ବିବାହ ପରମ୍ପରା ବଦଳୁ

0

ନୀଳକଂଠ ରଥ

‘ସମାଜ’ରେ (୯ ଜୁଲାଇ) ପ୍ରକାଶିତ ସୁଲଗ୍ନା ମହାନ୍ତିଙ୍କ ଲେଖାଟି ପଢ଼ିଲି। ମୁଖ୍ୟତଃ ସେ ବିବାହରେ ଅପବ୍ୟୟ ବାବଦରେ ଲେଖିଛନ୍ତି। ଠିକ୍‌ କଥା। ବହୁକାଳ ତଳେ- ପ୍ରାୟ ଅଶୀ ବର୍ଷ ତଳର କଥା ହେବ- ସୁରେନ୍ଦ୍ର ମହାନ୍ତିଙ୍କ (ପ୍ରସିଦ୍ଧ ସାହିତ୍ୟିକ) ବାହାଘର କଥା ମନେପଡ଼େ। ଅବ୍‌ଜର୍ଭର ସାପ୍ତାହିକର ସଂପାଦକ ମଧୁସୂଦନ ମହାନ୍ତିଙ୍କ ବଡ଼ ଝିଅ ସହିତ ତାଙ୍କର ବାହାଘର ହେଲା। କଟକ ନିମଚଉଡ଼ିରେ ତାଙ୍କ ଘର ପାଖରେ ଆମେ ବି ରହୁଥିବାରୁ ଝିଅର ମାଆ ମୋ ବୋଉକୁ ବାହାଘର ଦିନ ସନ୍ଧ୍ୟାବେଳକୁ ଆସିବାକୁ ନିମନ୍ତ୍ରଣ କରିଥାଆନ୍ତି। ବୋଉ ସେଠାକୁ ଯାଇ ଦି’ ଘଣ୍ଟାପରେ ଘରକୁ ଫେରି ରାତିରେ ଏକ ନୂଆ ପ୍ରକାରର ବାହାଘର ଭୋଜି ଦେଖିଲି ବୋଲି ଆନନ୍ଦରେ ବର୍ଣ୍ଣନା କଲା। ସେ କହିଲା, ଆମେ ସବୁ ନିମନ୍ତ୍ରିତ ତାଙ୍କ ଉପର ମହଲାର ଦି’, ତିନି ବଖରାରେ ତଳେ ସତରଞ୍ଜ, ମସିଣା ଉପରେ ବସିଥାଉ। ବର-କନ୍ୟା ଆସି ଆମ ଭିତର ବାଟ ଦେଇ ସମସ୍ତଙ୍କୁ ନମସ୍କାର କରି ଗଲେ। ତା’ ପଛକୁ ବଡ଼ ପଲମରେ ରସଗୋଲା ଧରି କେହି ଆସିଲେ ଓ ଆମେ ସମସ୍ତେ ଗୋଟିଏଗୋଟିଏ ରସଗୋଲା ତୁଣ୍ଡରେ ପକାଇଲୁ। ବେଶ୍, କାର୍ଯ୍ୟକ୍ରମ ଶେଷ। ବୋଉ ଭାରି ଖୁସି ହେଲା, କେତେ ସୁବିଧାରେ କାମ ସାରିଦେଲେ ବୋଲି। ମାତ୍ର, ଗଲା ଅଶୀ ବର୍ଷ ଭିତରେ ହାତ ଗଣତି ଚାରି-ଛଅ ଜଣ ଅବା ଏମିତି ବାହାଘର କରାଇଥିବେ।
ଖାଲି ଲେଖାଲେଖି ବା ଭାଷଣ ଦେଇ ଏହା ବଦଳିବ ନାହିଁ। ମଧୁ ମହାନ୍ତିଙ୍କ ଭଳି କରି ବି ବଦଳି ନାହିଁ। ତେଣୁ, ପରିଚିତ, ଜ୍ଞାତି-କୁଟୁମ୍ବଙ୍କ ବାହାଘରବେଳେ ସେଠାକୁ ନଯାଇ, କେବଳ ପୋଷ୍ଟକାର୍ଡ଼ ବା ଇ-ମେଲ୍‌ ରେ ନିଜ ଶୁଭେଚ୍ଛା ଓଡ଼ିଆରେ ଜଣାଇଲେ ଏବଂ ସାଙ୍ଗସାଥୀ, ଚିହ୍ନାପରିଚୟଙ୍କୁ ସେପରି କରିବାକୁ ପଟେଇ ପାରିଲେ କେଜାଣି ପରିସ୍ଥିତି ବଦଳିବ। ମୁଁ କୌଣସି ବାହାଘରକୁ ଯାଏନାହିଁ, ଖାଲି