ଅବୈଦିକ କର୍ମକାଣ୍ଡ​‌‌ରେ ବେଦପାଠ!

0

ପ୍ରିୟବ୍ରତ ଦାସ

ବେଦର ପଠନ-ପାଠନ ହ୍ରାସ ପାଇବା ଫଳରେ ଅନେକ ଅବୈଦିକ କ୍ରିୟା ଆମ ସାମାଜିକ ବ୍ୟବସ୍ଥାରେ ପ୍ରବେଶ କଲା ଯେପରି ପଶୁବଳି, ଗ୍ରହଶାନ୍ତି, ବାଲ୍ୟବିବାହ, ମୃତକ ଶ୍ରାଦ୍ଧ, ଜଡ଼ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା ଇତ୍ୟାଦି। ବେଦ ସର୍ବମାନ୍ୟ ଗ୍ରନ୍ଥ ହେବା କାରଣରୁ ସାଧାରଣ ଲୋକଙ୍କ ମନରେ ଏଭଳି ପ୍ରଥାଗୁଡ଼ିକର ସମର୍ଥନରେ ବିଶ୍ବାସ ଜାତ କରାଇବା ଅଭିପ୍ରାୟରେ ପ୍ରତ୍ୟେକ କର୍ମକାଣ୍ଡରେ ଅପ୍ରାସଙ୍ଗିକ ବେଦମନ୍ତ୍ର ପଢ଼ାଗଲା। ଏସବୁ ପ୍ରଥା ବହୁ ବର୍ଷ ଧରି ଧର୍ମ ନାମରେ ଅନୁସୃତ ହୋଇ ଆସୁଥିଲେ ସୁଦ୍ଧା ପୁରୋହିତ, ଯଜମାନ ଓ ଶ୍ରୋତାମାନେ ମନ୍ତ୍ରଗୁଡ଼ିକର ପ୍ରକୃତ ଅର୍ଥ ଜାଣିବା ପାଇଁ ତତ୍ପର ହୋଇନାହାନ୍ତି। ବିଡ଼ମ୍ବନା ଏହି ଯେ ପାଠ କରାଯାଉଥିବା ବେଦମନ୍ତ୍ରଗୁଡ଼ିକର ଅର୍ଥ ସହିତ ସେସବୁ କ୍ରିୟାର ବିନ୍ଦୁବିସର୍ଗ ସମ୍ବନ୍ଧ ନଥାଏ।
ପ୍ରଶ୍ନ ହୁଏ – ଏପରି ଯୁକ୍ତିଶୂନ୍ୟ ଓ ବେଦବିରୁଦ୍ଧ ବିଧିବିଧାନ କିପରି ଆରମ୍ଭ ହେଲା? କିହେତୁ ଏବେ ମଧ୍ୟ ନୂଆ ନୂଆ ହୀନକ୍ରିୟା ବୈଦିକ କୃତ୍ୟ ନାମରେ ପ୍ରଚଳିତ ହେଉଛି? ଏଭଳି ପ୍ରଶ୍ନର ସରଳ ଉତ୍ତର ହେଉଛି ଯେ ମନୁଷ୍ୟକୁ ନୀତିବାନ ହେବା ନିମନ୍ତେ ତ୍ୟାଗ, ତପ, ସଂଯମ ଆଦି ସାଧନା ଆବଶ୍ୟକ ହୁଏ; ପରନ୍ତୁ ନୀତିଭ୍ରଷ୍ଟ ହେବାପାଇଁ ଲେଶମାତ୍ର ପ୍ରୟାସ ଓ ପୁରୁଷାର୍ଥର ପ୍ରୟୋଜନ ନଥାଏ। ଶିଡ଼ି ଉପରକୁ ଚଢ଼ିବା ଶ୍ରମସାଧ୍ୟ; ଓହ୍ଲାଇବା ସହଜ। ଲୁଗା କାହିଁକି ମଇଳା ହୁଏ, ଏହି ପ୍ରଶ୍ନ ନିରର୍ଥକ। କାଳକ୍ରମେ ଲୁଗା ମଇଳା ହେବା ସ୍ବାଭାବିକ ଓ ତାକୁ ସଫା କରିବା ବୁଦ୍ଧିମାନର କାର୍ଯ୍ୟ।
ମନୁଷ୍ୟର ମନ ପ୍ରତି ମୁହୂର୍ତ୍ତରେ ବାହାର ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ- ଏହି ପାଞ୍ଚ ବିଷୟକୁ ଦେହର ପାଞ୍ଚ ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ଆହରଣ କରୁଥାଏ। ପୁନଶ୍ଚ ସେହି ମନ ଭିତର କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ- ଏହି ଛଅ ଆବେଗୀୟ ବାସନାଦ୍ବାରା ନିରନ୍ତର ବିକ୍ଷିପ୍ତ ହେଉଥାଏ। ଫଳରେ ଆତ୍ମଶକ୍ତି ଦବିଯାଏ। ତେଣିକି ମନୁଷ୍ୟ ଦେହସୁଖ ଓ ସଂକୀର୍ଣ୍ଣ ସ୍ବାର୍ଥର ବଶୀଭୂତ ହୁଏ । ନିଜର ନିକୃଷ୍ଟ ଆଚରଣଗୁଡ଼ିକର ସାମାଜିକ ସ୍ବୀକୃତିଲାଭ ନିମନ୍ତେ କୃତ୍ରିମ ଶ୍ଳୋକ ରଚନା କରି ପ୍ରାଚୀନ ଶାସ୍ତ୍ରରେ ମିଶ୍ରଣ କରେ। ଉଦାହରଣ ସ୍ବରୂପ; ମହର୍ଷି ମନୁଙ୍କ ରଚିତ ମନୁସ୍ମୃତି ମନୁଷ୍ୟ ଜାତିର ବିଧିବିଧାନ ପାଇଁ ପ୍ରାଚୀନତମ ଓ ସର୍ବୋତ୍କୃଷ୍ଟ ମାର୍ଗଦର୍ଶକ ଗ୍ରନ୍ଥ। ପରନ୍ତୁ ପରବର୍ତ୍ତୀ କାଳରେ ସମାଜରେ ମାଂସାହାର, ଜନ୍ମଗତ ଜାତିପ୍ରଥା, ନାରୀ ଅବମାନନା ଆଦି ଦୁରାଚାର ପ୍ରଚଳିତ ହେବା ସହିତ ସେସବୁର ସମର୍ଥନରେ ନକଲି ଶ୍ଳୋକ ଗଢ଼ି ଉକ୍ତ ଗ୍ରନ୍ଥରେ ପ୍ରକ୍ଷେପ କରାଗଲା। ଫଳରେ ମୂଳ ଗ୍ରନ୍ଥ ପ୍ରାୟ ଅଢ଼େଇ ଗୁଣ ବଢ଼ିଯାଇଛି। ଆମର ପ୍ରସିଦ୍ଧ ଦୁଇ ଐତିହାସିକ କାବ୍ୟ ରାମାୟଣ ଓ ମହାଭାରତର ଅବସ୍ଥା ମଧ୍ୟ ସେହିପରି। ଚବିଶ ହଜାର ଶ୍ଳୋକବିଶିଷ୍ଟ ମୂଳ ମହାଭାରତର କଳେବର ଆଜି ଏକ ଲକ୍ଷ ଶ୍ଳୋକଠାରୁ ଅଧିକ। ପରନ୍ତୁ ପ୍ରତ୍ୟେକ ମାନବ ସୃଷ୍ଟିର ପ୍ରାରମ୍ଭରେ ବେଦବାଣୀ ସାକ୍ଷାତ କୃତଧର୍ମ। ଋଷିଙ୍କ ହୃଦୟରେ ଐଶ୍ବରୀୟ ପ୍ରେରଣାରେ ପ୍ରକାଶିତ ହେବା କାରଣରୁ କୌଣସି ବେଦମନ୍ତ୍ରରେ ଗୋଟିଏ ଲୌକିକ ପଦ ମିଶ୍ରଣ କରିବା ଅଥବା ମନ୍ତ୍ରରୁ ଗୋଟିଏ ପଦ ବହିଷ୍କାର କରିବା ସମ୍ଭବ ହୁଏ ନାହିଁ। ପରବର୍ତ୍ତୀ ଋଷିମାନଙ୍କ ଦ୍ବାରା ଆବିଷ୍କୃତ ବେଦପାଠର ବିଭିନ୍ନ ପ୍ରକ୍ରିୟାର ସହାୟତାରେ ସହଜରେ ଏହି ଅପଚେଷ୍ଟା ଧରାପଡ଼େ।
