ଦରଦୀ ହୃଦୟ ଲୋଡ଼ା : ଅନଗ୍ରସର ପୂର୍ବାଞ୍ଚଳ ହକ୍‌ ମାଗେ

ପୂର୍ବାଞ୍ଚଳ ପରିଷଦ (ଇଷ୍ଟଜୋନ୍‌ କାଉନ୍‌ସିଲ)ର ଚତୁର୍ବିଂଶ ବୈଠକ ଭୁବନେଶ୍ବରଠାରେ ଆରମ୍ଭ ହୋଇଛି। ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପରିଷଦର ସଦସ୍ୟ ରାଷ୍ଟ୍ରମାନେ ଏଇ ବୈଠକ ପାଳିକରି ଆୟୋଜନ କରିଥାନ୍ତି। ଏଥିରେ ସଦସ୍ୟ ରାଜ୍ୟମାନଙ୍କର ପାରସ୍ପରିକ ସ୍ବାର୍ଥ ଜଡ଼ିତ ବିଷୟ ଉପରେ ମୁଖ୍ୟତଃ ଆଲୋଚନା ହୋଇଥାଏ ଏବଂ ନିଜନିଜର ଅଭାବ ଅସୁବିଧା ଦୂର କରିବାକୁ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦନୁସାରେ ଏଥର ରାଜ୍ୟର କିଛି ଦାବି ଏଇ ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଆଗରେ ଉପସ୍ଥାପିତ କରିଛନ୍ତି। ଅନ୍ୟ ସଦସ୍ୟ ରାଷ୍ଟ୍ର ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ମଧ୍ୟ ଅନୁରୂପ ଦାବି ରଖିଥିବେ। ନବୀନବାବୁ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ(ଫୋକସ୍‌ଡ) ରାଜ୍ୟର ମର୍ଯ୍ୟାଦା ପ୍ରଦାନ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ସାମାଜିକ ଓ ଆର୍ଥିକ ଦୃଷ୍ଟିର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ତେଣୁ ସେ ସବୁର ନିରାକରଣ ପାଇଁ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟର ମର୍ଯ୍ୟାଦା ସହ ଅଧିକ କେନ୍ଦ୍ରୀୟ ଅନୁଦାନ ପାଇଁ ସେ ଯେଉଁ ଦାବି କରିଛନ୍ତି, ଯାହା ଅଯୌକ୍ତିକ ନୁହେଁ। ପଶ୍ଚିମବଙ୍ଗ ଓ ବିହାରର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଅନୁରୂପ ଦାବି ରଖିଛନ୍ତି। ଏ ସର୍ମ୍ପକରେ ଶ୍ରୀ ଶାହା ଓ କେନ୍ଦ୍ର ସରକାର ସହୃଦୟତାର ସହ ବିଚାର କରିବା ଆବଶ୍ୟକ। କେନ୍ଦ୍ରକୁ ସବୁବେଳେ ରାଜ୍ୟମାନେ ସ୍ବତନ୍ତ୍ର ସହାୟତା କାହିଁକି ମାଗିବେ? ଏଥିପାଇଁ ମାନଦଣ୍ଡ ଓ ବ୍ୟବସ୍ଥା ନିର୍ଦ୍ଧାରଣ ହେଉ।
ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ କେବଳ ଭୌଗୋଳିକ ଦୃଷ୍ଟିରୁ ପରସ୍ପର ସହ ସଂପୃକ୍ତ ନୁହନ୍ତି। ଏଠାକାର ସାମାଜିକ ଓ ଆର୍ଥିକ ସମସ୍ୟା ମଧ୍ୟ ଏକା ପ୍ରକାରର। ପ୍ରଚୁର ଖଣିଜ ସଂପଦ ଓ ଲୋକଶକ୍ତିରେ ଭରପୂର ସମଗ୍ର ପୂର୍ବାଞ୍ଚଳ ଦେଶର ସବୁଠୁ ଅନଗ୍ରସର ଅଞ୍ଚଳ। ଏଠାକାର ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ଓ ସାମାଜିକ ସ୍ଥିତି ମଧ୍ୟ ଅନୁନ୍ନତ। ଶିକ୍ଷାଦୀକ୍ଷାରେ ଏହି ଅଞ୍ଚଳର ଲୋକେ କିଞ୍ଚିତ ଆଗୁଆ ହେଲେ ମଧ୍ୟ ଏଠି ସେମାନଙ୍କ ରୋଜଗାର ପାଇଁ ଯଥେଷ୍ଟ ସୁବିଧାସୁଯୋଗ ଦେଶର ଅନ୍ୟାନ୍ୟ ଅଞ୍ଚଳ ଭଳି ନାହିଁ। ଆହୁରି ମଧ୍ୟ ଦେଶର ସର୍ବାଧିକ ତଫସିଲଭୁକ୍ତ ଜାତି, ଉପଜାତି ଏବଂ ଅନଗ୍ରସର ବର୍ଗର ଲୋକ ଯେଉଁମାନେ କି ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ, ସେମାନେ ଏଠାରେ ବସବାସ କରନ୍ତି। ଏଇ ଅଞ୍ଚଳଟି ବାତ୍ୟା, ବନ୍ୟା, ମରୁଡ଼ି ଓ ଭୂମିକମ୍ପପ୍ରବଣ। ପ୍ରାକୃତିକ ବିପର୍ଯ୍ୟୟ ଚିରସହଚର ହୋଇଥିବାରୁ ଲୋକେ ପ୍ରତିବର୍ଷ କ୍ଷତିଗ୍ରସ୍ତ ହୁଅନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଇ ଅଞ୍ଚଳର ସମସ୍ୟାସହ ବେଶ୍‌ ଭଲଭାବେ ଅବଗତ। ସେଥିପାଇଁ ସେ ଏହି ଅଞ୍ଚଳର ବିକାଶ ନିମନ୍ତେ ପୂର୍ବୋଦୟ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶା ଭଳି ରାଜ୍ୟ ଏବେ ଦ୍ରୁତ ବିକାଶ ପାଇଁ ଉଦ୍ୟମ କରୁଥିବାବେଳେ ଏଠାରେ ସଡ଼କ, ରେଳ ଓ ବନ୍ଦର ଭିତ୍ତିଭୂମିର ଉନ୍ନତି ଜାତୀୟ ହାର ଅନୁସାରେ ହୋଇପାରିନାହିଁ। ଟେଲି ଓ ବ୍ୟାଙ୍କ ସାନ୍ଦ୍ରତା ବୃଦ୍ଧି ଏବଂ ସେବାକ୍ଷେତ୍ର ପାଇଁ ଆଉ ଯେଉଁସବୁ ମୌଳିକ ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହା କେନ୍ଦ୍ରର ସ୍ବତନ୍ତ୍ର ଉଦ୍ୟମ ଓ ଶୁଭଦୃଷ୍ଟି ବିନା ଅସମ୍ଭବ। ଆହୁରି ମଧ୍ୟ ଦେଶର ସର୍ବାଧିକ ଖଣିଜ ପଦାର୍ଥ ଓଡ଼ିଶା, ଝାଡ଼ଖଣ୍ଡରୁ ଉତ୍ତୋଳିତ ହେଉଛି ଏବଂ ସମଗ୍ର ଦେଶର ଏହା ତାପଜ ବିଜୁଳିଘର ପାଲଟିଛି। ଏଠାକାର ଅଧିବାସୀ ପ୍ରଦୂଷଣ ଭୋଗୁଛନ୍ତି; କିନ୍ତୁୁ ଦେଶ ଆଲୋକିତ ହେଉଛି। ତେଣୁ କୋଇଲା ରୟାଲିଟି ସଂଶୋଧନ, ଉତ୍ପାଦିତ ବିଜୁଳିରୁ ପ୍ରଦୂଷଣ କ୍ଷତିପୂରଣ ବାବଦରେ ରାଜ୍ୟକୁ ଏକ ଅଂଶ ପ୍ରଦାନ, ଅନ୍ୟାନ୍ୟ ଖଣିଜ ଉପରେ ରୟାଲଟି ବୃଦ୍ଧି ଏହି ଅଞ୍ଚଳର ସବୁରାଜ୍ୟଙ୍କ ଦାବି ଏବଂ ଏହାକୁ ଅଯୌକ୍ତିକ କୁହାଯାଇ ନ’ପାରେ।
