ତି, ସେମାନେ ଏ ପର୍ଯ୍ୟନ୍ତ ଅଦାଲତକୁ କିଛି ବି ଜଣାଇ ନାହାନ୍ତି।

ସର୍ବୋଚ୍ଚ ନ୍ୟାୟାଳୟର ପୀଠ କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ଆହୁରି ମଧ୍ୟ ପଚାରିଛନ୍ତି ଯେ ସରକାର ନିଜେ ସମସ୍ୟା ନା ସମାଧାନର ଅଂଶ। ଏଥିରୁ ସରକାର ବୁଝିବା ଆବଶ୍ୟକ ଯେ ଏହି ସମଗ୍ର ପ୍ରକରଣରେ ସରକାରଙ୍କ ଭୂମିକା କିପରି ହେବା ଉଚିତ। ଆମର ଆଶା ଯେ ସରକାର ନିଜେ ସମସ୍ୟା ନୁହେଁ; ସମାଧାନର ଅଂଶ ହେବେ। ଏ ପର୍ଯ୍ୟନ୍ତ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବାବେଳେ ଭବିଷ୍ୟତରେ ଆନ୍ଦୋଳନକାରୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲେ ତାହା ଅଶାନ୍ତ ହୋଇପାରେ ବୋଲି ନ୍ୟାୟାଳୟଙ୍କ ଆଶଙ୍କାକୁ ଆଦୌ ଏଡ଼ାଇ ହେବନାହିଁ। ସରକାର ଅବିଳମ୍ବେ ଏ ବିଷୟରେ ଠୋସ୍‌ ନିଷ୍ପତ୍ତି ନେବା ଆବଶ୍ୟକ।

Comments
Loading...