ବର୍ତ୍ତମାନ ପଶୁବଳି ପରି ବୀଭତ୍ସ କ୍ରିୟାରେ ବେଦମନ୍ତ୍ର ପାଠ ସମ୍ବନ୍ଧରେ ସଂକ୍ଷିପ୍ତ ଆଲୋଚନା କରିବା। ପଶୁଯାଗକାରୀମାନେ ପ୍ରଚାର କରିଛନ୍ତି ଯେ ବଳିଦେବା ଦ୍ବାରା ନିହତ ପଶୁ, ଯଜମାନ ଓ ଯଜମାନ ପତ୍ନୀ ସ୍ବର୍ଗପ୍ରାପ୍ତ ହୁଅନ୍ତି। ବଳି ନିମନ୍ତେ ପଶୁକୁ ଚଲାଇଚଲାଇ ନେଉଥିବା ସମୟରେ ଯଜୁର୍ବେଦ (୬,୮) ମନ୍ତ୍ର ପଢ଼ାଯାଏ- ‘ରେବତୀଂ ରମଧ୍ବଂ+++ ମାନୁଷଃ’। ଏହି ମନ୍ତ୍ରରେ ପଶୁବଳି ସମ୍ବନ୍ଧରେ ଆଦୌ କିଛି ବର୍ଣ୍ଣନା ନାହିଁ। ଏଠା​‌େ​‌ର ନ୍ୟାୟାଧୀଶ ଶାସକଙ୍କୁ ସନ୍ଦେଶ ଦିଅନ୍ତି- ‘ତୁମ ରାଜ୍ୟର ପ୍ରଜାମାନେ ସୁଖପୂର୍ବକ ବାସ କରନ୍ତୁ। ତୁମେ ସ୍ବୟଂ ବିଦ୍ୟା, ବଳ ଓ ଧନ ପ୍ରାପ୍ତି ପାଇଁ ପୁରୁଷାର୍ଥ କର। ନିରନ୍ତର ସତ୍ୟ ଓ ନ୍ୟାୟର ବନ୍ଧନରେ ବାନ୍ଧିହୋଇ ରହ। ତୁମ ରାଜ୍ୟରେ ଥିବା ଉପଦ୍ରବୀମାନେ ତୁରନ୍ତ ଦଣ୍ଡିତ ହୁଅନ୍ତୁ। ’ ବେଦମନ୍ତ୍ରରେ ଥିବା ସମସ୍ତ ପଦକୁ ଅଣଦେଖା କରି କେବଳ ଗୋଟିଏ ପଦ ‘ପାଶ’ (ବନ୍ଧନ)ର ଆଧାରରେ ଗୋଟିଏ ପଶୁକୁ ବାନ୍ଧି ବଳିପାଇଁ ନିଆଯାଏ। ସମଗ୍ର ମନ୍ତ୍ରରେ ପଶୁବଳି, ଛେଳି, ମେଣ୍ଢା, ଟାଣିବା ଆଦି କୌଣସି ବଳି ସମ୍ବନ୍ଧୀୟ ବିଷୟରେ ଉଲ୍ଲେଖ ନାହିଁ, ବରଂ ଶାସକଙ୍କୁ ସର୍ବଦା ସତ୍ୟ ଓ ନ୍ୟାୟରେ ବାନ୍ଧିହୋଇ କାର୍ଯ୍ୟରତ ହେବା ନିମନ୍ତେ ଉପଦେଶ ଦିଆଯାଇଛି।
ବନ୍ଧା ହୋଇ ଯାଉଥିବା ପଶୁ ଏଣେତେଣେ ଅନାଇବା ସ୍ବାଭାବିକ। ସେତେବେଳେ ପରବର୍ତ୍ତୀ ମନ୍ତ୍ର ପଢ଼ାଯାଏ- ‘ଦେବସ୍ୟ+++ ମାତା ମନ୍ୟତାମ୍‌ ପିତାନୁଭ୍ରାତା,++ ପ୍ରୋକ୍ଷାମି’ (ଯଜୁର୍ବେଦ୬,୯) ଆଚାର୍ଯ୍ୟ ଉକ୍ତ ମନ୍ତ୍ରରେ ଗୁରୁକୁଳରେ ପ୍ରବିଷ୍ଟ ହୋଇଥିବା ନବୀନ ବ୍ରହ୍ମଚାରୀଙ୍କୁ ଉପଦେଶ ଦିଅନ୍ତି- ‘ହେ ଶିଷ୍ୟ! ତପୋମୟ ଜୀବନ ଯାପନ ପାଇଁ ପରମାତ୍ମା ତୁମଠାରେ ଆତ୍ମଶକ୍ତି ପ୍ରଦାନ କରନ୍ତୁ। ତୁମକୁ ନେଇ ଏଠାକୁ ଆସିଥିବା ପିତା, ମାତା, ଭ୍ରାତା ଆଦି ଗୁରୁଜନମାନେ କୃପାଯୁକ୍ତ ଆଶୀର୍ବାଦ ଓ ଅନୁମତି ପ୍ରଦାନ କରି ଘରକୁ ଫେରିଯାଆନ୍ତୁ। ତୁମର ବ୍ରହ୍ମଚର୍ଯ୍ୟ ଜୀବନ ସଫଳ ହେଉ।’ ବେଦମନ୍ତ୍ରରେ ଥିବା ପିତା, ମାତା, ଭ୍ରାତା ଶବ୍ଦକୁ ଦେଖି ପଶୁହିଂସ୍ରକମାନେ କହନ୍ତି ବଳି ପାଇଁ ନିଆଯାଉଥିବା ପଶୁ ତାହାର ସମ୍ପର୍କୀୟମାନଙ୍କଠାରୁ ଅନୁମତି ମାଗୁଅଛି। ପ୍ରଶ୍ନ ହୁଏ, ଯେଉଁ ପଶୁ ଲଙ୍ଗଳାହୋଇ ନିଜକୁ ଜାଣି ପାରୁନାହିଁ, ସେ ନିଜ ପିତାମାତାଙ୍କୁ କିପରି ଚିହ୍ନିବ? ଯଦି ବା ଚିହ୍ନି ପାରିବ, ସେମାନେ ନିଜ ଛୁଆର ବଳି ନିମନ୍ତେ ଅନୁମତି ଦେବେ କି?
ବଳି ଦେବାପରେ ଯଜମାନଙ୍କର ପତ୍ନୀ ମୃତ ପଶୁର ଅଙ୍ଗଗୁଡ଼ିକୁ ସ୍ପର୍ଶ କରନ୍ତି, ସେତେବେଳେ ପୁରୋହିତ ପରବର୍ତ୍ତୀ ଏକ ମନ୍ତ୍ର ପଢ଼ନ୍ତି- ‘ ବାଚଂ ତେ ଶୁନ୍ଧାମି ପ୍ରାଣ ତେ ଶୁନ୍ଧାମି ଚକ୍ଷୁସ୍ତେ ଶୁନ୍ଧାମି ଶ୍ରୋତଂ ତେ ଶୁନ୍ଧାମି+++ ଚରିତ୍ରାଂସ୍ତେ ଶୁନ୍ଧାମି।’ (ଯଦୁ ୬,୧୪) ପୁନଶ୍ଚ ଆଚାର୍ଯ୍ୟ ଆଗନ୍ତୁକ ଶିଷ୍ୟକୁ ସଂଦେଶ ପ୍ରଦାନ କରନ୍ତି- ‘ହେ ଶିଷ୍ୟ! ପାଠ୍ୟ ବିଷୟ ପଢ଼ାଇବା ପୂର୍ବରୁ ମୁଁ ତୁମର ବାଣୀ, ପ୍ରାଣ, ଚକ୍ଷୁ ଆଦି ଶକ୍ତିଗୁଡ଼ିକୁ ଶୁଦ୍ଧ କରିବି। ସ୍ପଷ୍ଟ ଓ ମିଷ୍ଟ
ଉଚ୍ଚାରଣର ଶିକ୍ଷା ପ୍ରଦାନ କରିବି। ପ୍ରାଣାୟାମର ଅଭ୍ୟାସ ଦ୍ବାରା ତୁମର ପ୍ରାଣଶକ୍ତି ବଳବାନ ହେବ। ଇନ୍ଦ୍ରିୟଗୁଡ଼ିକର ବ୍ୟବହାରର ନାମ ଚରିତ୍ର। ତେଣୁ ଚରିତ୍ର ନିର୍ମାଣ ନିମ​‌ନ୍ତେ ପ୍ରଥମେ ତୁମର ଇନ୍ଦ୍ରିୟଗୁଡ଼ିକୁ ଶୁଦ୍ଧ କରିବି।’ ଏପରି କଲ୍ୟାଣପ୍ରଦ ବେଦମନ୍ତ୍ରଙ୍କୁ ଜଘଣ୍ୟ ପଶୁବଳି ପରି ହୀନକ୍ରିୟାରେ ପାଠ କରିବା ସମୀଚୀନ କି? ମରି ଯାଇଥିବା ପଶୁର ଅଙ୍ଗଗୁଡ଼ିକୁ ଶୁଦ୍ଧ କରିବା ନିଷ୍ଠୁରତା ନୁହେଁ କି? ମନ୍ତ୍ରର ଶେଷାଂଶରେ ଚରିତ୍ରଶୁଦ୍ଧି ବିଷୟ କଥିତ ହୋଇଛି। ଯଦି ଜୀବିତ ପଶୁର ଚରିତ୍ର ନାମରେ କିଛି ନଥାଏ, ସେ ମରିଯିବା ପରେ ଯଜମାନଙ୍କ ପତ୍ନୀ ତାହାର କେଉଁ ଚରିତ୍ରକୁ ଶୁଦ୍ଧ କରିବ?
