ଚାଷୀ ଓ ଚାଷର ଭବିଷ୍ୟତକୁ ନୂତନ ରୂପ ଦେବା ଲାଗି ପ୍ରୟାସ

0

ଏମ.ଏସ. ସ୍ବାମୀନାଥନ

ଭାରତ ଇତିହାସରେ ବିଶେଷକରି ସ୍ୱାଧୀନତା ପରବର୍ତ୍ତୀ କାଳରେ ପ୍ରଥମକରି ରାଷ୍ଟ୍ରୀୟ କୃଷକ ଆୟୋଗ ଗଠନ କରାଯାଇଥିଲା। ଦେଶର ବିଶାଳ ଚାଷୀ ସମାଜ ଓ ସେମାନଙ୍କ ପରିବାରର ସମସ୍ୟା ଅନୁମାନ କରିବା ସହ କୃଷି କାର୍ଯ୍ୟକୁ ଲାଭଦାୟକ ଏବଂ ଯୁବ ଗୋଷ୍ଠୀ ପାଇଁ ଆକର୍ଷକ କରିବା ନିମନ୍ତେ ଆବଶ୍ୟକ କାର୍ଯ୍ୟ ପନ୍ଥା ସୁପାରିସ କରିବା ନିମନ୍ତେ ଏହି ଆୟୋଗ ଗଠନ କରାଯାଇଥିଲା। ତତ୍କାଳୀନ କେନ୍ଦ୍ର କୃଷିମନ୍ତ୍ରୀ ରାଜନାଥ ସିଂ ଏହି ଆୟୋଗ ଗଠନ କରିଥିଲେ ଏବଂ ପରବର୍ତ୍ତୀ କାଳରେ ଶରଦ ପୱାର ମୋତେ ଏହି ଆୟୋଗର ଅଧ୍ୟକ୍ଷ ହେବା ପାଇଁ ନିମନ୍ତ୍ରିତ କରିଥିଲେ। ପରବର୍ତ୍ତୀ କାଳରେ ଏହି ଆୟୋଗ କୃଷି କ୍ଷେତ୍ରର ବିକାଶ ଓ ଅଗ୍ରଗତି ପାଇଁ ଏକ ସୁନ୍ଦର ସୁପାରିସମୂଳକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏଥିରେ ଚାଷୀମାନଙ୍କ ସାମଗ୍ରିକ ଆର୍ଥିକ ବିକାଶ ପାଇଁ ଅନେକ ସୁପାରିସ ରହିଥିଲା। ରାଷ୍ଟ୍ରୀୟ କୃଷକ ନୀତି ମଧ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଥିଲା। ଏହି କୃଷକ ଆୟୋଗଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ସୁପାରିସ କରାଯାଇଥିଲା, ଯାହାକି ନିମ୍ନରେ ପ୍ରଦତ୍ତ ହେଲା-
• କୃଷି ଓ କୃଷି କାର୍ଯ୍ୟକୁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ କରି ଚାଷୀ ​‌େ​‌ଯପରି ସର୍ବନିମ୍ନ ନିଟ ଆୟ କରିପାରିବ ତାହା ସୁନିଶ୍ଚିତ କରିବା ଏବଂ କୃଷି ବିକାଶକୁ ଚାଷୀର ଏହି ଆୟ ବୃଦ୍ଧି ଦିଗରେ ନିଆଯାଉଥିବା ପଦକ୍ଷେପ ସମୂହ ଦ୍ୱାରା ପାରିମାପକ ଭାବେ ବ୍ୟବହାର କରିବା।
• ସମସ୍ତ ପ୍ରକାର କୃଷି କାର୍ଯ୍ୟକ୍ରମ, ନୀତିରେ ମାନବୀୟ ଓ ଲିଙ୍ଗଗତ ଦିଗକୁ ମୁଖ୍ୟ ସ୍ରୋତକୁ ଆଣିବା ଏବଂ ଏକ ଦୀର୍ଘସ୍ଥାୟୀ ଗ୍ରାମୀଣ ଜୀବିକା ନିର୍ବାହ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବା।
• ଭୂସଂସ୍କାର ସଂକ୍ରାନ୍ତ ଅସମ୍ପୂର୍ଣ୍ଣ ଏଜେଣ୍ଡାକୁ ପୂର୍ଣ୍ଣାଙ୍ଗ କରିବା ଏବଂ କୃଷି ଓ ଜଳକୃଷି ସଂକ୍ରାନ୍ତ କ୍ଷେତ୍ରରେ ସୁପରିକଳ୍ପିତ ସଂସ୍କାର ନିମନ୍ତେ ଯୋଜନା ଆରମ୍ଭ କରିବା।
• ଚାଷୀଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ବ୍ୟବସ୍ଥା ଓ ସହାୟକ ସେବା ଯୋଗାଣ ନିମନ୍ତେ ଏକ ସୁନ୍ଦର ବ୍ୟବସ୍ଥା ଆରମ୍ଭ ଓ ବିକଶିତ କରିବା।
• ଜମି, ଜଳ, ଜୈବ ବିବିଧତା ଏବଂ ଜଳବାୟୁ ସଂକ୍ରାନ୍ତ ସମ୍ବଳର ସୁରକ୍ଷା ଓ ବିକାଶ ସାଧନ, ଯାହାକି ଉତ୍ପାଦକତା, ଲାଭ ଓ ବୃହତ୍‌ ଚାଷ ବ୍ୟବସ୍ଥାରେ ସ୍ଥାୟିତ୍ୱ ଆଣିବା ପାଇଁ ବାଞ୍ଛନୀୟ ସେ ଦିଗରେ ପଦକ୍ଷେପ ନେବା ସହ ଏସବୁର ସଂରକ୍ଷଣରେ ଭାଗିଦାର ହେବା,
• ଗ୍ରାମୀଣ ଭାରତରେ ଗୋଷ୍ଠୀକୈନ୍ଦ୍ରିକ ଖାଦ୍ୟ, ଜଳ ଓ ଶକ୍ତି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରତି ପରିବାରର ପିଲା, ମହିଳା ଓ ପୁରୁଷଙ୍କ ମଧ୍ୟ ପୋଷଣ ସୁରକ୍ଷାକୁ ସୁନିଶ୍ଚିତ କରିବା।
• ଅମଳ ଓ ଅମଳ ପରବର୍ତ୍ତୀ ସମୟରେ ଛୋଟ ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରି ଯୁବ ଗୋଷ୍ଠୀଙ୍କୁ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ କରିବା ଏବଂ କୃଷି କ୍ଷେତ୍ରରେ ଯେପରି ଯୁବ ପ୍ରତିଭାମାନେ ତିଷ୍ଠି ରହିବେ ଏବଂ ଏହା ସେମାନଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେବ ସେ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା।
• ସମସ୍ତ ଫସଲର ଜୈବ ନିରାପତ୍ତାକୁ ସୁଦୃଢ଼ କରିବା, ଚାଷ କାର୍ଯ୍ୟରେ ନିୟୋଜିତ ପ୍ରାଣୀଧନ, ମତ୍ସ୍ୟ ସମ୍ପଦ, ଉଦ୍ଭିଦ ସମ୍ପଦର ସୁରକ୍ଷା ମାଧ୍ୟମରେ ଚାଷୀ ପରିବାରର ନିୟମିତ କାମ ଓ ଆୟକୁ ସୁରକ୍ଷିତ ରଖିବା ତଥା ରାଷ୍ଟ୍ରର କୃଷି ସ୍ୱାସ୍ଥ୍ୟ ଓ ବାଣିଜ୍ୟ ନିରାପତ୍ତାକୁ ଜାରି ରଖିବା।
• କୃଷି ସଂକ୍ରାନ୍ତ ପାଠ୍ୟ ଖସଡା ଓ ଶିକ୍ଷଣ ପଦ୍ଧତିର ପୁନର୍ବିନ୍ୟାସ ମାଧ୍ୟମରେ ପ୍ରତ୍ୟେକ କୃଷି ଓ ଗୃହବିଜ୍ଞାନ ଛାତ୍ର ଓ ଛାତ୍ରୀଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିବା ସହିତ କୃଷି ଶିକ୍ଷାକୁ ଲିଙ୍ଗଗତ ବାଛବିଚାରରୁ ଦୂରେଇ ରଖିବା।
• ପୋଷଣୀୟ କୃଷି ପାଇଁ ଆବଶ୍ୟକ ଉପାଦାନର ଉତ୍ପାଦନ ଓ ଯୋଗାଣର ବୈଶ୍ୱିକ କେନ୍ଦ୍ରସ୍ଥଳୀ ଭାବେ ଭାରତକୁ ଗଢ଼ିବା ଏବଂ ଜୈବ ପ୍ରଯୁକ୍ତି ତଥା ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି କୌଶଳ ସହାୟତାରେ ଉନ୍ନତ କୃଷି ସାମଗ୍ରୀ ଓ ପ୍ରକ୍ରିୟାକୁ ବିକଶିତ କରିବା।
