ବାଇଡେନ ଓ ବିଶ୍ବ : ଆମେରିକାର ବିଦେଶ ନୀତି ବଦଳିବା ସମ୍ଭାବନା ଅଧିକ

ଏକ କଡ଼ା ମୁକାବିଲାରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ପରାଜିତ କରି ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ୭୭ ବର୍ଷୀୟ ଜୋସେଫ୍‌ ରବିନେଟ୍‌ ବାଇଡେନ୍ ଜୁନିଅର୍‌ ବା ଜୋ ବାଇଡେନ୍‌। ସେ ରାଜନୀତିରେ କେବଳ ଅଭିଜ୍ଞ ନୁହନ୍ତି, ଆମେରିକାର ରାଷ୍ଟ୍ରପତି ହେବାରେ ମଧ୍ୟ ବରିଷ୍ଠତମ। ଦୀର୍ଘ ପାଞ୍ଚଦଶନ୍ଧିରୁ ଊର୍ଦ୍ଧ୍ବକାଳ ଶାସନ ସହ ଓତପ୍ରୋତ ଜଡ଼ିତ ଥିବା ବାଇଡେନ ଦୁଇଥର ଉପରାଷ୍ଟ୍ରପତି ହୋଇଥିବାବେଳେ ତିନିଥର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ବାରମ୍ବାର ନିର୍ବାଚନରେ ପରାଜିତ ହେବାସତ୍ତ୍ବେ ସେ ହାର୍‌ ମାନିନଥିଲେ ଓ ଶେଷରେ ଶୀର୍ଷପଦ ହାସଲ କରିବାକୁ ସମର୍ଥ ହୋଇଛନ୍ତି। ତେବେ ୨୦୨୦ ନିର୍ବାଚନରେ ତାଙ୍କ ବ୍ୟକ୍ତିଗତ ବିଜୟ ଯେତିକି ଗୁରୁତ୍ବପୂର୍ଣ୍ଣ, ତା’ଠୁ ବେଶି ମହତ୍ତ୍ବପୂର୍ଣ୍ଣ ଟ୍ରମ୍ପ୍‌ଙ୍କ ପରାଜୟ ଏବଂ ଡେମୋକ୍ରେଟିକ୍‌ ପାର୍ଟିର ବିଜୟ। ଏହା ଏଇଥିପାଇଁ ଯେ ଟ୍ରମ୍ପ୍‌ଙ୍କୁ ହରାଇବା ତାଙ୍କ ପାଇଁ ସହଜ ନଥିଲା। ଏହା ସେ ପାଇଥିବା ଭୋଟ ପରିମାଣରୁ ହିଁ ସ୍ପଷ୍ଟ ହେଉଛି। ଏହା ସତ୍ୟ ଯେ ବାଇଡେନ୍‌ ଆମେରିକାର ନିର୍ବାଚନ ଇତିହାସରେ ସର୍ବାଧିକ ଭୋଟ ପାଇଥିବା ନେତା ସାବ୍ୟସ୍ତ ହୋଇଛନ୍ତି; କିନ୍ତୁ ଧ୍ୟାନଯୋଗ୍ୟ ବିଷୟ ହେଉଛି ଟ୍ରମ୍ପ୍‌ ମଧ୍ୟ ଏଥର ୭ କୋଟିରୁ ଅଧିକ ଭୋଟ ପାଇ ନିଜର ଗୁରୁତ୍ବ ପ୍ରତିପାଦିତ କରିଛନ୍ତି, ଯାହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ତେବେ ‘ଯୋ ଜିତା ୱହି ସିକନ୍ଦର’। ବିଜୟଟିକା ପିନ୍ଧିଥିବା ବାଇଡେନ୍‌ ଆମେରିକାର ଭାଗ୍ୟବିଧାତା ହୋଇସାରିଛନ୍ତି। ସେଥିପାଇଁ ଅବଶ୍ୟ ଟ୍ରମ୍ପ୍‌ ନିଜେ ମଧ୍ୟ କମ୍‌ ଦାୟୀ ନୁହନ୍ତି।