ଶେଷରେ ମୃତ ପଶୁଙ୍କୁ ଆଶୀର୍ବାଦ ଦିଆଯାଏ। ସେତେବେଳେ ପରବର୍ତ୍ତୀ ମନ୍ତ୍ର ପଢ଼ାଯାଏ- ‘ମନସ୍ତ ଆପ୍ୟାୟତାଂ +++ମୈନ ହିଂସୀଃ’ (ଯଜୁର୍ବେଦ୬,୧୫)। ଏହା ମଧ୍ୟ ଅପ୍ରାସଙ୍ଗିକ ବିନିଯୋଗ। ଏହି ମନ୍ତ୍ରରେ ଆଚାର୍ଯ୍ୟ ବ୍ରହ୍ମଚାରୀଙ୍କୁ ଶୁଭାଶିଷ ପ୍ରଦାନ କରି କହନ୍ତି- ‘ଏଠାରେ ତୁମର ମନ ପ୍ରସନ୍ନ ହେଉ। ପ୍ରାଣପ୍ରଦ ଜୀବନ ଲାଭ କର। ହୃଦୟବାନ ହୁଅ। ହଠ ଓ ଦୁରାଗ୍ରହ ପରିତ୍ୟାଗ କର।’ ମନ୍ତ୍ରର ଶେଷ ଭାଗରେ ଆଚାର୍ଯ୍ୟଙ୍କୁ ସନ୍ଦେଶ ଦିଆଯାଏ- ‘ହେ ଆଚାର୍ଯ୍ୟ! ବ୍ରହ୍ମଚାରୀଙ୍କର ରୋଗନିବାରକ ଔଷଧ ଭାବରେ ନିଜର କର୍ତ୍ତବ୍ୟ ସଂପାଦନ କର। ତୁମର ନିରୀକ୍ଷଣରେ ବାଳକର ସକଳ ପ୍ରକାର ଦୋଷ ଦୂର ହେଉ। ଶିକ୍ଷାଦାନ ସମୟରେ ତାକୁ ତାଡ଼ନା କରନାହିଁ’। ପାଠକେ! ପଶୁକୁ ହତ୍ୟା କରିବା ପରେ, ତାକୁ ମନ, ବାଣୀ, ପ୍ରାଣ ଆଦି ଶକ୍ତିର ବିକାଶ ନିମନ୍ତେ ପ୍ରାର୍ଥନା କରିବା ହାସ୍ୟାସ୍ପଦ ଓ ନିର୍ଦୟ ପ୍ରଦର୍ଶନ। ପଶୁଯାଗର ସକଳ କ୍ରିୟା ପାପପୂର୍ଣ୍ଣ ଓ ସେଥିରେ ଅପ୍ରାସଙ୍ଗିକ ବେଦମନ୍ତ୍ର ପାଠ କରିବା ମହା ପାଖଣ୍ଡ।
ସେହିପରି ନବଗ୍ରହ ଶାନ୍ତି ନାମରେ ପ୍ରସଙ୍ଗଶୂନ୍ୟ ବେଦମନ୍ତ୍ର ପଢ଼ାଯାଏ। ପ୍ରଶ୍ନ ହୁଏ, ସୃଷ୍ଟି ପ୍ରକ୍ରିୟାରେ ଗ୍ରହଗୁଡ଼ିକର ସ୍ଥାନ କ’ଣ? ସୃଷ୍ଟିର ମୌଳିକ ତତ୍ତ୍ବ ତିନି- ପରମାତ୍ମା, ଜୀବାତ୍ମା ଓ ଜଡ଼ ପ୍ରକୃତି। ଜଡ଼ ପ୍ରକୃତି ରୂପୀ ଉପାଦାନରେ ପରମାତ୍ମା ଜୀବମାନଙ୍କର ଭୋଗ ଓ ମୁକ୍ତି ନିମନ୍ତେ ସୃଷ୍ଟି ରଚନା କରନ୍ତି। ପରମାତ୍ମା ଏକ, ଅଦ୍ବିତୀୟ, ସର୍ବବ୍ୟାପୀ, ସର୍ବଜ୍ଞ, ସର୍ବଶକ୍ତିମାନ ଓ ଆନନ୍ଦମୟ। ଜୀବାତ୍ମା ଅସଂଖ୍ୟ, ଅଳ୍ପଜ୍ଞ, ଦେହଧାରୀ ଓ ସୁଖଦୁଃଖର ଭୋକ୍ତା। ଜଡ଼ ପ୍ରକୃତି ଅଜ୍ଞ, ଅଚେତନ। ଆତ୍ମା ଶବ୍ଦର ଅର୍ଥ ଗତିଜାତ। ପରମାତ୍ମା ବ୍ରହ୍ମାଣ୍ଡକୁ ଓ ଜୀବାତ୍ମା ପିଣ୍ଡକୁ ଗତିଶୀଳ କରନ୍ତି। ପରମାତ୍ମା ଓ ଜୀବାତ୍ମା- ଉଭୟେ ଅପରିଣାମୀ ବା ଅପରିବର୍ତ୍ତନୀୟ। ସେମାନେ କୌଣସି ଉପାଦାନରୁ ଉତ୍ପନ୍ନ ହୁଅନ୍ତି ନାହିଁ। ଆକାଶ, ବାୟୁ, ଅଗ୍ନି, ଜଳ ଆଦି ଉପାଦାନରୁ ଗଠିତ ପ୍ରକୃତି ହେଉଛି ପରିଣାମୀ ଓ ପରିବର୍ତ୍ତନୀୟ। ନକ୍ଷତ୍ର, ଗ୍ରହ, ଶରୀର ଆଦି ମୂଳ ପ୍ରକୃତିର ପରିଣାମ ବା ବିକୃତି।
ଗ୍ରହ ହେଉଛି ମୂଳ ପ୍ରକୃତିରୁ ଜାତ ବିକୃତ ବା ପରିବର୍ତ୍ତିତ ଜଡ଼ ପଦାର୍ଥ। ତାହା ପରମାତ୍ମାଙ୍କର ବିଧାନରେ ଗତିଲାଭ କରେ। ବେଦର ପଠନ-ପାଠନ ରୁଦ୍ଧ ହେବା ପରି ଅବିଦ୍ୟାବଶତଃ ଅନେକ ଅବୈଦିକ କ୍ରିୟାଭଳି ଗ୍ରହଶାନ୍ତି ପାଇଁ କର୍ମକାଣ୍ଡ ଆରମ୍ଭ ହେଲା। ଏହାକୁ ବିଶ୍ବସନୀୟ କରିବାପାଇଁ ପବିତ୍ର ବେଦ ମନ୍ତ୍ରପାଠ କରାଗଲା। ସେ ସବୁ ମନ୍ତ୍ରରେ ଆକାଶୀୟ ଗ୍ରହ ସମ୍ବନ୍ଧରେ ତିଳେମାତ୍ର ସଂକେତ ନାହିଁ। ଗ୍ରହପୂଜା ସମୟରେ ମଣ୍ଡଳ ରଚନା କରିବା, ପ୍ରତିମାକୁ କୁଶଦ୍ବାରା ସ୍ପର୍ଶ କରିବା, ବଳି-ଔଷଧ, ପତାକା ଆଦି ବସ୍ତୁର ବ୍ୟବହାର କଥା ବେଦମନ୍ତ୍ରରେ ଆଦୌ କୁହାଯାଇ ନାହିଁ।
ଶନି ଶାନ୍ତି ନିମନ୍ତେ ଯଜୁର୍ବେଦ (୩୬,୨୨) ମନ୍ତ୍ର ପଢ଼ାଯାଏ ‘ଶନ୍ନୋଦେବୀ ରଭିଷ୍ଟୟେ ଆପୋ ଭବନ୍ତୁ ପୀତୟେ ଶଂୟୋରଭିସ୍ରବନ୍ତୁ ନଃ’। ଏହି ମନ୍ତ୍ରର ଅର୍ଥ ହେଉଛି – ‘ହେ ସର୍ବ ବ୍ୟାପକ ପ୍ରଭୋ! ଅଭୀଷ୍ଟ ସିଦ୍ଧି ଓ ପୂର୍ଣ୍ଣାନନ୍ଦ ପ୍ରାପ୍ତି