କୃଷକମାନଙ୍କ ପାଇଁ ଗଠିତ ଜାତୀୟ ଆୟୋଗଙ୍କ ରିପୋର୍ଟ ୨୦୦୬ରେ ଦାଖଲ କରାଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବର୍ତ୍ତମାନର ସରକାର ଗଠନ ହେବା ପୂର୍ବରୁ ଏ ଦିଗରେ କେବଳ ସାମାନ୍ୟ ପଦକ୍ଷେପ ନିଆଯାଇଥିଲା। ଗତ ୪ ବର୍ଷ ମଧ୍ୟରେ, କୃଷକଙ୍କ ସ୍ଥିତି ଏବଂ ଆୟରେ ଉନ୍ନତି ଆଣିବା ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରୁ କେତେକ ହେଲା :
• କୃଷିର ବିକାଶ ଲାଗି କୃଷକମାନଙ୍କ କଲ୍ୟାଣକୁ ଏକ ପଦକ୍ଷେପ ଭାବେ ଗୁରୁତ୍ୱ ଦିଆଯାଇ କୃଷି ମନ୍ତ୍ରଣାଳୟର ନାମ ‘କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ’ କରାଯାଇଥିଲା।
• ସମତୁଲ ପୋଷକତତ୍ତ୍ବ ଗ୍ରହଣ କରିବା ଲାଗି ସମସ୍ତ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଇଥିଲା। ଫସଲର ସ୍ୱାସ୍ଥ୍ୟ ପାଇଁ ମୃତ୍ତିକାର ସ୍ୱାସ୍ଥ୍ୟ ବଜାୟ ରହିବା ଜରୁରୀ ଏବଂ ଫସଲର ସ୍ୱାସ୍ଥ୍ୟ ମଣିଷ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସାମଗ୍ରିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
• ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଜରିଆରେ କ୍ଷୁଦ୍ର ଜଳସେଚନକୁ ପ୍ରୋତ୍ସାହନ ଦେବା ଲାଗି ଉଭୟ ବଜେଟ ଏବଂ ଅଣବଜେଟ ସମ୍ବଳ ଆବଣ୍ଟନ।
• ରାଷ୍ଟ୍ରୀୟ ଗୋକୁଳ ମିଶନ ଜରିଆରେ ଦେଶୀ ଗାଈ ପ୍ରଜାତିର ସଂରକ୍ଷଣ ଏବଂ ନିରନ୍ତର ଉପଯୋଗ। କୃଷି-ଜୈବ ବିବିଧତା ଉପରେ ପ୍ରଥମ ଅନ୍ତର୍ଜାତୀୟ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମଧ୍ୟ ଉଦଘାଟନ କରିଥିଲେ।
• ଇଲେକଟ୍ରୋନିକ ଜାତୀୟ କୃଷି ବଜାର (ଇ-ନାମ) ଜରିଆରେ ଅନଲାଇନ ବିପଣନକୁ ପ୍ରୋତ୍ସାହନ ଯୋଗାଇ ଦେବା ଯାହା ବିଭିନ୍ନ କୃଷି ବଜାରକୁ ଏକତ୍ର କରିବାରେ ସହାୟକ ହୋଇଛି। ଗ୍ରାମୀଣ କୃଷି ବଜାର (ଗ୍ରାମ) ସୃଷ୍ଟି ହେବା ଦ୍ୱାରା ସିଧାସଳଖ ଉପଭୋକ୍ତାମାନଙ୍କୁ ଖୁଚୁରା ଏବଂ ପାଇକାରୀ ଭାବେ ବିକ୍ରିର ସୁଯୋଗ ଯୋଗାଇ ଦିଆଯାଇଛି।
