ସନାତନ ଧର୍ମସଂସ୍କୃତିର ସମନ୍ବୟ ଦିଗ

0

ସାତକଡ଼ି ହୋତା

କେତେବର୍ଷ ପୂର୍ବେ ଇଣ୍ଡୋନେସିଆର ବାଲି ଦ୍ବୀପପୁଞ୍ଜରେ ବାସ କରୁଥିବା ହିନ୍ଦୁମାନଙ୍କ ମଧ୍ୟରୁ ଆଠଜଣ ଯୁବକ ପୁରୁଷୋତ୍ତମ ଧାମକୁ ଜଗନ୍ନାଥ ଦର୍ଶନ କରିବା ପାଇଁ ଆସିଥିଲେ। ସେମାନଙ୍କର ଆଶା ଥିଲା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଦୁର୍ଲଭ ସୁଯୋଗ ସେମାନଙ୍କୁ ମିଳିବ, କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ଏବଂ ତାଙ୍କ ସମ୍ବନ୍ଧରେ ଜାଣିବା ପାଇଁ ଏମାନେ ଆସିଥିଲେ ମଧ୍ୟ ସେମାନେ ଗରୁଡ଼ ସ୍ତମ୍ଭ ଓ ଶ୍ରୀପତିତପାବନଙ୍କୁ ଦର୍ଶନ କରି ଭିତରକୁ ପ୍ରବେଶ କରିବା ବାଟରେ ଧରା ପଡ଼ିଲେ। ବାଲି ଦ୍ବୀପରେ ବାସ କରୁଥିବା ହିନ୍ଦୁମାନେ କଳିଙ୍ଗରୁ ଯାଇଥିଲେ। ମୂଳତଃ ସେମାନେ ହିନ୍ଦୁ ଧର୍ମାବଲମ୍ବୀ ଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସଂକଳ୍ପ ନେଇ ଆସିଥଲେ, କିନ୍ତୁ କେତେ ଜଣ ସେବକ ସେମାନଙ୍କୁ ଘେରି ଯାଇ ସେମାନଙ୍କ ନାମ, ଧାମ, ଗୋତ୍ର, ପ୍ରବର ନାନାଦି ବିଷୟ ପଚାରିବାକୁ ଲାଗିଲେ। ସେମାନେ ହିନ୍ଦୁ ବୋଲି ପରିଚୟ ଓ ଠିକଣା ଦେଇ ତାଙ୍କ ପାଖରେ ଥିବା ପାସ୍‌ପୋର୍ଟ ଭିସା ସବୁ ଦେଖାଇବା ସତ୍ତ୍ବେ ସେମାନଙ୍କୁ ହିନ୍ଦୁ ତୀର୍ଥଯାତ୍ରୀ ଭାବେ ସ୍ବୀକାର ନକଲାରୁ ସେମାନେ ମନ ଦୁଃଖରେ ଫେରିଗଲେ।
ଏ ବିଷୟ ସମ୍ବାଦ ପତ୍ରରୁ ଜାଣିବାପରେ ମୁଁ ମର୍ମାହତ ହୋଇଥିଲି, କିନ୍ତୁ ସେମାନେ ଯେଉଁ ସବୁ ପ୍ରଶ୍ନର ଉତ୍ତରଦେଇ ନପାରି ତାଙ୍କ ଦେଶକୁ ଫେରିଗଲେ। ଏହା ପଛରେ ଥିବା ଗୋତ୍ର, ପ୍ରବର ଇତ୍ୟାଦି ରହସ୍ୟର ଉନ୍ମୋଚନ କରିବାପାଇଁ ମୁଁ ଅନ୍ବେଷଣ ଜାରି ରଖିଲି। ‘ଗୋତ୍ର’ ଶବ୍ଦଟି ଗୋ ବା ଗାଈଗୋରୁଙ୍କ ବାସସ୍ଥାନ ବା ଗୁହାଳ। ଆର୍ଯ୍ୟମାନଙ୍କ ଆଗମନ ପରେ ସେମାନଙ୍କ ଜୀବନଚର୍ଯ୍ୟାରେ ‘ଗୋମାତା’ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଗୋମାତାଙ୍କ ସେବା ପୂଜା କରିବା ପ୍ରଥା ଚଳି ଆସିଛି। ଋଷିମାନଙ୍କ ନାମ ଅନୁସାରେ ଗୋତ୍ରର ନାମ ହୋଇଥାଏ। ଅଧ୍ୟାପକ ଏ.