ଇମ୍ରାନଙ୍କ କଣ୍ଟକିତ ମୁକୁଟ

0

ସେନା ପ୍ରାୟୋଜିତ ଓ ନିୟନ୍ତ୍ରିତ ପାକିସ୍ତାନ ସାଧାରଣ ନିର୍ବାଚନ​‌େ​‌ର ଏକ ବିଖଣ୍ଡିତ ଜନାଦେଶ ମିଳିଛି। କୌଣସି ଦଳକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ଅନୁମାନ ମୁତାବକ ଏକକ ସର୍ବବୃହତ୍‌ ଦଳ ଭାବେ ଉଭା ହୋଇଥିବା ବିଗତ ଦିନର ଚର୍ଚ୍ଚିତ କ୍ରିକେଟ ଖେଳାଳି ଇମ୍ରାନ୍‌ ଖାଁ ନିଆଜିଙ୍କ ଦଳ ପିଟିଆଇ ସରକାର ଗଠନ କରିବାର ସମ୍ଭାବନା ଅଧିକ। ତେଣୁ ସେ ଅନ୍ୟ ଦଳଙ୍କ ସହାୟତାରେ ସରକାର ଗଢ଼ିବାସହ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ। ଏହି ନିର୍ବାଚନର ଫଳାଫଳକୁ ପ୍ରମୁଖ ରାଜନୈତିକ ଦଳ ପିଏମ୍‌ଏଲ୍‌-ଏନ୍‌ ଓ ପିପିପି ଜାଲିଆତି ଓ ଧୋକାବାଜି କହି ପ୍ରତ୍ୟାଖ୍ୟାନ କରିଛନ୍ତି। ନୱାଜ ସରିଫ ଓ ଭୁଟ୍ଟୋ ପରିବାରକୁ କ୍ଷମତା ବଳୟରୁ ଦୂରେଇ ରଖିବାକୁ ଦେଶର ସେନା ଷଡ଼ଯନ୍ତ୍ର କରି ଏହି ନିର୍ବାଚନକୁ ନେପଥ୍ୟରୁ ନିୟନ୍ତ୍ରଣ କରୁଥିଲେ ବୋଲି ସେମାନେ ଯେଉଁ ଅଭିଯୋଗ କରିଛନ୍ତି ତାହାକୁ ଅସ୍ବୀକାର କରାଯାଇ ନ’ପାରେ। ନିର୍ବାଚନ ପୂର୍ବରୁ ତରବରିଆଭାବେ ସରିଫ୍‌ଙ୍କୁ ଯେପରି ଅଦାଲତି ନିର୍ଦେଶରେ କ୍ଷମତାଚ୍ୟୁତ କରାଗଲା ସେଥିରୁ ନିର୍ବାଚନ ଫଳାଫଳର ସୁରାକ ଏକପ୍ରକାର ଆଗରୁ ମିଳିଯାଇଥିଲା।
ପାକିସ୍ତାନରେ ପ୍ରାଦେଶିକ ରାଜନୀତିର ପ୍ରଭାବ ଅଧିକ ଏବଂ ଦେଶର ରାଜନୈତିକ ନିୟନ୍ତ୍ରଣ ପାଇଁ ସର୍ବଦା ଦୁଇପ୍ରଭାବଶାଳୀ ପ୍ରଦେଶ ପଞ୍ଜାବ ଓ ସିନ୍ଧ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ପଞ୍ଜାବ ପିଏମ୍‌ଏଲ୍‌ଏନ୍‌ର ଗଡ଼ ହୋଇଥିବାବେଳେ ସିନ୍ଧୁ ପ୍ରଦେଶରେ ପାକିସ୍ତାନ ପିପୁଲସ ପାର୍ଟିର ପ୍ରଭାବ ଅଧିକ। ଏହା ସତ୍ତ୍ବେ ଉଭୟ ବେନଜିର ଭୁଟ୍ଟୋ ଓ ନୱାଜ ସରିଫ୍‌ ଯେତେବେଳେ ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ହାସଲ କରୁଥିଲେ ସେମାନେ ନିଜନିଜ ରାଜ୍ୟ ସହିତ ଅନ୍ୟାନ୍ୟ ପ୍ରଦେଶରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ରାଜନୀତିରେ ନିଜକୁ ଗ୍ରହଣଯୋଗ୍ୟ କରିପାରିଥିଲେ। ଏଥର କିନ୍ତୁ ଇମ୍ରାନଙ୍କୁ ସେ ସଫଳତା ମିଳିନାହିଁ। ପଞ୍ଜାବ ଓ ଖାଇବର ପାକ୍‌ତୁନ ପ୍ରଦେଶକୁ ଛାଡ଼ିଦେଲେ ସିନ୍ଧ ଏବଂ ବେଲୁଚିସ୍ଥାନରେ ତାଙ୍କ ଦଳର ପ୍ରଦର୍ଶନ ଭଲ ହୋଇନି। ଏହାର ଅର୍ଥ ସେ ଓ ତାଙ୍କ ଦଳ ପ୍ରତିଦ୍ବନ୍ଦ୍ବୀ ପିପୁଲସ୍‌ପାର୍ଟି ଓ ମୁସ୍‌ଲିମଲିଗ୍‌ର ଜାତୀୟ ବିକଳ୍ପ ହେବାକୁ ଭୋଟରଙ୍କ ବିଚାରରେ ଯୋଗ୍ୟ ହୋଇପାରିନାହିଁ।