ନିମ​‌ନ୍ତେ ଆମ୍ଭମାନଙ୍କର କଲ୍ୟାଣକାରୀ ହୁଅନ୍ତୁ’। ମନ୍ତ୍ରର ପ୍ରଥମ ପଦ ‘ଶନ୍ନୋ’ (= ଶମ୍‌+ନଃ)= ଶମ୍‌= କଲ୍ୟାଣପ୍ରଦ, ନଃ= ଆମ୍ଭମାନଙ୍କର। ‘ଶନ୍ନୋ’ରୁ ଶନିଗ୍ରହ ଅର୍ଥ କରିବା ଆଶ୍ଚର୍ଯ୍ୟର ବିଷୟ। ସେହିପରି ବୁଧଗ୍ରହ ପୂଜାବେଳେ ଯଜୁର୍ବେଦ (୧୪,୫୪) ମନ୍ତ୍ର- ‘ଉଦ୍‌ବୁଧ୍ୟସ୍ବାଗ୍ନେ ପ୍ରତି ଜାଗୃହି +++ସୀଦ’ ପାଠ କରାଯାଏ। ଏହା ଜଣାଶୁଣା ଯେ ଗୃହସ୍ଥ-ଗୃହିଣୀ ପ୍ରତ୍ୟହ ପ୍ରାତଃକାଳରେ ସଂକ୍ଷିପ୍ତ ଅଗ୍ନିହୋତ୍ର ବା ହୋମର ଅନୁଷ୍ଠାନ ସମୟରେ ଉକ୍ତ ମନ୍ତ୍ର ଉଚ୍ଚାରଣ କରନ୍ତି। ଏହାର ଅର୍ଥ- ‘ହେ ଯଜ୍ଞାଗ୍ନେ! ମୋର ଅନ୍ତଃକରଣକୁ ଉଦ୍‌ବୁଦ୍ଧ କର’। ‘ଉଦ୍‌ବୁଧ୍ୟସ୍ବ’ ଏକ କ୍ରିୟା ପଦ। ଏଥିରୁ ବୁଧଗ୍ରହ ଗ୍ରହଣ କରିବା ଅନୁଚିତ। ଏହିରୂପେ ଅନ୍ୟଗ୍ରହର ପୂଜା ନାମରେ ପଢ଼ାଯାଉଥିବା ବେଦମନ୍ତ୍ରରେ ଆକାଶୀୟ ପିଣ୍ଡଗୁଡ଼ିକର କୌଣସି ସମ୍ବନ୍ଧ ନଥାଏ।
କୌଣସି କାରଣରୁ ଆମ ସମାଜରେ ବାଲ୍ୟବିବାହ ପରି ହାନିକାରକ ପ୍ରଥା ପ୍ରଚଳିତ ହେଲା। ସେତେବେଳେ ଏକ ମନଗଢ଼ା ଶ୍ଳୋକ ଗଢ଼ାଗଲା- ‘ଅଷ୍ଟାବର୍ଷା ଭବେତ୍‌ ଗୌରୀ ନବବର୍ଷା ଚ ରୋହିଣୀ ଦଶବର୍ଷା ଭବେତ୍‌ କନ୍ୟା, ତଦୂର୍ଦ୍ଧ୍ବଂ ରଜସ୍ବଳା +++ ମାତା ଚୈବ ପିତା ++ ତ୍ରୟସ୍ତେ ନରକଂଯାନ୍ତି ଦୃଷ୍ଟ୍ବା କନ୍ୟାଂ ରଜସ୍ବଳା।’’ ଏହାର ଅର୍ଥ କନ୍ୟା ଆଠ ବର୍ଷରେ ଗୌରୀ, ନଅବର୍ଷରେ ରୋହିଣୀ, ଦଶବର୍ଷରେ କନ୍ୟା ହୁଏ। ସେ ରଜସ୍ବଳା ହେବା ପରେ ତାକୁ ବିବାହ କରାଇଲେ ତା’ର ପିତା, ମାତା ଓ ବଡ଼ଭାଇ ନରକକୁ ଯାଆନ୍ତି। ଏହି ବଚନ କୌଣସି ବେଦରେ ନାହିଁ। ବେଦ ସମାନ ଗୁଣ-ସ୍ବଭାବ ଯୁବକ-ଯୁବତୀ ବିବାହ ନିମନ୍ତେ ନିର୍ଦେଶ ଦେଇଛନ୍ତି। ଦୁଇ, ଚାରି ବର୍ଷର ଅବୋଧ ବାଳକ-ବାଳିକାଙ୍କୁ ବିବାହ ବେଦିରେ ବସାଇ ବାଲ୍ୟବିବାହ କରାଇବାବେଳେ ଯୁବତୀ ବିବାହ ସମ୍ବନ୍ଧୀୟ ପଢ଼ାଯାଏ।
