କରୋନାର କାୟା ବିସ୍ତାର : ସରକାରଙ୍କ ପାଇଁ ବଡ଼ ଆହ୍ବାନ

ଓଡ଼ିଶାରେ କରୋନା ମହାମାରୀ ଏବେ ସୁନାମି ଭଳି କାୟା ବିସ୍ତାର କରୁଛି। ଗଞ୍ଜାମ ଜିଲାର ସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇପଡ଼ିଥିବାବେଳେ ୧୦ଟି ଜିଲାରେ ରହିଛନ୍ତି ରାଜ୍ୟର ୭୪ ଶତାଂଶ କରୋନା ରୋଗୀ। ସେଥି ମଧ୍ୟରୁ ଅଧିକାଂଶ ପୁଣି ଜନବହୁଳ ଉପକୂଳ ଜିଲା। ଅବଶିଷ୍ଟ ଜିଲାରେ ଅଛନ୍ତି ବାକି ୨୬ ଶତାଂଶ ଅାକ୍ରାନ୍ତ। ଏଥିସହିତ କରୋନା ମୃତ୍ୟୁ ସଂଖ୍ୟା ଆଜି ସୁଦ୍ଧା ୨୪୭ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପିଛି। ଏଭଳି ସ୍ଥିତି ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତ ହେଲା ଚଳିତ ଅଗଷ୍ଟ ମାସରେ ରାଜ୍ୟରେ ଆଉ ପ୍ରାୟ ୪୦ ହଜାର ଲୋକ କରୋନାରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ମନେ ହେଉଛି କଟକଣା, ସତର୍କତା ଓ ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ତ୍ବେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବଢ଼ି ଚାଲିଛି ଏବଂ ଯେତେ ଅଧିକ ସଂଖ୍ୟକ ଲୋକଙ୍କର ସ୍ବାବ ପରୀକ୍ଷା ହେବ ସଂକ୍ରମିତଙ୍କ ସଂଖ୍ୟା ସେତେ ବଢ଼ିବ। ତା’ହେଲେ କ’ଣ ବୁଝିବାକୁ ହେବ ଯେ କରୋନା ଭୂତାଣୁ ଆମ ସମାଜ ଓ ଗୋଷ୍ଠୀ ମଧ୍ୟରେ ସଂକ୍ରମିତ ହୋଇଗଲାଣି?
ସଂଗରୋଧ ବ୍ୟବସ୍ଥା ବାହାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲେ ଚିକିତ୍ସକ ବା ସରକାର ଏ କ୍ଷେତ୍ରରେ ବିଶେଷ କିଛି କରିପାରିବେ ନାହିଁ। କେତେ ଲୋକଙ୍କର ଚିକିତ୍ସା ସରକାର ଏଭଳି ସ୍ଥିତିରେ କରିପାରିବେ ଓ କିଏ ଚିକିତ୍ସା କରିବେ?
ଡାକ୍ତର, ଚିକିତ୍ସାକର୍ମୀ, କରୋନା ଯୋଦ୍ଧା ସମସ୍ତେ ସଂକ୍ରମିତ ହେଲେଣି। ଗଞ୍ଜାମ ଜିଲାରେ ସଂକ୍ରମଣ ଭୟରେ ଡାକ୍ତରମାନେ ମଧ୍ୟ ରୋଗୀ ଦେଖିବାକୁ ଭୟ କଲେଣି। ଏ କଥା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବୀକାର କରି ଅସନ୍ତୋଷ ବ୍ୟକ୍ତ କଲେଣି। ଅସନ୍ତୁଷ୍ଟ ହେଲେ କ’ଣ ହେବ? ଡାକ୍ତର ଓ ଅନ୍ୟାନ୍ୟ କରୋନା ଯୋଦ୍ଧା ମଧ୍ୟ ମଣିଷ। ସେମାନେ ଏପ୍ରିଲ ମାସରୁ ନିରବଚ୍ଛିନ୍ନ ଭାବେ ଏହି ଲଢ଼େଇ ଲଢ଼ୁଛନ୍ତି। ଘର, ପରିବାର ଛାଡ଼ି ଏକନିଷ୍ଠ ଭାବେ କରୋନା ଲଢ଼େଇ ଜାରି ରଖିବା ପରେ ଏବେ କ୍ଳାନ୍ତ। ସେମାନଙ୍କ ଶକ୍ତି, ସାମର୍ଥ୍ୟ ଓ ଧୈର୍ଯ୍ୟ ତ ଅସୀମ ନୁହେଁ। ନିଜ ପ୍ରାଣରକ୍ଷାର ଭୟ ତ’ ସେମାନଙ୍କୁ ଘାରିବ। ଆହୁରି ମଧ୍ୟ ଏହି ଅନିଶ୍ଚିତ ଲଢ଼େଇ କେତେକାଳ ଚାଲିବ ସେ ନେଇ ସେମାନେ ଏବେ ସନ୍ଦିହାନ। ତେଣୁ ସେମାନଙ୍କୁ ଦୋଷ ଦେଲେ ଚଳିବ ନାହିଁ। ଏ ବ୍ୟାଧି ଏବେ ଏପରି ଅବସ୍ଥା ସୃଷ୍ଟି କରିଛି ଯେଉଁଠି ଆମର ସବୁଠୁ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ବ୍ୟବସ୍ଥାର ଦକ୍ଷତା ବାଜିରେ ଲାଗିଛି। ଚିକିତ୍ସା ବ୍ୟବସ୍ଥାରେ ଡାକ୍ତର ଓ ଚିକିତ୍ସାକର୍ମୀଙ୍କ ଅବଦାନ ସର୍ବାଗ୍ରେ। ସେମାନଙ୍କ ସଂଖ୍ୟା ସୀମିତ। ଏକ ଦୀର୍ଘକାଳୀନ ମହାମାରୀ ବିରୋଧରେ ଲଢ଼ିବାବେଳେ ଏହି ସୀମିତ ଚିକିତ୍ସକ ସମ୍ବଳର ବୁଦ୍ଧିବିଚାର ପ୍ରୟୋଗ କରାଯିବାର ଆବଶ୍ୟକତା ରହିଛି। ପ୍ରଶାସନ ଚାହିଁବ ବ୍ୟାଧିକୁ ନିୟନ୍ତ୍ରଣରେ ରଖିବା ପାଇଁ; କିନ୍ତୁ ଏଥିପାଇଁ ଡାକ୍ତରଙ୍କର ପ୍ରଚୁର ଆବଶ୍ୟକତା ରହିଛି। କେବଳ ପ୍ରଶାସକଙ୍କୁ ଦାୟିତ୍ବ ଦେଇଦେଲେ ସେମାନେ ରୋଗକୁ ନିୟନ୍ତ୍ରଣ କରିପାରିବେ ନାହିଁ। ଏବେ ସବୁଠୁ ବଡ଼ ଆବଶ୍ୟକତା ହେଉଛି ଯଥେଷ୍ଟ ଚିକିତ୍ସକଙ୍କ ବନ୍ଦୋବସ୍ତ କରିବା। ସେ ଆବଶ୍ୟକତା ପୂରଣ ଏତେ ସହଜ ନୁହେଁ। ତା’ଛଡ଼ା କୋଭିଡ଼ ପରିଚାଳନା ନେଇ ସରକାର ଯେଉଁସବୁ ନୀତି କାର୍ଯ୍ୟକାରୀ କରୁଛନ୍ତି ସେଥିରେ ଅନେକ ବିସଂଗତି ପରିଲକ୍ଷିତ ହେଉଛି।
ଆହୁରି ମଧ୍ୟ ରୋଗୀଙ୍କ ସଂଖ୍ୟା ବଢ଼ିଲେ ଚିକିତ୍ସା ଭିତ୍ତିଭୂମି ଉପରେ ଅଧିକ ଚାପ ପଡ଼ିବ। ସେଥିପାଇଁ ସରକାରଙ୍କୁ ଉପଯୁକ୍ତ ପଦକ୍ଷେପ ଦେବାକୁ ହେବ। ଯେଉଁ ଢ଼ଙ୍ଗରେ ରୋଗୀ ବଢ଼ୁଛନ୍ତି ଓ ଆମ ପାଖରେ ଯେଉଁ ବ୍ୟବସ୍ଥା ଉପଲବ୍ଧ ସେଥିରୁ ମନେହେଉଛି ମୃତ୍ୟୁ ସଂଖ୍ୟା ଆହୁରି ବହୁତ ବଢ଼ିବ ଓ ପରିସ୍ଥିତି ଆଗକୁ ଭୟାବହ ରୂପ ନେବ। ଲୋକେ ଏକଥା ମଧ୍ୟ ଅନୁଭବ କଲେଣି। ତେଣୁ କର୍ମ ଓ ଭାଗ୍ୟକୁ ଆଦରି ପଡ଼ିରହିବାର ପ୍ରସ୍ତୁତି ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି। କରୋନା ଭଳି ମହାମାରୀରେ ଜୀବନହାନିକୁ ସର୍ବନିମ୍ନ କରିବାର ଯେଉଁ ପ୍ରୟାସ ଚାଲିଛି ତାହା କେତେଦୂର ସଫଳ ହେବ କହିବା କଷ୍ଟ। ତଥାପି ଜୀବନ ଥିବା ପର୍ଯ୍ୟନ୍ତ ଲୋଭ ରହିଛି। ସରକାର ଯେଉଁସବୁ ସତର୍କତା ଓ ପରାମର୍ଶ ଦେଉଛନ୍ତି ସେଥିପ୍ରତି ବୃହତ୍ତର ଜନତାଙ୍କର ସେଭଳି ବିଶେଷ ନିଘା ଥିବା କଥା ଦେଖାଯାଉନାହିଁ। ଆଜି ଗଞ୍ଜାମରେ ଯେଉଁ ସ୍ଥିତି ହୋଇଛି ରାଜ୍ୟର ଅନ୍ୟାନ୍ୟ ଜିଲାରେ ତାହାର ପୁନରାବୃତ୍ତି ହୋଇପାରେ। ତେଣୁ ପରିସ୍ଥିତିର ଉପଯୁକ୍ତ ମୁକାବିଲା କରିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ। ଏଥକୁ ସରକାରଙ୍କୁ ବିକଳ୍ପ ଚିନ୍ତା କରିବାକୁ ହେବ।

Comments are closed.