• କୃଷି କ୍ଷେତ୍ରକୁ ପରିବର୍ଦ୍ଧିତ ସଂସ୍ଥାଗତ ଋଣ ଯୋଗାଇ ଦେବା ଲାଗି କୃଷି ଉତ୍ପାଦ ଏବଂ ଜୀବିକା ବିପଣନ ଆଇନ, ୨୦୧୭ ଏବଂ କୃଷି ଉତ୍ପାଦ ଏବଂ ଜୀବିକା କଂଟ୍ରାକ୍ଟ କୃଷି ସେବା ଆଇନ, ୨୦୧୮ ସହିତ ଇଲେକଟ୍ରୋନିକ ବିନିମୟଯୋଗ୍ୟ ଭଣ୍ଡାର ଗ୍ରହଣ (ଇଏନଡବ୍ଲ୍ୟୁଆର) ବ୍ୟବସ୍ଥା ପ୍ରଚଳନ କରାଯାଇଛି।
• ଏନସିଏର ସୁପାରିସ ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବିବେଚନା କରିବା। ଏମଏସପି ହାରରେ ଅଧିକ ଫସଲ ବିକ୍ରୟ ସୁନିଶ୍ଚିତ କରିବା।
• ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ), ମଧ୍ୟାହ୍ନ ଭୋଜନ, ଆଇସିଡିଏସ ଆଦି ସମେତ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଅଧିକ ପ୍ରୋଟିନଯୁକ୍ତ ଡାଲି ଏବଂ ପୋଷକଯୁକ୍ତ ଯଅ ମିଶାଇବା।
• କୃଷକ ଏବଂ କୃଷି ପରିବାର ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମହୁଚାଷ, ଛତୁଚାଷ, ବାଉଁଶ ଉତ୍ପାଦନ, ଜଙ୍ଗଲଜାତ କୃଷି, ଜିଆ-ଖତ ଏବଂ କୃଷି ପ୍ରକ୍ରିୟାକରଣ ଆଦି ଜରିଆରେ କୃଷକଙ୍କ ଆୟ ବୃଦ୍ଧି। ଆସନ୍ତା ୫ ବର୍ଷ ମଧ୍ୟରେ କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ବିଭିନ୍ନ ପଦ୍ଧତି ବିକଶିତ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
• ଜାରି ରହିଥିବା ଜଳସେଚନ ଉତ୍ପାଦନକୁ ସମ୍ପୂର୍ଣ୍ଣ କରିବା, ଦୁଗ୍ଧ ସମବାୟଗୁଡ଼ିକର ଭିତ୍ତିଭୂମି ଆଧୁନିକୀକରଣ କରିବା ଏବଂ ଆଭ୍ୟନ୍ତରୀଣ ଏବଂ ସାମୁଦ୍ରିକ ଜଳ କୃଷିକୁ ସୁଦୃଢ଼ କରିବା ଲାଗି ସଂଖ୍ୟାଧିକ କର୍ପସ ପାଣ୍ଠି ପ୍ରତିଷ୍ଠା କରିବା।
• ସର୍ବୋପରି, ଜାତୀୟ କୃଷକ ଆୟୋଗଙ୍କ ସୁପାରିସ ଆଧାରରେ ସମ୍ପ୍ରତି ଲାଭକାରୀ ମୂଲ୍ୟ ଘୋଷଣା କରିବା କୃଷି କ୍ଷେତ୍ରକୁ ଅର୍ଥନୈତିକ ଦୃଷ୍ଟିରୁ ଉପଯୋଗୀ ଏବଂ ଆକର୍ଷଣୀୟ କରିପାରିଛି। ସରକାର ନିଜର ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ଯେ ୨୦୧୮ ଖରିଫ ଋତୁ ପରଠାରୁ ବିଜ୍ଞପିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ମୂଲ୍ୟର ସର୍ବନିମ୍ନ ୧୫୦% ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଟା ଶସ୍ୟ ଫସଲ ଲାଗି ଏହାର ପରିମାଣ ୧୫୦ ଏପରିକି ୨୦୦% ହେବ ଯାହାକି କୃଷକଙ୍କ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବା ସହିତ ଆମ ଜନସଂଖ୍ୟାର ପୁଷ୍ଟିସାଧନରେ ଉନ୍ନତି ଆଣିବାରେ ସହାୟକ ହେବ।