ଅନ୍ୟ ଏକ କ୍ରିୟା ପ୍ରାଣ-ପ୍ରତିଷ୍ଠା। ଜଡ଼ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା ସମୟରେ ଅଥର୍ବ ବେଦ (୨,୧୩,୪) ମନ୍ତ୍ର ପାଠ କରାଯାଏ- ‘ଏହ୍ୟଶ୍ମାନମାତିତିଷ୍ଠ+++ ଶରଦଃ ଶତମ୍‌’’। ଆଚାର୍ଯ୍ୟ ଆଗନ୍ତୁକ ବ୍ରହ୍ମଚାରୀଙ୍କୁ କହନ୍ତି- ‘ପ୍ରିୟ ଶିଷ୍ୟ! ମୋ’ ନିକଟରେ ରହ। ଏହି ପଥର ଉପରେ ପାଦ ରଖ। ସୃଷ୍ଟିର ଅଟଳ ନିୟମର ବିଧାୟକ ପରମାତ୍ମାଙ୍କୁ ସ୍ମରଣ କର। ତୁମ ଶରୀର ପଥର ପରି ଦୃଢ଼ ହେଉ। ବାୟୁ, ଜଳ ଆଦି ଦିବ୍ୟ ଶକ୍ତିମାନେ ତୁମକୁ ଶତାୟୁ କରନ୍ତୁ।’ ମନ୍ତ୍ରରେ ଥିବା ଅଶ୍ମା ବା ପଥର ଶବ୍ଦକୁ ଦେଖି ସେଥିରେ ପ୍ରାଣପ୍ରତିଷ୍ଠା ବିନିଯୋଗ ହୁଏ। ଅନ୍ୟ ସମସ୍ତ ଶବ୍ଦ ଏହି କ୍ରିୟା ନିମନ୍ତେ ଅପ୍ରାସଙ୍ଗିକ। ଯଦି ମନ୍ତ୍ର ପାଠ କରି ନିର୍ଜୀବକୁ ଜୀବନଦାନ କରାଯାଇପାରେ, ତାହାହେଲେ ମୃତ ଶରୀର ଜୀବନ୍ତ ହୋଇଉଠିବ। ଚିକିତ୍ସା ପଦ୍ଧତିର ଆବଶ୍ୟକତା ରହିବ ନାହିଁ। ସମଗ୍ର ସୃଷ୍ଟି ଚିନ୍ମୟ ହୋଇଯିବ।
ବେଦ ନାମରେ ଅବୈଦିକ କ୍ରିୟା ପ୍ରଚଳନ କରିବା ବେଦର ପଠନ-ପାଠନ ପ୍ରତି ଆମର ଅକ୍ଷମଣୀୟ ଅବହେଳା। ପ୍ରବୁଦ୍ଧ ପାଠକଗଣ ଆଜିର ଦେହସର୍ବସ୍ବ ଜୀବନ ପ୍ରଣାଳୀ ଓ ରାଜନୈତିକ କୋଳାହଳ ମଧ୍ୟରେ କିଛି ମୁହୂର୍ତ୍ତ ଏହି ସମସ୍ୟା ପ୍ରତି ଧ୍ୟାନ ଦେବେ କି?
୧୩୯, ସହିଦନଗର, ଭୁବନେଶ୍ବର

Leave A Reply