ଦେଶର ସବୁଠୁ ଗରିବ ଅଞ୍ଚଳ ହୋଇ ମଧ୍ୟର ଖଣିଜ, ବିଜୁଳି ଓ ଅନ୍ୟାନ୍ୟ କେତେକ କ୍ଷେତ୍ରରେ ଜାତୀୟ ରାଜକୋଷକୁ ଉଲ୍ଲେଖନୀୟ ରାଜସ୍ବ ଦେଉଥିବା ଗରିବ ରାଜ୍ୟମାନେ ସେମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ସୁବିଧାସୁଯୋଗ ଓ ସ୍ବତନ୍ତ୍ର ସହାୟତା ମାଗିବା ଏକ ହକ୍‌। ଏକଦା ଉତ୍ତର-ପୂର୍ବାଞ୍ଚଳ ଦେଶର ସବୁଠୁର ଦରିଦ୍ର ଓ ଅନଗ୍ରସର ଅଞ୍ଚଳ ଥିଲା। କେନ୍ଦ୍ରର ସହଯୋଗ ଓ ସଦିଚ୍ଛା ବଳରେ ଏବେ ତାହା ଅନ୍ୟତମ ବିକଶିତ ଅଞ୍ଚଳରେ ପରିଣତ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ସ୍ବତନ୍ତ୍ର ଉତ୍ତର ପୂର୍ବାଞ୍ଚଳ ପରିଷଦ ଓ ମନ୍ତ୍ରଣାଳୟ ଗଠନ କରି ସେ ଅଞ୍ଚଳକୁ କେନ୍ଦ୍ରୀୟ ଅନୁଦାନର ସ୍ରୋତ ଛୁଟାଇଛନ୍ତି। ମୋଦୀ ଜାଣିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ପାଇଁ ଉପଯୁକ୍ତ ଯୋଜନା, କେନ୍ଦ୍ରୀୟ ସହାୟତା ଓ ରାଜନୈତିକ ଇଚ୍ଛାଶକ୍ତି ଦରକାର। ତେଣୁ ସେ ଅଞ୍ଚଳର ଭାଗ୍ୟ ବଦଳିବାକୁ ଯାଉଛି।
ସେଇ ନ୍ୟାୟରେ ଓଡ଼ିଶା ସମେତ ପୂର୍ବାଞ୍ଚଳ ପରିଷଦର ଦରିଦ୍ର ରାଜ୍ୟମାନଙ୍କର ସ୍ଥିତିରେ ଉନ୍ନତି ଆଣିବାକୁ କେନ୍ଦ୍ର ସରକାରଙ୍କର ସ୍ବତନ୍ତ୍ର ନଜର ଓ ବିଚାରର ଆବଶ୍ୟକତା ରହିଛି। ଦୀର୍ଘକାଳ ଧରି ଅବହେଳିତ ଏଇ ଅଞ୍ଚଳର ଅର୍ଥନୈତିକ ବିକାଶ ଘଟିଲେ ଏହା ଭାରତର ଜିଡିପି ବୃଦ୍ଧିରେ ସହାୟକ ହୋଇ ଦେଶର ଅର୍ଥନୀତିକୁ ପାଞ୍ଚଟ୍ରିଲିୟନ ବିଶିଷ୍ଟ କରିବାରେ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବ। ପ୍ରକାରାନ୍ତରେ ଏହା ମଧ୍ୟ ମୋଦୀଙ୍କ ନ୍ୟୁ ଇଣ୍ଡିଆର ଏକ ପ୍ରୟୋଗଶାଳା ହେବ। ଏଥିପାଇଁ କେନ୍ଦ୍ରର, ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଶାହାଙ୍କ ଦରଦୀ ହୃଦୟ ଓ ଉଦ୍ୟମ ଲୋଡ଼ା।

Comments are closed.