ନିଃସହାୟ ଜଗନ୍ନାଥ ; ଅସହାୟ ସରକାର

0

ରାଜାରାମ ଶତପଥୀ

Related Posts

ଜଗନ୍ନାଥ ମନ୍ଦିରର ଦୁର୍ଦଶା ନୂଆ ନୁହେଁ, ଦୀର୍ଘ ବର୍ଷର ଅବ୍ୟବସ୍ଥାର ପରସ୍ତରେ ପରିପୁଷ୍ଟ। ମନ୍ଦିର ଭିତରେ ଅଣନିଃଶ୍ବାସୀ ହୋଇ ପଡ଼ୁଥିବା ଅସହାୟ ଶ୍ରଦ୍ଧାଳୁମାନେ, ସାଷ୍ଟାଙ୍ଗ ପ୍ରଣିପାତ ଦୂରେ ଥାଉ, ଚକାଆଖିକୁ କୌଣସିମତେ ଦେଖିନେଲେ ନିଜକୁ ଭାଗ୍ୟବାନ ଭାବନ୍ତି। ଜୁନ୍‌ ୮ ତାରିଖ ଦିନ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟର କଡ଼ା ନିର୍ଦେଶନାମାର ଏକମାତ୍ର ପୃଷ୍ଠଭୂମି ହେଉଛି ବିଶ୍ବପ୍ରସିଦ୍ଧ ଦାରୁଦେବତାଙ୍କ ଏହି ଉପାସନା ପୀଠରେ ଭକ୍ତଙ୍କୁ ଶୋଷଣ ଓ ପରିଚାଳନାରେ ଅନବରତ ବିଭ୍ରାଟ। ଉଚ୍ଚତମ ନ୍ୟାୟାଳୟର ଏହି ନିର୍ଦେଶନାମା ଜଗନ୍ନାଥଙ୍କ ନାଁରେ ଚାଲିଥିବା ଅରାଜକତାର ଲମ୍ବା ଅଧ୍ୟାୟରେ ଖୁବ୍‌ ଶୀଘ୍ର ବୋଧହୁଏ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ସାଧାରଣରେ ଆଶା ସୃଷ୍ଟି ହୋଇଛି। ତେବେ କଥାରେ ଅଛି ଅତୀତ ଭବିଷ୍ୟତର ଦର୍ପଣ। ଦେଶୀବିଦେଶୀ କେତେ ସରକାର ଯେ ଜଗନ୍ନାଥ ମନ୍ଦିରକୁ ଠିକ୍‌ ଗୁଳାରେ ପକାଇବାକୁ ଉଦ୍ୟମ କରିଛନ୍ତି ତା’ର ହିସାବ ନାହିଁ। ସବୁ ଚେଷ୍ଟା ପଣ୍ଡ ହୋଇଯାଇଛି। ନିଚ୍ଛକ ବାସ୍ତବିକତା ହେଉଛି ସମୁଦ୍ରକୂଳରେ ଠିଆ ହୋଇଥିବା ଦ୍ବାଦଶ ଶତାବ୍ଦୀର ଏହି ବିଶାଳ ଜଗନ୍ନାଥ ମନ୍ଦିର ଜୁଲମର ଜାଲରୁ ମୁକ୍ତି ପାଇଁ ଆଜିବି ରାହା ଖୋଜୁଛି।
ଜଗନ୍ନାଥଙ୍କ ଧନ ଲୁଟିବାକୁ ଅତୀତରେ ବହୁ ବିଧର୍ମୀ ଆକ୍ରମଣ କରିଥାଇ ପାରନ୍ତି, କିନ୍ତୁ ପରାଧୀନ ଭାରତରେ କୌଣସି ଶାସକ ମନ୍ଦିର ପରିଚାଳନା ନିଜ ହାତକୁ ନେବାପାଇଁ ଇଚ୍ଛା ପ୍ରକାଶ କରିନାହାନ୍ତି। ସେ ଦାୟିତ୍ବ ସେମାନେ ପ୍ରାୟ ସବୁବେଳେ ଗଜପତି ରାଜା ଓ ସେବକଙ୍କ ଉପରେ ଛାଡ଼ି ଦେଇଥିଲେ। ବିଡ଼ମ୍ବନା ଯେ ସେବକଙ୍କ ପ୍ରାଦୁର୍ଭାବରେ ଗଜପତି କୌଣସି ସମୟରେ କେବଳ ଜଣେ ସାଙ୍କେତିକ ମୁଖ୍ୟ ବ୍ୟତୀତ ମନ୍ଦିର ପରିଚାଳନାରେ ଶୃଙ୍ଖଳା ଆଣିବାକୁ ଆଦୌ ସକ୍ଷମ ହୋଇନଥିଲେ। ମନ୍ଦିରର ଅବସ୍ଥା ଦିନକୁଦିନ ବିଗିଡ଼ି ଯାତ୍ରୀମାନଙ୍କ ହୀନସ୍ତା ବଢ଼ୁଥିଲେ ବି ମରହଟ୍ଟା, ମୁସଲମାନ ଓ ଇଂରେଜ ଶାସକମାନେ ସେସବୁକୁ ଆଖିବୁଜି ଦେଇଥିଲେ। ଜଗନ୍ନାଥ ସେମାନଙ୍କ ଦୃଷ୍ଟିରେ ଥିଲେ କେବଳ ଏକ ବଡ଼ ରୋଜଗାର ପନ୍ଥା। ଧର୍ମାନ୍ତରଣ ଓ ବିଦେଶରେ ହିନ୍ଦୁ ଧର୍ମକୁ ନୀଚ ଦେଖାଇବା ପାଇଁ ଜଗନ୍ନାଥ ମନ୍ଦିରରେ ଅବ୍ୟବସ୍ଥା, ତୀର୍ଥକ୍ଷେତ୍ର ପୁରୀକୁ ଆସୁଥିବା ଲୋକମାନଙ୍କର ଦୟନୀୟ ପରିସ୍ଥିତି, ସେବକମାନଙ୍କ ଦ୍ବାରା ସେମାନଙ୍କ ଶୋଷଣ, ରଥଯାତ୍ରା ସମୟରେ ଭିଡ଼ଭିତରେ ରଥଚକାରେ ଚାପିହୋଇ ମୃତ୍ୟୁ ଘଟଣାସବୁକୁ ମଧ୍ୟ କିଛି କମ୍‌ ବ୍ୟବହାର କରାଯାଇନି। କଟକ କଲେକ୍ଟର ସି.ଗ୍ରୋମ ତାଙ୍କ ରିପୋର୍ଟରେ (୧୦ଜୁନ, ୧୮୦୫) ମନ୍ଦିର ସେବକମାନଙ୍କୁ ବିଶୃଙ୍ଖଳ ଓ ଯାତ୍ରୀଙ୍କ ଧନରେ ଧନୀ ବୋଲି ବର୍ଣ୍ଣନା କରିଛନ୍ତି। ଇଂରେଜ ଗବେଷକ ହଣ୍ଟର ସେମାନଙ୍କୁ ମନ୍ଦିର କାର୍ଯ୍ୟ ପାଇଁ ଅଯୋଗ୍ୟ, ନିଜସ୍ବାର୍ଥ ପାଇଁ ସବୁବେଳେ ଝଗଡ଼ା କରନ୍ତି ଓ ‘ବିବାଦ ତୁଟେଇବାପାଇଁ ବିଦେଶୀ ଖ୍ରୀଷ୍ଟିଆନମାନଙ୍କ ସାହାଯ୍ୟ ନେବାକୁ ଲଜ୍ଜା କରନ୍ତି ନାହିଁ ବୋଲି ଲେଖିଛନ୍ତି। ଏକଥା ସତ ଯେ ଆମ ସମ୍ପର୍କରେ ଯାବତୀୟ କୁତ୍ସାରଟନା ସେମାନଙ୍କ ଅଜ୍ଞତାର ନିଦର୍ଶନ, କିନ୍ତୁ ଆମ କୃତକର୍ମ ଯେ ସେମାନଙ୍କୁ ଏପ୍ରକାର ଲେଖିବାକୁ ଯଥେଷ୍ଟ ଖୋରାକ୍‌ ଯୋଗାଇଛି, ତାହା ଅସ୍ବୀକାର କରିହେବ ନାହିଁ।
ଜଗନ୍ନାଥ ମନ୍ଦିର ପରିଚାଳନାରେ ଶୃଙ୍ଖଳା ସେବକମାନଙ୍କୁ କେବେ ପସନ୍ଦ ନଥିଲା। ସେଥିପାଇଁ ଇଂରେଜ ଶାସନ ସମୟରେ ରେଗୁଲେସନ-୪ (୨୮ ଏପ୍ରିଲ ୧୮୦୯) ଏବଂ ରାଜ୍ୟ ସରକାର ୧୯୫୨ ଓ ୧୯୫୪ ମସିହାରେ ସ୍ବତନ୍ତ୍ର ଆଇନ ପ୍ରଣୟନ କଲାପରେ ମଧ୍ୟ ପରିସ୍ଥିତିରେ କିଛି ଉନ୍ନତି ହୋଇନାହିଁ। ‘ପୁରୀ ଶ୍ରୀଜଗନ୍ନାଥ ମନ୍ଦିର (ପ୍ରଶାସନ)-୧୯୫୨ ଆଇନର ଲକ୍ଷ୍ୟ ଥିଲା ମନ୍ଦିରକୁ ସେବକମାନଙ୍କ ‘ଅରାଜକତା’ରୁ ମୁକ୍ତି ଦେବା, ଆଇନ୍‌ର ଉଦ୍ଦେଶ୍ୟ ଫର୍ଦରେ ଏହା ସ୍ପଷ୍ଟ ଲେଖାଯାଇଛି। ସେବକଙ୍କ ମଧ୍ୟରେ ନୈତିକତାର ଅଧୋଗତି ଓ ଆର୍ଥିକ ଫାଇଦା ପାଇଁ ପ୍ରତିଯୋଗିତା ଯୋଗୁଁ ସେମାନେ ନିଜ ଦାୟିତ୍ବରୁ ଦୂରେଇ ଯାଇଛନ୍ତି, ମନ୍ଦିରରେ ଶାନ୍ତି, ଧର୍ମକର୍ମ ପରିବର୍ତ୍ତେ ପ୍ରବଳ ଗୁଣ୍ଡାଗିରି ଓ ଜଘନ୍ୟ ଅପରାଧ ଘଟୁଛି। ଠାକୁରଙ୍କ ଗହଣା ଉଭାନ ହୋଇଯାଉଛି, ଧର୍ମଘଟ ହେଉଛି, ମହାପ୍ରସାଦ ଠିକ୍‌ ସମୟରେ ମିଳୁନାହିଁ ଇତ୍ୟାଦି ଏହି ଉଦ୍ଦେଶ୍ୟ ଫର୍ଦରେ ଦର୍ଶାଯାଇଥିଲା। ମନ୍ଦିର ଭିତ​‌େ​‌ର ସବୁ ଦାନଦକ୍ଷିଣା ହୁଣ୍ଡି ମାଧ୍ୟମରେ ସଂଗ୍ରହ କରିବାପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଯେତେବେଳେ ଉଦ୍ୟମ ହେଲା ସେବକମାନେ ଅଧିକ ପ୍ରତିବାଦ କଲେ। ସେମାନଙ୍କ ଯୁକ୍ତି ଯେ ଦାନଦକ୍ଷିଣାର ଏକ ନିର୍ଦିଷ୍ଟ ଭାଗ ସେମାନଙ୍କର ପ୍ରାପ୍ୟ।
୧୯୯୭ ମସିହାରେ ଏ ପ୍ରସଙ୍ଗରେ ଏକ ମୋକଦ୍ଦମାର ରାୟରେ ସୁପ୍ରିମକୋର୍ଟ ଠାକୁରଙ୍କୁ ଦିଆଯାଉଥିବା ଦାନଦକ୍ଷିଣାରେ ସେବକମାନଙ୍କର କୌଣସି ଅଧିକାର ନାହିଁ, ସେମାନେ ମନ୍ଦିର କର୍ମଚାରୀ, ସେମାନଙ୍କୁ ସେମାନଙ୍କ କାର୍ଯ୍ୟପାଇଁ ପାରିଶ୍ରମିକ ଦିଆଯାଇପାରେ, ସେମାନେ ମନ୍ଦିର ପରିଚାଳନା କମିଟିର ଆଦେଶ ଅବମାନନା କରିପାରିବେ ନାହିଁ ବୋଲି ମତ ଦେଇଥିଲେ। ଏହି ମୋକଦ୍ଦମାର ଅନ୍ୟ ଏକ ଦିଗକୁ ମନେ ରଖିବାକୁ ହେବ ଯେ ମନ୍ଦିରରେ ସେବକମାନଙ୍କ ଦ୍ବାରା ବିଭ୍ରାଟ ଓ ଦାନଦକ୍ଷିଣା ତୋଷରପାତ ବନ୍ଦ ପାଇଁ ୧୯୫୨ ଓ ୧୯୫୪ ଆଇନ ପ୍ରଣୟନ କରାଯାଇଥିଲା। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ବହୁ ପ୍ରାଚୀନ, ଏହାର ଉପଯୁକ୍ତ ପରିଚାଳନା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ରାୟରେ ଦର୍ଶାଇଥିଲେ, କିନ୍ତୁ ବିଲେଇ ବେକରେ ଘଣ୍ଟି ବାନ୍ଧିବା ଦାୟିତ୍ବ ସରକାରଙ୍କର। ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ୨୦ ବର୍ଷରୁ ଅଧିକ ହେଲାଣି। ଏବେ ମଧ୍ୟ ମନ୍ଦିରରେ ସେବକଙ୍କ ସମାନ୍ତରାଳ ରାଜତ୍ବ ଚାଲିଛି, ଥାଳିରେ ଦାନଦକ୍ଷିଣା ସଂଗ୍ରହ ବଳବତ୍ତର ଅଛି। ସେବକଙ୍କ ଜୁଲମ, ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ ଘଟଣା ବନ୍ଦ ହେବାର ନାଁ ନେଉନାହିଁ। କେହି ମନ୍ଦିର ଦର୍ଶନରେ ବାହାରିଲେ ମନରେ ସେହି ଏକା ପ୍ରଶ୍ନ: ଶାନ୍ତିରେ ଠାକୁର ଦେଖି ଫେରିବା ତ?
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ବର

Leave A Reply