ଏଲ.ବାଶମ୍‌ ତାଙ୍କ ପୁସ୍ତକ ‘ଦି ୱଣ୍ଡର ଦାଟ୍ ୱାଜ୍‌ ଇଣ୍ଡିଆ’ରେ ଲେଖିଛନ୍ତି ଯେ ଋଷିମାନଙ୍କ ନାମ ଅନୁସାରେ ଗୋତ୍ରର ନାମ ହୁଏ ଏବଂ ପ୍ରସିଦ୍ଧି ଅର୍ଜନ କରିଥିବା ଋଷିଙ୍କ ନାମ ସ୍ଥାନରେ ପ୍ରବର ଉଲ୍ଲେଖ କରାଯାଏ। ଆର୍ଯ୍ୟମାନଙ୍କ ସମୟରୁ ଏଇ ପ୍ରଥା ଚଳି ଆସିଛି ଏବଂ ହିନ୍ଦୁମାନଙ୍କ ସାମାଜିକ ବ୍ୟବସ୍ଥା ଓ ପୂଜାପ୍ରାର୍ଥନା ସମ୍ବନ୍ଧରେ ଏଇ ପୁସ୍ତକରେ ଉଲ୍ଲେଖ ରହିଛି। ମନୁଙ୍କ ରଚିତ ଧର୍ମଶାସ୍ତ୍ର ମନୁସ୍ମୃତିରେ ମନୁଷ୍ୟର ଧର୍ମ, କର୍ମ, ଆଚାର, ବିଚାର, ନ୍ୟାୟଅନ୍ୟାୟ ଇତ୍ୟାଦିର ସଠିକ୍‌ ଉଲ୍ଲେଖ ରହିଛି। ଅଧ୍ୟାପକ ଡକ୍ଟର ବ୍ରଜକିଶୋର ସ୍ବାଇଁ ‘ମନୁ ସଂହିତା’ ଗ୍ରନ୍ଥରେ କହିଛନ୍ତି ଯେ ବର୍ଣ୍ଣ ଓ ଜାତି ଏକାର୍ଥ ଶବ୍ଦ ନୁହେଁ। ବର୍ଣ୍ଣ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରକୁ ବୁଝାଉଥିବାବେଳେ ବର୍ଣ୍ଣମାନଙ୍କର ପାରିସ୍ପରିକ ମିଳନରୁ ଉତ୍ପନ୍ନ ହେଉଥିବା ଗୋଷ୍ଠୀକୁ ‘ଜାତି’ କୁହାଯାଏ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଜାତି ଶବ୍ଦଟି କେବଳ ମଣିଷ ପ୍ରତି ପ୍ରଯୁଜ୍ୟ। ସମୟକ୍ରମେ ଚାରିବର୍ଣ୍ଣରୁ ଉତ୍ପନ୍ନ ଅନେକ ଜାତି ଗୋଷ୍ଠୀ ସୃଷ୍ଟି ହେବାରୁ ଅସଂଖ୍ୟ ଉପଜାତି ସୃଷ୍ଟି ହୋଇଛନ୍ତି। ମନୁଙ୍କ ମତରେ ଉଚ୍ଚ ଜାତି ଓ ନିମ୍ନ ଜାତିଙ୍କ ମଧ୍ୟରେ ନାରୀ ପୁରୁଷଙ୍କ ସଂଗମ ନ୍ୟାୟାନୁମୋଦିତ ନୁହେଁ। ଏହା ବର୍ଣ୍ଣସଙ୍କର ବ୍ୟବସ୍ଥା ସୃଷ୍ଟି କରିଥାଏ।
