କୋଭିଡ୍‌-୧୯ର ଶିକ୍ଷା

ପ୍ରତ୍ୟେକ ମହାମାରୀ ମଣିଷ ପାଇଁ ଗୁରୁତର ସମସ୍ୟା ସୃଷ୍ଟିକରେ ଏବଂ ପ୍ରକାରାନ୍ତରେ ନୂଆ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ବାଟ ଦେଖାଏ। ଚଳିତ ବୈଶ୍ବିକ ମହାମାରୀ କୋଭିଡ-୧୯ ବା କରୋନା ଏଯାଏ ଅବ୍ୟାହତ ରହିଥିଲେ ହେଁ ମାସାଧିକକାଳ ଧରି ଲାଗି ରହିଥିବା ଏହି ସଂକ୍ରମଣ ସ୍ବାସ୍ଥ୍ୟସେବା, ଅର୍ଥନୀତି, କର୍ମସଂସ୍କୃତି, ଶିକ୍ଷା, ଶାସନ, ଭ୍ରମଣକାରୀ ଶ୍ରମିକ ପ୍ରସଙ୍ଗ, ସାମାଜିକ ସଚେତନତା ଓ ଆହୁରି ଅନେକ କ୍ଷେତ୍ରରେ ନୂଆ ଚିନ୍ତା ତଥା ନବସୃଜନର ଆବଶ୍ୟକତାକୁ ଏକ ପ୍ରକାର ବାଧ୍ୟ କରିଛି। ଏଭଳି ଅଦ୍ଭୁତ ମହାମାରୀ ଜୀବନ ଓ ଜୀବିକା, ଉଭୟକୁ ପ୍ରଭାବିତ କରିଥିବାରୁ ଧନୀ ନିର୍ଦ୍ଧନ ନିର୍ବିଶେଷରେ ସବୁ ଦେଶ ଏହାଦ୍ବାରା ବିଶେଷଭାବେ ପ୍ରଭାବିତ ​‌େ​ହ‌ାଇଛନ୍ତି। ସାଧାରଣ ସ୍ବାସ୍ଥ୍ୟସେବା କଥା ଯଦି ବିଚାରକୁ ନିଆଯାଏ ତେବେ ଦେଖାଯିବ ଯେ ଏବେ ଏକ୍ଷେତ୍ରରେ ବହୁ ଆଗରେ ଥିବା ଆମେରିକା ଓ ୟୁରୋପ ଭଳି ଦେଶରେ କରୋନା ମହାମାରୀ ଅଧିକ କ୍ଷତି ଘଟାଇଥିବାବେଳେ ଭାରତଭଳି ଅନଗ୍ରସର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଏହା ସେତେ ମାରାତ୍ମକ ହୋଇନାହିଁ। ସବୁଠାରୁ ଅଧିକ ସୁରକ୍ଷିତ ଏବଂ ଅଗ୍ରଣୀ ଚିକିତ୍ସା ବ୍ୟବସ୍ଥା ସତ୍ତ୍ବେ ଆମେରିକା ଓ ୟୁରୋପର କେତେକ ଆଗୁଆ ଦେଶରେ ମୃତ୍ୟୁ ତଥା ସଂକ୍ରମଣ ହାର ବହୁ ଅଧିକ ରହିଛି। ତେଣୁ କରୋନା ଭଳି ଭବିଷ୍ୟତର ସ୍ଥିତିକୁ ମୁକାବିଲା କରିବା ପାଇଁ ସବୁ ଦେଶଙ୍କୁ ନୂଆ ପ୍ରତିରୋଧ ଓ ପ୍ରତିଷେଧକ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ତିଆରି କରିବାକୁ ପଡ଼ିବ।
ଭାରତର ଜନସଂଖ୍ୟା ଅନୁପାତରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଆନୁପାତିକ ଭାବେ ବହୁକମ୍‌ ଥିବା ସତ୍ତ୍ବେ ଆମର ସମଗ୍ର ବ୍ୟବସ୍ଥାରେ ଥିବା ଅନେକ ଦୁର୍ବଳତାକୁ କରୋନା ମହାମାରୀ ପଦାରେ ପକାଇ ଦେଇଛି। ଉଭୟ ସ୍ବାସ୍ଥ୍ୟସେବା ଓ ଭ୍ରମଣଶୀଳ ଶ୍ରମିକଙ୍କ ଉପଯୁକ୍ତ ପରିଚାଳନାରେ ଭାରତ ଆଶାଜନକ ଭାବେ ସଫଳ ହୋଇପାରିନାହିଁ। ଲକ୍‌ଡାଉନ ଯୋଗୁଁ ଅର୍ଥନୀତି ଉପରେ ଯେଉଁ ବିପୁଳ ବୋଝ ପଡ଼ିଛି ତାହାର ପୁନରାବୃତ୍ତିକୁ ରୋକିବା ସହ କୋଟିକୋଟି ଲୋକଙ୍କୁ ଶ୍ରମ ଓ ରୋଜଗାର ଯୋଗାଇ ଦେବାକୁ ସ୍ଥାୟୀ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ହେବ। ଦେଶର ୨୫ କୋଟି ଭ୍ରମଣଶୀଳ ଶ୍ରମିକଙ୍କ ପ୍ରବାସନ, ଥଇଥାନ ଏବଂ ସୁରକ୍ଷା ପାଇଁ ଏକ ପୂର୍ଣ୍ଣାଙ୍ଗ ଓ ବହୁମୁଖୀ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ। କରୋନା