ଦ୍ବିତୀୟ କଥା ହେଲା ପାକିସ୍ତାନରେ ଇମ୍ରାନଙ୍କ ଲୋକପ୍ରିୟତା ରହିଛି ଓ ତାଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢ଼ୁଛି। ତେଣୁ ସେ ନିଜକୁ କିପରି ଜଣେ ଧୂରୀଣ ଜାତୀୟ ସ୍ତରର ନେତା ଭାବେ ପ୍ରତିପାଦନ କରିବେ ତାହା ତାଙ୍କ ଦୃଷ୍ଟିକୋଣ ଉପରେ ନିର୍ଭର କରୁଛି। ତା’ ନହେଲେ ରାଜନୈତିକ ସ୍ଥିରତା ଆଣିବା ଭବିଷ୍ୟତରେ ତାଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇପାରେ ଏବଂ ସେନାର ସଖି କଣ୍ଢେଇ ପ୍ରଧାନମନ୍ତ୍ରୀଭାବେ କାର୍ଯ୍ୟ କରିବାକୁ ସେ ବାଧ୍ୟ ହୋଇପାରନ୍ତି। ପାକ୍‌ ନିର୍ବାଚନରେ ଆଉଏକ ଲକ୍ଷଣୀୟ ବିଷୟ ହେଲା ଏଥର ଉଗ୍ର ମୌଳବାଦୀ ସଂଗଠନ, ଇସଲାମୀୟ ଆତଙ୍କବାଦ ସହ ସଂପୃକ୍ତ ଦଳକୁ ସେଠାକାର ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ଆତଙ୍କବାଦୀ ସର୍ଦାର ହାଫିଜ୍‌ ସଇଦ୍‌ ଦଳର ଶୋଚନୀୟ ପରାଜୟ ଏହାର ପ୍ରମାଣ। ତା’ଦଳ ଗୋଟିଏ ବି ଆସନ ଜିତି ପାରିନାହିଁ। ଏଥିରୁ ଅନୁମିତ ହୁଏ ଯେ ଦେଶର ଅଧିକାଂଶ ଭୋଟର ଆତଙ୍କବାଦ ଓ ଉଗ୍ର ମୌଳବାଦକୁ ବିରୋଧ କରୁଛନ୍ତି। ଏହା ଏକ ଭଲଲକ୍ଷଣ। ତେବେ ସେ ଯା’ ହେଉ ପାକ୍‌ ଭୋଟର ଉଭୟ ଧାର୍ମିକ ମୌଳବାଦ, ଆତଙ୍କବାଦ ଓ ପରିବାରବାଦ ସହ ସଂପୃକ୍ତ ରାଜନୈତିକ ଦଳଙ୍କୁ ପ୍ରତ୍ୟାଖ୍ୟାନ କରି ଇମ୍ରାନ୍‌ ଖାଁଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଯେଉଁ ସୁ​‌େ​‌ଯାଗ ଦେଇଛନ୍ତି ତାହା ଦେଶରେ ସୁସ୍ଥ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ପୁନଃ ପ୍ରତିଷ୍ଠାରେ ସହାୟକ ହୋଇପାରିବ କି ନାହିଁ ତାହା ଦେଖିବାକୁ ଅଛି।
