ଭୂତାଣୁଠାରୁ ଅଧିକ ମାରାତ୍ମକ ଗୁଜବ

ଚୀନର ମଧ୍ୟଭାଗରେ ଅବସ୍ଥିତ ହୁବେଲ ପ୍ରଦେଶର ଉହାନ ସହରରେ ୨୦୧୯ ଡ଼ିସେମ୍ୱର ଶେଷ ୨୦୨୦ ଜାନୁଆରୀ ଆରମ୍ଭରୁ ମନୁଷ୍ୟ ଶରୀର ଶ୍ୱାସନଳୀରେ କରୋନା ଭୂତାଣୁ ସଂକ୍ରମଣ ମାର୍ଚ୍ଚ ସୁଦ୍ଧା ଆନ୍ତର୍ଜାତିକ ସ୍ତରରେ ବିସ୍ତୃତ ଅଞ୍ଚଳକୁ ବ୍ୟାପିଛି । ସମତାଳରେ ସଂକ୍ରମଣକୁ ନେଇ ଗୁଜବ ପ୍ରସାର ରୋଗ ତୁଳନାରେ ଅଧିକ ସାମାଜିକ ବିଶୃଙ୍ଖଳାର କାରଣ ପାଲଟିଛି । ଜନସାଧାରଣଙ୍କ ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଅର୍ଥନୀତି, ପର୍ଯ୍ୟଟନ ଇତ୍ୟାଦି ଗୁଜବ ଦ୍ୱାରା ପ୍ରଭାବିତ ହେବାରେ ଲାଗିଛି।
କରୋନା ଭୂତାଣୁ ମନୁଷ୍ୟଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ସ୍ଥଳେ ଗୁଜବ ଉଭୟ ପାରମ୍ପରିକ ଓ ସାମାଜିକ ଗଣମାଧ୍ୟମକୁ ଆଶ୍ରୟ କରିଛି । ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚ଼େତନତା ଓ ଚିକିତ୍ସା ଭିତ୍ତିଭୂମି ଦୁର୍ବଳ । ଅପରପକ୍ଷେ ଆମ ଦେଶରେ ୫୨ କୋଟି ସ୍ମାର୍ଟଫୋନ ଉପଭୋକ୍ତା ଏବଂ ପ୍ରତି ତିନିଜଣ ଉପଭୋକ୍ତାଙ୍କ ମଧ୍ୟରେ ଦୁଇଜଣ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ହିସାବ କରାଯାଏ । କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଗୁଜବ ପ୍ରସାର ୨୦୨୦ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ସାମାଜିକସ୍ତରରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ଅନୁଭବ କରାଯାଏ ।
ସମ୍ୱାଦପତ୍ର, ରେଡ଼ିଓ, ଟେଲିଭିଜନ ଭଳି ପାରମ୍ପରିକ ଗଣମାଧ୍ୟମରେ ବୃତ୍ତିଧାରୀ ସାମ୍ୱାଦିକମାନେ ସମ୍ୱାଦ ପରିବେଷଣରେ ସଂପୃକ୍ତ । ସମ୍ୱାଦଦାତା ଓ ସମ୍ପାଦକମାନେ ସମ୍ୱାଦ ମନୋନୟନ, ରଚନା ଓ ପ୍ରସାରଣର ଦାୟିତ୍ୱ ତୁଲାଇଥାନ୍ତି। ତେବେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଯେକୌଣସି ଉପଭୋକ୍ତା ବାର୍ତ୍ତା ପରିବେଷଣ ତଥା ପ୍ରସାରଣର ଅଧିକାର ଉପଭୋଗ କରେ । ଏଠାରେ ସଂଶୋଧନ କିମ୍ୱା ସମ୍ପାଦନାର ସୁଯୋଗ ଉପଲବ୍ଧ ନଥାଏ । କେତେକ ସାମାଜିକ ଗଣମାଧ୍ୟମ ମଞ୍ଚରେ ବାର୍ତ୍ତା ପରିବେଷଣ ଓ ପ୍ରସାରଣ ନିମନ୍ତେ ସଂପୃକ୍ତ ବ୍ୟକ୍ତି ଆଇନତଃ ଉତ୍ତରଦାୟୀ ରହିବା ନିୟମ ଥିଲେହେଁ ଚ଼େତନା ଅଭାବରୁ ଅନେକ କ୍ଷେତ୍ରରେ ଆଇନ ଉଲ୍ଲଙ୍ଘନ ଦେଖିବାକୁ ମିଳେ । ହ୍ୱାଟସଆପ ଭଳି ଅନ୍ୟ କେତେକ ମେସେଞ୍ଜର ଆପ୍ଲିକେସନରେ ପ୍ରସାରିତ ବାର୍ତ୍ତା ତୃତୀୟପକ୍ଷ ତନଖି କରିବାର ସୁଯୋଗ ଅଭାବରୁ ଆଇନର ପରିସରଭୁକ୍ତ ହୋଇପାରେ ନାହିଁ । ଫଳରେ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାର ନିମନ୍ତେ ଉର୍ବର କ୍ଷେତ୍ର ପ୍ରସ୍ତୁତ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶିଳ୍ପଉପଯୋଗୀ ମଦ ମିଶ୍ରିତ ସାବୁନ ଓ ଜେଲରେ ହାତ ସଫାକଲେ ଭୂତାଣୁ ସଂକ୍ରମଣ ରୋକାଯାଇପାରେ ବୋଲି ନି‌େର୍ଦଶନାମା ଜାରି ପରେ ଏକ ସାମାଜିକ ଗଣମାଧ୍ୟମ ମଞ୍ଚରେ ପ୍ରସାରିତ ବାର୍ତ୍ତାରେ କୁହାଯାଇଥିଲା ଯେ ମଦ ପାନ କରୁଥିବା ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ହେବେ ନାହିଁ । ଦୀର୍ଘ ସମୟଧରି ଏହା ଭାଇରାଲ ହେବା ପରେ ଭାରତ ସରକାରଙ୍କ ପରିଚାଳନାଧୀନ ପ୍ରେସ ଇନଫରମେସନ ବ୍ୟୁରୋ ପକ୍ଷରୁ ଏହାକୁ ଏକ ଗୁଜବ ବୋଲି ସ୍ପଷ୍ଟୀକରଣ ଦିଆଯାଇଥିଲା ।
ସେହିପରି ଅସମର୍ଥିତ ସୂତ୍ରରୁ ବିଭିନ୍ନ ଚିକିତ୍ସା ପଦ୍ଧତିରେ ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେଭିଳି ସୂତ୍ର ସଂବଳିତ ବାର୍ତ୍ତାମାନ ଭାଇରାଲ ହେବାରେ ଲାଗିଛି । ଏହାର ମୁକାବିଲା ନିମନ୍ତେ ସରକାରୀ ସ୍ତରରେ ପାରମ୍ପରିକ ଓ ଡିଜିଟାଲ, ଉଭୟ ଶ୍ରେଣୀର ମଞ୍ଚଗୁଡ଼ିକରେ ବିଳମ୍ୱରେ ପ୍ରତିଷେଧକ ତଥ୍ୟ ସଂବଳିତ ବିଜ୍ଞାପନ ପରିବେଷଣ ଆରମ୍ଭ ହୋଇଛି । ଗୁଜବକୁ ରୋକିବା ଦିଗରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ସାମ୍ୱାଦିକ ଓ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଉପଭୋକ୍ତାଙ୍କ ଅବଗତି ନିମନ୍ତେ ଗଣମାଧ୍ୟମ ବିଶେଷଜ୍ଞମାନେ ମାର୍ଗଦର୍ଶିକା ପ୍ରସ୍ତୁତ କରିଥାନ୍ତି । ପ୍ରଥମତଃ, ସାଧାରଣଜ୍ଞାନ ଉପଯୋଗରେ କୌଣସି ସମ୍ୱାଦ ଗୁଜବ ପରି ପ୍ରତୀୟମାନ ହେଉଥିଲେ ତାହାର ପ୍ରସାରଣ ତୁରନ୍ତ ରୋକିବା ସମସ୍ତଙ୍କ କର୍ତ୍ତବ୍ୟ । ସମ୍ୱାଦଟିର ସତ୍ୟାସତ୍ୟ ସ୍ଥାନୀୟ ଚିକିତ୍ସକ, ଯୋଗାଯୋଗ କରାଯାଇ ପାରୁଥିବା ବିଶେଷଜ୍ଞ କିମ୍ୱା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟରୁ ତନଖିବାକୁ ପଡ଼ିଥାଏ ।
ଗବେଷଣାରୁ ଜଣାଯାଏ ଯେ ଗୁଜବ ସତ୍ୟ ତୁଳନାରେ ଅନ୍ତତଃପକ୍ଷେ ସାତ ଗୁଣ କ୍ଷିପ୍ରଗତିରେ ପ୍ରସାରିତ ହୋଇଥାଏ । ଏହି କାରଣରୁ ଗୁଜବ ସାମାଜିକ ଗଣମାଧ୍ୟମ ମଞ୍ଚରେ ପହଞ୍ଚିବା ପରେ ଖୁବ କମ ସମୟ ମଧ୍ୟରେ ଅଧିକ ସଂଖ୍ୟକ ପାଠକଙ୍କ ନିକଟତର ହେବା ଆଶଙ୍କା ରହିଥାଏ । ପୁଣି ଅସତ୍ୟ ବାରମ୍ବାର ଉଚ୍ଚାରିତ ହେବା ପରେ ତାହା ସାଧାରଣତଃ ବୃହତ୍‌ ପାଠକ ମଣ୍ଡଳରେ ସତ୍ୟରୂପେ ଗୃହୀତ ହୋଇଥାଏ ।
ଗୁଜବ ପ୍ରତିହତ କରିବା ନିମନ୍ତେ ଯଥାସଂଭବ ତଥ୍ୟ ଆଧାରିତ ସତ୍ୟ ସମ୍ୱାଦ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ସ୍ଥାନିତ କଲେ ସୁଫଳ ମିଳେ । ଗୁଜବକୁ ଅସତ୍ୟ ବୋଲି ଚ଼ିହ୍ନଟ କରି ଅଭିମତ ପ୍ରକାଶନ ସ୍ୱାଗତଯୋଗ୍ୟ । ସମ୍ୱାଦଟି କାହିଁକି ଗୁଜବ ଶ୍ରେଣୀଭୁକ୍ତ ତାହାର କାରଣ ଦର୍ଶାଇବା ଦ୍ୱାରା ତାହା ଅନ୍ୟମାନଙ୍କ ଦ୍ୱାରା ସହଜରେ ଗୃହୀତ ହୋଇଥାଏ ।
ଦ୍ୱିତୀୟତଃ, ରୋଗବ୍ୟାଧି ସଂପର୍କରେ ସବିଶେଷ ତଥ୍ୟ ଜାଣିବା ନିମନ୍ତେ ଜିଜ୍ଞାସୁମାନେ ଅପେକ୍ଷା କରି ବସିଥାନ୍ତି । ଏହି ଆବେଗକୁ ମୂଳଧନ କରି ଗୁଜବ ବ୍ୟାପିଥାଏ । ଏତାଦୃଶ ପରିବେଶର ମୁକାବିଲା କରିବା ନିମନ୍ତେ ଉଭୟ ପାରମ୍ପରିକ ଓ ସାମାଜିକ ଗଣମାଧ୍ୟମରେ ସମ୍ୱାଦ ପରିବେଷଣ କରିବା ସମୟରେ ବହୁଳ ପ୍ରସାରିତ ସମ୍ୱାଦ ସୂତ୍ର ବଦଳରେ ଭୂତାଣୁ ସଂକ୍ରମଣ ସଂପର୍କରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ଓ ପ୍ରସାରଣକୁ ଅଗ୍ରାଧିକାର ଦେବା ଉଚିତ ।
ପ୍ରତିକୂଳ ପରିବେଶରେ ବିପଦମୁକ୍ତ ହେବା ନିମନ୍ତେ ଜନସାଧାରଣ କ’ଣ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥାନ୍ତି । ଏ ସଂପର୍କରେ ତଥ୍ୟାବଳୀ ବାରମ୍ୱାର ପ୍ରକାଶ ସ୍ୱାଗତଯୋଗ୍ୟ । କାରଣ ଗୋଟିଏ ସ୍ତରର ପାଠକ, ଶ୍ରୋତା ବା ଦର୍ଶକ ସଂକ୍ରମଣ ରୋକିବାର ଉପାୟମାନ ସଂପର୍କରେ ଅବଗତ ହୋଇସାରିଥିବା ସ୍ଥଳେ ପରବର୍ତ୍ତୀ ସ୍ତରର ଉପଭୋକ୍ତା ଗଣମାଧ୍ୟମ ମଞ୍ଚଗୁଡ଼ିକରେ ପହଞ୍ଚିଥାନ୍ତି । ସମସ୍ତଙ୍କ ନିକଟରେ ଅନବରତ ଠିକ ତଥ୍ୟ ବିତରଣ ଗୁଜବ ପ୍ରସାରକୁ ରୋକିଥାଏ। ଏହି କ୍ଷେତ୍ରରେ ପୁନରାବୃତ୍ତି ସ୍ବାଗତଯୋଗ୍ୟ ।
ସଂକ୍ରମଣ କାଳରେ ସାଧାରଣ ପାଠକବର୍ଗ ଶରୀରର ରୋଗ ପ୍ରତିଷେଧକ ଶକ୍ତି, ଚିକିତ୍ସା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ପ୍ରଶାସନ ସଂପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଏହି ବିଷୟଗୁଡ଼ିକ ସାଧାରଣ ସମୟରେ ପାଠକ, ଦର୍ଶକ ଓ ଶ୍ରୋତାଙ୍କ ଦୃଷ୍ଟି ଆକର୍ଷଣ କରିନଥାଏ, କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ପର୍ଯ୍ୟାପ୍ତ ଆଲୋଚ଼ନାର ସୁଯୋଗ ସୃଷ୍ଟି ହୋଇଥାଏ । ତେବେ ସଂକ୍ରମଣର ସୁଦୂରପ୍ରସାରୀ ପ୍ରଭାବ, ଯଥା ପାଣିପାଗ ପରିବର୍ତ୍ତନର ଭୂମିକା ଭଳି ବୌଦ୍ଧିକ ଆଲୋଚ଼ନା ପ୍ରାଥମିକ ଅବସ୍ଥାରେ ଏଡ଼ାଇ ଦେବା ଭଲ ।
ତୃତୀୟତଃ, ସଂକ୍ରମଣ ସଂପର୍କିତ ରଚନାଗୁଡ଼ିକ ଅତିରଞ୍ଜିତ କରିବା, ଶିରୋନାମାରେ ବିଶେଷଣମାନ ଯୋଗ କରିବା ଅଯୌକ୍ତିକ । ସଂକ୍ରମଣ ହିଁ ଦୃଷ୍ଟି ଆକର୍ଷଣକାରୀ ବିଷୟ ଥିବା ସ୍ଥଳେ ଭାଷାଗତ କୌଶଳ ପ୍ରୟୋଗ ଅନାବଶ୍ୟକ । ଅପରପକ୍ଷେ ଅଧିକ ପରିସଂଖ୍ୟାନ ପ୍ରକାଶନ ପ୍ରତି ଧ୍ୟାନ ଦେଲେ ପାଠକୀୟ ଆଗ୍ରହ ବୃଦ୍ଧି ପାଇଥାଏ । ରୋଗ ସଂକ୍ରମଣ ସଂପର୍କରେ କେବଳ ଚିକିତ୍ସକଙ୍କ ଅଭିମତ ଉପସ୍ଥାପନ ବଦଳରେ ରୋଗୀଙ୍କ ଅନୁଭୂତି, ସଂପର୍କୀୟଙ୍କ ଅଭିମତ ଓ ଚିକିତ୍ସାରେ ପ୍ରତ୍ୟକ୍ଷଭାବେ ଜଡ଼ିତ ସେବିକାମାନଙ୍କ ମନ୍ତବ୍ୟ ମଧ୍ୟ ଗୁରୁତ୍ୱ ବହନ କରିଥାଏ । ସଂକ୍ରମଣ ବ୍ୟାପୁଥିବା ଅବସରରେ ଘନଘନ ନୂତନ ତଥ୍ୟାବଳୀ ଉନ୍ମୋଚ଼ିତ ହୋଇଥାଏ । ସେଗୁଡ଼ିକ ନିରନ୍ତର ପାଠକ, ଶ୍ରୋତା ଓ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ଉଦ୍ୟମ ଅବ୍ୟାହତ ରହିବା ଆଶା କରାଯାଇପାରେ ।
ପ୍ରତିବର୍ଷ ବିଶ୍ୱବ୍ୟାପୀ କୋଟିକୋଟି ଲୋକ ଫ୍ଳୁ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଗବେଷକମାନଙ୍କ ମତରେ ସଂଭବତଃ କୌଣସି ପଶୁପକ୍ଷୀଙ୍କ ଶରୀରରୁ ମନୁଷ୍ୟ ଶରୀରକୁ କରୋନା ଭୂତାଣୁ ସଂକ୍ରମିତ ହୋଇଛି । ସାଧାରଣ ଫ୍ଲୁ ଭୂତାଣୁ ସଂପର୍କରେ ଚିକିତ୍ସକମାନେ ଅବଗତ ଥିବା ସ୍ଥଳେ କରୋନା ଭୂତାଣୁ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ । ଏହି କାରଣରୁ ଚିକିତ୍ସା କିମ୍ୱା ପ୍ରତିଷେଧକ ବ୍ୟବସ୍ଥା ସଂଭବପର ହୋଇପାରୁ ନାହିଁ । ଅପରପକ୍ଷରେ ସାଧାରଣ ଫ୍ଳୁରେ ମୃତ୍ୟୁ ସଂଖ୍ୟା ମାତ୍ର ୦.୧ ପ୍ରତିଶତ ଥିବା ସ୍ଥଳେ ‘କୋଭିଡ଼-୧୯’ରେ ୩.୪ ପ୍ରତିଶତ ଗଣନା କରାଯାଉଛି ।
କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ବାରମ୍ୱାର ହାତ ଧୋଇବା, ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ଏବଂ ହାତ ମୁହଁରେ ନ ଲଗାଇବା ତଥା ଗହଳି ସ୍ଥାନରେ ଚଳପ୍ରଚଳନ ଏଡ଼ାଇବା ନିମନ୍ତେ ନିର୍ଦେଶନାମା ଜାରୀ କରାଯାଇଛି । ମୁହଁରେ ମୁଖ୍ୟତଃ ଆଖି, ନାକ ଓ ପାଟିରେ ବାରମ୍ୱାର ହାତ ମାରିବା ଆମ ଅଭ୍ୟାସ । କରୋନା ସଂକ୍ରମଣ ରୋକିବାକୁ ଏହି ଅଭ୍ୟାସ ଆମକୁ ବଦଳାଇବାକୁ ପଡ଼ିବ ।

Comments are closed.