ଚିଠି ପଠାଇଦିଏ। କୁଟୁମ୍ବର ହୋଇଥିଲେ ବର ବା କନ୍ୟା ପାଖକୁ ଟଙ୍କା ହିସାବରେ ଉପହାର ପଠାଏ। ମାତ୍ର ଦୂରରେ ରହୁଥିବା ଫଳରେ ତାହାର କୌଣସି ପ୍ରଭାବ ପଡ଼େନାହିଁ, ଭାବୁଚି। ସେଇଠି ରହି ଇଆ କଲେ ଏବଂ ଟୋକାଟୋକି ପଞ୍ଝାକୁ ଧରି ଏହା କରାଇ ପାରିଲେ ଅବା ପରିଣାମ ଦିଶିବ।
ବାହାଘରର ସଂସ୍କାର ଖାଲି ଭୋଜିଭାତରେ ସୀମାବଦ୍ଧ ହେବାର ନୁହେଁ। ଆଜି ଅଠର ବର୍ଷରୁ କମ୍‌ ଝିଅ ଓ ଏକୋଇଶ ବର୍ଷରୁ କମ୍‌ ପୁଅର ବିବାହ ଆଇନ ବିରୁଦ୍ଧ। ଆମ ପାରମ୍ପରିକ ବିଚାର ଅନୁସାରେ ପୁଅ ଷୋହଳ ବର୍ଷର ହେଲେ ସେ ସଜ୍ଞାନ। ‘ଲାଳୟେତ୍‌ ପଂଚ ବର୍ଷାଣୀ, ଦଶବର୍ଷାଣୀ ତାଡୟେତ୍‌; ପ୍ରାପ୍ତେତୁ ଷୋଡଶ ବର୍ଷେ ପୁତ୍ରଂ ମିତ୍ରଂ ୱତ୍ ଆଚରେତ୍‌’। ପୁଅ ଷୋହଳ ବର୍ଷର ହେଲେ ସେ ମିତ୍ର ହେବାର ଯୋଗ୍ୟ। ମାତ୍ର, ଝିଅ କୌଣସି ବୟସରେ ବି ସେ ଯୋଗ୍ୟତା ହାସଲ କରେ ନାହିଁ। ସିଏ ସବୁକାଳେ ଏକ ବ୍ୟକ୍ତି ନୁହେଁ, ଏକ ବସ୍ତୁ। ବାପଘରେ ଓ ଶାଶୂଘରେ ବି। ପୁଅ ଅପ୍ରାପ୍ତ ବୟସ୍କ ହୋଇଥିଲେ ବି ତା’ ସହିତ ବିବାହ- ବିବାହରେ ସେ ମୁଖ୍ୟ। ତା’ ପିତାମାତାଙ୍କର ସେଥିରେ କୌଣସି ସ୍ଥାନ ନାହିଁ। ମାତ୍ର କନ୍ୟା- ସେ ତ ବସ୍ତୁ। ତେଣୁ, ତା’ ପିତା ତାକୁ ବରହାତରେ ଦାନ କରନ୍ତି। କନ୍ୟାଦାନ କଲେ ବାପ ପୁଣ୍ୟ ଅର୍ଜନ କରେ, ଯେମିତି ଗୋ-ଦାନ କଲେ। (ମା’କୁ ମାତ୍ର ପୁଣ୍ୟ ମିଳେନାହିଁ)। କନ୍ୟା ଆଠ ବର୍ଷର ହେଉ ବା ଅ​‌େ​‌ଠଇଶ, ତାହାର କନ୍ୟାଦାନ ହେବାର ବିଧି। ମୁସଲମାନଙ୍କ ଭିତରେ ଏହା ନାହିଁ। ତାଙ୍କ ପ୍ରଥାରେ ବିବାହ ବର-କନ୍ୟାଙ୍କ ଭିତରେ ଏକ ଚୁକ୍ତି। ଏଥିରେ ଦି’ ପକ୍ଷର ମାତାପିତାଙ୍କର ସ୍ଥାନ ନାହିଁ। ଚୁକ୍ତି ଭଙ୍ଗ କଲେ ବିବାହର ସମାପ୍ତି। ମାତ୍ର ଆମ ବିବାହିତ କନ୍ୟାର ଦାନ ହୋଇଥାଏ। ଦାନ ତ ଫେରାଇ ନେବାର ନୁହେଁ। ତେଣୁ କେତେ ନିର୍ଯାତନା ପାଉଥିଲେ ବି ତାକୁ ଘରକୁ ଫେରେଇ ନେବାକୁ ବାପ-ମା’ ନାରାଜ। ତା’ବାଦ୍‌ ଦାନ ଦିଆହୋଇଥିବା ଗାଈ କଅଣ ମୁଁ ତୁମ ପାଖରେ ରହିବି ନାହିଁ ବୋଲି କହି ପଳେଇଯାଇ ପାରେ? ତେଣୁ, ମଲାଯାକେ କ୍ରୀତଦାସ। ନିଜେ ମଲେ ତ୍ରାହି। ମାତ୍ର ଘଇତା ମଲେ ଦୁର୍ଦଶାର ସୀମାନାହିଁ- ମାଲିକ ମରିବାପରେ ହଡ଼ାର ଅବସ୍ଥାରୁ ବି ହୀନ।
ଆଜି ଆମ ବିବାହର ଏ ପରମ୍ପରାକୁ ସମୂଳେ ତ୍ୟାଗ କରିବାକୁ ହେବ। କନ୍ୟାଦାନ ବନ୍ଦ ହେବା ଆବଶ୍ୟକ। ପ୍ରାପ୍ତ ବୟସରେ ତରୁଣ-ତରୁଣୀଙ୍କ (ବା ବୟସ୍କଙ୍କ) ବିବାହ ତାଙ୍କ ଦି’ ଜଣଙ୍କ ଭିତରର କଥା। ସେ ରେଜିଷ୍ଟ୍ରାର ଅଫିସକୁ ଯାଇ ବିବାହ ରେଜିଷ୍ଟର କରାଇବେ ନା ତାଙ୍କ ଘରକୁ ଡାକି ଘରେ କରେଇବେ, ନା ପୁରୋହିତକୁ ଡାକି ହୋମ ଚାରିପଟେ ସପ୍ତପଦ ନେଇ ବିବାହବଦ୍ଧ ହେବେ ତାହା ତାଙ୍କ ମରଜି ଉପରେ ନିର୍ଭର କରିବ। (ଆମ ଝିଅକୁ ଆମେ ବସ୍ତୁ କରିନୁ; ସେ ଆମକୁ ସେପରି କରିବାକୁ ଦେଇ ନଥାନ୍ତା)। ହୋମ ଆର୍ଯ୍ୟପୂର୍ବ କାଳର ଶିକାରକରି ବଞ୍ଚୁଥିବା ସମାଜର ମଣିଷଙ୍କ ଶ୍ବାପଦଙ୍କୁ ଡରାଇବା ପାଇଁ ଜଳୋଉଥିବା ନିଆଁ ଚାରିପଟେ କରାଯାଉଥିବା ଯୌନକର୍ମର ପାରମ୍ପରିକ ରୂପମାତ୍ର। ତେବେ କେହି ସେପରି କରିବାରେ ଅନ୍ୟର ଆପତ୍ତିର କାରଣ ନାହିଁ। କିଏ ଫୁଲମାଳ ପକାଇ, କିଏ ମୁଦି ପିନ୍ଧାଇ, କିଏ ଦସ୍ତଖତ କରି, କିଏ ପୁରୋହିତଙ୍କ ଆଗରେ ଶପଥ କରି ବାହାହେବେ ତାହା ପ୍ରତ୍ୟେକର ଇଚ୍ଛା ଉପରେ ନିର୍ଭର କରିବାର କଥା।
ଏପରି କଲେ ବିବାହର ଅର୍ଥ, ଅଧିକାର ଜଣାପଡ଼ିବ। ଖର୍ଚ୍ଚ ଆପେଆପେ କମ୍‌ ହେବ। ଯାହାର ପୈସା ଅଛି ସିଏ ଉଡ଼ାଜାହାଜରେ ଉଡ଼ି ବାହାହେବେ। ଆମକୁ ପସନ୍ଦ ନଥିଲେ ଆମେ ଡାକିଲେ ବି ଯିବା ନାହିଁ।
ଲେଖୁଲେଖୁ କଅଣ ସବୁ ଲେଖିପକାଇଲି। କଥାଟାମାନ ଆପଣଙ୍କୁ ପସନ୍ଦ ପଡ଼ିଲେ ଆପଣ ଲେଖନ୍ତୁ। ଆନ୍ଦୋଳନ ଆରମ୍ଭ କରାନ୍ତୁ। ମୁଁ ଆପଣଙ୍କ ଯଶ ମିଳୁ ବୋଲି କାମନା କରିବି ଧନ୍ୟବାଦ।
ପୁଣେ, ମହାରାଷ୍ଟ୍ର
[email protected]

Comments
Loading...