ବେଳ ହୁଁ ସାବଧାନ

ମହାମାରୀର ରୂପ ନେଇଥିବା ବିପଜ୍ଜନକ କରୋନା ଭୂତାଣୁ(କୋଭିଡ୍‌-୧୯) ସଂକ୍ରମଣ ନିୟନ୍ତ୍ରଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଜନସାଧାରଣଙ୍କ ସମୂହ ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଯେଉଁସବୁ କଠୋର କଟକଣା ଜାରି କରିଛନ୍ତି ତାକୁ ଅନେ​‌େ​‌କ ଗୁରୁତ୍ୱ ଦେଉ ନଥିବା ଭଳି ମନେ ହେଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଥାରେ ଅଛି- “ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତା’ର ପ୍ରତିବାଦୀ।” ଆମେ ଯଦି ନିଜେ ଏଥିପ୍ରତି ସଚେତନ ବା ଜାଗ୍ରତ ନହେବା, ତା’ହେଲେ ପୁଲିସ, ପ୍ରଶାସନିକ ଅଧିକାରୀ ଓ ବିଶେଷଜ୍ଞମାନେ ଯେତେ ମୂଲ୍ୟବାନ ପରାମର୍ଶ ଦେଲେ ତଥା ସଚେତନତା ସୃଷ୍ଟି କଲେ ମଧ୍ୟ ତାହା ଆଦୌ ଫଳପ୍ରଦ ହେବ ନାହିଁ। ଶେଷରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବ। ସେତେବେଳେ ସ୍ୱୟଂ ଭଗବାନ ମଧ୍ୟ କାହାରିକୁ ରକ୍ଷା କରିପାରିବେ ନାହିଁ।
କରୋନାର ଚିକିତ୍ସା ପାଇଁ ଏ ପର୍ଯ୍ୟନ୍ତ କୌଣସି ଟିକା ବା ଔଷଧ ଉଦ୍ଭାବନ ହୋଇନଥିବାରୁ ଏହାର ସଂକ୍ରମଣ ରୋକିବା ପାଇଁ ଏକାନ୍ତବାସ(କ୍ୱାରେଣ୍ଟାଇନ୍) ଓ ସାମାଜିକ ଦୂରତ୍ୱ ହିଁ ସର୍ବଶ୍ରେଷ୍ଠ ଓ ଏକମାତ୍ର ବିକଳ୍ପ। ତେଣୁ ସରକାର ଯେଉଁ ସବୁ କଟକଣା ଜାରି କରିଛନ୍ତି ଓ ନିୟମାବଳୀ ଜାରି କରିଛନ୍ତି ସେସବୁ ଅକ୍ଷରେଅକ୍ଷରେ ପାଳନ କରିବା ନିତାନ୍ତ ଆବଶ୍ୟକ। ଏହି ମହାମାରୀକୁ ରୋକିବାକୁ ହେଲେ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ। ଚୀନ, ଇଟାଲି, ଯୁକ୍ତରାଷ୍ଟ୍ର ଆମେରିକା ଓ ସ୍ପେନ ଭଳି ଚିକିତ୍ସା କ୍ଷେତ୍ରରେ ଉନ୍ନତ ରାଷ୍ଟ୍ରଗୁଡ଼ିକର ଆର୍ଥିକ ଓ ସାମାଜିକ ସ୍ଥିତି କରୋନା ସଂକ୍ରମଣ ଯୋଗୁୁଁ ସାଂଘାତିକ ହୋଇ ପଡ଼ିଛି। ତେଣୁ ଆମେ ଯଦି ବେଳହୁଁ ସଜାଗ ନରହିବା ତା’ହେଲେ ଆମ ଦେଶର ଅବସ୍ଥା ସେହି ସବୁ ରାଷ୍ଟ୍ରର ସ୍ଥିତିକୁ ମଧ୍ୟ ଟପି ଯିବ। ଅନେକ ଲୋକ ଆଇନକୁ ଉଲ୍ଲଙ୍ଘନ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷୋଭ ପ୍ରକାଶ କରିଛନ୍ତି। ଓଡ଼ିଶାରେ ଆଇନ୍ ଓ କଟକଣା ଉଲ୍ଲଙ୍ଘନକାରୀଙ୍କୁ ପୁଲିସ ପ୍ରଶାସନ ଦ୍ୱାରା ଦଣ୍ଡିତ କରାଯିବା ଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି। ଆମେ ଯଦି ନିଜେ ଶୃଙ୍ଖଳିତ, ସଂଯତ ଓ ସତର୍କ ନହେବା ତା’ହେଲେ ଆମେ ନିଜେ ତ’ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା, ତା’ ସହିତ ଆଖପାଖରେ ଚଳପ୍ରଚଳ ହେଉଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରି ସ୍ଥିତିକୁ ଅଧିକ ଜଟିଳ କରିଦେବା। ଏହା କେତେଦୂର ସ୍ପୃହଣୀୟ? ବର୍ତ୍ତମାନ ସ୍ଥିତିରେ କଟକଣା ଜାରି କରାଯିବାସହ ପ୍ରତିଷେଧକମୂଳକ ବ୍ୟବସ୍ଥାମାନ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ନଚେତ ଏହି ବିଭୀଷିକାକୁ ଆୟତ୍ତ କରାଯାଇ ପାରିବ ନାହିଁ।