ଟ୍ରମ୍ପ୍‌ଙ୍କୁ ହରାଇବା ବାଇଡେନ୍‌ଙ୍କ ପାଇଁ ଯେତିକି କଷ୍ଟକର ଥିଲା, ତାଙ୍କ ବିରୋଧରେ ଜନମତ ସୃଷ୍ଟି କରିବା ସେତିକି ସହଜ ଥିଲା; କାରଣ ଟ୍ରମ୍ପ୍‌ଙ୍କ ଅଦୂରଦର୍ଶୀ ପଦକ୍ଷେପ, ଅନ୍ୟମାନଙ୍କ ପ୍ରତି ତ୍ବରିତ୍‌ କଟୁମନ୍ତବ୍ୟ, କୋଭିଡ-୧୯ ମହାମାରୀକୁ ଗୁରୁତ୍ବହୀନ ଦର୍ଶାଇବା, ଆନ୍ତର୍ଜାତିକ ମହଲରେ ଆମେରିକାର ମହତ୍ତ୍ବକୁ ହ୍ରାସ କରିବା, ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକରୁ ଓହରିଯିବା ଇତ୍ୟାଦି ଆମେରିକୀୟଙ୍କ ମନରେ ତାଙ୍କ ପ୍ରତି ଥିବା ସମ୍ମାନକୁ ହ୍ରାସ କରିଦେଇଥିଲା। ସର୍ବୋପରି ଟ୍ରମ୍ପ୍‌ଙ୍କ ବିଭାଜନକାରୀ ଶାସନ ପଦ୍ଧତି ତାଙ୍କ ସମର୍ଥକଙ୍କୁ ମଧ୍ୟ ବୀତସ୍ପୃହ କରିଦେଇଥିଲା, ଯେଉଁମାନେ ଚାରିବର୍ଷ ପରେ ବିକଳ୍ପ ଖୋଜିବାକୁ ବାଧ୍ୟ ହେଲେ। ବାଇଡେନ ଏହାର ସୁଯୋଗ ନେଇ କହିଥିଲେ ଯେ ଆମେରିକାରେ ଟ୍ରମ୍ପ୍‌ଙ୍କ ବିକଳ୍ପ ଦରକାର ଓ ସେ ହିଁ ସେଇ ବିକଳ୍ପ। ନିର୍ବାଚନ ପରିଣାମରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି। ଆମେରିକାର ସଂଖ୍ୟାଗରିଷ୍ଠ ଲୋକ ବସବାସ କରୁଥିବା ନଗର, ଉପନଗର ଓ ସହରଗୁଡ଼ିକରେ ବହୁ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ସେହିପରି ଅଧିକସଂଖ୍ୟକ ମହିଳା, ସଂଖ୍ୟାଲଘୁ ଓ ଯୁବା ଏଥର ବାଇଡେନଙ୍କ ସପକ୍ଷରେ ମତଦାନ କରି ଟ୍ରମ୍ପଙ୍କୁ ଦ୍ବିତୀୟ ଥର ରାଷ୍ଟ୍ରପତି ହେବାକୁ ସୁଯୋଗ ଦେଇନାହାନ୍ତି।
କେବଳ ଆମେରିକା ନୁହେଁ, ଡେମୋକ୍ରାଟ୍‌ ବାଇଡେନଙ୍କ ବିଜୟ ସମଗ୍ର ବିଶ୍ବ ପାଇଁ ଗୁରୁତ୍ବ ବହନ କରେ। ଟ୍ରମ୍ପ୍‌ ‘ଆମେରିକା ପ୍ରଥମ’ ନାରା ଦେବାସହ ପ୍ୟାରିସ୍‌ ଜଳବାୟୁ ଚୁକ୍ତି, ଇରାନ ପରମାଣୁ ଚୁକ୍ତି ଆଦି ଭଳି ବହୁ ଆନ୍ତର୍ଜାତିକ ଚୁକ୍ତିରୁ ଓହରିଯାଇଥିଲେ, ଯାହା ଆମେରିକାର ପତିଆରା ଓ ସମ୍ମାନକୁ ହ୍ରାସ କରିଥିଲା; ବାଇଡେନ ନିଶ୍ଚୟ ତାହା କରିବେ ନାହିଁ ଓ ତାଙ୍କ ବିଦେଶ ନୀତି ସଂପୂର୍ଣ୍ଣ ଭିନ୍ନ ହେବା ଅଧିକ ସମ୍ଭବ। ସେ ପୂର୍ବରୁ କହିସାରିଛନ୍ତି ଯେ ଆମେରିକା ତା’ର ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହ ସମ୍ବନ୍ଧକୁ ଅଧିକ ଦୃଢ଼ କରିବ। ଏହା ତାଙ୍କ ପାଇଁ କଷ୍ଟକର ହେବନାହିଁ; କାରଣ ସେ ଦୀର୍ଘବର୍ଷ ଧରି ଆମେରିକା ସିନେଟ୍‌ ବିଦେଶ ବ୍ୟାପାର କମିଟିର ଅଧ୍ୟକ୍ଷ ରହିଆସିଛନ୍ତି। ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ଶାସନକାଳରେ ବାଇଡେନ୍ ଉପରାଷ୍ଟ୍ରପତି ଥିବା ସମୟରେ ତାଙ୍କ ପରାମର୍ଶ ବେଶ୍‌ ଗୁରୁତ୍ବ ବହନ କରୁଥିଲା, କାରଣ ସେ ସର୍ବଦା ଗଣତାନ୍ତ୍ରିକ ମୂଲ୍ୟବୋଧ, ମାନବାଧିକାର ସପକ୍ଷବାଦୀ। ତେବେ ଟ୍ରମ୍ପଙ୍କ ଚାରିବର୍ଷର ଶାସନକାଳ ଭିତରେ ଇଉରୋପ, ମଧ୍ୟପୂର୍ବର ଦେଶ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ଆମେରିକାର ସମ୍ପର୍କ ଓ ସମୀକରଣ ଅନେକଟା ବଦଳିଯାଇଛି। ତେଣୁ ସେଗୁଡ଼ିକ ସହ ବାଇଡେନ୍ କିଭଳି ସମ୍ବନ୍ଧକୁ ପୁନଃସ୍ଥାପନ କରିବେ, ତାହା ଦେଖିବାର କଥା।
ଏଥର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଳା ଦେବୀ ହ୍ୟାରିସ୍‌ଙ୍କ ବିଜୟ ଏବଂ ଆମେରିକା ରାଜନୀତିରେ ତାଙ୍କର ଭୂମିକା ମଧ୍ୟ ବେଶ୍‌ ମହତ୍ତ୍ବପୂର୍ଣ୍ଣ। ସେ ଏହି ପଦ ହାସଲ କରିବାରେ ପ୍ରଥମ ମହିଳା, କୃଷ୍ଣକାୟ ଏବଂ ଭାରତବଂଶଜ। ନୂଆ ଇତିହାସ ସୃଷ୍ଟି କରିଥିବା କମଳାଙ୍କୁ ଓବାମାଙ୍କ ଶାସନ କାଳରେ ‘ମହିଳା ଓବାମା’ ବୋଲି କେହିକେହି ଆଖ୍ୟା ଦେଇଥିଲେ। ଏଥିରୁ ତାଙ୍କର ଅବିସମ୍ବାଦିତ ଲୋକପ୍ରିୟତାର ପ୍ରମାଣ ମିଳେ। ଭାରତ ପାଇଁ ବାଇଡେନ୍‌-ହ୍ୟାରିସ୍‌ଙ୍କ ଆମେରିକା ଅନେକ ସକାରାତ୍ମକ ପରିବର୍ତ୍ତନ ନେଇ ଆସିବ ବୋଲି ଅନେକଙ୍କ ଆଶା।

Comments are closed.