ଭାରତ ଏକ ପ୍ରାଚୀନ ଦେଶ ଏବଂ ଏହାର ପ୍ରାଚୀନତା, ସମାଜ ବ୍ୟବସ୍ଥା ଓ ମୂଲ୍ୟବୋଧର ବିଶେଷତ୍ବ ଏଇ ଯେ ଦେଶର ପାଣି ପବନରେ ପରିପକ୍ବ ହୋଇଥିବା ବିଧିବିଧାନ, ପ୍ରଥା ଓ ପରମ୍ପରା ସବୁ ଧର୍ମ ଓ ଆଧ୍ୟାତ୍ମିକ ଚେତନାରୁ ସମ୍ଭୂତ। ଚୀନ ପରିବ୍ରାଜକ ମେଘାସ୍ଥିନିସ୍‌ଙ୍କ ମତରେ ଏ ଦେଶରେ ଦାସ ପ୍ରଥା ନଥିଲା, କିନ୍ତୁ ଆଉ କେତେକ ପର୍ଯ୍ୟଟକ ଓ ଗବେଷକ ଦର୍ଶାଇଛନ୍ତି ଯେ ଭାରତରେ ଦାସତ୍ବ ପ୍ରଥା ଥିଲା, କିନ୍ତୁ ଦାସମାନଙ୍କ କର୍ତ୍ତବ୍ୟବୋଧ ଓ ଶ୍ରମ ବିନିମୟ ଦ୍ବାରା ଯେଉଁମାନେ ଉପକୃତ ହେଉଥିଲେ ସେମାନେ ଦାସମାନଙ୍କୁ ଶାରୀରିକ ନିର୍ଯାତନା ଓ ବାଧ୍ୟବାଧ୍ୟକତା ପ୍ରୟୋଗ କରିବାର ଯଥେଷ୍ଟ ଦୃଷ୍ଟାନ୍ତ ନାହିଁ। ଦାସମାନଙ୍କୁ କୃଷି, ଗୋପାଳନ ଇତ୍ୟାଦି କାର୍ଯ୍ୟ କରିବା ପାଇଁ ନିଯୁକ୍ତ କରାଯାଉଥିଲା, କିନ୍ତୁ ବର୍ଣ୍ଣ ବ୍ୟବସ୍ଥା ଅନୁସାରେ ଲୋକମାନେ ବାଣ୍ଟି ହୋଇଯାଉଥିଲେ। ବୌଦ୍ଧିକ ସ୍ତରରେ ଓ ଈଶ୍ବର ଆରାଧନା କ୍ଷେତ୍ରରେ ଯେଉଁମାନେ ରହୁଥିଲେ ସେମାନଙ୍କୁ ବ୍ରାହ୍ମଣ କୁହାଯାଉଥିଲା। ରାଜ୍ୟ ରକ୍ଷା, ଆପଦବିପଦରୁ ରକ୍ଷା କରିବା ଇତ୍ୟାଦି ଶକ୍ତି ଉପଯୋଗ କରୁଥିବାଲୋକମାନେ ହେଲେ କ୍ଷତ୍ରିୟ। ଅନ୍ୟ ସମସ୍ତ କାର୍ଯ୍ୟ, ଯଥା- କୃଷି, ବାଣିଜ୍ୟ, ଗୋପାଳନ, ସାମଗ୍ରୀ ସଂଗ୍ରହ ଦାୟିତ୍ବରେ ରହିଥିଲେ ବୈଶ୍ୟମାନେ। ସମାଜର ସବାତଳେ ଯେଉଁସବୁ କାର୍ଯ୍ୟ କରାଯାଏ, ଯଥା- ପରିଷ୍କାର ପରିଚ୍ଛନ୍ନତା, ମୃତ ପଶୁମାନଙ୍କୁ ସଂସ୍କାର ବା ହସ୍ତାନ୍ତର କରିବା କାମ ତାହା ଶୂଦ୍ରମାନଙ୍କ ଉପରେ ନ୍ୟସ୍ତ ଥିଲା। ସମ୍ବିଧାନ ଲାଗୁ ହେବାପରେ ଅସ୍ପୃଶ୍ୟତା ନିଷିଦ୍ଧ ହେଲା। ସମ୍ବିଧାନ ସମସ୍ତଙ୍କୁ ସମାନ କରିଥିବାରୁ ଏହା ସତ୍ତ୍ବେ ବିିବିଧତା ଓ ସମନ୍ବୟକୁ ଜାତି ଗଠନର ନିର୍ଣ୍ଣୟାତ୍ମକ ଭୂମିକା ନଦେଇ ପୁଣି ଜାତିଗୋଷ୍ଠୀ ବିବାଦ ରାଜନୀତିର ଅସ୍ତ୍ର ହେଉଥିବାରୁ ଏହା ଯେ ଦେଶର ଗର୍ବ ଓ ଓ ଗୌରବକୁ ଖର୍ବ କରିବ, ଏଥିରେ ସନ୍ଦେହ ନାହିଁ।