ଜୟ କିଷାନ ଆହ୍ୱାନକୁ ବାସ୍ତବ ରୂପ ଦେବା ନିଶ୍ଚିତ ଭାବେ ସହାୟକ ହୋଇପାରିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ଯୋଜନାକୁ ଯଦି ପ୍ରଭାବୀ ଢଙ୍ଗରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ, କୃଷି ଏବଂ କୃଷକମାନଙ୍କ ଭବିଷ୍ୟତ ସମୃଦ୍ଧ ହୋଇପାରିବ ଏବଂ ଭାରତ ଉଭୟ ଖାଦ୍ୟ ଏବଂ ପୁଷ୍ଟିସାଧନ ନିରାପତ୍ତାର ନେତୃତ୍ୱ ନେଇପାରିବ।
କୃଷକମାନଙ୍କ ଆନ୍ଦୋଳନ ତଥାପି ଜାରି ରହିଛି। ଋଣ ଛାଡ଼ କରିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ସ୍ୱାମୀନାଥନଙ୍କ ସୁପାରିସ କାର୍ଯ୍ୟକାରୀ କରିବା ଲାଗି ଦାବି ଜୋର ହେଉଛି। ଏହି ଦୁଇଟି ସମସ୍ୟା ବର୍ତ୍ତମାନ ଦୃଷ୍ଟି ଆକର୍ଷଣ କରୁଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।
ସଂକ୍ଷେପରେ କହିବାକୁ ଗଲେ, କୃଷକମାନଙ୍କ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ କୃଷି କ୍ଷେତ୍ରରେ ବୈଷୟିକ ପ୍ରଗତି ଆଣିବା ଲାଗି ଗତ ଚାରି ବର୍ଷ ବ୍ୟାପକ ଅଗ୍ରଗତି ହାସଲ ହୋଇଛି। ଏହି ପଦକ୍ଷେପଗୁଡ଼ିକ ଯଦି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଏ ତା’ହେଲେ କୃଷକମାନଙ୍କ ସମୃଦ୍ଧି ଏବଂ କୃଷି କ୍ଷେତ୍ରରେ ଅର୍ଥନୈତିକ ଉପଯୋଗିତା ସୁନିଶ୍ଚିତ ହୋଇପାରିବ। କୃଷି ଗ୍ରାମୀଣ ଭାରତର ପ୍ରମୁଖ ଶିଳ୍ପ। ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱାରୋପ କରିଥିବାରୁ ଆମେ ତାଙ୍କ ପ୍ରତି କୃତଜ୍ଞ। କୃଷିକୁ ଏକ ଆୟର ଉତ୍ସ ଏବଂ ଆମ ଦେଶର ଗର୍ବରେ ପରିଣତ କରିବା ଲାଗି ଆମେ ଯଥାସମ୍ଭବ ପଦକ୍ଷେପ ନେବା ଉଚିତ। ଏହା ବ୍ୟତୀତ, ତିନି ବର୍ଷ ଲାଗି ପ୍ରଧାନମନ୍ତ୍ରୀ ୯୦୦୦ କୋଟି ଟଙ୍କାର ଜାତୀୟ ପୁଷ୍ଟିସାଧନ ମିଶନ ଶୁଭାରମ୍ଭ କରିଛନ୍ତି। ଏହା ଆମକୁ ଖାଦ୍ୟରୁ ପୁଷ୍ଟିସାଧନ ନିରାପତ୍ତା ଦିଗରେ ନେଇଯିବାରେ ସହାୟକ ହୋଇପାରିବ ଯଦ୍ଦ୍ୱାରା ସମସ୍ତ ଶିଶୁ, ମହିଳା ଏବଂ ପୁରୁୁଷ ନିୟନ୍ତ୍ରିତ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱଚ୍ଛ ପାନୀୟ ଜଳ ପାଇପାରିବେ।

Leave A Reply