ଆନ୍ତରିକତା ନାହିଁ
ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଦୀର୍ଘ ଦିନ ଧରି ସୀମା ସମସ୍ୟା ଲାଗିରହିଥିଲେ ହେଁ ସମାଧାନର ବାଟ ନଖୋଜିବା ପରିତାପର ବିଷୟ

ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ କେତେକ ପଡ଼ୋଶୀ ରାଜ୍ୟ ଅନୁପ୍ରବେଶଠାରୁ ଆରମ୍ଭ କରି ପଡ଼ିକାର୍ଡ ବଣ୍ଟନ କରିବା ପର୍ଯ୍ୟନ୍ତ ବେଆଇନ କାର୍ଯ୍ୟ ଜାରି ରଖିଥିଲେ ହେଁ ଓଡ଼ିଶା ସରକାର ଏଥିପ୍ରତି ଯେପରି କାର୍ଯ୍ୟାନୁଷ୍ଠାନ କରିବା କଥା କରୁନାହାନ୍ତି; ଫଳରେ ଧୀରେଧୀରେ ଏହି ସମସ୍ୟା ସ୍ଥାନୀୟ ଅଧିବାସୀଙ୍କୁ ଦୋଛକିରେ ପକାଇବା ସହ ସେହି ରାଜ୍ୟଗୁଡ଼ିକ ସହ ସମ୍ବନ୍ଧ ମଧ୍ୟ ତିକ୍ତ ହେବାର ଆଶଙ୍କା ଦେଖାଦେଇଛି। ମାସକ ତଳେ କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସାମ୍ବାଇ ପଞ୍ଚାୟତରେ ସୀମା ବିବାଦ ଦେଖାଦେଇଥିବାବେଳେ ଏବେ ସେହି ବ୍ଲକ୍ର କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ସମଗ୍ର ରାଜ୍ୟରେ ଚର୍ଚା ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆକୁ ଆଦର୍ଶ ପଞ୍ଚାୟତ କରିବା ପାଇଁ ଘୋଷଣା ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
କୋଟିଆ ବା କୁଟିଆ ଗ୍ରାମପୁଞ୍ଜର ୨୧ଟି ଗଁାକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିବାଦ ବହୁତ ପୁରୁଣା; କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟର ସରକାର କେବେ ଆନ୍ତରିକତାର ସହ ଉଦ୍ୟମ କରୁନଥିବାରୁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଓଡ଼ିଶା ସରକାର ଅବଶ୍ୟ ସେହି ଅଞ୍ଚଳର ବିକାଶ ପାଇଁ ୨୦୧୮ରେ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ ଏବଂ ଏହି କାର୍ଯ୍ୟଗୁଡ଼ିକ ସେଠାରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି। ଏବେ ପୁଣି ୧୩ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବା ସହ ୫ କୋଟି ଟଙ୍କାର ଏକ ଉଚ୍ଚସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏପରି ପ୍ରକଳ୍ପଗୁଡ଼ିକ ନିଶ୍ଚୟ ଏହି ଅତି ଅନୁନ୍ନତ ଅଞ୍ଚଳର ବିକାଶରେ ସହାୟକ ହେବ। ତେବେ କେବଳ ଏପରି କିଛି ବିକାଶ କାର୍ଯ୍ୟ କରିଦେଲେ ଅସଲ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ପ୍ରକୃତ ସମସ୍ୟା ହେଉଛି ସରକାରୀ କଳ ବା ପ୍ରଶାସନ ଲୋକଙ୍କ ପାଖରେ ଏବେ ମଧ୍ୟ ପହଞ୍ଚୁନାହିଁ। ଯଦି ତାହା ହେଉଥାନ୍ତା, ତେବେ ସେଠାକାର ଲୋକେ କେବେ ମଧ୍ୟ ଆନ୍ଧ୍ରର ଦାନ ବା ଅନୁଦାନକୁ ଗ୍ରହଣ କରିବାକୁ ରାଜି ହୋଇନଥା’ନ୍ତେ; ସେଠାକାର ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରୁନଥା’ନ୍ତେ।