ଉଭୟ ସହର ଓ ଗ୍ରାମାଞ୍ଚଳରେ ତେଜରାତି ଏବଂ ପନିପରିବା ଦୋକାନଗୁଡ଼ିକରେ ଖାଉଟିମାନଙ୍କର ନାହିଁନଥିବା ଭିଡ଼ ଦେଖିବାକୁ ମିଳୁଛି। ଖାଉଟିମାନେ ଆବଶ୍ୟକଠାରୁ ଅଧିକ ପରିମାଣରେ ଖାଦ୍ୟ ସାମଗ୍ରୀ କିଣିନେଇ ଘରେ ମହଜୁଦ ରଖୁଛନ୍ତି। ଏହାଫଳରେ ଅନ୍ୟମାନେ ଆବଶ୍ୟକ ସାମଗ୍ରୀ କିଣିବାରୁ ବଞ୍ଚିତ ହେଉଛନ୍ତି। ଏପରିକି କେତେକ ସ୍ଥାନରେ ଖାଉଟିମାନେ ଖାଲି ହାତରେ ଫେରୁଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି। ସେହିପରି ପୁଲିସର ବାରଣ ସତ୍ତ୍ୱେ ଅନେକ ବ୍ୟକ୍ତି, ବିଶେଷକରି ଯୁବକମାନେ ବିନା କୌଣସି ଜରୁରୀ କାର୍ଯ୍ୟରେ ଗାଡ଼ିମୋଟର ଧରି ବୁଲୁଛନ୍ତି ଏବଂ ରାସ୍ତାର ଛକମାନଙ୍କରେ ଭିଡ଼ ଜମାଉଛନ୍ତି। ପୁଲିସକୁ ମିଛକଥା କହି ଖସି ଯିବାରେ ନିଜର ବାହାଦୁରୀ ବୋଲି ମନେ କରୁଛନ୍ତି। ସୀମିତ ସଂଖ୍ୟକ ପୁଲିସ କର୍ମଚାରୀଙ୍କ ମାଧ୍ୟମରେ ହଜାରହଜାର ନିୟମ ଉଲ୍ଲଙ୍ଘନକାରୀଙ୍କୁ ବୁଝାଇବା ବା ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ସେହିପରି ଲୋକଙ୍କୁ ଅଯଥା ଭୟଭୀତ ବା ଆତଙ୍କିତ କଲାଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରାଯିବା ଉଚିତ୍‌ ନୁହେଁ। ଏସବୁ ପ୍ରତି ଦୃଷ୍ଟି ଦେବା ବା ଯତ୍ନଶୀଳ ହେବା ଆମ ସମସ୍ତଙ୍କ କର୍ତ୍ତବ୍ୟ।
‘କର୍ଫ୍ୟୁ ବା ଲକ୍‌ ଡାଉନ’ ବ୍ୟବସ୍ଥା ଯୋଗୁଁ ଅଣ-ସଂଗଠିତ କ୍ଷେତ୍ରରେ ନିଷ୍ପେସିତ ଶ୍ରମିକମାନଙ୍କର ଆର୍ଥିକସ୍ଥିତି କ୍ରମେ ଶୋଚନୀୟ ହୋଇପଡ଼ୁଛି। ସେମାନଙ୍କର ଚଳିବା ପାଇଁ ସରକାର ଯଥାଶୀଘ୍ର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଦରକାର। କ୍ଷୁଦ୍ର ବ୍ୟବସାୟୀ, ଦିନମଜୁରିଆ ଅଟୋରିକ୍ସା ଚାଳକମାନଙ୍କର ରୋଜଗାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ସେମାନେ ପରିବାର ଚଳାଇବେ କିପରି? ଏ ସମ୍ପର୍କରେ ମଧ୍ୟ ଚିନ୍ତାକରି ଆଶୁ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି। ଅନ୍ୟପକ୍ଷରେ ଆମ ଚିକିତ୍ସା ବ୍ୟବସ୍ଥାର ଭିତ୍ତିଭୂମି ବିଶେଷ ଦୁର୍ବଳ ଅବସ୍ଥାରେ ରହିଛି। ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାଗୁଡ଼ିକରେ ଯଥେଷ୍ଟ ସଂଖ୍ୟକ ଅଭିଜ୍ଞ ଚିକିତ୍ସକ, ସେବିକା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାନଗଲେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେବେ। ‘କରୋନା’ ବ୍ୟତୀତ ଅନ୍ୟ ରୋଗୀମାନେ ମଧ୍ୟ ଉପଯୁକ୍ତ ଚିକିତ୍ସା ଅଭାବରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ। ସେହିଭଳି ‘କ୍ୱାରେଣ୍ଟାଇନ’ ନିୟମାବଳୀକୁ ସମସ୍ତେ ମାନିବା ଉଚିତ। ଗଣମାଧ୍ୟମ ପ୍ରତିନିଧିମାନେ ସରକାରଙ୍କ ଅବଗତ ନିମନ୍ତେ ବାସ୍ତବଚିତ୍ର ପ୍ରକାଶ କରିବା ଉଚିତ। ଏହା ସେମାନଙ୍କର ଗୁରୁଦାୟିତ୍ୱ। ବର୍ତ୍ତମାନ ସ୍ଥିତିରେ ତ୍ରୁଟିପୂର୍ଣ୍ଣ ଖବର ଆଦୌ ପ୍ରକାଶ କରିବା ଉଚିତ ନୁହେଁ।
କରୋନାର ମୁକାବିଲା ଲାଗି ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହେବ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନିମାସର ବେତନ ଦାନ କରିବା ସ୍ୱାଗତଯୋଗ୍ୟ। ତାଙ୍କ ଭଳି ଅନ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବଡ଼ବଡ଼ ଶିଳ୍ପୋଦ୍ୟୋଗୀ ଆକ୍ରାନ୍ତ ଓ ପ୍ରଭାବିତ ଲୋକଙ୍କୁ ସହାୟତା ଦେବା ପାଇଁ ମୁକ୍ତହସ୍ତରେ ଦାନ କରିବେ ବୋଲି ଆଶା କରାଯାଏ। ଏହି ଅର୍ଥରେ ନିମ୍ନ-ମଧ୍ୟବିତ୍ତ ଓ ଅଭାବଗ୍ରସ୍ତ ଲୋକଙ୍କୁ ସୁଷମ ଖାଦ୍ୟ, ଭିଟାମିନ୍‌, ଔଷଧ ଆଦି ଯୋଗାଇ ଦିଆଯିବା ଦରକାର। ବିଭିନ୍ନ ସହରର ପରିମଳ ବ୍ୟବସ୍ଥା କ୍ରମେ ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ଏହାକୁ ସୁଧାରିବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାନଗଲେ ପରିବେଶ ସଂପୂର୍ଣ୍ଣ ଅଣାୟତ୍ତ ହେବାର ଆଶଙ୍କା ରହିଛି।
ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ଉପୁଜିଛି ଆମକୁ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବାକୁ ପଡ଼ିବ। ‘ଲକ୍‌ ଡାଉନ’ ଅବଧି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ସକାରାତ୍ମକ ମନୋଭାବ ପୋଷଣ କରି ଅଭିଜ୍ଞ ଚିକିତ୍ସକମାନେ ଗଣମାଧ୍ୟମ ଜରିଆରେ ଯେଉଁସବୁ ମୂଲ୍ୟବାନ ପରାମର୍ଶ ଦେଉଛନ୍ତି ସେଗୁଡ଼ିକୁ ଆମେ ନିଶ୍ଚିତଭାବେ ପାଳନ କରିବା। ଉନ୍ନତ ଜୀବନଶୈଳୀ ପାଇଁ ଚେଷ୍ଟା କରିବା, ମୂଲ୍ୟବାନ ସମୟ ଅପଚୟ ନକରି ଦୈନିକ ଉପାଦେୟ ପୁସ୍ତକମାନ ଅଧ୍ୟୟନ କରିବାସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ନିୟମିତ କିଛି ସମୟ ଶାରୀରିକ ବ୍ୟାୟାମ, ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ଅଭ୍ୟାସ କରିବା ଆବଶ୍ୟକ। ପୂଜାପାଠ ଓ ପ୍ରାର୍ଥନା ସହ ସାତ୍ତ୍ୱିକ ଖାଦ୍ୟ ସେବନ ପାଇଁ ସମସ୍ତେ ଯତ୍ନବାନ ହେବା ଦରକାର। ଏହାଦ୍ୱାରା ଆମେ କରୋନା ସଂକ୍ରମଣ ବିରୋଧରେ ଚାଲିଥିବା ସଂଗ୍ରାମକୁ ଯେ ନିଶ୍ଚିତଭାବେ ଜୟ କରିପାରିବା ଏଥିରେ ସନ୍ଦେହ ନାହିଁ।

Comments are closed.