ପାକିସ୍ତାନ ଏକ ଅସ୍ଥିର ସମାଜ ଏବଂ ସେଠାରେ ରାଜନୀତିରେ ମୁଲ୍ଲା, ସେନା ଓ ସଂଭ୍ରାନ୍ତବର୍ଗଙ୍କର ପ୍ରଭାବ ଅଧିକ। ସେନା ହାତରେ ମାତ୍ରାଧିକ କ୍ଷମତା ସେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଚେତନାକୁ ପଦଦଳିତ କରିରଖିଛି। ଭାରତର ଏହି ପଡ଼ୋଶୀ ଦେଶରେ ଗତ ୭୧ ବର୍ଷ ମଧ୍ୟରେ ୨୯ଜଣ ପ୍ରଧାନମନ୍ତ୍ରୀ ଦାୟିତ୍ବଗ୍ରହଣ କରିଛନ୍ତି ଏବଂ କେହି ଜଣେ ନିଜର କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି। ଏବେ ଇମ୍ରାନଙ୍କ ପାଳି। ସେ ଯଦି ସେନାର ଇଙ୍ଗିତରେ କାମ ନ’କରିବେ ତାଙ୍କୁ ମଧ୍ୟ ଇତିହାସର ଅଳିଆଗଦାକୁ ଫିଙ୍ଗି ଦିଆଯିବ। ତାଙ୍କ ରାଜନୈତିକ ଜୀବନ​‌େ​‌ର ସେନା ତାଙ୍କୁ କ୍ରିକେଟ ଖେଳ ଭଳି ଆଦୌ ନିରପେକ୍ଷ ଅମ୍ପାୟାର ପରି ଜଗିବ ନାହିଁ, ଏ କଥା ସେ ଭୁଲିଯିବା ଅନୁଚିତ। ପାକ୍‌ ନିର୍ବାଚନ ଓ ରାଜନୀତିରେ କାଶ୍ମୀର ଓ ଭାରତସହ ସମ୍ପର୍କ ସର୍ବଦା ପ୍ରସଙ୍ଗ ହୋଇଥାଏ ଏବଂ ଏଥର ମଧ୍ୟ ହୋଇଥିଲା। ନିଜର ବିଜୟପରେ ସେ ଭାରତସହ ତାଙ୍କ ଦେଶର ଭବିଷ୍ୟତର ସମ୍ପର୍କ ନେଇ ଯେଉଁ ମତାମତ ଦେଇଛନ୍ତି ତାହା ସେତେ ଉତ୍ସାହଜନକ ନ’ହେଲେ ମଧ୍ୟ ମନ୍ଦ ନୁହେଁ। ଆହୁରି ମଧ୍ୟ ଦେଶର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ ସ୍ବପ୍ନର ପାକିସ୍ତାନ ଗଢ଼ିବାକୁ ସେ ଯାହା କହିଛନ୍ତି ସେଥିରୁ ତାଙ୍କ ଦୃଷ୍ଟିକୋଣର ଦ୍ବନ୍ଦ୍ବାତ୍ମକ ଦିଗ ପ୍ରକାଶ ପାଉଛି। ଜିନ୍ନାଙ୍କ ପାକିସ୍ତାନ ଗଠନ ତତ୍ତ୍ବରେ ଦୁଇଟି ବିଷୟ ଆଲୋଚକ ସର୍ବଦା ଦେଖନ୍ତି। ଧର୍ମନିରପେକ୍ଷ ଜିନ୍ନା ଧର୍ମ ଭିତ୍ତିରେ ପାକିସ୍ତାନ ଗଠନର ନେତୃତ୍ବ ନେବା ଇତିହାସର ଏକ ବ୍ୟତିକ୍ରମ।
ଇମ୍ରାନ ଏବେ ଜିନ୍ନାଙ୍କ କେଉଁ ଆଦର୍ଶକୁ ପାଳନ କରିବେ? ଦେଶର ସର୍ବଶକ୍ତିମାନ ସେନା ତାଙ୍କୁ ପ୍ରକୃତ ଶାସନ ପାଇଁ କେତେ ସୁଯୋଗ ଦେବ ତାହା ମଧ୍ୟ ଅନୁମାନ କରିବା କଷ୍ଟ। ଅବଶ୍ୟ ଇମ୍ରାନ୍‌ କହିଛନ୍ତି ଯେ ସେନା ନୁହେଁ, ଦେଶର ବାସ୍ତବ ଶାସନ ବ୍ୟବସ୍ଥା ନିର୍ବାଚିତ ସରକାର ଦ୍ବାରା ନିୟନ୍ତ୍ରିତ ହେବ। ତାଙ୍କ କଥା ଓ ଦେଶର ବାସ୍ତବତା ଭିତରେ ଅନେକ ଫରକ ରହିଛି। ତାଙ୍କ ଅଧିନାୟକତ୍ବର ଏକ ନୂଆ ପରୀକ୍ଷା ହେବ। ଭାରତ ପାଇଁ ଏକ ଅସ୍ଥିର ପାକିସ୍ତାନ ସର୍ବଦା ଚିନ୍ତାର କାରଣ। ସେ ଦେଶରେ ବାସ୍ତବ କ୍ଷମତାଶାଳୀ ଗଣତାନ୍ତ୍ରିକ ସରକାର ଶାସନ କରୁ, ସେଠାରେ ଗଣତନ୍ତ୍ର ସୁଦୃଢ଼ ହେଉ। ଜଣେ ଉତ୍ତମ ପଡ଼ୋଶୀଭାବେ ଭାରତବାସୀଙ୍କ ସହ ଆମେ ଇମ୍ରାନଙ୍କ ସଫଳତା କାମନା କରୁଛୁ।

Leave A Reply