ଜାତିଗୋଷ୍ଠୀ ଚେତନା ସେ କାଳରେ ନଥିଲା। ମନୁ ସଂହିତାରେ ଉଲ୍ଲିଖିତ ଜାତିଗତ ପାର୍ଥକ୍ୟ ଓ ଏହା ସହିତ ସଂଶ୍ଳିଷ୍ଟ ବିଧିବିଧାନଗୁଡ଼ିକର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ ରହିଛି। ସେ ସବୁ ଏ ପର୍ଯ୍ୟନ୍ତ ସାମାଜିକ ବ୍ୟବସ୍ଥାର ଅଙ୍ଗ ହୋଇ ରହିଛି। ସୁତରାଂ ଏଇ ବର୍ଣ୍ଣ ବ୍ୟବସ୍ଥା ଓ ସାମାଜିକ ଜୀବନରେ ଏହାର ପ୍ରଭାବ ଓ ପରିଣତି ସମ୍ପର୍କରେ ପ୍ରଥମରୁ ସ୍ପଷ୍ଟ ଧାରଣା ରହିବା ଉଚିତ। ଆର୍ଯ୍ୟମାନେ ଆମ ଦେଶକୁ ଆସି ବସବାସ କରିବାପରେ ସେମାନଙ୍କର ସାମାଜିକ, ଧର୍ମୀୟ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣ ଏବଂ ମୂଲ୍ୟବୋଧକୁ ଅସ୍ପଷ୍ଟ ନରଖି ସ୍ପଷ୍ଟ କରିଥିଲେ। ହିନ୍ଦୁମାନଙ୍କର ସମାଜ ବ୍ୟବସ୍ଥାରେ ଜନ୍ମ ଗ୍ରହଣ କରିଥିବା ଲୋକମାନଙ୍କୁ ବର୍ଣ୍ଣବ୍ୟବସ୍ଥାର ଅଙ୍ଗୀଭୂତ କରିବା ପାଇଁ ପ୍ରଥମେ ଶିଶୁର ଗୋତ୍ର ଓ ପ୍ରବର ଉଲ୍ଲେଖ କରାଯାଇଥାଏ। ବ୍ରାହ୍ମଣମାନଙ୍କ ମଧ୍ୟରେ ଗୋତ୍ର ଓ ପ୍ରବର ସେମାନଙ୍କ ଜନ୍ମ ବୃତ୍ତାନ୍ତର ପ୍ରଥମ ପର୍ବ। ଗୋତ୍ର- ଗୋରୁଗାଈ ରହୁଥିବା ସ୍ଥାନ (ଗୁହାଳ) ‘ଗୋ’ରୁ ଉତ୍ପନ୍ନ। ପ୍ରବର ଅର୍ଥ ହେଉଛି ଗୋତ୍ର ନିର୍ଦ୍ଧାରଣ କରିଥିବା ପ୍ରସିଦ୍ଧ ଋଷି। ଯଦିବା ଅନେକ ଋଷିଙ୍କ ନାମ ରହିଛି ସେଥି ମଧ୍ୟରୁ ଯେଉଁମାନେ ପ୍ରସିଦ୍ଧ ସେମାନେ ହେଲେ କାଶ୍ୟପ, ବଶିଷ୍ଠ, ଭୃଗୁ, ଗୌତମ, ଭରଦ୍ବାଜ, ଅତ୍ରି ଏବଂ ବିଶ୍ବାମିତ୍ର। ଅଷ୍ଟମ ଗୋତ୍ର ଋଷିଙ୍କ ନାମ ଅଗସ୍ତ୍ୟ, କିନ୍ତୁ ସେ ବିନ୍ଧ୍ୟ ପର୍ବତମାଳାର ଦକ୍ଷିଣକୁ ଯାଇଥିଲେ। ସମଗ୍ର ଦକ୍ଷିଣରେ ଅଗସ୍ତ୍ୟ ଋଷି ପ୍ରସିଦ୍ଧ ଥିଲେ। ଏମାନଙ୍କ ନାମ ଅନୁସାରେ ଗୋତ୍ର ନାମ ଦିଆଯାଉଥିଲା। ‘ପ୍ରବର’ ଶବ୍ଦର ଅର୍ଥ ଶ୍ରେଷ୍ଠତ୍ବ। ସମୟକ୍ରମେ ଅନ୍ୟାନ୍ୟ ପ୍ରସିଦ୍ଧ ସାଧକ ଓ ଋଷି ବା ଶ୍ରେଷ୍ଠଙ୍କର