ଅନାସ୍ଥାରେ ଆସ୍ଥା

0

ସରକାର ଉପରେ ବିରୋଧୀଙ୍କ ଅନାସ୍ଥା ଭାବ ପ୍ରକଟ ନୂଆ ନୁହେଁ; କିନ୍ତୁ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣି ମତଦାନ କରାଯିବା କମ୍ ଦେଖାଯାଏ; ତେଣୁ ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ। ଏଭଳି ଅନାସ୍ଥା ପ୍ରସ୍ତାବ କେତେକ ସମୟରେ ବିରୋଧୀଙ୍କ ବଦଳରେ ଶାସକ ଦଳକୁ ବେଶି ଫାଇଦା ଦେଇଥାଏ। ୨୦୧୯ ନିର୍ବାଚନ ପାଖେଇ ଆସୁଥିବାବେଳେ ମୌସୁମୀ ଅଧିବେଶନର ପ୍ରାରମ୍ଭ ଦିବସରେ ହିଁ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନୋଟିସକୁ ଅବିଳମ୍ବେ ଗ୍ରହଣ କରାଯିବା ପଛରେ କେବଳ ବିରୋଧୀଙ୍କର ନୁହେଁ, ଶାସକଙ୍କର ମଧ୍ୟ ଅନାସ୍ଥା ବିଜୟ ଉପରେ ସମ୍ପୂର୍ଣ୍ଣ ଆସ୍ଥା, ଅର୍ଥାତ ବିଶ୍ବାସ ରହିଥିବା ସ୍ପଷ୍ଟ। ଗତ ବଜେଟ୍ ଅଧିବେଶନରେ ମଧ୍ୟ ଏନଡିଏର ଏକଦା ସହଯୋଗୀ ରହିଥିବା ତେଲଗୁ ଦେଶମ ପାର୍ଟି (ଟିଡିପି) ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେଇଥିଲେ ହେଁ ତାକୁ ବାଚସ୍ପତି ଗ୍ରହଣ କରିନଥିଲେ। ଏବେ ସେ ତାହାକୁ ଗ୍ରହଣ କରିଛନ୍ତି ଏବଂ ଆଜି (ଶୁକ୍ରବାର) ଏ ସମ୍ବନ୍ଧରେ ସଂସଦରେ ଆଲୋଚନା ଓ ମତଦାନ ହେବ। ପନ୍ଦର ବର୍ଷ ପରେ ସଂସଦରେ ଏଭଳି ଅବସରଟିଏ ସୃଷ୍ଟି ହୋଇଛି।
ସଂଖ୍ୟା ଦୃଷ୍ଟିରୁ ଏନଡିଏ ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ସରକାର ଏହି ଅନାସ୍ଥା ପ୍ରସ୍ତାବରେ ଆଦୌ ଭୟଭୀତ ନୁହନ୍ତି। ଏହି କାରଣରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଉକ୍ତ ପ୍ରସ୍ତାବକୁ ତୁରନ୍ତ ମଞ୍ଜୁର କରିବା ପାଇଁ ସମ୍ମତି ଦେଇଛନ୍ତି। ଏଥିରୁ ବିଜେପି କେବଳ ନିଜର ନିର୍ବାଚନ ପ୍ରସ୍ତୁତିର ପରିଚୟ ଦେବାକୁ ମଧ୍ୟ ଚେଷ୍ଟା କରିନାହିଁ, ବିରୋଧୀଙ୍କ ଏହି ପ୍ରସଙ୍ଗକୁ ଏକାବେଳକେ ନିଶ୍ଚିହ୍ନ କରିଦେବା ପାଇଁ ମଧ୍ୟ ସତେଯେମିତି ଦୃଢ଼ପ୍ରତିଜ୍ଞ ହୋଇଛି। ଏହି ରଣନୀତି ନିଶ୍ଚିତଭାବେ ତା’ ପାଇଁ ଲାଭଦାୟକ ହେବ। ଅନାସ୍ଥା ପ୍ରସ୍ତାବରେ ବିଜୟୀ ହୋଇ ବିଜେପି ଚାହୁଁଛି ଯେ ଏହାଦ୍ବାରା ଆଗକୁ ସଂସଦୀୟ କାର୍ଯ୍ୟ ଚଳାଇବାରେ ମଧ୍ୟ ରଣନୀତିକ ବିଜୟ ହାସଲ କରିବ ଓ ବିରୋଧୀଙ୍କୁ ଉଚିତ ଜବାବ ଦେବ। ଆହୁରି ମଧ୍ୟ ଆଶା କରୁଥାଇପାରେ ଯେ ଏହି ଅଧିବେଶନରେ ତିନ ତଲାକ ଭଳି ଗୁରୁତ୍ବପୂର୍ଣ୍ଣ ବିଧେୟକକୁ ଗୃହୀତ କରାଇ କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳର ମୁସଲମାନ ଭୋଟବ୍ୟାଙ୍କର ବିଭାଜନ କରିପାରିବ। ସେପରି ହେଲେ ମୁସଲମାନ ମହିଳାଙ୍କ ଭୋଟ ହାସଲ କରିବାରେ ସମର୍ଥ ହେବ।
ଚଳିତ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ, ଅର୍ଥାତ ଗୁରୁବାର ଉଚ୍ଛୃଙ୍ଖଳ ଜନତାଙ୍କ ଦ୍ବାରା ହେଉଥିବା ବର୍ବର ହତ୍ୟା ଘଟନା ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରାଯାଇଥିଲା; କାରଣ ସେ ଏହା ରୋକିବାର ଦାୟିତ୍ବ କେନ୍ଦ୍ରର ନୁହେଁ, ସମ୍ପୂର୍ଣ୍ଣ ରୂପେ ରାଜ୍ୟର ବୋଲି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଥିଲେ। ଆଗକୁ ବିରୋଧୀଙ୍କ ପାଇଁ ଏହା ବଡ଼ ପ୍ରସଙ୍ଗ ପାଲଟିବାର ସବୁ ସମ୍ଭାବନା ରହିଛି; କାରଣ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ହିଁ ଏଭଳି ଘଟନା ବେଶି ଘଟୁଥିବା ଦେଖାଯାଉଛି। ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଶାସକ ଦଳ ପାଇଁ ଅଡୁଆ ସୃଷ୍ଟି କରିପାରେ। ଅନ୍ୟପକ୍ଷରେ ଶାସକ ବିଜେପି ଏହି ଅଧିବେଶନରେ ଅନୁସୂଚିତ ଜାତି-ଜନଜାତିଙ୍କ ପାଇଁ ସମ୍ବିଧାନ ସଂଶୋଧନ ବିଧେୟକ, ଉଚ୍ଚଶିକ୍ଷା ଆୟୋଗ ବିଧେୟକ, କିଣା ମାତୃତ୍ବ (ସରୋଗେସି) ବିଧେୟକ, ଜାତୀୟ ଡାକ୍ତରୀ ଆୟୋଗ ବିଧେୟକ, ପଛୁଆ ବର୍ଗ ଆୟୋଗ ବିଧେୟକ ଆଦିକୁ ଗୃହୀତ କରାଇ ସାମାଜିକ ସ୍ତରରେ ନିଜ ପ୍ରତି ସମର୍ଥନ ହାସଲ କରିବାକୁ ଉଦ୍ୟମ କରିବ।