ପରବର୍ତ୍ତୀ କର୍ମ ସଂସ୍କୃତି ବଦଳିବା ନିଶ୍ଚିତ ହୋଇଯାଇଥିବାରୁ ସେବା କ୍ଷେତ୍ରରେ ଏବଂ ପ୍ରଶାସନିକ ସ୍ତରରେ ଲୋକଙ୍କୁ ଅଧିକରୁ ଅଧିକ ଅଫିସମୁହାଁ ନ’କରି ଘରେ ବସି କାମ କରିବାର ସୁଯୋଗ ଦେବା ପାଇଁ ନୂଆ ନୀତି ପ୍ରଣୟନ ସହ ଟେକ୍‌ନୋଲୋଜିକୁ ଉପଯୋଗ କରିବା ପାଇଁ ନୂତନ ଭିତ୍ତିଭୂମି ତିଆରି କରିବାକୁ ପଡ଼ିବ। ଚିକିତ୍ସା କ୍ଷେତ୍ରରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ସହାୟକ କର୍ମଚାରୀ, ଚିକିତ୍ସା ଉପକରଣ, ଔଷଧପତ୍ର ଓ ଅନ୍ୟାନ୍ୟ ତତ୍‌ସଂଲଗ୍ନ କ୍ଷେତ୍ରକୁ ସୁଦୃଢ଼, ବ୍ୟବସ୍ଥିତ କରିବାକୁ ହେବ।
ସୁଖର କଥା ଭାରତ ସରକାର ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରି ପ୍ରତିକାର ବ୍ୟବସ୍ଥା ଆରମ୍ଭ କଲେଣି। ଅର୍ଥନୀତିକୁ ସଜାଡ଼ିବାକୁ ମଧ୍ୟ ପ୍ରୟାସ ଜୋର୍‌ସୋର୍‌ ଚାଲିଛି। ସବୁ ସରକାର ଘଟଣା ଓ ଅଭିଜ୍ଞତାରୁ ଶିକ୍ଷା କରନ୍ତି ଓ ତଦନୁସାରେ ପ୍ରତିକାର ବ୍ୟବସ୍ଥା କରନ୍ତି। ଭାରତ ମଧ୍ୟ ତାହା କରୁଛି ଏବଂ ଏଥିରେ କିଛି ନୂତନତ୍ବ ନାହିଁ। ଅସଲ କଥାଟି ହେଲା ନୀତି କରିଦେଲେ ବା ପ୍ୟାକେଜ ଘୋଷଣା କଲେ ସମସ୍ୟାର ସ୍ଥାୟୀ ସମାଧାନ ହୁଏନା। ଏହା କେବଳ ସାମୟିକ ଆଶା ଉଦ୍ରେକ କରେ। ଯୋଜନାର ନିଷ୍ଠାପର ରୂପାୟନ ଏ କ୍ଷେତ୍ରରେ ଅଧିକ ମହତ୍ତ୍ବ ରଖେ। ରାଜନୈତିକ ଇଚ୍ଛାଶକ୍ତି ଓ ସଂପୃକ୍ତିର ଅଭାବ ରହିଲେ ଯୋଜନା, ପ୍ୟାକେଜ ଆଦି ବ୍ୟର୍ଥ ହୋଇଥାଏ। ତେଣୁ କରୋନା ଯାଉ ବା ରହୁ ଏକ ନୂଆ ବାସ୍ତବତାକୁ ସ୍ବୀକାର କରି କାମ କରିବାକୁ ପଡ଼ିବ।
ଆଗାମୀ ଦିନରେ ସ୍ବାସ୍ଥ୍ୟସେବା ଓ ନୂଆ କର୍ମସଂସ୍କୃତି ସରକାରଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରାୟ ନିଶ୍ଚିତ। ଏଥିରେ ବିପୁଳ ନିଯୁକ୍ତି, ପୁଞ୍ଜି ଓ ଟେକ୍‌ନୋଲୋଜି ଉପଯୋଗ ଅପରିହାର୍ଯ୍ୟ। ଏକଦା ଆଇଟିକ୍ଷେତ୍ର ଯେପରି ନିବେଶ ଓ ନିଯୁକ୍ତିର ଏକ ପ୍ରମୁଖ କ୍ଷେତ୍ର ହୋଇଥିଲା ଉପରୋକ୍ତ କ୍ଷେତ୍ରଗୁଡ଼ିକ ଠିକ୍‌ ସେହିପରି ସମ୍ଭାବନା ଓ ସୁଯୋଗ ସୃଷ୍ଟି କରିବ। ତେଣୁ ଭାରତ ଭଳି ଏକ ଶ୍ରମବହୁଳ, କୁଶଳୀ ଏବଂ ବୈଷୟିକ ଦୃଷ୍ଟିରୁ ଆଗୁଆ ଦେଶ ଏହାର ସୁଯୋଗ କିପରି ନେବ ତାହା ଭାରତ ସରକାରଙ୍କ ପାରିବାର ପଣିଆ ଉପରେ ନିର୍ଭର କରେ। ଏଯାଏ ଏସବୁ କ୍ଷେତ୍ରରେ ଯେଉଁସବୁ ଚିନ୍ତା କରାଯାଉଛି ତାହା ବେଶ୍‌ ପ୍ରତିଶ୍ରୁତି ବହନ କରେ। ତେବେ ଏହାର ଉପଯୁକ୍ତ ରୂପାୟନ ଓ ତଦାରଖ ସରକାରଙ୍କ ସକ୍ରିୟ ସଂପୃକ୍ତି ବିନା ସମ୍ଭବ ନୁହେଁ। ସେଇ ସଂସ୍କୃତିଟି ଯେତେଶୀଘ୍ର ଆରମ୍ଭ ହେବ ସେତେ ମଙ୍ଗଳ।

Comments are closed.