ପାଦ ତଳେ ପ୍ରଣାମ କରିବା ଦ୍ବାରା ସେମାନଙ୍କୁ ଗୁରୁଭାବେ ଗ୍ରହଣ କରାଯାଉଥିଲା। ବୈଦିକ କାଳରୁ ଗୋତ୍ର, ପ୍ରବର ଓ ଶିଷ୍ଟାଚାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ କ୍ରିୟାକର୍ମ କରି ମଣିଷ ପରମାର୍ଥ ପାଇବାର ସୌଭାଗ୍ୟ ପାଏ ତାହା ଜୀବନ ବ୍ୟାପୀ ସାଧନାର ଫଳ। ପ୍ରଥମେ ଅଥର୍ବ ବେଦରେ ଗୋତ୍ର ଓ ପ୍ରବର ଚଳଣି ଆରମ୍ଭ ହେଲା, କିନ୍ତୁ ପରବର୍ତ୍ତୀ କାଳରେ ଏହା ବ୍ରାହ୍ମଣ ଓ ଉଚ୍ଚ ଜାତିର ଲୋକଙ୍କୁ ଚିହ୍ନିବାରେ ସହଜ ହୋଇଥିଲେ ମଧ୍ୟ ସମୟ କ୍ରମେ କ୍ଷତ୍ରିୟ ଓ ବୈଶ୍ୟ ମଧ୍ୟ ସାଧନା ବଳରେ ଶ୍ରେଷ୍ଠତ୍ବ ଅର୍ଜନ କରିବାର ପ୍ରମାଣ ଅଛି। ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ସାଧନା ବଳରେ ଶ୍ରେଷ୍ଠତ୍ବ ଅର୍ଜନ କରିବା ସହିତ ସାମାଜିକ ସ୍ବୀକୃତି ପାଇ ଧନ୍ୟ ହୋଇଛନ୍ତି। ହିନ୍ଦୁ ସମାଜ ଅପରିବର୍ତ୍ତନୀୟ ନୁହଁ। ଜାତିଗୋଷ୍ଠୀ ବ୍ୟବସ୍ଥା କ୍ରମଶଃ ଦୁର୍ବଳ ହୋଇ ଯାଇଥିବାରୁ ଜାତି ରହିବା ପରିବର୍ତ୍ତେ ମନୁଷ୍ୟର ଶ୍ରେଷ୍ଠତ୍ବ ହିଁ ତା’ର ପରିଚୟ ପତ୍ର ହୋଇଛି। ସାମ୍ପ୍ରତିକ ଭାରତରେ ‘ଚାତୁବର୍ଣ୍ଣ୍ୟଂ ମୟା ସୃଷ୍ଟଂ’ ଚାରି ଜାତି ବର୍ଣ୍ଣ ବ୍ୟବସ୍ଥା ମଧ୍ୟ ସାମାଜିକ ସମ୍ମାନ ଓ ସ୍ବୀକୃତି ସମସ୍ତଙ୍କୁ ପରିଚୟର ଆଧାର ହେବାରେ କୌଣସି ପ୍ରତିକୂଳତା ସୃଷ୍ଟି କରିନାହିଁ।
ଭାରତୀୟ ସମାଜ ବ୍ୟବସ୍ଥାରେ ପରିବାରର ମହତ୍ତ୍ବ ଅନେକ ଅଧିକ। ହଜାରହଜାର ବର୍ଷ ଧରି ଯୁଗ୍ମ ପରିବାର ମଧ୍ୟରେ ଲୋକମାନେ ଏକତ୍ର ସଂଗଠିତ ଭାବେ ବସବାସ କରିଆସୁଥିବାରୁ ପରସ୍ପର ଦୁଃଖସୁଖରେ ସମଭାଗୀ ହେବାର ଭାବନା ଆପେଆପେ ବ୍ୟକ୍ତି ଓ ସମଷ୍ଟିକୁ ପରିପୁଷ୍ଟ କରୁଥିଲା। ତ୍ୟାଗ ସହିତ ପରସ୍ପର ମଧ୍ୟରେ ଆଦାନପ୍ରଦାନ, ସହଯୋଗ ଓ ସହନଶୀଳତା ଏକାନ୍ତ ପାରିବାରିକ ବ୍ୟବସ୍ଥା ସମାଜକୁ ଦୃଢ଼ କରିଛି। ଗୁରୁଙ୍କ ଗୃହରେ ଶିକ୍ଷା ସମାପ୍ତ କରି ପରିବାରକୁ ଫେରୁଥିଲେ ଶିଶୁମାନେ। ବିବାହ ପରେ ଗର୍ଭାଧାନ, ପ୍ରସବ ଓ ତା’ପରେ ଜାତିକର୍ମ (ନାହି କାଟିବା), ଏହାପରେ ଶିଶୁ କାନରେ ମନ୍ତ୍ରଦାନ ଏବଂ ତା’ପରେ ଶିଶୁ ଜିଭରେ ମଧୁ ଓ ଘୃତ ​‌େ​‌ଦବା ବିଧି। ପରେ କାନ ଫୋଡ଼ିବା, ନିଷ୍କ୍ରମଣ ଏବଂ ତା’ପରେ ଶିଶୁ ଅନ୍ନ ଖାଇବା ସମୟ ହେଲେ ଅନ୍ନ ପ୍ରାସନ୍ନ କ୍ରିୟା ହୁଏ। ଯଥା ସମୟରେ ମୁଣ୍ଡନ, ଚୂଡ଼ାକର୍ମ, ଯଜ୍ଞୋପବୀତ ଧାରଣ। ପୁତ୍ର କାମନା ସହିତ ଗର୍ଭାଧାନ, ପୁଂସବନ, ପୁତ୍ର ସନ୍ତାନ, ସୀମାନ୍ତ ଦର୍ଶନ (ଗର୍ଭରେ ଶିଶୁର ସ୍ବାସ୍ଥ୍ୟ) ଏବଂ ଶିଶୁ କାନରେ ମନ୍ତ୍ରଦାନ କରାଯାଏ। ତିନି ପୁରୁଷ ପର୍ଯ୍ୟନ୍ତ ପିଣ୍ଡଦାନ କରିବାର ବ୍ୟବସ୍ଥା ରହିଛି। ଏହାଦ୍ବାରା ପାରିବାରିକ ଜୀବନର ଏକତ୍ବ ବଜାୟ ରଖିବା ସମ୍ଭବହୁଏ। କ୍ରମଶଃ ଅନ୍ୟ ଜାତି ଗୋଷ୍ଠୀର ହିନ୍ଦୁମାନେ ମଧ୍ୟ ଗୋତ୍ର ଓ ପ୍ରବର ବ୍ୟବସ୍ଥା ଗ୍ରହଣ କରିବା ପ୍ରଥା ଚଳି ଯାଇଥିବାରୁ ଏହା ପ୍ରଥାରେ ପଡ଼ିଯାଇଛି ଏବଂ ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧା ଧୀରେଧୀରେ ଶ୍ରାଦ୍ଧରେ ପରିଣତ ହୋଇଛି।
ଆର୍ଯ୍ୟମାନେ ଉତ୍ତରଭାରତ ବାଟ ଦେଇ ଆସିଲାବେଳେ ଭାରତର ସମୃଦ୍ଧ ରୂପ ଦେଖି ଏ ଦେଶରେ ରହିଯିବା ପାଇଁ ସଂକଳ୍ପ କଲେ। ଦ୍ରାବିଡ଼ମାନଙ୍କୁ ବିନ୍ଧ୍ୟର ଦକ୍ଷିଣ ଆଡ଼କୁ ଚାଲିଯିବାକୁ ହେଲା। କିନ୍ତୁ ଆର୍ଯ୍ୟମାନଙ୍କ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଉନ୍ନତ ସମାଜ ବ୍ୟବସ୍ଥା ଧୀରେଧୀରେ ଭାରତକୁ ଶକ୍ତିର ଉତ୍ସରେ ପରିଣତ କଲାବେଳେ ଦ୍ରାବିଡ଼ ଓ ଅନ୍ୟାନ୍ୟମାନେ ଭିନ୍ନ ଦେଶକୁ ପଳାଇ ନ ଯାଇ ସମଗ୍ର ଭୂଖଣ୍ଡକୁ ଆର୍ଯ୍ୟ, ଦ୍ରାବିଡ଼ ଓ ଆଦିବାସୀଙ୍କର ସମନ୍ବୟର ମିଳନ ପୀଠରେ ପରିଣତ କଲାରୁ ଏହାର ଅନ୍ୟ ଏକ ଯଥାର୍ଥ ନାମ ହେଲା ଆର୍ଯ୍ୟାବର୍ତ୍ତ। ବେଦ ଓ ଉପନିଷଦର ପ୍ରସାର ଫଳରେ ନୂତନ ଚେତନା, ଆଧ୍ୟାତ୍ମିକତା ଓ ଈଶ୍ବର ଚିନ୍ତା କେବଳ ଉତ୍ତର-ଭାରତରେ ରହିଲା ନାହିଁ, ପୂର୍ବ, ପଶ୍ଚିମ ଓ ଦକ୍ଷିଣରେ ସାଂସ୍କୃତିକ ଚେତନା ସ୍ରୋତ ଧୀରେଧୀରେ ଜୀବନଚର୍ଯ୍ୟା ଓ ଆଦାନପ୍ରଦାନର ମାଧ୍ୟମ ହୋଇଗଲା।
ଭାରତର ଧର୍ମ, ଭାଷା ଓ ସଂସ୍କୃତିର ବିବିଧତା ସତ୍ତ୍ବେ ଏ ଦେଶର ଲୋକମାନେ ବିଭିନ୍ନତା ମଧ୍ୟରେ ହଜି ଯାଇନାହାନ୍ତି। ଏକଥା ବରଂ କୁହାଯାଇପାରେ ଯେ ଆର୍ଯ୍ୟ, ଦ୍ରାବିଡ଼ ଓ ଆଦିମ ଜନଜାତିର ଜୀବନଧାରା ସହିତ କାଳକ୍ରମେ ସଂଯୋଗ ଦୃଢ଼ ହୋଇଛି ଏବଂ ସାଂସ୍କୃତିକ ସମନ୍ବୟ ଦୃଢ଼ ହେବାଦ୍ବାରା ସନାତନ ହିନ୍ଦୁ ଧର୍ମ ସମସ୍ତଙ୍କୁ ଆବୋରି ରଖିଛି। ଏପରିକି ପୂର୍ବ ଉପକୂଳର ଶ୍ରୀକ୍ଷେତ୍ର ପୁରୁଷୋତ୍ତମକୁ ଦାରୁ ଦେବତାଙ୍କ ମାନ୍ୟତା ଦେଇ ସମ​‌େ​‌ସ୍ତ ଗ୍ରହଣ କରିନବା ଦ୍ବାରା କଳିଯୁୁଗରେ ପରଂବ୍ରହ୍ମ ହିଁ ପୁରୁଷୋତ୍ତମରେ ପରିଣତ ହୋଇଛନ୍ତି। ନାନକ, କବୀର, ରାମାନୁଜ, ତୁଳସୀ ଦାସ, ସାଲବେଗ, ଗଣପତି ଭଟ୍ଟ, ଗୁରୁ ଗୋବିନ୍ଦ ସିଂହ ପ୍ରମୁଖ ସନ୍ଥପୁରୁଷମାନେ ଶ୍ରୀକ୍ଷେତ୍ରକୁ ଆସିବାପରେ ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ଜୀବନ ଅଧିକ ଗ୍ରହଣୀୟ ଓ ସାର୍ବଜନୀନ ହୋଇଛି। ସଂସ୍କାରର ଧାରା ଜାରି ରହିଲେ ହୁଏତ ଏକବିଂଶ ଶତାବ୍ଦୀର ​‌େ​‌ଶଷ ବେଳକୁ ଚାରିବର୍ଣ୍ଣର ଉଦାରବାଦୀ ମିଳନ ଯୋଗୁ ବର୍ଣ୍ଣ ଓ ଜାତିର ସମୟୋଚିତ ପରିବର୍ତ୍ତନ ହେବ। ଈଶ୍ବର ଏକ କିନ୍ତୁ ଧର୍ମ ଓ ଜାତି ଅନେକ। ତେଣୁ ବିଶ୍ବର ଯେ କୌଣସି ଦେଶରୁ ବିଶ୍ବାସୀମାନେ ମହାପ୍ରଭୁଙ୍କ ଦର୍ଶନ କରିବାପାଇଁ ଆସିଲେ ମହପ୍ରଭୁଙ୍କୁ ଦର୍ଶନ ନକରି ସେମାନଙ୍କୁ ନିରାଶାରେ ଫେରିଯିବାକୁ ପଡ଼ିବ ନାହିଁ।
୯,ଷ୍ଟେସନ୍‌ ସ୍କୋୟାର, ଭୁବନେଶ୍ବର

Leave A Reply