ଏହି ଅନାସ୍ଥା ପ୍ରସ୍ତାବରୁ କେବଳ ଶାସକ ଦଳ ଫାଇଦା ହାସଲ କରିବାକୁ ଚେଷ୍ଟା କରିବ ନାହିଁ, ବିରୋଧୀ ବି ଏହାର ଲାଭ ନେବାକୁ ଚାହିଁବେ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କ ପାଖରେ ଅନାସ୍ଥା ପ୍ରସ୍ତାବରେ ବିଜୟୀ ହେବାକୁ ଆବଶ୍ୟକ ସଂଖ୍ୟାବଳ ରହିଥିବା କହିଥିଲେ ହେଁ ବିରୋଧୀ ଭଲଭାବେ ଜାଣନ୍ତି ଯେ ମତଦାନ ହେଲେ ଶାସକ ଦଳର ବିଜୟ ସୁନିଶ୍ଚିତ। ତେବେ ଏହି ବାହାନାରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ ହେବାର ଏକ ଭଲ ସୁଯୋଗ ମିଳିବ। ଅନାସ୍ଥା ପ୍ରସ୍ତାବ ନେଇ ଯେଉଁ ଆଲୋଚନା ହେବ, ସେଥିରେ ଶାସକ ଦଳକୁ ଆକ୍ରମଣ କରିବା ପାଇଁ ମଧ୍ୟ ଉତ୍ତମ ସୁଯୋଗ ରହିଛି। ବିରୋଧୀ ଦଳ ଚାହିଁବ ଯେ ମୋଦୀ ସରକାର ଯେଉଁଯେଉଁ ପ୍ରତିଶ୍ରୁତି ରକ୍ଷାରେ ବିଫଳ ହୋଇଛନ୍ତି, ସେ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇବ। ଆହୁରି ମଧ୍ୟ ଗରିବ, ଦଳିତ, ସଂଖ୍ୟାଲଘୁଙ୍କ ଉପରେ କ୍ରମବର୍ଦ୍ଧିଷ୍ଣୁ ଅନ୍ୟାୟ-ଅତ୍ୟାଚାରର କାହାଣୀକୁ ସଂସଦୀୟ ରେକର୍ଡିଂରେ ମଧ୍ୟ ଦରଜ କରାଇବ। କଂଗ୍ରେସ ଚାହିଁବ ଯେ ଇତିହାସ ପୃଷ୍ଠାରେ ମୋଦୀ ସରକାର ବି ଅନ୍ୟ ଅଣକଂଗ୍ରେସୀ ସରକାରଙ୍କ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଉ, ଯେଉଁମାନଙ୍କୁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନାସ୍ଥା ପ୍ରସ୍ତାବକୁ ସଦନରେ ଗୃହୀତ କରାଇବା ଓ ସେ ବିଷୟରେ ଆଲୋଚନା ହେବା ହିଁ ବିରୋଧୀଙ୍କୁ ସାଙ୍କେତିକ ବିଜୟ ପ୍ରଦାନ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ।
ସେ ଯାହାହେଉ, ଓଡ଼ିଶାର ଶାସକ ଦଳ ବିଜେଡି ଏହି ଅନାସ୍ଥା ପ୍ରସ୍ତାବରେ କାହା ପକ୍ଷ ନେଉଛି, ତା’ ଉପରେ ସମସ୍ତଙ୍କର ନଜର ରହିଛି। ବିଜେଡି ଉଭୟ ଏନଡିଏ ଓ ୟୁପିଏଠାରୁ ସମଦୂରତ୍ବ ରଖିଥିବା କହୁଥିବାବେଳେ ଅତୀତରେ ପକ୍ଷ ନେବା ସମୟରେ ବର୍ଷା ଯୁଆଡ଼େ ଛତା ସିଆଡ଼େ ନୀତି ଆପଣାଇଥିବା ଦେଖିବାକୁ ମିଳିଛି। ତେବେ ଏଥର ସେ କାହାର ପକ୍ଷ ନେବ, ତାହା ବେଶ୍ ଗୁରୁତ୍ବପୂର୍ଣ୍ଣ; କାରଣ ଏଥିରୁ ଆଗାମୀ ନିର୍ବାଚନ ପାଇଁ ବିଜେଡିର ରାଜନୈତିକ ଦୃଷ୍ଟିକୋଣ ଓ ଆଭିମୁଖ୍ୟ କ’ଣ ରହିବ, ତାହା ଜଣାପଡ଼ିବ।

Leave A Reply