କେବଳ କୋରାପୁଟ ନୁହେଁ, ସେପଟେ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ୍ ତୁମ୍ବା ପଞ୍ଚାୟତ ଅନ୍ତର୍ଗତ କୁଲାଡ଼ି ଓ ବାଞ୍ଜୁଆ ସାହି ଏବଂ ଗଜପତି ଜିଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତକୁ ମଧ୍ୟ ଆନ୍ଧ୍ର ନିଜର ପଞ୍ଚାୟତ ନିର୍ବାଚନରେ ସାମିଲ୍ କରିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲାର ଦୁଇଟି ଗାଁକୁ ମଞ୍ଜୁଷା ମଣ୍ଡଳ ତାଳଗୁରାଣ୍ଠି ପଞ୍ଚାୟତର ୱାର୍ଡ ନଂ ୯ ବୋଲି ଦର୍ଶାଇ ୱାର୍ଡସଭ୍ୟା ପଦ ପାଇଁ ନାମାଙ୍କନ ପତ୍ର ଆହ୍ବାନ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା କେବଳ ଏହି ଦୁଇଟି ଗ୍ରାମ ନୁହେଁ, ପାତ୍ରପୁର ବ୍ଲକର ଅନେକ ସୀମାନ୍ତବର୍ତ୍ତୀ ଗ୍ରାମର ଲୋକଙ୍କୁ ଆନ୍ଧ୍ରପ୍ରଦେଶ ସରକାର ଭୋଟର ପରିଚୟପତ୍ର, ଜମିପଟ୍ଟା, ବିଦ୍ୟୁତ୍ ସଂଯୋଗ ପ୍ରଦାନ କରିବା ସହ ଶିକ୍ଷା ଓ ସ୍ବାସ୍ଥ୍ୟସେବା ମଧ୍ୟ ଯୋଗାଉଥିବା ଖବର ମିଳିଛି। ଆସନ୍ତା ଫେବୃଆରୀ ୧୩ରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ପାତ୍ରପୁର ବ୍ଲକ୍ର ଆଦିବାସୀ ଅଞ୍ଚଳର ଆଉ କେତେକ ଗ୍ରାମର ଲୋକେ ସେଥିେର ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି। ତେବେ ସେମାନଙ୍କ ନିକଟରେ ଓଡ଼ିଶାର ଭୋଟର ପରିଚୟପତ୍ର ମଧ୍ୟ ରହିଛି। ଏଥିରୁ ସ୍ପଷ୍ଟ ଯେ ଆନ୍ଧ୍ରପ୍ରଦେଶ ସରକାରଙ୍କ ସ୍ଥାନୀୟ ପ୍ରଶାସନ ସେହି ଗ୍ରାମଗୁଡ଼ିକ ସହ ଯେପରି ଯୋଗାଯୋଗ ରଖିଛନ୍ତି ଏବଂ ଲୋକଙ୍କ ସୁଖଦୁଃଖ ବୁଝୁଛନ୍ତି, ଓଡ଼ିଶାର ପ୍ରଶାସନ ତାହା କରିବାରେ ବିଫଳ ହୋଇଛି।
ବର୍ତ୍ତମାନ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଓଡ଼ିଶାର ସୀମା ବିବାଦ ରହିଛି। ଏହି ରାଜ୍ୟଗୁଡ଼ିକର ସୀମାକୁ କୋରାପୁଟ, ବାଲେଶ୍ବର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା ଆଦି ୧୪ ଜିଲାର ସୀମା ଲାଗି ରହିଛି। ଦୀର୍ଘଦିନ ଧରି ବିବାଦ ରହିଥିଲେ ହେଁ ଓଡ଼ିଶା ସରକାର ଏହାର ସମାଧାନ ପାଇଁ ସମୁଚିତ ଧ୍ୟାନ ନଦେବା ପରିତାପର ବିଷୟ। ଅତୀତରେ ଏ ସମ୍ପର୍କରେ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି ଏବଂ ବିଧାନସଭା ଗୃହ କମିଟି ବୈଠକରେ ମଧ୍ୟ ଉଦ୍ବେଗ ପ୍ରକାଶ ପାଇଛି। ଦୁଃଖର କଥା ଯେ ଗୃହ କମିଟିର ବୈଠକରେ ଏ ନେଇ ଯେଉଁ କାର୍ଯ୍ୟପନ୍ଥା ସ୍ଥିର ହେଉଛି, ତାହା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହେଉନାହିଁ। ଫଳରେ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସୀମା ବିବାଦ ତୁଟିବା ବଦଳରେ ନୂଆ ସମସ୍ୟା ସୃଷ୍ଟି ହେଉଛି। ଏଥିରେ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକେ ବେଶି ହଇରାଣ ହେଉଛନ୍ତି। ଏଥିପ୍ରତି ରାଜନୈତିକ ଦଳଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଉଦାସୀନ। ଯୁଗଯୁଗ ଧରି ଅନୁନ୍ନତ ଅବସ୍ଥାରେ ରହିଥିବା ଉକ୍ତ ଅଞ୍ଚଳଗୁଡ଼ିକରେ ବିକାଶ କାର୍ଯ୍ୟ କରାଯାଇ ପ୍ରଶାସନ ପକ୍ଷରୁ ଲୋକଙ୍କ ସହ ଭାବଗତ ସମ୍ପର୍କ ବଢ଼ାଇବା ଆବଶ୍ୟକ। ସର୍ବୋପରି ପଡ଼ୋଶୀ ରାଜ୍ୟ ସରକାରମାନଙ୍କ ସଙ୍ଗେ ଅବିଳମ୍ବେ ଗଠନମୂଳକ ଆଲୋଚନା କରିବା ନିହାତି ଜରୁରୀ ହୋଇପଡ଼ିଛି। ଆନ୍ତରିକତାର ସହ ପଦକ୍ଷେପ ନେଲେ ଏହି ସମସ୍ୟାର ସମାଧାନ ଅବଶ୍ୟ ହୋଇପାରିବ।